Unknown

 

 

 

 

 

 

 

 

 

 

ଅଭିନୟ ନୁହେଁ

(ଉପନ୍ୟାସ)

ମହାପାତ୍ର ଯତୀନ୍ଦ୍ର କୁମାର

 

ଉତ୍ସର୍ଗୀକୃତ

 

ସୁହୃଦ୍

ଭଗବାନ ନାୟକବର୍ମାଙ୍କୁ…….

 

ଲେଖକ

 

॥ ପ୍ରଥମ ଅଙ୍କ ॥

 

ମଞ୍ଜୁ...

 

ସକାଳର ଚା’ଖିଆ ଶେଷ ହୋଇନି । କଲିଂବେଲ୍ ବାଜିଉଠିଲା ବାହାରେ ।

 

ନିର୍ବିକାରଭାବେ ଚା’ ଖାଇ ଚାଲିଲି ।

 

ଜାଣେ, ମାଆ ଦାଣ୍ଡଘରେ ଅଛି; ଅତଏବ ସେଇ ନିଶ୍ଚୟ ଦରଜା ଖୋଲିବ ।

 

କିଏ ହେଇପାରେ ?

 

ଦୁଧବାଲା ହେଇପାରେ, ଘରବାଲା ହେଇପାରେ, କିମ୍ବା ହେଇପାରେ ମିଟର ରିଡ଼ିଂ ନେବାର ଲୋକଟା ବି । ବର୍ତ୍ତମାନ ତ ମାସର ପ୍ରଥମ ସପ୍ତାହ; ତେଣୁ ଏଇମାନେଇ ଆସିବାର ସମ୍ଭାବନା ବେଶୀ –ବିଶେଷତଃ, ଏତେ ସକାଳୁ ।

 

ମୋ ସକାଳର ଚା’ମାନେ, ବେଡ଼୍‍ ଟି ।

 

ଠିକ୍ ନିଦରୁ ଉଠିବା ପରେ ମୋର ପ୍ରଥମ ପାନୀୟ ।

 

ବାହାରୁ ଶୁଭିଲା ପୁରୁଷ ଗଳାର ସ୍ଵର । ଆଜ୍ଞା ନମସ୍କାର, ମଞ୍ଜୁଳା ଦେବୀ ଅଛନ୍ତି ?

 

ମାଆ କହୁଚି –ଆସନ୍ତୁ, ବସନ୍ତୁ ଭିତରେ । କୋଉଠୁ, ଆସିଛନ୍ତି ଆପଣମାନେ ?

 

(ଜଣେ ନୁହେଁ । ନିଶ୍ଚୟ ତେବେ ଏକାଧିକ ।)

 

ରାଉରକେଲାରୁ । ପ୍ରଗତି ନାଟ୍ୟସଂଘ...

 

ତା’ମାନେ, ସେମାନେ ମୋତେ ଡାକିବାକୁ ଆସିଚନ୍ତି । ମନଟା ଖୁସିହେଇ ଉଠିଲା । ସୌଖିନ ନାଟ୍ୟସଂସ୍ଥାରେ ମୁଁ ଅଭିନୟ କରେ । କରେ ଅର୍ଥର ବିନିମୟରେ । କରି ଚାଲିଚି ସତରବର୍ଷ ବୟସରୁ, ଆଜିକି ଦଶବର୍ଷ ହେଲା । କରିଚି ବିଭିନ୍ନ ସ୍ଥାନରେ, ଇମିତିକି ଓଡ଼ିଶା ବାହାରେ ବି । ଓଡ଼ିଆ ନାଟକରେ ଅବଶ୍ୟ । ତେବେ ରାଉରକେଲାରୁ କେହି ମୋ ପାଖକୁ ଆସିବା ଆଜି ଏଇ ପ୍ରଥମ ।

 

ମାଆ ସାଙ୍ଗରେ ସେମାନଙ୍କର କଥାବାର୍ତ୍ତା ଚାଲିଛି । ସବୁ ଶୁଣିପାରୁଚି ମୁଁ । ତଥାପି ହଠାତ୍ ବାହାରକୁ ଉଠିଯିବାର ନୁହେଁ । ମୁଁ ଅଭିନେତ୍ରୀ । ବିଛଣାରୁ ଉଠିବା ପରେ...ଏଇଭଳି ଦେହ, ମୁହଁ ଆଉ ବେଶ ବାସ ନେଇ ନିଶ୍ଚୟ ମୁଁ ବସିବା ଘରକୁ ଯିବିନି । ଯିବିନି ସେଇମାନଙ୍କ ଆଗକୁ...ଅନ୍ତତଃ ଯୋଉମାନେ...ଏତେଦୂରରୁ ମୋତେ ଡାକିବାକୁ ଆସନ୍ତି ।

 

ସେ କଥା ଜାଣେ ମାଆ ବି ।

 

ତେଣୁ ସେ ଗପ ଯୋଡ଼ି ଦେଇଚି । ଚା’ ଦେଉଚି ସେମାନଙ୍କୁ । ଅର୍ଥାତ ସମୟ ଦେଉଚି ମୋତେ ନିତ୍ୟକର୍ମ ସାରିବା ପାଇଁ... ପ୍ରସ୍ତୁତ ହେବାପାଇଁ ॥

 

ବସିବା ଘରୁ ଶୁଭୁଥିଲା ସେମାନଙ୍କ କଥାବାର୍ତ୍ତା ।

 

...ତମେ ପୁଅ, କୋଉ ଡ୍ରାମା କରୁଚ ?

 

ଆଗନ୍ତୁକମାନଙ୍କୁ ମାଆ ୟା’ ଭିତରେ ‘ତମେ’ କରିସାରିଲାଣି । ହୁଏତ ବୟସ ସେମାନଙ୍କର ମାଆଠାରୁ ଯଥେଷ୍ଟ କମ୍ –ନତୁବା ସେଇମାନେଇ ନିଜଆଡ଼ୁ ପ୍ରଥମେ କହିଥିବେ, ‘ଆପଣ’ ‘ଆପଣ’ କରୁଚନ୍ତି କାହିଁକି ? ଘନିଷ୍ଠ ହେବା ପାଇଁ ନ ହେଲେ ‘ମାଉସୀ’ ଡାକିଥିବେ ଆଗେ-

 

ମନେ ମନେ ହସିଲି ।

 

କେତେ ଇମିତି ଦେଖିଚି !

 

ପଶିଗଲି ବାଥ୍‍ରୁମ୍ ଭିତରକୁ ଟୁଥପେଷ୍ଟ ଆଉ ବ୍ରସ ନେଇ ।

 

ସିଙ୍କ୍, କମୋଡ଼, ରାକ୍‍, ବଡ଼ସାଇଜର ଦର୍ପଣରେ ପ୍ରତିଫଳିତ ଲୋସନ ଆଉ ସୁଗନ୍ଧ ତେଲର ରଙ୍ଗୀନ ଶିଶି ।

 

ନାଁ, ମୁଁ ଗରିବ ନୁହେଁ ନିହାତି । ମୋତେ ଅନ୍ତତଃ ଉଚ୍ଚ ମଧ୍ୟବିତ୍ତ କୁହାଯାଇପାରେ । ମାନେ, ଦଶବର୍ଷ ତଳେ ଯାହା ଆମେ ଥିଲୁ...ଅର୍ଥାତ୍ ବାପା ବିଗତ ହେବା ଆଗରୁ...ତା’ ଅପେକ୍ଷା ଅନେକ ଅ-ନେ-କ ଭଲରେ ଅଛୁ ଆମେ ବର୍ତ୍ତମାନ ।

 

ଅବଶ୍ୟ ବାପା ବଞ୍ଚିଥିବାବେଳେ ବି ନିହାତି ମନ୍ଦ ନ ଥିଲା ଆମର ଅବସ୍ଥା । ସେ ଶିକ୍ଷକତା କରୁଥିଲେ –ଟିଉସନ ପାଉଥିଲେ ପ୍ରଚୁର –ତାହା ପ୍ରାୟ ସମାନଥିଲା ଦରମାର ଅଙ୍କ ସାଙ୍ଗରେ ।

 

ସେତେବେଳର ଶସ୍ତା-ଯୁଗରେ ଏଇ କଟକ ସହରରେ ମନ୍ଦ ଚଳୁନଥିଲୁ ଆମେ, ଅର୍ଥାତ୍ ବାପା, ମାଆ, ମୁଁ ଆଉ ମୋର ତିନିଟି ସାନ ସାନ ଭାଇ... ।

 

ତେବେ, ମାଆର ବଦଖର୍ଚ୍ଚୀ ହାତଯୋଗୁ ସଞ୍ଚୟ ହେଇପାରୁନଥିଲା କିଛି ।

 

କରୋନାରୀ ଥ୍ରମ୍ବୋସିସରେ ବାପଙ୍କର ହଠାତ୍ ମୃତ୍ୟୁ ହେଇନଥିଲେ ଆମର କିଛି ସଞ୍ଚୟ ନ ଥିବା ମୁଁ ହୁଏତ ଜାଣିପାରି ବି ନ ଥାନ୍ତି । କିନ୍ତୁ ସବୁ ବିଷୟ ଜାଣିବାକୁ ହେଲା । ଜାଣିବାକୁ ହେଲା ଯେ ବାପଙ୍କର ଇନସୁରେନ୍ସ ପଲିସି ଦୂରେ ଥାଉ ପାଶ୍‍ ବୁକ୍‍ଟିଏ ବି ନାହିଁ ।

 

ଅର୍ଥାତ ଆୟ ସାଙ୍ଗରେ ବ୍ୟୟ ବି ଥିଲା ସମାନ ।

 

ତିନିଟି ଭାଇଙ୍କ ଭିତରେ ସବୁଠାରୁ ବଡ଼ ମୁଁ । ତେଣୁ ମୁଇଁ ନେବା କଥା ଘରର ଦାୟିତ୍ଵ । କିନ୍ତୁ ଦାୟିତ୍ଵ-ଜ୍ଞାନ ବୋଲି କିଛି ହେଲେ ସେତେବେଳେ ନ ଥିଲା ମୋର ।

 

ଯୋଉ ଗାର୍ଲସ୍କୁଲରେ ପଢ଼ୁଥିଲି ସେଠି ମୁଁ ସେତେବେଳେ ନାମ୍‍ଜାଦା ‘ହିରୋଇନ୍‍’ । ସ୍କୁଲରେ ମଞ୍ଚସ୍ଥ ହେଉଥିବା ଥିଏଟରରେ ଅଭିନୟ କରିବା, ନାଚିବା, ଗାଇବା, ପାଠପଢ଼ା ପ୍ରତି ଅବହେଳା, କପିକରି ପାସ୍‍କରି ପାରିବାର ସୁଦୃଢ଼ ଆତ୍ମବିଶ୍ଵାସ...ଏଇସବୁ ନେଇ ବିଭୋର ହୋଇ ରହିଥିଲା ଏତେଦିନ ଯାଏ । ଦାୟିତ୍ଵଜ୍ଞାନ ଦୂରେଥାଉ ‘ଦାୟିତ୍ଵ’ର ଅର୍ଥ କ’ଣ ତାହା ମଧ୍ୟ ଅଜଣା ଥିଲା ମୋତେ ।

 

ଷୋହଳ ପୂରି ସତର ବର୍ଷ ବୟସରେ ପାଦ ଦେଇଛି –ଏକାଦଶ ଶ୍ରେଣୀର ଛାତ୍ରୀ –ହଠାତ୍ ଏଇ ପାରିବାରିକ ବିପର୍ଯ୍ୟୟ...ଯାହା ଫଳରେ ପଢ଼ା ଛାଡ଼ିବାକୁ ହେଲା ମୋତେ ସେଇଠୁ ।

 

ସୌଖୀନ ମଞ୍ଚ ସଂସ୍ଥାର ସୁବିଖ୍ୟାତ ଅଭିନେତ୍ରୀ ଝରଣା ଦେବୀ...ଝରଣା ରାଉତରାୟ... ଆମ ପଡ଼ିଶା । ପିଲାଦିନୁ ‘ଦିଦି’ ବୋଲି ଡାକେ ତାଙ୍କୁ । ମାଆ ବି ତାଙ୍କୁ ଝିଅପରି ଦେଖେ । ବାପା ମରିବାର ପନ୍ଦରଦିନ ପରେ...ଯୋଉଦିନ ପ୍ରଥମଥର ପାଇଁ...ଘରଭଡ଼ାର ଟଙ୍କାଟା ତାଙ୍କରିଠାରୁ ଧାର୍ ମାଗିବାକୁ ହେଲା ଆମକୁ...ଆଉ ଶୁଣାଇବାକୁ ହେଲା ତାଙ୍କୁ ପ୍ରଥମଥର ପାଇଁ ଆମ ଅଭାବ-ଦୁଃଖର କାହାଣୀ...ସେଇଦିନ ଦି’ପହରବେଳେ ସେ ନିଜେ ଆମ ଘରକୁ ଆସି ଉପଦେଶ ଦେଇଥିଲେ ମୋତେ ଆଉ ମୋ ମାଆଙ୍କୁ ବି ।

 

ସେଇ ଉପଦେଶ ଘୂରାଇ ଦେଇଥିଲା ମୋ ଜୀବନର ଗତିପଥ । ମିଥ୍ୟା ଆଭିଜାତ୍ୟର ବଡ଼ାଇ ଛାଡ଼ି ମୁଁ ହେଲି ଅଭିନେତ୍ରୀ ।

 

ଏବେ ମଧ୍ୟ ମନେପଡ଼େ, ମୋତେ ଏକାନ୍ତରେ ସେ କହିଥିଲେ ଯାହାସବୁ !!!

 

ହଁ, ଠିକ୍ କହିଥିଲେ ଝରଣାଦି –“ଜୀବିକା ଉପାର୍ଜନ କରିବା ପାଇଁ ପୁରୁଷକୁ ଯୋଗ୍ୟ ହେବାକୁ ପଡ଼େ; କିନ୍ତୁ ନାରୀ ତ ସେଥିପାଇଁ ଏକ ନ୍ୟୁନତମ ଯୋଗ୍ୟତା ନେଇ ଜନ୍ମ ହେଇଚି । କ୍ଵାଲିଫିକେସନ୍‍ ଥିଲେ ବି ତୁ ଯଦି ଅଫିସରେ କାମ କରନ୍ତୁ ମଞ୍ଜୁଳା...ତୋ କନ୍‍ଫିଡେନ୍ସିଆଲ୍ କାରେକ୍ଟର ରୋଲ୍ ଯିଏ ଲେଖେ ତା’ର ଶିକାର ହେବାକୁ ପଡ଼ନ୍ତା ତୋତେ । ନଚେତ୍ ପ୍ରତିବର୍ଷ ଏଡ୍‌ଭର୍ସ ରିମାର୍କ !! ଆଉ ବିବାହ, ସେଇଟା ବି ତ ଏକ ପ୍ରକାର ଦେହ ବିକିବା... । ଖାଲି କ’ଣ ଦେହ; ଶ୍ରମ...ପରିଚର୍ଯ୍ୟା...ଆଉ ସନ୍ତାନ ଲାଳନ-ପାଳନର ପ୍ରତି-ବଦଳରେ ଶାଢ଼ି... ଗହଣା...ଅନ୍ନ ଏବଂ ସୋହାଗ... ମୂଲ୍ୟରୂପେ ପାଇବାର ପରାଧୀନ-ଜୀବନ ସେ, ଯୋଉଥିରେ ବିଳାସ-ବ୍ୟସନରେ ଗ୍ୟାରେଣ୍ଟି ବି ନାହିଁ । ବାସ୍ତବ ଜୀବନରେ ସୁଖହିଁ ଏକମାତ୍ର କାମ୍ୟ ହେବା ଉଚିତ,...ଏଇ ମୁଁ ଯେପରି ସୁଖୀ ହେଇଚି । ନୈତିକତା ବାୟବୀୟ...; ଅର୍ଥହୀନ । ତୋର ରୂପ, ମେଧା, ଅଭିନୟ-ପ୍ରତିଭାକୁ ତୁ ଇନଭେଷ୍ଟ କର ମଞ୍ଜୁ, ମୋରିପରି ସୁଖୀ ହୋଇପାରିବୁ ।”

 

ପରିବାରର ଦାୟିତ୍ଵ ନେବା ସେତେବେଳେ ଥିଲା ମୋ ଆଗରେ ସବୁଠାରୁ ବଡ଼ ସମସ୍ୟା । ମାଆ ମଧ୍ୟ ତାହା ବୁଝିଥିଲା –ତେଣୁ ରାଜି ହୋଇଯାଇଥିଲା ଝରଣାଦିଙ୍କ ପ୍ରସ୍ତାବରେ । କାରଣ, ଘର ଚଳାଇବା ପାଇଁ ତା’ଛଡ଼ା ଅନ୍ୟକିଛି ଉପାୟ ନ ଥିଲା ।

 

ମାଆକୁ ଝରଣାଦି କହିଲେ, ମୋ ସାଙ୍ଗରେ କେତେଦିନ ମଞ୍ଜୁ ବର୍ତ୍ତମାନ ଚାଲୁ... । ସୌଖୀନ ମଞ୍ଚ-ସଂସ୍ଥାର ଥିଏଟର ସମ୍ବନ୍ଧରେ ତା’ର ଟିକିଏ ନଲେଜ୍ ହଉ ଆଗେ... । ତାଙ୍କ ସାଙ୍ଗରେ ଯିବାର ପ୍ରଥମ ଅଭିଜ୍ଞତା ମନେଅଛି ଏବେବି...ଯଦିଓ ଦଶବର୍ଷ ତଳର କଥା ।

 

ଭଦ୍ରକର ‘ସୃଜନୀ’ ନାଟ୍ୟ-ସଂସ୍ଥା । ନାଟକର ନାମ ‘ବିଷ-କନ୍ୟା’ । ନାମ ଭୂମିକାରେ ଝରଣାଦି । ମୋତେ ଯିବାକୁ ହେବ ତାଙ୍କ ସାଙ୍ଗରେ ତାଙ୍କ ପିଉସୀ-ଝିଅ-ଭଉଣୀ ଭାବରେ (ସବୁକିଛି ଦେଖିଶୁଣି ଶିଖିବା ପାଇଁ) ।

 

ଟ୍ରେନରେ ଯାଇଥିଲୁ । ସେ ଫାଷ୍ଟକ୍ଲାସରେ ବସିଲେ । ଗାର୍ଡ଼ଙ୍କୁ କହି ମୋତେ କିନ୍ତୁ ଉଠେଇ ଦେଇଥିଲେ ଗୋଟିଏ ଥାର୍ଡ଼କ୍ଲାସ କମ୍ପାଟମେଣ୍ଟରେ । ଖୋର୍ଦ୍ଧାରୋଡ଼ଠାରୁ କଲିକତା ପର୍ଯ୍ୟନ୍ତ ସେଇଟା ରିଜର୍ଭ ଥିଲା ଗୋଟିଏ ପରିବାର ପାଇଁ ଯେଉଁମାନେ ବାଲେଶ୍ଵରରୁ ଉଠିବେ । ସେଇ ଫାଙ୍କା କମ୍ପାର୍ଟମେଣ୍ଟରେ ମାନ୍ଦ୍ରାଜୀ ଗାର୍ଡ଼ ସାହେବଙ୍କ ପରିବାର ବର୍ଗ ଯାଉଥିଲେ ଭଦ୍ରକ ପର୍ଯ୍ୟନ୍ତ –ମୁଁ ବି ଥିଲି ସେଇମାନଙ୍କ ପରି ସେଥିରେ ବିନା ଟିକେଟରେ ଯାତ୍ରୀ । ଝରଣାଦି କହିଥିଲେ କିଛି ଭୟନାହିଁ । ଗାର୍ଡ଼ଙ୍କ ଫ୍ୟାମିଲି ତ ଅଚନ୍ତି; –ତା’ଛଡ଼ା ଏ ଲାଇନରେ ରେଲ୍ଓୟେବାଲା ସମସ୍ତେ ମୋର ପରିଚିତ । ସେମାନଙ୍କ ଡ୍ରାମାରେ ମୁଁ ରୋଲ୍‍ କରିବାକୁ ତ ଯାଏ-

 

ଇଚ୍ଛା ହଉଥିଲା ଅବଶ୍ୟ, ଝରଣାଦିଙ୍କ ସହିତ ଏକାଠି ବସି ଯିବାପାଇଁ; କିନ୍ତୁ ସେ କହିଥିଲେ, କେବଳ ମୋର ଫାଷ୍ଟକ୍ଲାସ ଭଡ଼ାଟା ସେମାନେ ଦେବେ ।

 

ହଠାତ୍ ବୋକାଙ୍କ ପରି ପଚାରି ଦେଇଥିଲି । ମୁଁ ରୋଲ୍‍ କଲେ ମୋତେ କ’ଣ ଫାଷ୍ଟକ୍ଲାସ ଭଡ଼ା ମିଳିବ ?

 

ନିଶ୍ଚୟ ! –ସେ କହିଥିଲେ –ମିଳିବ, କିନ୍ତୁ ପ୍ରଥମେ ନୁହେଁ । ପ୍ରଥମେ ବସ୍‍ଭଡ଼ା କିମ୍ବା ଥାର୍ଡ଼କ୍ଲାସ ଫେଆର; ତା’ପରେ ନାମ ହେଇଗଲେ ଟ୍ୟାକ୍ସି କରିନେଇ ଯିବେ ବା ଟ୍ରେନରେ ଫାଷ୍ଟକ୍ଲାସ ।

 

ମାନ୍ଦ୍ରାଜୀ–ଗାର୍ଡ଼ଙ୍କ ପରିବାରର ମୋ ସମ୍ବନ୍ଧରେ କୌତୂହଳ ନ ଥାଏ । ସେମାନେ କିଚିରି ମିଚିରି କରୁଥାଆନ୍ତି ନିଜ ନିଜ ଭିତରେ । ଭଦ୍ରକ ପର୍ଯ୍ୟନ୍ତ ବିରକ୍ତିରେ କଟିଲା ସେଇ ଅବୋଧ୍ୟ-ସଂଳାପ ଭିତରେ ଚୁପ୍‍ଚାପ୍ ବସି ବସି । ଯାହାହେଉ, ଏକ୍ସପ୍ରେସଟା ଷ୍ଟେସନରେ ଲାଗିବା କ୍ଷଣି ଓହ୍ଲାଇ ପଡ଼ିଲି ମୋ ଚମଡ଼ା ସୁଟକେଶ୍‍ଟି ଧରି । ଦେଖିଲି, ଓହ୍ଲାଉଚନ୍ତି ଝରଣାଦି । ତାଙ୍କର ବିରାଟ ଟ୍ରଙ୍କ, ବେଡ଼ିଂ... ସବୁ ବୁହା ଚାଲିଚି । ଠିଆ ହେଇଛନ୍ତି ତାଙ୍କୁ ଘେରି ଚାରି ପାଞ୍ଚଜଣ ଯୁବକ ।

 

ଝରଣାଦିଙ୍କ ପାଖକୁ ଗଲି । ସୁଟକେଶ୍‍ଟି ଥୋଇଦେଲି ତଳେ । ମନେହେଲା ସେଇ ଚାରି ପାଞ୍ଚଜଣ... ତାଙ୍କର ପୂର୍ବ ପରିଚିତ । “ବାଟରେ କିଛି ଅସୁବିଧା ହେଇନି ତ...” “ସାଙ୍ଗରେ କେହି ଆସିଚନ୍ତି...” ଇମିତି ସବୁ ପ୍ରଶ୍ନ । ଝରଣାଦିଙ୍କ ଆଖି ପଡ଼ିଗଲା ମୋ ଉପରେ । ଏଇ ତ ମଞ୍ଜୁ-! ଏମାନେ ହେଲେ ‘ସୃଜନୀ’ କ୍ଲବର, ଆଉ ଇଏ ମୋ ପିଇସୀ ଝିଅ-ଭଉଣୀ...ପଢ଼ୁଚି କଟକରେ...ମୋ ସାଙ୍ଗରେ ଆସିଚି...ଏସ୍‌କର୍ଟ କହିପାରନ୍ତି ।

 

“ଏସ୍‌କର୍ଟ !” ...ହସିଉଠିଲେ ସେମାନେ । ନିଶ୍ଚୟ ! ଖାଲି କ’ଣ ବଡ଼ମଣିଷ ହେଲେ ଏସ୍‍କର୍ଟ ହୁଅନ୍ତି ? –ରସିକତା କଲେ ଝରଣାଦି –ସେଇ ତ ମୋ ଗାର୍ଡ଼ିଆନ । ଭୟ ନାହିଁ, ଆପଣମାନଙ୍କୁ ତା’ପାଇଁ ଖର୍ଚ୍ଚପତ୍ର ଦବାକୁ ପଡ଼ିବନି ।

 

ସେମାନେ କହିଲେ ଖର୍ଚ୍ଚପତ୍ର କଥା ପ୍ଲାଟଫର୍ମରେ କାହିଁକି ? ଅତିଥିମାନଙ୍କୁ କିପରି ଚର୍ଚ୍ଚା କରିବାକୁ ହୁଏ ‘ସୃଜନୀ’ ତାହା ଜାଣେ ।

 

ଟ୍ୟାକ୍ସି ଅପେକ୍ଷା କରିଥିଲା ଆମ ପାଇଁ ପ୍ଲାଟଫର୍ମ ବାହାରେ ।

 

ପଛ ସିଟରେ ମୁଁ, ଝରଣାଦି, ଆଉ ଝରଣାଦିଙ୍କ ପାଖକୁ ଲାଗି ରବିନ୍ଦ୍ର ବାବୁ ଯିଏ ନେଇଚନ୍ତି ହିରୋ ରୋଲ୍‍ । ଆଗ ସିଟରେ ଡ୍ରାଇଭର ପାଖରେ ଅନ୍ୟ ତିନିଜଣ ଠେସା ଠେସି ହେଇ ବସିଗଲେ, ଯୋଉମାନଙ୍କ ନାମ ମୋର ଜାଣିବାକୁ ବାକିଥାଏ । ବାକି ଜଣେ ବୋଧହୁଏ କୌଣସି କାମରେ ଷ୍ଟେସନ ବଜାରରେ ରହିଗଲେ ।

 

ଟ୍ୟାକ୍ସି ଚାଲିଲା ।

 

ଷ୍ଟେସନ-ବଜାର ଶେଷରେ ଡାହାଣ ହାତି ରାସ୍ତା ଧରି ଗାଡ଼ି ସହରଆଡ଼କୁ ମୋଡ଼ ନେଲାକ୍ଷଣି ଆଗ ସିଟରେ ବସିଥିବା ଜଣକୁ ଲକ୍ଷ୍ୟକରି ରବିନ୍ଦ୍ର ବାବୁ କହିଲେ ପରିମଳ, ଗାଈ ଛେନା ନେଇଚ ତ ?

 

ପରିମଳ ବାବୁଙ୍କ ଆର୍ତ୍ତ ଚିତ୍କାର । ରଖ ରଖ, ଗାଡ଼ି ରଖ... ।

 

ବ୍ରେକ୍...

 

ଭୁଲି ଯାଇଚି ରବିବାବୁ... ! ଫେରାଅ...ଫେରାଅ...ଗାଡ଼ି ଫେରାଅ...କାଙ୍ଗାଳୀ ସାହୁ ଦୋକାନ...ବଇନା ଦିଆହେଇଚି...ହାଣ୍ଡିକ ଛେନା ପାଇଁ ପୁଣି ଏଇନେ ଟ୍ୟାକ୍ସି ଦଉଡ଼େଇବାକୁ ପଡ଼ିଥାନ୍ତା । ବାଉଦପୁରରୁ ।

 

ଝରଣାଦି କହିଲେ ସାରିଥିଲେ ମୋ କଥା...

 

ଫେରାଅ...ଫେରାଅ...ଏଇ ବାଁ’ଆଡ଼େ ଦୋକାନଟା !! –ରବିବାବୁ ଅସନ୍ତୁଷ୍ଟ ହେଲେ--–ମୁଁ ମନେପକେଇ ନ ଥିଲେ ... ?

 

ଛେନା ଛଡ଼ା ତ ଅନ୍ୟକିଛି ଜଳଖିଆ ମୋ ପେଟରେ ଯାଏନା, –ଅବଶୋଷ କଲାପରି କହିଥିଲେ ଝରଣାଦି, –ଗେଷ୍ଟ୍ରିକ୍ ଟ୍ରବ୍ଲ... !

 

ଗେଷ୍ଟ୍ରିକ୍ ଟ୍ରବ୍ଲ ମୋ ଜାଣିବାରେ ତାଙ୍କର ଥିଲା ଟିକିଏ ଅବଶ୍ୟ; କିନ୍ତୁ ତାଙ୍କ ଘରକୁ ମୋର ଏତେଦିନର ଅବାଧ ଯାତାୟତ ଭିତରେ କେବେ ତ କାହିଁ ତାଙ୍କୁ ଛେନା-ଜଳଖିଆ ଖାଇବାର ଦେଖିନି । ଟିକିଏ ଆଶ୍ଚର୍ଯ୍ୟ ହେଲି ।

 

ପରେ ଅବଶ୍ୟ ସେ ମୋତେ କହିଥିଲେ ଏଇପରି କରିବାକୁ ହୁଏ । ଯୋଉଠିକି ଯିବ, ଭଲ ଭଲ ଖାଦ୍ୟର ମେନୁ ସେମାନଙ୍କୁ ଜଣାଇଦେବ ଆଗରୁ । କହିବ, ଅନ୍ୟକିଛି ମୋ ପକ୍ଷରେ ଅସ୍ଵାସ୍ଥ୍ୟକର । ...ଯେତେପାରିବ, ଖାଇଯିବ ମହାର୍ଘ ଖାଦ୍ୟ । ସୌଖୀନ ନାଟ୍ୟ-ସଂସ୍ଥାମାନେ ନାଟକ ପାଇଁ ଜୀବନ ବି ଦେଇଦବାକୁ ପ୍ରସ୍ତୁତ । କୌଶଳକ୍ରମେ ଏମାନଙ୍କଠାରୁ ଆଦାୟ କରିନବା କଥା । ଯେତେ ଯାହା ପାରିବ... ।

 

ଆଉ ସେଥର ସେଠି ଦେଖିଲି ବି ସେଇଆ । ଖାଣ୍ଟି ଗାଈ ଘିଅରେ ଛଙ୍କା ଲୁଚି...କଲିଜା ଭଜା ଆଉ କାନିକା...ହାଫ୍ ବଏଲ୍ ଅଣ୍ଡା...ଏଇପରି ସବୁ ଚର୍ବ୍ୟ, ଚୋଷ୍ୟ, ଲେହ୍ୟ, ପେୟ ଥିଲା ଝରଣାଦିଙ୍କ ପୂର୍ବ-ପ୍ରଦତ୍ତ ମେନୁର ଅନ୍ତର୍ଭୁକ୍ତ ।

 

ଖାଦ୍ୟ ସମ୍ବନ୍ଧରେ ମୋର ମଧ୍ୟ କୌଣସି ସ୍ଵତନ୍ତ୍ର ରୁଚି ଅଛି କି ବୋଲି ପଚାରି ପଠାଇଥିଲେ ସେମାନେ । ହୁଏତ ସେଇଟା ଭଦ୍ରତା କରି । କାରଣ...ମୁଁ ତ ଅଭିନୟ କରିବାକୁ ଯାଇନି, ଯାଇଚି କେବଳ ଅଭିନେତ୍ରୀଙ୍କ ସମ୍ପର୍କୀୟ ଭଉଣୀ ଭାବରେ । ତେବେ ମୁଁ ମଧ୍ୟ ଜଣାଇ ଦେଇଥିଲି ମନା କରି ଯେ ମୋର କୌଣସି ସ୍ଵତନ୍ତ୍ର ରୁଚି ନାହିଁ ।

 

ଝରଣାଦି, ଦେଖିଲି ମିଶି ଯାଉଚନ୍ତି ସେଠି ସମସ୍ତଙ୍କ ସାଙ୍ଗରେ ଖୁବ୍‍ ଅନ୍ତରଙ୍ଗ ହେଇ । ଯେପରିକି ସମସ୍ତେ ତାଙ୍କର ଅତି ଆପଣାର ଆଉ ସେ ବି ସମସ୍ତଙ୍କର ବେଶ୍‍ ଘନିଷ୍ଠ । କ୍ଲବର ପ୍ରେସିଡେଣ୍ଟ, ସ୍ରେକେଟେରୀ, କର୍ମକର୍ତ୍ତା... ସମସ୍ତଙ୍କର । ଏତେ ଜାଗାକୁ ଯାଇ ଏତେ ଏତେ ଲୋକଙ୍କ ସଂସ୍ପର୍ଶରେ ଆସୁଥିଲେ ମଧ୍ୟ ସମସ୍ତଙ୍କ ନାମ ମନେରଖିବାରେ ସେ ଥିଲେ ଧୁରନ୍ଧର ।

 

ମୋତେ କହିଥିଲେ ମଞ୍ଜୁ, ମଣିଷ ସବୁଠାରୁ ବେଶୀ ଭଲପାଏ ନିଜର ନାମଟାକୁ । ଯୁଆଡ଼େ ଯାଉଥିବୁ, ଚେଷ୍ଟା କରିବୁ, ଲୋକଙ୍କ ନାମଗୁଡ଼ିକ ମନେରଖିବା ପାଇଁ । “ନିରଞ୍ଜନ ବାବୁ ଭଲ ଅଛନ୍ତି ?” “ପରିମଳ ବାବୁଙ୍କୁ କାହିଁ ଦେଖୁନି ଯେ... !” –ଏତିକିରେ କିଣିହେଇ ଯାଆନ୍ତି “ନିରଞ୍ଜନ” ଆଉ “ପରିମଳ”ମାନେ !

 

ରିହାର୍ସେଲ୍ ଚାଲିଥିବାବେଳେ ହୁଏତ ଯୋଉ ସୋଫାରେ ଅମୁକବାବୁ ବସିଚନ୍ତି, ସେଇ ସୋଫାରେ ବସିପଡ଼ିବୁ ଟିକିଏ...ଯଦି ସେଇ ବାବୁଙ୍କ ହାତରେ ପୁଣି ତୋତେ କଲ୍ କରିବା ଭଳି ଅଥରିଟି ଥାଏ । ଦେଖିବୁ, ‘କୌଶଳ’ ବେଶ୍ କାମ ଦବ । ତେବେହିଁ, ଅଧିକ, କିଛି ପାଇବା ପାଇଁ ‘ଆହୁରି କିଛି ବେଶୀ ଦବାକୁ ମାନେ ଇନଭେଷ୍ଟ କରିବାକୁ ବି ପଡ଼ିଥାଏ ବେଳେବେଳେ । ଅବଶ୍ୟ ସେଇଟା ପରିସ୍ଥିତି ଦେଖି... ଲୋକ ଦେଖି... । ଦୁନିଆଁର ନିୟମ ଇ ଏଇଆ... । କାହାରିକି ପଚାରିବୁ ନାହିଁ ସେମାନଙ୍କ ସ୍ତ୍ରୀ କଥା ଘରକଥା । ଜଣେ ଅଭିନେତ୍ରୀର ସାନ୍ନିଧ୍ୟ ପାଉଥିବାବେଳେ ସମସ୍ତେ ନିଜକୁ ଜଣେ ଜଣେ ଚିରକୁମାର ବୋଲି କଳ୍ପନା କରିନେଇଥାନ୍ତି । ସେଇ କଳ୍ପନା ବ୍ୟାହତ ହେଲେ କ୍ଷତି ସେମାନଙ୍କ ଅପେକ୍ଷା ତୋର ହେବ ବେଶୀ ।

 

ଦେଖିଲି, ମନଃସ୍ତତ୍ତ୍ଵ ନ ପଢ଼ି ବି ଝରଣାଦି ସେଇ ଶାସ୍ତ୍ରରେ ଜଣେ ପଣ୍ଡିତା, ବିଦୁଷୀ !! ବିଶେଷତଃ ପୁରୁଷମାନଙ୍କ ମନସ୍ତତ୍ତ୍ଵ କଳିବାରେ ବାସ୍ତବିକ୍ ମୁଁ ତାଙ୍କ ପରି ଅଧିକ ନିପୁଣା କାହାକୁ ଦେଖିନି କି ନିଜେ ମଧ୍ୟ ହେଇପାରିନି । ସେଇଥିପାଇଁ ତ ଦେଖିଚି –ଯେତିକି ଟଙ୍କା କଣ୍ଟ୍ରାକ୍ଟରେ ସେ ଯାଆନ୍ତି ତା’ଠାରୁ ଅଧିକ ମୂଲ୍ୟର ଶାଢ଼ି, ବ୍ଲାଉଜ୍‌ପିସ୍, ବ୍ରସିଅର୍, ବେଡ଼୍‍ କଭର୍‍, ଚମଡ଼ା ସୁଟକେଶ୍‍, ହୋଲ୍‍ଡର୍ ପ୍ରଭୃତି ନେଇ ଫେରନ୍ତି ସେ ପ୍ରତିଥର । କିପରି ଯେ ସେସବୁ ସେ ଆଦାୟ କରିନେଇ ପାରନ୍ତି ବ୍ୟକ୍ତି-ବିଶେଷଙ୍କଠାରୁ...ତାହାର କୌଶଳ ଭଦ୍ରକରେ ପ୍ରଥମ ଥର ପ୍ରତ୍ୟକ୍ଷ କରି ମୁଁ ତ ତଟସ୍ଥ ହେଇଯାଇଥିଲି ।

 

ସେ ମୋତେ ଆହୁରି ବି କହିଥିଲେ, ହୃଦୟର କାରବାର କାହା ସାଙ୍ଗରେ ନ କରିବା ଭଲ । ଆମେ ଅଭିନେତ୍ରୀ, ଆମର ସବୁକିଛିରେ ରହିବ କେବଳ ଅଭିନୟ । ତୋ ଭଲପାଇବାର ଅଭିନୟକୁ ସେମାନେ ଯଦି ପ୍ରକୃତ ଭଲପାଇବା ଭାବିନେଲେ, ତା’ହେଲେଇ ତୁ ସଫଳ ଅଭିନେତ୍ରୀ-

 

ଝରଣାଦିଙ୍କ ହୃଦୟ ଥିଲା ଗୋଟାଏ ଅଟୋଗ୍ରାଫ୍‍ର ଖାତା । ସେଥିରେ ରହେ ସ୍ଵାକ୍ଷର ପରେ ସ୍ଵାକ୍ଷର, ଆଉ ଓଲଟି ଯାଏ ପୃଷ୍ଠାପରେ ପୃଷ୍ଠା । ସେ ନାମ ମନେରଖନ୍ତି ସମସ୍ତଙ୍କର, କିନ୍ତୁ ମନ ଦିଅନ୍ତି ନାହିଁ କାହାରିକି । ବିଚିତ୍ର ତାଙ୍କ ମନସ୍ତତ୍ତ୍ଵ ।

 

ଭଦ୍ରକରେ ଦେଖିଲି ତାଙ୍କର ରିହାର୍ସେଲ୍ ତିନିଦିନ ଧରି ।

 

କାହାକୁ ଟିକିଏ ହସ, କାହାକୁ ଟିକିଏ ସ୍ପର୍ଶ, କାହାକୁ ଟିକିଏ ଚାହାଣି ।

 

ହିରୋ ରବିନ୍ଦ୍ର ବାବୁ କ୍ଲବର ସ୍ରେକେଟେରୀ; ଗୋଲାପୀ ରଙ୍ଗ ସାର୍ଟ୍‍ ଉପରେ ଡଟେଡ଼୍‌ ଟାୟ୍ ପିନ୍ଧି ସେ ଆସିଥିଲେ ପ୍ରଥମଦିନ ।

 

ସମସ୍ତଙ୍କ ଆଗରେ ତାଙ୍କୁ କହିଦେଲେ ଝରଣାଦି –ଆପଣ ଆଜି ‘କିଲର୍’ ‘କିଲର୍’ ଦିଶୁଚନ୍ତି ।

 

ଏତିକିରେ ରବିନ୍ଦ୍ର ବାବୁଙ୍କ ପ୍ରତିକ୍ରିୟା ଦେଖି ମନେହେଲା –ସ୍ଵର୍ଗ ତାଙ୍କୁ ଆଉ ଚାରି ଆଙ୍ଗୁଳି !!

 

ଥିଏଟର ଯୋଉଦିନ ହେଲା, ଭାବିଥିଲି ଅଡ଼ିଟୋରିୟମରେ ବସି ଅଭିନୟ ଦେଖିବି । କିନ୍ତୁ ନାଁ, ଝରଣାଦିଙ୍କ ଆଦେଶ –ମୋତେ ଗ୍ରୀନ୍ ରୁମରେ ରହିବାକୁ ପଡ଼ିବ । ଜଗିବାକୁ ହେବ, ତାଙ୍କର ଅଳଙ୍କାର ଇତ୍ୟାଦି ।

 

ସେ ନିଜେ ହୁଅନ୍ତି ମେକ୍ଅପ୍; କାହାରି ସାହାଯ୍ୟ ଦରକାର ହୁଏନା ତାଙ୍କର ବେଶ-ପୋଷାକ ବଦଳାଇବାରେ ମଧ୍ୟ । କିନ୍ତୁ ମେକ୍-ଅପ୍-ମ୍ୟାନର ବିନା ସାହାଯ୍ୟରେ ବି ଏତେ ସୁନ୍ଦର କରି ସଜାଇ ପାରନ୍ତି ନିଜକୁ...ଆଶ୍ଚର୍ଯ୍ୟ ଲାଗିଲା ଦେଖି ।

 

ଷ୍ଟେଜ୍ ଭିତରେ କାହାପ୍ରତି, କେତେବେଳେ କାହିଁକି ସେ ଯେ, ସଦୟ ବା ନିର୍ଦ୍ଦୟ ହୁଅନ୍ତି ତାହା ତ ବୁଝିପାରିବା ମଧ୍ୟ ଦୁଃସାଧ୍ୟ । ଯେତେ ଲକ୍ଷ୍ୟ କରୁଥାଏ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ପ୍ରତି ବିଭିନ୍ନ ପ୍ରକାର ତାଙ୍କର ବ୍ୟବହାର, ବିସ୍ତୃତ ହେଉଥାଏ ଅଧିକରୁ ଅଧିକ ।

 

ବିଦିଶାର ରାଜା ସୁକର୍ଣ୍ଣ ଭୂମିକାରେ ଅଭିନୟ କରୁଥିବା ଅମରେଶ ବାବୁ, ଯାହାଙ୍କ ସହିତ ବେଶ୍ ଲୀଳାଖେଳା କରୁଥିଲେ ସେ ରିହାର୍ସେଲ୍ ଅବସରରେ ଗତକାଲି, ଅଥଚ ବର୍ତ୍ତମାନ ଉଇଙ୍ଗସ୍ ଉହାଡ଼ରୁ ଠିକ୍‍ ଦେଖିଚି ନିର୍ଭୁଲ୍‍ଭାବେ...ଗୋଟିଏ ଦୃଶ୍ୟର ଶେଷ ଆଲୋକ ନିଷ୍ପ୍ରଭ ହେଇଯିବା ସାଙ୍ଗେ ସାଙ୍ଗେ ...ଝରଣାଦିଙ୍କୁ ଅଭିନୟ-ଆଲିଙ୍ଗନରୁ ମୁକ୍ତ କରିବା ତାଙ୍କର ଉଚିତ ଥିଲା ଯଦିଓ... କିନ୍ତୁ ସେ ତା’ କରିନଥିଲେ ଅନ୍ଧାର ହେଇ ସିନ୍ ପଡ଼ିଯିବାର କେତୋଟି ମୁହୂର୍ତ୍ତ ପରେ ବି... (ଭାବିଲି, ହୁଏତ ଇମୋସନାଲ୍‍ ହେଇପଡ଼ିଚନ୍ତି... କଟିନି ଅଭିନୟର ଆମେଜ୍‍ଟା... ଏପର୍ଯ୍ୟନ୍ତ ସେଇ ‘ବିଦିଶା’ରେଇ ଅଛନ୍ତି... ରହିଛନ୍ତି ସେହି ତ୍ରୟୋଦଶ ଶତାବ୍ଦୀରେ... ଟିକିଏ ସମୟ ଲାଗିବ ବାସ୍ତବ-ବର୍ତ୍ତମାନକୁ ଫେରି ଆସିବା ପାଇଁ... । ଆହୁରି କିଛି ଭାବିବାକୁ ଯାଉଥିଲି ହୁଏତ; କିନ୍ତୁ ସେଇ ମୁହୂର୍ତ୍ତରେ ମୁଁ ନିଜେ ଫେରିଆସିଲି ବାସ୍ତବତା ଭିତରକୁ ...ପରେ ପରେ ସେଇଠୁ ଗଭୀର ଅର୍ଥ-ପୂର୍ଣ୍ଣ ଦୁଇଟି ଶବ୍ଦ ଶୁଣିବାକୁ ପାଇ । ଗୋଟିଏ ଚୁମ୍ବନର ଏବଂ ଆଉ ଗୋଟିକ ଚାପୁଡ଼ାର । ଖାଲି ଆକ୍ସନ୍ । ସଂଳାପ ନାହିଁ । ଆଧୁନିକତମ ସିନେମା ବା ନାଟକର ଷ୍ଟାଇଲ୍ ପରି । ତା’ପରେ ଉଭୟେ ବାହାରି ଆସିଲେ ସେଇ ଅନ୍ଧାର ଭିତରୁ । ଦୁହିଙ୍କ ମୁହଁକୁ କିନ୍ତୁ ଖୁବ୍‍ ନିରେଖି ଚାହିଁଲେ ବି ଜଣାପଡ଼ିଲାନି କୌଣସି ଚାଞ୍ଚଲ୍ୟର ଚିହ୍ନ । ବେଶ୍ ସହଜ ଆଉ ସ୍ଵାଭାବିକ । ଖାଲି ସ୍ଵକୀୟ ଉତ୍ତରୀୟରେ ଉଭୟ ପୋଛି ପୋଛି ଆସୁଥିଲେ ନିଜ ନିଜର ଗାଲ...ସୁକର୍ଣ୍ଣ ଆଉ ବିଷକନ୍ୟା ... ରାଜା ଏବଂ ନଟୀ !

ଆହୁରି ବି ଦେଖିଲି !!! ଅନ୍ୟ ଗୋଟିଏ ସିନ୍‍ର ଅଭିନୟ ଯେତେବେଳେ ଚାଲିଥିଲା,... ସେତେବେଳକୁ ଶେଷ ହେଇ ଆସିଚି ଡ୍ରାମା... ମୃତ୍ୟୁହେଇ ସାରିଚି ବିଷକନ୍ୟାର... ଶେଷ ଅଙ୍କର ଶେଷ ଦୃଶ୍ୟ ସେଇଟା ..., ଗ୍ରୀନ୍ ରୁମ୍‍ର ଦରଜା ପାଖରେ ମୁଁ ଠିଆ ହେଇ ରହିଥାଏ ଆଉ ଝରଣାଦି ଭିତରେ ଦର୍ପଣ ଆଗରେ ବସି ଚେଞ୍ଜ୍ କରୁଥାଆନ୍ତି –ଚେଞ୍ଜ୍ କରୁ କରୁ ଗୁଣୁ ଗୁଣୁ ଗାଇ ଚାଲି ଥାଆନ୍ତି ଗୀତ ଅଭ୍ୟାସ ଅନୁଯାୟୀ (ସବୁବେଳେ ସେ ପ୍ରାୟ ଗୁଞ୍ଜନରତା ଘରେ ହଉ କି ବାହାରେ; ବିଶେଷତଃ ଯେତେବେଳେ ଏକୁଟିଆ ଥାଆନ୍ତି...) –ଏହା ଭିତରେ ସରିଯାଇଥିଲା ରବିବାବୁଙ୍କ ଅଭିନୟ –କମରରୁ ଖଣ୍ଡା ଖୋଳଟା ଖୋଲୁ ଖୋଲୁ ଆସି ପହଞ୍ଚି ଗଲେ ମୋ ପାଖରେ –କହିଲେ ଏଠି ଠିଆ ହେଇଚନ୍ତି ଯେ... ଯାଆନ୍ତୁନା ଦୃଶ୍ୟଟା ଦେଖିବେ... ‘ରାଜମହଲ’ ଗିରିଦୁର୍ଗ ଆଉ ଟିକିଏ ପରେ ଜଳିବ ହୁତ୍ ହୁତ୍ ହେଇ... ଦେଖିବେ କି ରକମ ଟେକନିକାଲ କାଏଦା !! ବୁଝିପାରିଲି, ମୋତେ ସେ ଆଡ଼େଇବାକୁ ଚାହୁଁଚନ୍ତି । ଆଗେଇଗଲି ପେଣ୍ଡାଲ ପାଖକୁ । କିନ୍ତୁ କାନ ଥାଏ ଏଇଆଡ଼େ । କିଶୋରୀ ବୟସର କୌତୂହଳୀ ମନ... । ହୁଏତ ସେଇଟା ଅସ୍ଵାସ୍ଥ୍ୟକର; କିନ୍ତୁ ସତ୍ୟ ଆଉ ସ୍ଵାଭାବିକ । ଟିକିଏ ପରେ –ଖାଲି ମନ ନୁହେଁ, ଆଖି ବି ଗଲା ସେଆଡ଼କୁ । ...ରବିବାବୁ ଦରଜାଟା ଆଉଜେଇ ନେଇଚନ୍ତି ଆସ୍ତେ ଆସ୍ତେ କରି । କିନ୍ତୁ କାହିଁକି ସେ ଭିତରକୁ ଗଲେ ? ଝରଣାଦି ଯେ ଚେଞ୍ଜ୍ କରୁଚନ୍ତି !! ମୋ ଉପରେ ରାଗ କରିବେ ନାଇଁ ତ ? ଦୁଆର ଜଗିବା ଉଚିତ ଥିଲା ମୋ’ର । (ବାସ୍ତବିକ, ଗ୍ରୀନ୍‍ରୁମ୍‍ର ଦ୍ଵାରପାଳ ହେବା ଛଡ଼ା ମୋର ଆଉ ଭୂମିକା ବା କ’ଣ ଏଠି ?) କୌତୂହଳ ପୁଣି ମୋତେ ଟାଣିନେଲା ଦରଜା ପାଖକୁ । ଖାଲି କୌତୂହଳ ନୁହେଁ, ହୁଏତ ଟିକିଏ ଭୟ ବି । କାଳେ ଯଦି ରାଗ କରନ୍ତି ଝରଣାଦି –ସେ ଚେଞ୍ଜ୍ କରୁଥିଲାବେଳେ ମୁଁ ଦରଜା ପାଖରେ ରହିଲିନି –ଜଣେ ପୁରୁଷ ପଶି ଆସିଲେ ଭିତରକୁ ! ଭୟଟା ଅବଶ୍ୟ କମିଗଲା ପରମୁହୂର୍ତ୍ତରେ –ନାଁ ରବିବାବୁଙ୍କ କେସରେ ସେ ରାଗିବେନି ବୋଧହୁଏ –ହୁଏତ ସେ ବରଂ ମୋ’ଠାରୁ ଝରଣାଦିଙ୍କର ଅଧିକ ଆପଣାରେ ବି ହେଇଥାଇପାରନ୍ତି –ତେଣୁ ତାଙ୍କର ଭିତରକୁ ପଶି ଯିବାରେ ସେ ମାଇଣ୍ଡ କରିବେନି କିଛି । ତାଙ୍କର ଏଇ ପଶିଯିବାରେତ ଜଣାପଡ଼ିଯାଉଚି, ଉଭୟଙ୍କ ଭିତରେ ଅଛି ସେପରି କୌଣସି ଅଣ୍ଡରଷ୍ଟାଣ୍ଡିଂ ।

 

କୌତୂହଳ ତୀବ୍ରତାଇ ଶେଷପର୍ଯ୍ୟନ୍ତ ମୋତେ ଟାଣି ନେଇଥିଲା ଆଉଜା ହେଇଥିବା ଦରଜା ପାଖକୁ । ଏଇ ଧରଣର ଅବୋଧ୍ୟ କୌତୂହଳର ସୃଷ୍ଟି ଅବଶ୍ୟ ମୋ ମନ ଭିତରେ ଆଜି ନୁହେଁ... ହଠାତ୍ ଏଇ ମୁହୂର୍ତ୍ତରେ ବି ନୁହେଁ...ଏହା ଏକ ସହଜାତ ଜ୍ଵାଳା ଯାହା ମୁଁ ଅନୁଭବ କରିଚି କୈଶୋରରେ ପାଦ ଦେବା ଆଗରୁ । ପିଲାଦିନୁ ବୋଉ ପାଖରେ ଶୋଇବା ଯେପରି ମୋର ଅଭ୍ୟାସ, ସେଇପରି ରାତି ଅଧରେ ବାପା ତାଙ୍କ ଖଟରୁ ଉଠିଆସି ବୋଉକୁ “ଏଡ଼େ ବେଗି ଶୋଇପଡ଼ିଲଣି” ବୋଲି କାନ ପାଖରେ ଫିସ୍ ଫିସ୍ କରି କହୁଥିବାର ଶୁଣିବା ମଧ୍ୟ ଥିଲା ଅନ୍ୟତମ ରୁଟିନ । ବୋଉ ବାପାଙ୍କ ଖଟକୁ ଉଠିଯିବା ପରେ ମୋର ସେଇ ସହଜାତ କୌତୂହଳୀ ମନ ଆଉ କୌତୂହଳୀ ଆଖି ସୂଚୀଭେଦ୍ୟ ଅନ୍ଧକାରର ହ୍ରଦ ଭିତରେ ଦୁଇଟି ନର ନାରୀ ସନ୍ତରଣ-ଲୀଳାକୁ ଆବିଷ୍କାର କରିବାର ବ୍ୟର୍ଥ ପ୍ରଚେଷ୍ଟା ଭିତରେ ହେଇଚି ସେହି ଜ୍ଵାଳାର ବାରମ୍ବାର ଅବଦମିତ ପରିସମାପ୍ତି । ଅବଶ୍ୟ ଯନ୍ତ୍ରଣା ସେଥିରେ ବଢ଼ିଛି ସିନା କମିନି ।

 

ଦରଜା ପାଖରେ ଯାଇ ଠିଆ ହେଲି । କାହିଁ କିଛି ସ୍ଵର ଶବ୍ଦ ଶୁଭୁନି ତ ! ଦିଶୁନି ବି କିଛି... । ଭଲଭାବରେ ବନ୍ଦ ଥିବାରୁ ଫାଙ୍କ ନ ଥିଲା ଦରଜାରେ ।

 

‘ରାଜମହଲ’ ଗିରିଦୁର୍ଗ ଜଳିପୋଡ଼ି ଧ୍ଵଂସ ହେଇଯିବାର କୋଳାହଳ ଭିତରେ ଏଣେ କେତେବେଳେ ଯେ ଡ୍ରପ୍‍ସିନ୍ ପଡ଼ିଯାଇଚି, ଜାଣେନା ।

 

ଏଠି ଏମିତି ଠିଆ ହେଇଚନ୍ତି ଯେ... ?

 

ଫେରି ଚାହିଁଲି ।

 

ପାଟଳୀପୁତ୍ରର ଯୁବରାଜ ମଣିମୟ ମୋ ପଛରେ, ବ୍ୟକ୍ତିଗତ ଜୀବନରେ ଯିଏ ସୁମନ୍ତ ମହାପାତ୍ର, ବ୍ଲକ୍‍ ଅଫିସର କନିଷ୍ଠ କିରାନୀ ।

 

ଆପଣଙ୍କ ସାଙ୍ଗରେ ଟିକିଏ କଥା ଅଛି ।

 

ଏଁ... ଟିକିଏ ରହି କହିଲି..., କହନ୍ତୁ ।

 

କିନ୍ତୁ କ’ଣ କହିବାକୁ ହବ ତାହା ବୋଧହୁଏ ଭାବି ଠିକ୍‍ କରିନଥିଲେ ସେ । ଟିକିଏ ଢୋକ ଗିଳି ପଚାରିଲେ ଆଚ୍ଛା, ଆପଣଙ୍କୁ କିମିତି ଲାଗିଲା ମୋର ଅଭିନୟ ?

 

ମାତ୍ର ଗୋଟିଏ ସିନରେ ରୋଲ୍‍ ଥିଲା ତାଙ୍କର । ସେଇ ଶେଷ ସିନରେ ତା’ ପୁଣି ଖୁବ୍‍ ଛୋଟ । ସେଇତକ କରିବା ପାଇଁ ତ ସେ ଘଣ୍ଟାଏ ଧରି ସଜାଇଥିଲେ ନିଜକୁ । ଲକ୍ଷ୍ୟ କରିଥିଲି ମୁଁ ସବୁ । ହସିଦେଇ କହିଲି, ବେଶ୍ କଲେ ଆପଣ । (ଯଦିଓ ଷ୍ଟେଜ୍ ଉପରେ ମୁଁ ତାଙ୍କ ଅଭିନୟ ପ୍ରତି ବିଶେଷ ଲକ୍ଷ୍ୟ ରଖିପାରିନଥିଲି ।) ନାଇସ୍ !! ରିହାର୍ସେଲରେ ଯେପରି ସୁନ୍ଦରଭାବେ କରୁଥିଲେ...ସେଇଭଳି... । ଭଲ କରିଚନ୍ତି ।

 

ସ୍କୋପ୍ ଥିଲା ନାହିଁ..., ସେ ଦୁଃଖ କରି କହିଲେ, ଏତେ ଛୋଟ ରୋଲ୍‍ ଦେଲେ ମୋତେ... ! ସେଥିରେ ପୁଣି ଡାଏଲଗ୍ ବିଶେଷ କିଛି ନାହିଁ; ଖାଲି ଆକ୍ସନ୍ । ଆପଣଙ୍କ ଆକ୍ସନ୍‍ଗୁଡ଼ିକ ଚମତ୍କାର ।

 

ଏଇ କଥାପଦକ ମୋ’ପାଇଁ ଇନ୍‍ସ୍ପିରେସନ୍ । ଅନେକ ଧନ୍ୟବାଦ ଆପଣଙ୍କୁ । ଏତିକି ଉଦାରତା ବି ଅନ୍ୟମାନଙ୍କର ନାହିଁ ।

 

ନିଜ ଭିତରୁ ନିଜେ ପ୍ରେରଣା ପାଇବାକୁ ଚେଷ୍ଟା କରିବେ ସୁମନ୍ତ ବାବୁ; ସେଇଟା ସବୁଠୁ ଭଲ...

 

ଆପଣ ମୋ ନାମ ମନେରଖିଚନ୍ତି !

 

କି ଆଶ୍ଚର୍ଯ୍ୟ ! ରିହାର୍ସେଲରେ ପ୍ରତିଦିନ ଦେଖିଛି ଆପଣଙ୍କୁ । ନାମ ମନେରଖିବିନି ?

 

ଏମାନେ କିନ୍ତୁ ମୋର ପୂରା ନାମଟାକୁ ବି ଦେଇ ନାହାନ୍ତି ସ୍ଲାଇଡରେ । କାରଣ ମୋର ଛୋଟ ରୋଲ୍‍ । ମୁଁ କିନ୍ତୁ ବଡ଼ ରୋଲ୍‍ କରିପାରିବି ମଞ୍ଜୁଳା ଦେବୀ, ଏମାନେ ସିନା ଦେଉନାହାନ୍ତି ମୋତେ ।

 

ହୁଏତ ଏଇଥିପାଇଁ ଯେ ଆପଣଙ୍କର ବୟସ କମ୍ । (ମନେ ମନେ କହିଲି, କାରଣ ଦେଖିବାକୁ ଆପଣ ଅସୁନ୍ଦର ।) କେତେ ହବ, ଉଣେଇଶ୍‍ କି କୋଡ଼ିଏ..., ଏଇ ତ ? ସୁଦୀର୍ଘ ଭବିଷ୍ୟତ ରହିଚି –ଆହୁରି କେତେ କେତେ ସୁଯୋଗ ଆସିବ ଜୀବନରେ –ବଡ଼ ରୋଲ୍‍ ପାଇବେ ।

 

କିନ୍ତୁ ମୁଁ ଠିକ୍ କରିଚି, ଏମାନଙ୍କଠାରୁ ଅଲଗା ହୋଇଯାଇ...ଏସ୍‍.ଡି.ଓ. ଅଫିସର କେତେଜଣଙ୍କୁ ନେଇ ଆଉ ଏକ ଡ୍ରାମାଟିକ୍‍ ଏସୋସିଏସନ ଗଢ଼ିବି । ସେଠି ମୁଁ...

 

ଦରଜାଟା ଖୋଲିଗଲା ଏତିକିବେଳେ । ଭିତରୁ ବାହାରି ଆସିଲେ ରବିବାବୁ; ତାଙ୍କ ପଛେ ପଛେ ଝରଣାଦି ।

 

ଅନ୍ୟମାନେ ବି ଆସି ପହଞ୍ଚିଗଲେ ସେଇଠି ଡ୍ରାମା ଶେଷ ହେଇ ସାରିଥିବାରୁ । ଥିଏଟର ଭାଙ୍ଗିବାବେଳର ସେଇ ଗହଳି ଭିତରେ ଭୁଲିଗଲି ସୁମନ୍ତ ବାବୁଙ୍କ ପ୍ରତି ଆଟେନ୍‍ସନ ଦେବାକୁ । ସେ ଚାଲିଯିବା ପରେ ପାସୋରିଦେଲି ତାଙ୍କର ଦରଦଭରା କଥା ଆଉ ଅବହେଳିତ ହେବାର ବେଦନା । ମନ ଭିତରୁ ହଠାତ୍ ଯେପରି ସେ କୁଆଡ଼େ ଅପସରିଗଲେ ।

 

ଷ୍ଟେଜ୍‍ ପାଖର ଅଫିସର କଲୋନୀକୁ ଲାଗି ଡାକବଙ୍ଗଳା । (ଏଇ ଅଞ୍ଚଳଟାକୁ ବାଉଦପୁର କୁହାଯାଏ ।) ଏଠାକୁ ଆସିବା ଦିନଠାରୁ ତାହାରି ଗୋଟିଏ ସୁଟରେ ରହୁଥିଲୁ ମୁଁ ଆଉ ଝରଣାଦି । ଡ୍ରାମା ଓଭର ହେବା ପରେ ସେଇଠିକି ଫେରି ଆସିଲୁ ଆମେ ଦୁହେଁ, ଆଉ ଆମ ସାଙ୍ଗରେ କର୍ମକର୍ତ୍ତାମାନେ ବି...ବାଟେଇ ଦେଇ ଯିବା ପାଇଁ ।

 

ନାଟକଟି ଦୁଇରାତି ହେବା କଥା ।

 

ଆଜି ଥିଲା ପ୍ରଥମ ରାତି ।

 

ପ୍ରଥମ ରାତିର ଆଶାତୀତ ସାଫଲ୍ୟରେ ଖୁବ୍‍ ଖୁସି ହେଇଚନ୍ତି କର୍ମକର୍ତ୍ତାଏ । ସରକାରଙ୍କ ନ୍ୟାସନାଲ୍ ଡିଫେନ୍‍ସ ଫଣ୍ଡକୁ ପ୍ରଥମ ରାତିର ଆୟ ଦାନ କରିବା ସର୍ତ୍ତରେ ଏଣ୍ଟରଟେନମେଣ୍ଟ ଟ୍ୟାକ୍ସ ଉଭୟ ରାତି ପାଇଁ ଛାଡ଼ ପାଇଚନ୍ତି ସେମାନେ । ଆସନ୍ତା କାଲିର ଆୟଟା ପୂରାପୂରି ଅନୁଷ୍ଠାନର ଝରଣାଦିଙ୍କ ଅଭିନୟ ଆଜି ଯାହା ହେଇଚି...ଆହୁରି ଅଧିକ ଦର୍ଶକ ନିଶ୍ଚୟ ଆସିବେ କାଲି । ତା’ମାନେ, ବେଶୀ ଟିକେଟ..., ପ୍ରଚୁର ଟଙ୍କା ! ତେଣୁ ଆମେ ରାତ୍ରୀ-ଭୋଜନ ସାରି ଶୋଇବାକୁ ଯିବା ପର୍ଯ୍ୟନ୍ତ ଖାଲି ଧନ୍ୟବାଦ ପରେ ଧନ୍ୟବାଦ ଆଉ ପ୍ରସଂଶା ସେମାନେ କୁଢ଼େଇ ପକେଇବାକୁ ଲାଗିଲେ ଝରଣାଦିଙ୍କ ଉପରେ ଯାହାଙ୍କ ପାଇଁ ନାଟକର ସାଫଲ୍ୟ ।

 

ସେମାନଙ୍କ ଭିତରେ ସୁମନ୍ତ ବି ଥିଲେ; କିନ୍ତୁ ବିଶେଷ କିଛି କହୁନଥାନ୍ତି । ଶେଷରେ ପଚାରି ଦେଲେ, “ମୋର ଅଭିନୟ ଆପଣଙ୍କୁ କିପରି ଲାଗିଚି ଝରଣାଦି ?”

 

ହୋ ହୋ ହେଇ ହସିଉଠିଲେ ଅନ୍ୟ ସମସ୍ତେ ଯୋଉମାନେ ଝରଣାଦିଙ୍କୁ ପ୍ରଶଂସା କରି ଲାଗିଥିଲେ ଏ ପର୍ଯ୍ୟନ୍ତ । “ଇଆର ପୁଣି ଗୋଟାଏ ପାର୍ଟ...”... “ମୃତ ସୈନିକ କି ନେପଥ୍ୟ କୋଳାହଳରେ ଦେଇଥିଲେ ଆହୁରି ଭଲ ହେଇଥାଆନ୍ତା ଅଭିନୟ”... “ହସିଲେ କାନ୍ଦିଲା ପରି ଦେଖାଯାଏ, ଆଉ କାନ୍ଦିଲେ–ବୁଝିଲେନା ଝରଣାଦି, his most pathetic action creats highest humour...” “ଆର ଡ୍ରାମାରେ ୟା’କୁ ବିଦୂଷକର ରୋଲ୍ ଦବା... ବିଦୂଷକର ରୋଲ୍...” “ନ ହେଲେ ଚେୟାର୍ ବେଞ୍ଚ୍ ବୋହିବାର ରୋଲ୍...” “...ଯାହା ତ ଚେହେରା, ଏକ୍ଟିଂ ତତୋଽଧିକ...”

 

ସପ୍ତରଥି ପରିବୃତ ଶରାହତ ଅଭିମନ୍ୟୁ ପରି ସୁମନ୍ତଙ୍କର ଅବସ୍ଥା । ସେଇ ଅପମାନ ଜର୍ଜରିତ ମୁହଁ ପ୍ରତି ମୋର ଦୟା ଆସିଥିଲା; ଆସିଥିଲା ସହାନୁଭୂତି ଓ ଅନୁକମ୍ପା ।

 

ଝରଣାଦି ଅଳ୍ପ ଅଳ୍ପ ହସୁଥିଲେ; କିନ୍ତୁ ମୁଁ କରି ବସିଲି ଯାହା ନ କରିବା କଥା...ମୋ ନିଜର ସ୍ଥିତିକୁ ଭୁଲିଯାଇ । ଟିକିଏ ଗମ୍ଭୀର ହେଇ କହିଲି କେବଳ ପ୍ରତିଭାଧର ଶିଳ୍ପୀମାନେହିଁ ବିଦୂଷକର ରୋଲ୍ ନେଇପାରନ୍ତି... । ସୁମନ୍ତ ବାବୁଙ୍କର ପ୍ରତିଭା ରହିଚି...ଏଠି କେବଳ ତାଙ୍କ ପାଇଁ ସ୍କୋପ୍‍ର ଅଭାବ... ।

 

କହିଦେଇ ଅବଶ୍ୟ ଅନୁତପ୍ତ ହେଲି ମନେ ମନେ ପର ମୁହୂର୍ତ୍ତରେ । ମୋର ମନେରଖିବା ଉଚିତ ଥିଲା ଯେ ମୁଁ ଏଠି କେହି ନୁହେଁ । ନିଜେଇ ମୁଁ ଏଠି ଏକ ଅପାଂକ୍ତେୟ ।

 

ମୋ କଥାରେ କିନ୍ତୁ ଚୁପ୍ ହେଇଗଲେ ସମସ୍ତେ । ଦେଖିଲି କୃତଜ୍ଞତା-ଭରା ଆଖିରେ ମୋତେ ଅନେଇ ରହିଚନ୍ତି ସୁମନ୍ତ । ବୁଦ୍ଧିମତୀ ଝରଣାଦି ପରିସ୍ଥିତିଟାକୁ ସମ୍ଭାଳି ନେବା ପାଇଁ କହିଲେ, ଅନେକ କମ୍ପ୍ଲିମେଣ୍ଟ ଦେଲେଣି ଆପଣମାନେ । ବର୍ତ୍ତମାନ କିନ୍ତୁ ଭାରି ଟାୟାର୍ଡ଼ ହେଇପଡ଼ିଛି ମୁଁ ।

 

“ବେଶ୍ ତେବେ, ବିଶ୍ରାମ ନିଅନ୍ତୁ...” କହି ଗୋଟି ଗୋଟି କରି ଅପସରି ଗଲେ ସେମାନେ । ସୁମନ୍ତ ଗଲାବେଳେ ପୁଣିଥରେ ମୋ ମୁହଁକୁ ଚାହିଁଦେଇ ଚାଲିଗଲେ ।

 

ଇମିତିଭାବେ..., ଝରଣାଦି କହିଲେ, ସୁମନ୍ତକୁ ସପୋର୍ଟ କରି ତୁ ଠିକ୍ କରିନାହୁଁ ମଞ୍ଜୁ । ତା’ର ଏଠି କୌଣସି ପ୍ରଭାବ ନାହିଁ । ତା’ଛଡ଼ା ବାସ୍ତବିକ ତା’ର ଯାହା ଫିଗର୍... ସେ ବିଦୂଷକ ରୋଲ୍ ନେବାକୁହିଁ ଉପଯୁକ୍ତ ।

 

କହିଲି... ମୁଁ ଭୁଲ୍ କରିଚି ଝରଣାଦି ।

 

ଲିଭ୍ ଇଟ୍ ।...

 

ସେ ଚାଲିଗଲେ ବାଥ୍‍ରୁମ୍ ଭିତରକୁ । ଶୋଇବା ପୂର୍ବରୁ ଗାଧୋଇବା ତାଙ୍କର ଅଭ୍ୟାସ-। ଶାୱାର୍‍ର ଝିରି ଝିରି ଶବ୍ଦ ସହିତ ସଙ୍ଗୀତର ମୃଦୁ-ଗୁଞ୍ଜନ ଧ୍ୱନି ଦରଜା ଭେଦି ଶୁଭୁଥିଲା ଆଉ ମୁଁ ବାହାରକୁ ଯାଇ ଲାଇଟଟା ଲିଭାଇ ଦେଇ ବାରଣ୍ଡା ଉପର ବେତ ଚେୟାରରେ ବସି ଚାହିଁ ରହିଲି ଉନ୍ମୁକ୍ତ ଜ୍ୟୋସ୍ନାପ୍ଳୁତ ଆକାଶକୁ । ଅଫିସର୍ସ କଲୋନୀର ଶେଷରେ ଏଇ ଡାକବଙ୍ଗଳା-। ଅଳ୍ପଦୂରରେ ହେମନ୍ତର କୃଶକଟୀ ଶାଳନ୍ଦୀ । କଳ କଳ ଜଳଧାରରେ ତା’ର ପ୍ରତିବିମ୍ବିତ ଆକାଶର ମାୟା । ସେଇଠି ବସି ମୁଁ ସୁମନ୍ତଙ୍କୁ ଭାବିବାକୁ ଲାଗିଲି । ରିହାର୍ସେଲ୍ ଦିନଗୁଡ଼ିକ କଥା ଭାସିଉଠିଲା ମନଶ୍ଚକ୍ଷୁରେ ମୋର । ହଁ, ସମସ୍ତେ ତାଙ୍କୁ ଡାକୁଥିଲେ “ସୁମନ୍ତ” ନୁହେଁ, “ବିଦୂଷକ’ ବୋଲି-। କହୁଥିଲେ, ବିଦୂଷକର ରୋଲ୍‍ ଏଇ ନାଟକରେ ନାହିଁ; ସୁମନ୍ତ ପାଇଁ କ’ଣ ତା’ହେଲେ କରିବା-? ବିଦ୍ରୂପ କରି ସେମାନେ ଏପରି କହୁଥିଲେ । ତାଙ୍କୁ ଚାହିଁ ହସୁଥିଲେ ବି ସମସ୍ତେ । ସେ କୌଣସି ସଜେସନ ଦେଲେ...ସେ କୌଣସି କଥା କହିଲେ...ଉପହାସରେ ଉଡ଼ାଇ ଦେଉଥିଲେ ସଭିଏଁ-

 

ରୂପ ଦୃଷ୍ଟିରୁ ପ୍ରିୟଦର୍ଶୀ ନିଶ୍ଚୟ ସେ ନ ଥିଲେ; ସେ ନ ଥିଲେ ସୁପୁରୁଷ ମଧ୍ୟ; କିନ୍ତୁ ବଳିଷ୍ଠ ଏକ ପୌରୁଷ ଥିଲା ତାଙ୍କର ସେହି ଖର୍ବକାୟ ବ୍ୟକ୍ତିତ୍ୱ ଭିତରେ । ମନେହେଲା ମୋର, –ସୁପୁରୁଷ ନ ହେଲେ ବି ସେ ଜଣେ ସୁମନୁଷ୍ୟ; ଆଉ ମଧ୍ୟ ଏଠି ଅନେକ ‘କୁ’ ଭିତରେ ସେଇ ଏକମାତ୍ର ‘ସୁ’ । ମୁଁ ଭୁଲିଗଲି, ତାଙ୍କ ନାସିକାର ବିକୃତିକୁ, ମୁହଁର ବସନ୍ତ ଦାଗକୁ, ତାଙ୍କ ଡାହାଣ ହାତର ଷଷ୍ଠାଙ୍ଗୁଳିଟିକୁ; –ଆଉ... ଆଉ...ଆବିଷ୍କାର କଲି ମଧ୍ୟ ତାଙ୍କ ପାଇଁ ମୋ ମନରେ ‘ନରମ’ ଭାବ ଆସିଯାଇଚି କେତେବେଳେ ମୋ ନିଜର ଅଜାଣତରେ । କିନ୍ତୁ, କେବଳ ସେତିକି; ତା’ଠାରୁ ଅଧିକ କିଛି ନୁହେଁ... ବେଶୀ କିଛି ନୁହେଁ...ଏବଂ ଆଉ କିଛି... ଅନ୍ୟ କିଛି... ବା ସେପରି କିଛି ବି ନୁହେଁ, ଯାହାକୁ ବ୍ୟକ୍ତ କରିବା ପାଇଁ ଅଥବା ବ୍ୟାଖ୍ୟା କରିବା ପାଇଁ ଭାଷାର ଅଭିଧାନ କିମ୍ବା ଭଲ ପାଇବାର ସମ୍ବିଧାନରେ ଥିବା ସୁନିର୍ଦ୍ଧିଷ୍ଟ ସୁପରିଚିତ କୌଣସି ଶବ୍ଦ ବ୍ୟବହାର କରି ହେବ । ହଁ, ବେଶ୍ ସେତିକି ।

 

ମୁଁ ତାଙ୍କ କଥା ଭାବିବାକୁ ଲାଗିଲି...

 

ଭାବୁ ଭାବୁ ମନେହେଲା, ଆଖି ଆଗରେ ମୋର ସୁମନ୍ତ । ମନେହେଲା, ଅନୁକମ୍ପା ଓ କରୁଣାର ଦୃଷ୍ଟିରେ ସୁମନ୍ତଙ୍କୁ ନୁହେଁ... ଚାହିଁ ରହିଚି ମୁଁ ଏକ ଅପମାନାହତ ପୌରୁଷକୁ । କିନ୍ତୁ ନାଃ... ଛାଡ଼, ଏସବୁ ଆବେଗ–ଝରଣାଦି କହନ୍ତି–ଅନାବଶ୍ୟକ ଓ ଅବାଞ୍ଛିତ ଅଭିନେତ୍ରୀ ଜୀବନରେ । ମୋ’ପାଇଁ ‘ମଟୋ’ ହେବା ଉଚିତ “ଅଭିନୟ ହିଁ ଜୀବନ ଆଉ ଜୀବନହିଁ ଅଭିନୟ” ଯେହେତୁ ମୁଁ ଅଭିନେତ୍ରୀ ହେବାକୁ ଯାଉଚି । ସୁମନ୍ତ ଏଠି ଊହ୍ୟ; ଊହ୍ୟ ଶତ ସହସ୍ର ଅପମାନାହତ ପୌରୁଷ ଓ ମନୁଷ୍ୟତା । ଅର୍ଥଇ ପରମାର୍ଥ ଅଭିନେତ୍ରୀ ଜୀବନରେ । ମୋତେ ଝରଣାଦିଙ୍କ ପରି ହେବାପାଇଁ ପଡ଼ିବ । ଦେଖିଚି, କେତେ ତାଙ୍କର ପ୍ରମିକ, ରସିକ ଆଉ ଚିହ୍ନରା ଗ୍ରାହକ । ଯେତେବେଳେ ତାଙ୍କ ଘରକୁ ଯାଇଚି କେହି ନା କେହି ପୁରୁଷ-ବନ୍ଧୁ ଡ୍ରଇଂ ରୁମରେ ଥିବେ । (ଫ୍ରକ୍ ପିନ୍ଧିବା ବୟସରୁ ମୁଁ ବୁଝିଥିଲି ‘ପୁରୁଷ-ବନ୍ଧୁର’ ଅର୍ଥ କ’ଣ ।) ସେମାନଙ୍କ ସହିତ ଝରଣାଦିଙ୍କର ଯୋଉ ଛଳ-କଳା... ସେସବୁ ବି ଲକ୍ଷ୍ୟ କରିଥିଲି ଅନ୍ୟମନସ୍କ ହେଇ ରହିବା ଭଳି ଛଳନା କରି,...ସବୁ ବୁଝି ମଧ୍ୟ କିଛି ନ ବୁଝିବା ଭଳି ଭାବ ଦେଖାଇ... । ତାଙ୍କ ଘରେ ତିନିଜଣ ମାତ୍ର ମେମ୍ବର । ସେ ନିଜେ, ତାଙ୍କ ମାଆ ଆଉ ବାପା । ବାପା ପକ୍ଷାଘାତଗ୍ରସ୍ତ । ଉପର ମହଲାରେ ପ୍ରାୟ ଶୋଇ ରହି ଥାଆନ୍ତି ସେ । ମାଆ ପ୍ରକୃତ ଅର୍ଥରେ ପାଚିକା । ଯୋଉ ପାର୍ଟ ଟାଇମ୍ ଚାକରାଣୀ ଜଣକ ସକାଳ ଓଳି ବାସନ-ମଜା, ଘର-ଝାଡ଼ୁ ଇତ୍ୟାଦି କରିବା ପାଇଁ ଆସେ ...ତା’ ସହିତ ତାଙ୍କର ବିଶେଷ କିଛି ପାର୍ଥକ୍ୟ ଥିଲା ପରି ମନେ ହେଉନଥିଲା ମୋତେ । ଝରଣାଦି ଥିଲେ ଘରର ପ୍ରକୃତ ମାଲିକାଣୀ ବା କର୍ତ୍ତୀ । ବାପା ମାଆ ଯଥାକ୍ରମେ ଷ୍ଟାଚ୍ୟୁ ଆଉ ମେସିନ୍ । ନୀରବ-ନିଶ୍ଚଳ ହୋଇ ଉପରେ ଜଣେ ସୁସୁପ୍ତ, ଆଉ ତଳେ ନିଃଶବ୍ଦରେ ଜଣେ କର୍ମରତା । ବିଚିତ୍ର ଏକ ପରିବାର ।

 

ହଁ, ହୃଦୟାବେଗବିହୀନା ଝରଣାଦି... ଅଭିନେତ୍ରୀ ଝରଣାଦିଙ୍କ ଘରେ ଯାହାସବୁ ଦେଖିଚି... ଫେରି ଆସେ ସେଇସବୁ ସ୍ମୃତିକୁ ।

 

ଦେଖିଚି, ଆଲକାତରାର ପିମ୍ପା ଭଳି...ବୟସ୍କ, ପୃଥୁଳ, କୃଷ୍ଣକାୟ ବ୍ୟକ୍ତି ଜଣେ ଆସନ୍ତି ଯାହାଙ୍କ ମୁହଁ ଦେଖିଲେ ମୋତେ ବାନ୍ତି ମାଡ଼େ । ଅଥଚ ତାଙ୍କରି ପାଖରେ ଘନିଷ୍ଠ ହୋଇ ବସି ଝରଣାଦି ଆଖି ନଚେଇ ମୁହଁ ହଲେଇ ମିଠା ମିଠା ଗଳାରେ ଯାହାସବୁ କହନ୍ତି ଶୁଣିଲେ ହସ ମାଡ଼ିବ । “ଆପଣ ରିଏଲି ଜଣେ ଲେଡି-କିଲର୍‍...” “ଆପଣଙ୍କ ବାଳ କୁଣ୍ଡାଇବା ଷ୍ଟାଇଲଟା ମୋତେ କିନ୍ତୁ ଭାରି ଭଲ ଲାଗେ ମିଷ୍ଟର୍‍ କାପାଡ଼ିଆ । ଚମତ୍କାର ସତେ ଆପଣଙ୍କ ହେଆର୍‍ଗୁଡ଼ିକ !!” ...କିମ୍ବା...‘‘ଆପଣଙ୍କ ଫିଗର୍‍ର ଇମିତି ଗୋଟାଏ ବିଶେଷତ୍ଵ ଅଛି–ସୁଟ୍ ପିନ୍ଧିଲେ ଯେମିତି ମାନେ, ଧୋତି-ପଞ୍ଜାବିରେ ବି...”

 

ଆଶ୍ଚର୍ଯ୍ୟ ! ଲୋକଟା କେମିତି ବୁଝିପାରୁନି ଯେ ଝରଣାଦି ତାକୁ ନିରାଟଗୁଡ଼ାଏ ମିଛକଥା କହି ଚାଲିଛନ୍ତି !! ସେ ବିଶ୍ଵାସ କରୁଚି କେମିତି ? ...ନିତାନ୍ତ ଗୋଟାଏ ନିର୍ବୋଧ; ସେଥିରେ ପୁଣି ଯୋଉ ଅହଙ୍କାର ... ଯୋଉ ଫୁଟାଣି... ! ଜୋର ଗଳାରେ କହେ ଲକ୍ଷେ ଟଙ୍କିଆ କଥା... । ସବୁବେଳେ ‘ମୁଁ’ ଆଉ ‘ମୋର’ ।

 

ତା’ ଅହଙ୍କାର ମୋ ପକ୍ଷରେ ଥିଲା ଅସହ୍ୟ । ଦିନେ ମୁହଁ ଖୋଲି କହି ବି ଦେଇଥିଲି ଝରଣାଦିଙ୍କୁ ସେଇକଥା ।

 

ସେ କିନ୍ତୁ ଟିକିଏ ଗମ୍ଭୀର ହେଇ ଉତ୍ତର ଦେଇଥିଲେ–କାହାକୁ ମାନେ ମିଲଟାରୀ ଡ୍ରେସ୍, କାହାକୁ ମାନେ ଧୋତି ଚାଦର । ସେହିପରି କାହାକୁ ମାନେ ବିନୟ, କାହାକୁ ମାନେ ଅହଙ୍କାର । ମିଷ୍ଟର କାପାଡ଼ିଆଙ୍କୁ ଅହଙ୍କାରଟା ଭଲ ମାନେ ମଞ୍ଜୁ ! ଆଉ ମୁଁ, ମୁଁ ବି କ’ଣ କମ୍ ଅହଙ୍କାରୀ ? ମୋର ତ ମନେହୁଏ ଅହଙ୍କାର ମୋର ଭୂଷଣ !! ଝରଣାଦି ଗଳାରେ ପିନ୍ଧିଥିବା ଦାମୀ ନେକଲେସଟାକୁ ଧରି କହିଲେ–ଏଇଟାକୁ ବାହାର କରିଦେଲେ ମୋ ବେକ ଯେମିତି ଦେଖାଯିବ... ଅହଙ୍କାରକୁ ବାଦ୍ ଦେଲେ ମୁଁ ଠିକ୍ ସେହିପରି ଦିଶିବି । ମଞ୍ଜୁ, ଧର୍ମଶାସ୍ତ୍ର ପଢ଼ି ମୁଁ ବି କିଛିଦିନ ଚେଷ୍ଟା କରିଥିଲି ବିନୟୀ ହେବା ପାଇଁ । କିନ୍ତୁ ମୋର ବନ୍ଧୁମାନେ କହିଲେ, ମୋତେ ମାନୁନି । ବିନୟୀ ହେଲେ ସେମାନଙ୍କୁ ଲାଗୁଚି–ଯେପରିକି ଭାଙ୍ଗିପଡ଼ିଚି ମୁଁ–କୌଣସି କାରଣରୁ ଅବା ଫ୍ରସଷ୍ଟ୍ରେଟେଡ୍ ହେଇଯାଇଚି...

 

ନୀରବ ରହିଥିଲି ।

 

ମୋର ଜଣେ ବନ୍ଧୁ ଏହା ମଧ୍ୟ କହିଲେ, –ଝରଣା କହିଥିଲେ ଆହୁରି, –ଯେ ଯୋଉମାନଙ୍କୁ ମୋର ଅହଙ୍କାର ଉତ୍ତ୍ୟକ୍ତ କରୁଥିଲା...ସେଇମାନେଇ କୁଆଡ଼େ ମୋର ବିନୟଭାବ ଦେଖି ଦୁଃଖିତ । ଅର୍ଥାତ୍‍–ମନସ୍ତାତ୍ତ୍ୱିକ ଦିଗରୁ ସେମାନେ ମୋତେ ଅହଙ୍କାରୁଣୀଭାବେ ଦେଖିବା ପାଇଁ ଚାହାନ୍ତି । ସେଇଆ ସେମାନଙ୍କ ଅବଚେତନ ମନର ଇଚ୍ଛା । ଆହୁରି ବି ମୋର କ’ଣ ମନେହେଇଥିଲା ଜାଣୁ, –ଯୋଉ ଜଣକ ଉପରୋକ୍ତ କଥା ମୋତେ କହିଲେ, ମୁଁ ବିନୀତ ହେବାରେ ସବୁଠାରୁ ବେଶୀ ଆପତ୍ତି ତାଙ୍କର ଏବଂ ସେ ମଧ୍ୟ ସେଇମାନଙ୍କ ଭିତରୁ ଜଣେ ।

 

ଆଉ ଜଣକୁ ତାଙ୍କ ପାଖକୁ ଆସିବାର ଦେଖିଚି, ସେ ହେଲେ ବିପତ୍ନୀକ ବାରିଷ୍ଟର ମଣିମୟ ପଟ୍ଟନାୟକ । ଦିଲ୍ଲୀରେ ଥିଲେ ବହୁଦିନ । ପ୍ରାକ୍ଟିସ୍ କରୁଥିଲେ ସୁପ୍ରିମକୋର୍ଟରେ । ପତ୍ନୀ ବିୟୋଗ ପରେ ଚାଲି ଆସିଚନ୍ତି କଟକ । ହାଇକୋର୍ଟରେ ପ୍ରାକ୍ଟିସ୍ କରନ୍ତି ବର୍ତ୍ତମାନ । ବୟସ ହେବ ପଞ୍ଚାବନରୁ ବେଶୀ । ବାଳ ପ୍ରାୟ ସାଦା ହେଇଯାଇଚି । ତେବେ, ରଙ୍ଗଟା ଦେହର ଗୋରା ତକ୍ ତକ୍; ବ୍ୟକ୍ତିତ୍ୱ ଅଛି ମୁହଁରେ । ଶୁଣିଚି, ତାଙ୍କର ଚାରିଟି ପିଲା । ପୁଅ ଝିଅ ଠିକ୍ ସମାନ ସଂଖ୍ୟାରେ । ସମସ୍ତେ ପଢ଼ୁଚନ୍ତି । ଜଣେ ଲଣ୍ଡନ, ଜଣେ ଦିଲ୍ଲୀ, ଆଉ ଦୁଇଜଣ... .ଦାର୍ଜିଲିଂରେ । ଭାରି ଆଭିଜାତ୍ୟ ମଣିମୟଙ୍କର; ଆସ୍ତେ ହସନ୍ତି, ଧୀରେ ଧୀରେ କଥା କହନ୍ତି ଇଂରାଜୀ ଢଙ୍ଗରେ; ସିଗାରେଟ୍ ଟାଣିବା ଭଙ୍ଗୀଟି ପର୍ଯ୍ୟନ୍ତ ତାଙ୍କର ପରିଚ୍ଛନ୍ନ ।

 

ଝରଣାଦି ତାଙ୍କ ଆଗରେ ଗପନ୍ତି ନିଜର ଅତୀତ ବଂଶ ଗୌରବ । ତାଙ୍କ ବଡ଼ବାପା କେବେ କୁଆଡ଼େ କୋଉ ଷ୍ଟେଟର ଦେୱାନ ଥିଲେ, ରାଜାଙ୍କ ପ୍ୟାଲେସ୍ ଗାର୍ଡ଼ମାନେ କୁଆଡ଼େ ସାଲ୍ୟୁଟ୍ ଦେଉଥିଲେ ଝରଣାଦିଙ୍କୁ । ରାଣୀ...ରାଜକନ୍ୟା...ଆଉ ରାଜ ଭଗିନୀମାନଙ୍କ ସହିତ ତାଙ୍କର ଘନିଷ୍ଠତା, ସ୍ଵୟଂ ଯୁବରାଜଙ୍କ ସହିତ ବଲ୍ ନାଚିବାର ଗୌରବ...ଏଇସବୁ ଜଣେ ଉତ୍ତର-ତିରିଶି (ଯଦିଓ ଦେଖିବାକୁ ବାଇଶି) ସୁନ୍ଦରୀ ମଞ୍ଚ-ନାୟିକା ମୁହଁରୁ ଶୁଣୁ ଶୁଣୁ ବାରିଷ୍ଟର ପଟ୍ଟନାୟକଙ୍କ ଆଖି ଆଉ ମୁହଁରେ ଯୋଉ ଭାବ ଫୁଟି ଉଠେ, ତାହାର ଅର୍ଥ ବୁଝିବା କଠିନ ଥିଲା ମୋ ପକ୍ଷରେ । ଝରଣାଦିଙ୍କ କଥା ସେ ବିଶ୍ଵାସ କରୁଥିଲେ କି ନା ଜାଣେନା, କିନ୍ତୁ ତାଙ୍କ ଅନୁପସ୍ଥିତିରେ ଝରଣାଦି ଯେତେବେଳେ ମୋତେ କହୁଥିଲେ, ବାରିଷ୍ଟର ପଟ୍ଟନାୟକ ତାଙ୍କୁଇ ବାହା ହବା ପାଇଁ ଜିଦ୍‍ ଧରି ବସିଚନ୍ତି ... ମୁଁ ସେ କଥା ଆଦୌ ବିଶ୍ଵାସ କରିପାରୁନଥିଲି ।

 

ଶାୱାର୍‍ର ଶବ୍ଦ ବନ୍ଦ ହେଇଗଲା ବାଥ୍‍ରୁମ୍‍ ଭିତରୁ । କିନ୍ତୁ ଶୁଭୁଥାଏ ଝରଣାଦିଙ୍କ ମିଠା ଗଳାର ଗୁଣୁ ଗୁଣୁ ଗୀତ । ପାଣି ଶବ୍ଦଟା ବନ୍ଦ ହେଇଯିବାରୁ ସ୍ପଷ୍ଟ ଶୁଭୁଥାଏ ଏଥର–“ଦିଲ୍ ମେରୀ ଦିୱାନା...ରୂପ ମେରୀ ମସ୍ତାନା...”

 

ବାରଣ୍ଡାରୁ ଉଠି ଆସିଲି ରୁମ୍‍ ଭିତରକୁ । ସୁନ୍ଦର ଶୁଭୁଥାଏ ଗୀତଟା । ବାସ୍ତବିକ, ସେ ଗାଇପାରନ୍ତି ଚମତ୍କାର ।

 

ଗୀତ ବନ୍ଦ କରି ଭିତରୁ ମୋତେ ଡାକ ଦେଲେ ଝରଣାଦି । ମଞ୍ଜୁ, ଶୁଖିଲା ଟାୱେଲ ଅଛି କିରେ ?

 

‘ଦଉଚି’ କହି ଖୋଜିବାକୁ ଲାଗିଲି ।

 

କିନ୍ତୁ ଆମ ଦୁହିଙ୍କ ଜିନିଷପତ୍ର ସବୁ ଇମିତିଭାବେ ପଡ଼ିଚି ଯେ ପାଇଲି ନାହିଁ ଖୋଜି ଖୋଜି । ଗାଧୁଆ ଘରକୁ ସେ ଗଲାବେଳେ ଲକ୍ଷ୍ୟ କରିଥିଲି ତାଙ୍କ ହାତରେ ମୋରି ଟାୱେଲ । ତେଣୁ ବର୍ତ୍ତମାନ ତାଙ୍କରଟା ଖୋଜିବାରେ ଲାଗିଲି ।

 

ଥରିଲାପରି ଗଳାରେ ସ୍ଵର ଶୁଭିଲା ପୁଣି ବାଥ୍‍ରୁମ୍ ଭିତରୁ । ପାଇଲୁକି ?

 

ସେ ଶୀତରେ ଥରୁ ନ ଥିଲେ । ଥରିଲାପରି ସ୍ଵରଟାଇ ତାଙ୍କର ସବୁବେଳେ ଯାହା ପୁରୁଷମାନଙ୍କୁ ଆକର୍ଷଣ କରେ ବୋଲି ସେ ଭାବୁଥିଲେ ।

 

ଖୋଜୁ ଖୋଜୁ କହିଲି, ପାଉନି ଝରଣାଦି ।

 

ତୋ ଟାୱେଲ ଦେଇ ଦେ’ ନା... !

 

ମୋର ତ ତମେ ନେଇଚ...

 

ଓ’...ସୁଟକେଶ୍‍ ଭିତରେ ରହିଯାଇଚି ତା’ହେଲେ ମୋ’ରଟା...

 

ତମ ସୁଟକେଶ୍‍ ତ ବନ୍ଦ ଅଛି । ଚାବି...

 

ଚାବି ମୋ ପାଖରେ । ...ହଉ, ଥାଉ, ଥାଉ ।

 

ତା’ପରେ ଦରଜା ଖୋଲିବାର ଶବ୍ଦ ।

 

ବାହାରି ଆସିଲେ ଝରଣାଦି ।

 

ସବୁଜ ରଙ୍ଗର ଭିଜା–ଟର୍କିସ-ଟାୱେଲରେ ଛାତି ପାଖରୁ ଜାନୁଯାଏ ତାଙ୍କର ଆବୃତ । ଆଖିର ଚାହାଣିରେ ବାରଣ୍ଡା ପାଖ ଖୋଲାଦରଜାକୁ ଦେଖେଇ ହସି ପକାଇ କହିଲେ ଏୟ ... ! ବନ୍ଦ କର୍‍ ବନ୍ଦ କର୍‍ । ଆଉ, ଏଇସବୁ ଝରକା ବି... ।

 

ସେଇପରି ଟାୱେଲ ଦେହରେ ବସିପଡ଼ି ସୁଟକେଶ୍ ଖୋଲିଲେ ସେ । ପ୍ରଥମେ ଦରଜାଟା ବନ୍ଦ କରିଦେଇ ମୁଁ ତା’ପରେ ଗୋଟିକ ପରେ ଗୋଟିଏ ତିନିଟିଯାକ ଝରକା ବନ୍ଦ କରିବାରେ ଲାଗିଲି । ଡାକ-ବଙ୍ଗଳା ଚାରିପାଖର ପରିବେଶ ଅବଶ୍ୟ ନିର୍ଜନ-ପ୍ରାୟ । ତଥାପି... କାଳେ କେହି କୌତୂହଳୀ ଯଦି ଇଆଡ଼େ ଆସିପାରେ !

 

ବନ୍ଦବାନ୍ଦ କରି ଫେରି ଚାହେଁ ଦେଖେ ତ, ମନ୍ଥର-ଗତି ଫ୍ୟାନ୍ ତଳେ ଡ୍ରେସିଂ ଟେବୁଲ୍‍ର ପ୍ରକାଣ୍ଡ ମିରର୍ ଆଗରେ ଠିଆହୋଇ ରୁମାଲ୍ ପରି ଛୋଟ ଗୋଟିଏ ତଉଲିଆରେ ଦେହ ପୋଛି ହଉଚନ୍ତି ଝରଣାଦି । ଅଣ୍ଟା ତଳକୁ ସେଇ ଓଦା ଟାୱେଲ ଘେରା । ଗୁଣୁ ଗୁଣୁ ଗୀତର ଅସଂଲଗ୍ନ ଭଗ୍ନାଂଶ ପୁଣି ରହି ରହି ବାହାରୁଚି ଗଳାରୁ–“ଦିଲ୍ ମେରୀ ଦିୱାନା...” ତା’ପରେ... ଟିକିଏ ରହି, “ଗାଧୋଇଲେ ମୋତେ ଭାରି ଭଲ ଲାଗେରେ ମଞ୍ଜୁ...” ପୁଣି ସ୍ଵର... “ରୂପ ମେରୀ ମସ୍ତାନା...” ତା’ପରେ ସିଧା ମୋ’ଆଡ଼କୁ ଫେରି ଚାହିଁ, “ଆସିଲୁ, ଆସିଲୁ ଏଇଠିକି ଟିକିଏ...”

 

ପାଖକୁ ଗଲି । ଛାତି ପୋଛିବା ଶେଷକରି ତଉଲିଆ ସେତେବେଳେ ସେ ବବ୍ ବାଳରେ ଘଷୁଚନ୍ତି । ଗର୍ବୋନ୍ନତ ପୀବର ସ୍ତନ ଦୁଇଟି ନାଚି ଉଠୁଛି ଦେହର ଦୋଳନରେ ଯାହାର ପ୍ରତିବିମ୍ବ ମୁଁ ଦର୍ପଣରେ ଦେଖିବାକୁ ପାଉଥିଲି ପଛଆଡ଼ୁ ।

 

ମିରର୍ ଆଗରେ ଥିବା ଛୋଟ ଷ୍ଟୁଲରେ ବସିପଡ଼ି ସେ ତଉଲିଆଟି ମୋ ହାତକୁ ବଢ଼ାଇ ଦେଲେ । ନିର୍ବିକାର ଭାବରେ କହିଲେ, ପିଠିରେ ଟିକିଏ ପାଉଡର ମାଖି ଦେଲୁ ମଞ୍ଜୁ ।

 

ମୁଁ ଡ୍ରେସିଂ ଟେବୁଲ୍ ଉପରୁ ପାଉଡର ଡବା ଆଉ ପଫ୍‍ଟା ଉଠାଇଚି, ସେ ଧରିପକାଇଲେ ମୋ ହାତ ଆଉ କାଢ଼ି ନେଲେ ପଫ୍‍ଟି ।

 

ନାଁ, ଏଥିରେ ନୁହେଁ, ଭାରି ଶିରି ଶିରି ଲାଗେ ମୋତେ । ଡିବାରୁ ଝାଡ଼ି ଝାଡ଼ି ଏହିପରି ହାତ ପାପୁଲିରେ ଆଉଁଶି ଦେ’... ।

 

କିପରି ଆଉଁଶିବି ବତାଇ ଦେବା ପାଇଁ ପାଉଡର ଟିକିଏ ମୋ ବାହୁ ଉପରେ ଢାଳି ଦେଇ ନିଜେ ଘଷିଦେଲେ ସେ ନରମ କରି ।

 

ତା’ପରେ ମୁଁ ମୋ କାମ କରି ଚାଲିଲି । ଡେମ୍ଫ ଧରି ଗୋଲାପଫୁଲ ଘୂରେଇଲା ପରି ଝରଣାଦି ପଫ୍‍ଟାକୁ ନିଜ ନାକ ଆଗରେ ଘୂରେଇ ଘୂରେଇ ଆଘ୍ରାଣ କରୁଥାଆନ୍ତି ଆଉ ଗୁଣୁ ଗୁଣୁ ହଉଥାଆନ୍ତି; ସେଇ ଗୀତ ।

 

ଧୀରେ ଧୀରେ ପିଠି ଉପରେ ପାଉଡର ମାରି ଦେଉଥାଏ ମୁଁ । ପିଠି ପାଖ ଶେଷ ହେବା ପରେ ପାଉଡର ଡିବାଟା ଉଠେଇ ସେ ନିଜେ ଲଗେଇଲେ ତାଙ୍କ କାଖ ତଳେ । ତା’ପରେ ପୁଣି ସେଟା ମୋ ହାତରେ ଦେଇ ଦର୍ପଣକୁ ଚାହିଁ କହିଲେ; ସାମ୍ନା ପାଖଟା ମାଖି ଦେ ।

 

ପ୍ରଥମେ ମୁଁ ଠିକ୍ ବୁଝିପାରିଲି ନାହିଁ । ଠିଆ ହୋଇ ରହିଥିଲି ତାଙ୍କ ପଛରେ । କ’ଣ କରିବି ଠିକ୍ କରିପାରୁନଥାଏ । ସେ କହିଲେ, ଦେ ଛାତି, ପେଟ ଚାରିଆଡ଼େ ଦେଇ ଦେ ।

 

ଜଣେ ଝିଅ ହେଇ ମଧ୍ୟ ଅନ୍ୟଜଣେ ଝିଅର ଛାତିରେ ପାଉଡର ମାଖିବାକୁ ଯିବା ଯେ ଅଶାଳୀନତା ତାହା ମୁଁ ଜାଣିଥିଲି ମହିଳା କଲେଜ ହଷ୍ଟେଲରେ ପରୀକ୍ଷା ସମୟରେ ପଢ଼ାପଢ଼ିର ସୁବିଧା ପାଇଁ ଦୁଇମାସ ରହିବାର ଅବସରରେ ।

 

ଚାରିଜଣିଆ ରୁମରେ ମୋ ସହିତ ଅନ୍ୟ ଯୋଉ ତିନିଜଣ ଥିଲେ ଶୁକ୍ଳା ରାଉତରାୟ, ସ୍ମୃତିଲେଖା ପାଣି ଆଉ ପ୍ରତିମା ଜେନା... ସେମାନଙ୍କ ଭିତରେ ଥିଲା ଅତ୍ୟଧିକ ଘନିଷ୍ଠତା । ତିନିହେଁ ଗାଧୋଇସାରି ଦିନେ ପରସ୍ପରକୁ ପାଉଡର ମାଖି ଦଉ ଥାଆନ୍ତି । ପଡ଼ିଗଲା ହଷ୍ଟେଲ୍‍ ସୁପରିଟେଣ୍ଟେଣ୍ଟ କୁମାରୀ ଶୋଭା ଦେଙ୍କ ଆଖି । ସିଏ ଯୋଉ ଗାଳି !!!

 

ମିସ୍ ଦେ ଚାଲିଗଲା ପରେ ନିଜ ନିଜ ଭିତରେ ଅବଶ୍ୟ କୁହାକୁହି ହେଲେ ସେମାନେ–“ନମ୍ବର ୱାନ୍ ବଦ୍‍ମାସ ଶୋଭାଦିଟା...” “ଜଘନ୍ୟ ମହିଳା...” “...କୁମାରୀ ବୋଲାଏ; ଅଥଚ ଅଛି ନିଜର ଗୋଟିଏ କୋଡ଼ିଏ ବର୍ଷ ବୟସର ପୁଅ । କଲିକତାରେ ପଢ଼ାଉଚି ତାକୁ । ମଝିରେ ମଝିରେ ଯାଇ ଦେଖାକରି ଆସେ । ସତୀ ପଣିଆ ଦେଖାଉଚି ବୁଢ଼ୀ !” “ବୃଦ୍ଧା–ବେଶ୍ୟା ତପସ୍ଵନୀ...” “ଶାନ୍ତି ଆଉ ଉପମା ବାଥ୍‍ରୁମରେ କବାଟ ବନ୍ଦକରି ସାଙ୍ଗହେଇ ଗାଧୋଉଚନ୍ତି, ସେଟା ଆଖିରେ ପଡ଼ୁନି...’’ “ଜ୍ୟୋତ୍ସ୍ନା-ଅର୍ଚ୍ଚନା ଗୋଟିଏ ବେଡ଼ରେ ସାଙ୍ଗ ହେଇ ଶୋଉଚନ୍ତି... ସେଟା ତା’ ସତର୍କ ଦୃଷ୍ଟିରୁ ଏଡ଼େଇ ଯାଉଚି...; ଆଉ ଖାଲି ଆମେ ପାଉଡର ମଖାମଖି ହେଲୁ ବୋଲି... ’’ “ଆଖିରେ ପଡ଼ୁନି କାହିଁକି, ଆଖି ବୁଜି ରହିଚି କହ । ଶାନ୍ତି-ଉପମା ଜ୍ୟୋତ୍ସ୍ନା-ଅର୍ଚ୍ଚନାଙ୍କ ସାଙ୍ଗରେ ବୁଢ଼ୀର କିଛି ଥିବ ନା !”

 

ସେତେବେଳକୁ ରୁମ୍ ନମ୍ବର ଫାଇଲରେ ବାଣୀ ଦତ୍ତ ଆସି ପହଞ୍ଚି ଯାଇଥିଲେ ସ୍ପଟ୍ ଉପରେ । ଉପର ଶ୍ରେଣୀ ଛାତ୍ରୀ ହୋଇଥିବାରୁ ଏମାନେ ତାଙ୍କୁ ମାନନ୍ତି । ଜାଣନ୍ତି ଆହୁରି ବି ଯେ ଇଏ ପ୍ରତିଦ୍ୱନ୍ଦ୍ୱିତା କରିବେ ଆସନ୍ତା ନିର୍ବାଚନରେ କଲେଜର କଲ୍‍ଚରାଲ ସେକ୍ରେଟେରୀ ପଦପାଇଁ ଏବଂ ଧାରଣା, ନିଶ୍ଚୟ ନିର୍ବାଚିତ ହେବେ ମଧ୍ୟ । କୁମାରୀ ଦେଙ୍କ ବିରୁଦ୍ଧରେ ବାଣୀ ଦତ୍ତଙ୍କ ପାଖରେ ଅନୁଯୋଗ ଆରମ୍ଭ କରିଦେଲେ ଶୁକ୍ଳା, ସ୍ମୃତି ଆଉ ପ୍ରତିମା ।

 

ମିସ୍ ଦତ୍ତ ହସ ଚାପି କହିଥିଲେ, ବାସ୍ତବିକ୍, ବଡ଼ ଦୁଃଖର ବିଷୟ । ସହସ୍ନାନ, ସହଶୟନ... ଏସବୁ ହେଲା ତାମସିକ; ମାତ୍ର ଭସ୍ମ-ବିଲେପନ ଭଳି ଗୋଟାଏ ନିତାନ୍ତ ଆଧ୍ୟାତ୍ମିକ ବ୍ୟାପାର ଭିତରେ କିପରି ଯେ ‘ଭାଇସ୍’ ଦେଖିବାକୁ ପାଉଚନ୍ତି ଶୋଭା ଦେ, ଆଶ୍ଚର୍ଯ୍ୟ !!!

 

ପାଉଡର ମଖାମଖି ସମ୍ବନ୍ଧରେ ମୋ ଜ୍ଞାନଚକ୍ଷୁର ପ୍ରଥମ ଉନ୍ମୀଳନ ସେଇ ଦିନଠୁ ।

 

ଟେଲ୍‍କମ୍ ପାଉଡରର ଲମ୍ବା ଡିବାଟା ହାତରେ ଧରି ଝରଣାଦିଙ୍କ ପିଠି ପଟେ କିଂକର୍ତ୍ତବ୍ୟ ବିମୂଢ଼ଭାବେ ଠିଆହେଇ ଦର୍ପଣରେ ପ୍ରତିବିମ୍ବିତ ତାଙ୍କ ବାଦାମୀ ବର୍ଣ୍ଣର ବକ୍ଷ-ବୃନ୍ତଆଡ଼କୁ ଚାହିଁ ରହିଥିଲି ଆଉ ଭାବୁଥିଲି ଏତେ ବୟସ୍କା ହେବା ସତ୍ତ୍ୱେ ବି କିପରି ତାହା ଅନମନୀୟ ରଖିପାରିଚନ୍ତି ସିଏ !

 

ତାଙ୍କ ପ୍ରତିବିମ୍ବର ଆଖି ମୋ’ଆଡ଼କୁ ଚାହିଁଲା । ଦେ’ ନା; ଭାବୁଚୁ କ’ଣ ?

 

ଅଗତ୍ୟା, ସମସ୍ତ ଲଜ୍ଜା... ବ୍ରୀଡ଼ା... ସଙ୍କୋଚ... କଟାଇ ଉଠି ଧୀରେ ଧୀରେ ସେଠି ପାଉଡର ଛିଞ୍ଚିଲି ମୁଁ । ଶୃଙ୍ଗ ଆଚ୍ଛାଦିତ ହେଇଗଲା ଚୂର୍ଣ୍ଣ ତୁଷାରର ରେଣୁରେ !!

 

ବେଶ୍ ବେଶ୍, ସେତିକି !...ଢାଳିବାକୁ ବାରଣ କଲେ ଝରଣାଦି; –ଏଥର ମାଖିଦେ ।

 

ଗୋଟିଏ ହାତରେ ଡବାଟା ଧରି ଆର ହାତରେ–ପ୍ରଥମେ ତାଙ୍କ ବେକତଳ, ତା’ପରେ ଛାତିର ମଝାମଝି...ପାଉଡର ସବୁ ଆଉଁଶି ଆଉଁଶି ମିଳାଇବାକୁ ଲାଗିଲି ।

 

ହାତରେ ମୋର ଡବାଟା କାଢ଼ି ନେଲେ ସେ ! ଦି’ପାଖରେ ଦୁଇ ପାପୁଲି ଦେଇ ଘଷି ଦେ । ବହୁତ ପାଉଡର ଦେଇ ଦେଇଚୁ !

 

ସେ ଯାହା ଚାହିଁଥିଲେ ସେଇଆ ମୋତେ କରିବାକୁ ହେଲା । ଅନିର୍ବାଚନୀୟ ଅଭୂତପୂର୍ବ ସେଇ ଅନୁଭୂତି । ନୂତନ ଏକ ସ୍ଵାଦ, ନୂତନ ଏକ ଉଚ୍ଚାଟନ । ମୁଁ ପ୍ରତିବିମ୍ବକୁ ଚାହୁଁଥିଲି ବାରମ୍ବାର । ମୋ ଲମ୍ବା ଗୋରା ସରୁ ସରୁ ଆଙ୍ଗୁଳିର ନେଲ୍-ପଲିସ୍-କରା ଅଗ୍ନି-ବର୍ଣ୍ଣ ନଖ ସବୁ ଯେପରିକି ଏକ ପାଶବିକ ଆହ୍ଵାନର ପ୍ରତ୍ୟୁତ୍ତର ଦେବାପାଇଁ ଚଞ୍ଚଳ ହେଇଉଠିଥିଲେ । ଭାବୁଥିଲି, କ’ଣ ସହିତ ତୁଳନା କରିବି ସେଇ ନିଷ୍ପେଷିତ ନ’ଧର ଅଙ୍ଗର ଲାବଣ୍ୟକୁ । ଭାରତୀୟ ରମଣୀର ଉର୍ଦ୍ଧ୍ଵାଙ୍ଗ ସନ୍ଦର୍ଶନରେ ତ ଦିଶାହରା ହୋଇ କହିପକାଇ ସାରିଚନ୍ତି ଇ.ଏମ୍. ଫର୍ଷ୍ଟର୍ “ବ୍ରେଷ୍ଟସ୍ ଲାଇକ ମ୍ୟାଙ୍ଗୋଜ୍ !!”

 

ରହ । ...ଝୁଙ୍କିପଡ଼ି ଡ୍ରେସିଂ ଟେବୁଲ୍‍ର ତଳ ଦରଜାଟା ଖୋଲିଦେଲେ ଝରଣାଦି । ବାହାର କଲେ ହୁଇସ୍କି ବୋତଲ । ଛୋଟ ଦୁଇଟି ଗ୍ଲାସ୍ ବି କାଢ଼ିଲେ । ତା’ପରେ ସୋଢ଼ା ବୋତଲ ଦୁଇଟି । ଆଜିକାର ଅଭିନୟରେ ମୋ ସାଫଲ୍ୟକୁ ଆମେ ସେଲିବ୍ରେଟ୍ କରିବା...

 

କିନ୍ତୁ ମୁଁ ତ...

 

ମୋତେ ଇତସ୍ତତଃ ହେବାର ଦେଖି ସେ ହସିଲା ।

 

ବସ୍ ଏଠି ।

 

ମୁଁ ଠିଆହେଇ ରହିଥାଏ ।

 

ପାଖରେ ପଡ଼ିଥିବା ଚେୟାରଆଡ଼କୁ ନିର୍ଦ୍ଦେଶ କରି କହିଲେ, ବସ୍‍ ନା । ... ଭାରି ‘ସାୟ୍’-! ତୋ’ରି ଭଳି ଝିଅମାନେ ପ୍ରେମରେ ପଡ଼ନ୍ତି ଖୁବ୍ ସହଜରେ ଆଉ ଠକନ୍ତି ଖୁବ୍ ବେଶୀ । ଏ ଲାଇନରେ ଏତେ ‘ସାୟ୍’ ହେଲେ ଚଳିବ ?

 

ଅଗତ୍ୟା ମୁଁ ବସିଲି ।

 

ସମ ପରିମାଣ ସୋଢ଼ା ଆଉ ହୁଇସ୍କି ସେ ମିଶାଇଲେ ଦୁଇଟି ଯାକ ଗ୍ଲାସରେ । ଈଷତ୍ ରକ୍ତିମ ଫେନ-ଚୂଡ଼ ପାନୀୟର ଦୃଶ୍ୟଟାଇ ମୋ ମନରେ ସେତେବେଳେକୁ ଯଥେଷ୍ଟ ଭୀତି ସଞ୍ଚାର କରିସାରିଚି । ନିଜକୁ କାହିଁକି କେଜାଣି ସେଇ ମୁହୂର୍ତ୍ତରେ ମନେହେଲା ଭାରି ଅସହାୟ; ମନେହେଲା ବର୍ତ୍ତମାନ ମୁଁ ଝରଣାଦିଙ୍କ କବଳରେ ।

 

ସେ ବଢ଼ାଇ ଦେଲେ ଗୋଟିଏ ଗ୍ଲାସ୍‍ । ଯନ୍ତ୍ର ଚାଳିତ ପରି ନେଇ ନେଲି, ଯେପରିକି ହିପନୋଟାଇଜ୍‍ଡ ହୋଇଯାଇଚି !

 

ମୋ ଗ୍ଲାସରେ ଗ୍ଲାସ୍‍ ଛୁଆଇଁ ସେ କହିଲେ, ତୋର ଭାବୀ ସାଫଲ୍ୟ ପାଇଁ ।

 

ମୋତେ ଚୁପ୍ ରହିବାର ଦେଖି ପୁଣି କହିଲେ, କହ । ତୁ ବି କିଛି କହ ।

 

କହି ପକେଇଲି ଫର ଇୟୋର ସାକସେସ୍ ଟୁ ନାଇଟ୍ !

 

ଏଇତ ଖୁବ୍ ସ୍ମାର୍ଟ ହେଇ ଉଠିଚୁ ! ବାଃ !! ନେ ସିପ୍ କର । ଅଳ୍ପ ଅଳ୍ପ ପିଇବୁ ଗରମ ଚା’ ଖାଇବାଭଳି...

 

ନିଶା ଆସି ଯିବନି ତ ?

 

ଫୁଲ୍ ! ଆରେ ନିଶା ଆଣିବା ପାଇଁ ତ ଏ ଜିନିଷଟା ।

 

କିନ୍ତୁ ଯଦି...

 

କିଛି ହେଲେ ମୁଁ ଅଛି । ପି’ ନା !

 

ଓଠ ଲଗେଇଲି ଗ୍ଲାସରେ ।

 

ଟିକିଏ ଜଳିଲା ଜଳିଲା ଲାଗୁଛି । ତା’ଛଡ଼ା ଆଉ ବିଶେଷ କିଛି ନୁହେଁ ତ !

 

ଦେଖିଲି, ଝରଣାଦି କିନ୍ତୁ ତାଙ୍କ ଗ୍ଲାସ୍‍ରୁ ଏକା ଢୋକକେ ଏକ ଚତୁର୍ଥାଂଶ ପାନୀୟ ଗଳାଧଃକରଣ କରି ସାରିଚନ୍ତି !!!

 

ଭୟ ଭାଙ୍ଗି ଯାଇଚି ମୋର ।

 

ସିପ୍ କରିବାକୁ ଲାଗିଲି... ।

 

ମଦର-ମୋହ ଆଖିରେ ମୋ ଆଖିକି ଚାହିଁ ସେ ପଚାରିଲେ, ତୋ ଦେହରେ... ତୁ କେବେ ପୁରୁଷର ସ୍ପର୍ଶ ପାଇଚୁ ମଞ୍ଜୁ... ?

 

ଚୁପ୍ ରହି ପୁଣି ଗ୍ଲାସ୍‍ ଲଗେଇଲି ଓଠରେ । ବେଶୀ ସମୟ ଲଗେଇ ରଖିଲି ଅବଶ୍ୟ...-। କାରଣ ଗ୍ଲାସ୍‍ରୁ ଓଠ କାଢ଼ିଲେଇ ତ କିଛି ଗୋଟାଏ ଉତ୍ତର ଦେବାକୁ ପଡ଼ିବ ।

 

ମାତ୍ର ଗ୍ଲାସ୍‍ କାଢ଼ିଲେ ଯେପରି ଉତ୍ତର ଦେବାକୁ ପଡ଼ିବ, ଲଗେଇ ରଖିଲେ ବି ଯେ ସେଇପରି ପିଇବାକୁ ହେବ ।

 

ତେଣୁ ଗ୍ଲାସ୍‍ଟା ଓଠରୁ କାଢ଼ିଲି ।

 

କିନ୍ତୁ ଏଇ ଅବସରରେ ତ ଭାବିପାରିନି କ’ଣ ଉତ୍ତର ଦେବି ତାଙ୍କ ପ୍ରଶ୍ନର ।

 

(ଉତ୍ତରଦେବା ପାଇଁ ସମୟ ନେବାକୁ କୂଟନୀତିଜ୍ଞମାନେ ଆଲୋଚନା ସମୟରେ ପାନୀୟ-ଗ୍ଲାସ୍ ବା ଚୁରୁଟକୁ ଅଧିକ କ୍ଷଣ ଓଠରେ ଚାପି ଧରନ୍ତି ବୋଲି ଶୁଣିଛି !)

 

‘ପୁରୁଷର ସ୍ପର୍ଶ’ମାନେ ... କ’ଣ, ଠିକ୍ ବୁଝିପାରୁଚୁ ତ ? ମାନେ... ତୁ ଆଜି ମୋତେ ଯୋଉଭଳି ପାଉଡର ମାଖୁଥିଲୁ... କେହି ପୁରୁଷ ତୋତେ ସେପରି...

 

ମୁଁ... ପୁରୁଷମାନଙ୍କ ସଂସ୍ପର୍ଶରେ କେବେ ଆସି ନାଇଁ ଝରଣାଦି...। ନାଚିଚି, ଗାଇଚି ଆଉ ଅଭିନୟ ବି କରିଚି ମୁଁ । କିନ୍ତୁ ସବୁ କିଛି ଝିଅମାନଙ୍କ ସାଙ୍ଗରେ ।

 

ଖୁବ୍ ବଞ୍ଚିଯାଇଚୁ; ରକ୍ଷାପାଇଚୁ ମଞ୍ଜୁ । ପୁରୁଷମାନଙ୍କ ସଂସ୍ପର୍ଶ ଭାରି ଭୟାବହ ।

 

ମାନେ ?

 

ମାନେ ସେମାନେ ଭଲପାଇ ଜାଣନ୍ତିନି । ସେମାନଙ୍କ ବିଚାରରେ ଭଲପାଇବାର ଅର୍ଥ, କେବଳ ଭଲଭାବେ ପାଇବା । ଆହୁରି ମଧ୍ୟ, ଥରେ ଜଣକୁ ଭଲଭାବରେ ପାଇସାରିବା ପରେ ସେମାନେ ତାଙ୍କୁ ନିଃଶେଷିତ ମଦ ବୋତଲପରି ପରିତ୍ୟାଗ କରିଥାଆନ୍ତି ।

 

କିନ୍ତୁ ଶେଷ ପର୍ଯ୍ୟନ୍ତ ନାରୀ ପକ୍ଷରେ ପୁରୁଷଇ ତ କାମ୍ୟ ଝରଣାଦି ।

 

ଭୁଲ୍ । ଏଇ ଧାରଣା ଖାଲି ଗୋଟାଏ ପୁରାତନ ସଂସ୍କାର । ଏଥିରେ ଯୁକ୍ତି ନାହିଁ; ପରମ୍ପରା ରହିଚି । ଯେଉଁମାନେ ଚାହାନ୍ତି ‘କୁଳବଧୂ’ ହେବା ପାଇଁ, ଯୌବନରେ ‘ସ୍ଵାମୀ’ ନାମକ ଜଣେ ପୁରୁଷର ଆଉ ବାର୍ଦ୍ଧକ୍ୟରେ ‘ସନ୍ତାନ’ ନାମଧେୟ ଆଉ ଏକ ପୁରୁଷକାରର ଅଧୀନସ୍ଥ ଭୃତ୍ୟାଭାବେ ଖୋଜିବସନ୍ତି ଜୀବନର ସାର୍ଥକତା...ସେଇ ମୂର୍ଖମାନଙ୍କ ପାଇଁ କେବଳ ଶେଷ ପର୍ଯ୍ୟନ୍ତ ପୁରୁଷଇ କାମ୍ୟ ।

 

ତଥାପି ଝରଣାଦି...

 

ତଥାପି... “ଜଣେ ଚିର-କୁମାରୀ ରହିବାକୁ ଚାହିଁଲେ ବି, ତା’ର ଦେହ ଅଛି ଆଉ ରହିଚି ଦେହର ଦହନ ...” ଏଇଆ କହିବୁ ତ ? କିନ୍ତୁ ମଞ୍ଜୁ, ନାରୀ ଦେହର ସେଇ ଦାବି ଜଣେ ନାରୀ ମଧ୍ୟ ପୂରଣ କରିପାରେ ।

 

ପୁରୁଷମାନଙ୍କ ସାଙ୍ଗରେ ଆମର ଆଉ ସମ୍ପର୍କ କ’ଣ ତା’ହେଲେ ?

 

ସମ୍ପର୍କ ଖାଲି ଖେଳିବାର ଆଉ ପାଇବାର ।

 

ଖେଳିବାର ଆଉ ପାଇବାର ?

 

ବେଶ୍ ସେତିକି । ଅନ୍ୟକିଛି ନୁହେଁ । ଆମପରି ଝିଅ, ଯୋଉମାନେ ସ୍ଵାଧୀନ ରହିବାକୁ ଚାହାନ୍ତି... ସେମାନଙ୍କର ପୁରୁଷ ସହିତ ସମ୍ପର୍କ କେବଳ ବସ୍ତୁଗତ ହେବାଇ ଉଚିତ । ଦେହଗତ ଯଦି କୌଣସି କ୍ଷେତ୍ରରେ ହୁଏ, ସେଟା ଗୌଣ । ଊହ୍ୟ ସେଠି ଦେହର ପିପାସା, ମୁଖ୍ୟ କେବଳ ପ୍ରାପ୍ୟର ପରିମାଣଟାଇ ।

 

ସରି ଯାଇଚି ତାଙ୍କ ଗ୍ଲାସ୍ । ବୋତଲ ଖୋଲି ଢାଳିଲେ ସେ । ମୋତେ କହିଲେ ନେବା ପାଇଁ । ମୋର କିନ୍ତୁ ଅଧା ବି ଶେଷ ହେଇନଥାଏ । ମନା କରୁ କରୁ ତଥାପି ସେ ଜୋର କରି ଭରି ଦେଲେ ମୋ ଗ୍ଲାସ୍‍ଟା । ବାଧା ଦେବାକୁ ଚାହୁଁଥିଲେ ମଧ୍ୟ ବାଧା ଦେଇପାରିଲିନି, କାରଣ ନିଶାରେ ଆକ୍ରାନ୍ତ ହେଇ ଆସିଥିଲା ମୋ ମସ୍ତିଷ୍କ, ଦେହ ନଗରୀର ଶିରାର ଗଳି-ପଥରେ ଅନୁଭବ କରୁଥିଲି ଅଶାନ୍ତ ଶୋଭାଯାତ୍ରାର ବିକ୍ଷୁବ୍ଧ ଆଲୋଡ଼ନ, ପ୍ରଶିରାର ଅନ୍ଧ ଉପ-ଗଳି ପଥରେ ଶୁଣିବାକୁ ପାଉଥିଲି ବିସ୍ଫୋରଣର ପ୍ରତିଧ୍ୱନି !! ଗୋଟିଏ ବାକ୍ୟରେ ମୁଁ ଆଉ ମୋ ଭିତରେ ନ ଥିଲି !!!

 

ସେ ପିଇ ଚାଲିଲେ, ଆଉ ମୁଁ ବି ।

 

ମଞ୍ଜୁ, ହକ୍‍ସଲି କହିଚନ୍ତି–ମାଦକ ବି ଈଶ୍ଵରଙ୍କ ସୃଷ୍ଟି । ଡେଭିଲ୍ ଡିଡ୍ ନଟ୍ କ୍ରିଏଟ୍ ଇଟ୍, ଗଡ୍ କ୍ରିଏଟେଡ୍ ଇଟ୍ ... !

 

ଏଭ୍ରିଥିଙ୍ଗ୍ କ୍ରିଏଟେଡ୍ ବାଇ ଗଡ୍ !

 

ସୋ, ନଥିଙ୍ଗ୍ ଇଜ୍ ଭାଇସ୍; ମଣିଷର କାମନା... ବାସନା... କୌଣସି କିଛି । କିନ୍ତୁ ତୋ ଗ୍ଲାସ୍ ଯେ ଖାଲି ହେଇ ଆସିଲାଣି । ନେ’... ଆହୁରି ନେ’... ।

 

ଦିଅ । କିନ୍ତୁ ତମେ କ’ଣ ପ୍ରତିଦିନ ହୁଇସ୍କି ପିଅ ଝରଣାଦି ?

 

ସିଓର ! ଆରେ ତା’ ନ ହେଲେ କଟକ ସହର ପେଟିନ୍ ସାହିର ମୁଁ ଝରଣା ରାୟ କିମିତି ମନେ କରିବି ଯେ ଆଜି ମୁଁ ଅବନୀର ରାଜକୁମାରୀ କି କାଲି କେଉଁ କୋଟିପତିର ସହ-ଧର୍ମିଣୀ ? କିମିତି ଭାବିନେବି ଏକାଉଣ୍ଟେଣ୍ଟ ରବି ପଟ୍ଟନାୟକକୁ ବିଦିଶାର ରାଜକୁମାର ବୋଲି ବା କିରାନୀ ସଙ୍କର୍ଷଣ ମହାପାତ୍ରକୁ ବିଦେଶ ଫେରନ୍ତା ଇଞ୍ଜିନିୟର–ଯେଉଁମାନଙ୍କ ସାଙ୍ଗରେ ମୋତେ ‘କଳାବତୀ’ ବା ‘ଲୁସି’ ସାଜି ପ୍ରେମ କରିବାକୁ ହେବ ‘ନିଭୃତ’ରେ... ଅର୍ଥାତ୍ ହଜାରେ ଦର୍ଶକଙ୍କ ହଜାରେ ଯୋଡ଼ା ଆଖି ଆଗରେ ?

 

କିନ୍ତୁ ପ୍ରତିଦିନ ତ ତମକୁ ଅଭିନୟ କରିବାକୁ ହୁଏନା ଯେ ଏଇ ଏକ୍ସପେନ୍‍ସିଭ୍ ଜିନିଷ ପ୍ରତିଦିନ ପିଇବାକୁ ହେବ !

 

ହୁଏ... ହୁଏ... । ଷ୍ଟେଜରେ ନ ହେଲେ ବୈଠକଖାନାରେ । ପ୍ରାୟ ପ୍ରତି ସନ୍ଧ୍ୟାରେ । ହୁଏତ ଥିଏଟର୍ ଅଛି । ନଚେତ୍ ରିହାର୍ସେଲ୍ ଅଛି । କିଛି ନ ଥିଲେ ତ ଅଛି ଅନ୍ତତଃ ନିଜର ବୈଠକଖାନାରେ ବସି ପ୍ରେମିକ ବା ଆଡ୍‍ମାୟାରାରମାନଙ୍କ ଚାଟୁ ଶୁଣିବାକୁ ଅଭିନୟ କରିବା ଦାୟିତ୍ଵ ! ତା’ଛଡ଼ା ଆହୁରି ବି ଯେ ଅଛି କ୍ଲବ୍, ବା’ର, ନନ୍ଦନ-କାନନ, କୋଣାର୍କ ବା ଗୋପାଳପୁର...-। ଯୋଉମାନଙ୍କ ସାଙ୍ଗରେ ଯୋଉମାନଙ୍କ ଟଙ୍କାରେ ସେଠିକି ଯାଏ, ସେମାନଙ୍କୁ କମ୍ପାନୀ ଦେବାର ଅଭିନୟଟା ତ ଅନ୍ତତଃ କରିବାକୁ ପଡ଼େ... । କରିବାକୁ ପଡ଼େ ପ୍ଲିଜ୍ କରିବାର ଅଭିନୟ, ସେମାନଙ୍କ ବ୍ୟବହାରରେ ପ୍ଲିଜ୍‍ଡ୍‍ ହେଇଚି ବୋଲି ସୋ-ଅପ୍ କରିବାର ଅଭିନୟ । ଅଭିନୟର ମୁଁ ଯେ ଏକ ଅବତାରରେ ମଞ୍ଜୁ !

 

ହସିଉଠିଲେ ଝରଣାଦି । ଡ୍ରୟାର୍ ଖୋଲି ବାହାର କଲେ ସୁନ୍ଦର ପ୍ୟାକେଟ୍‍ଟିଏ । ମେ’ ପୋଲ୍ । ଛୋଟ ଛୋଟ ଲେଡିଜ୍ ସିଗାରେଟ୍ । ଲାଲ୍ ରଙ୍ଗର ଫିଲ୍‍ଟର ।

 

ଟାଣିବୁ ?

 

ମୋ କାନ ପାଖରେ ତାଙ୍କ ମୁହଁ ରଖି ଝରଣାଦି କହିଲେ, କୋଉ ପୁରୁଷ ମୋ ଅପେକ୍ଷା ତୋତେ ଅଧିକ ସୁଖ ଦେଇପାରିବନି ମଞ୍ଜୁ । ମୁଁ ତୋତେ ଭଲପାଏ... ଭଲପାଏ... ଭଲପାଏ । ବ-ହୁ-ତ୍ ଭଲପାଏ । ତୁ କ’ଣ ଟିକିଏ ହେଲେ ଭଲପାଉନା ମୋତେ ?

 

ପାଏ ଝରଣାଦି । କିନ୍ତୁ ଏସବୁ କ’ଣ ?

 

ଏଇ... ତୋତେ ବୁଝାଇ ଦେଉଛି...

 

ତକିଆ ତଳୁ ପ୍ଲାଷ୍ଟିକ୍ ପୋର୍ଟ ଫୋଲିଓଟା ଟାଣି ବାହାର କରି ଆଣିଲେ ସେ । ‘ଜୀପ୍’ ଖୋଲି କାଢ଼ିଲେ ଭିତରୁ ଫୋଟୋ-ଆଲ୍‍ବମ୍‍ଟିଏ ।

 

ଦେଖ୍, ଏସବୁ ଆମେରିକାର ଲେଟେଷ୍ଟ ପର୍ଣୋଗ୍ରାଫିକ୍‍ ଆର୍ଟ୍‍ !

 

ଦେଖିଲି ବିଭିନ୍ନ ପ୍ରକାର ମିଳନ-ଭଙ୍ଗୀରେ ଯୁଗଳ ନାରୀ-ମୂର୍ତ୍ତି । ଏଇ ଧରଣର ଛବି ଅବଶ୍ୟ ଆଗେ ବି ମୁଁ ଦେଖିଥିଲି ହଷ୍ଟେଲରେ ଥିଲାବେଳେ–ମୋର ଦୁଇ ବିବାହିତା ବାନ୍ଧବୀ ରାଣୀ ଆଉ ବନଜଙ୍କ ଟ୍ରଙ୍କରେ । ଦୈବାତ୍ ଦେଖି ପକାଇଥିଲି; କିନ୍ତୁ ସେ ସବୁରେ ଜଣେ ନାରୀ ସହିତ ଅନ୍ୟଜଣେ ପୁରୁଷ... ।

 

ପୁରୁଷର ସାହଚର୍ଯ୍ୟ ଦରକାର ନାରୀର କେବଳ ଉତ୍ତର-ପୁରୁଷ ସୃଷ୍ଟି କରିବା ପାଇଁ । ଛବିଗୁଡ଼ିକ ଦେଖାଉ ଦେଖାଉ କହି ଚାଲିଲେ ଝରଣାଦି, –କିନ୍ତୁ ପ୍ରେମ କରିବା ପାଇଁ... ଭଲପାଇବା ପାଇଁ... ଏପରିକି ଦେହର ଆନନ୍ଦ ପାଇଁ ମଧ୍ୟ ନାରୀ ଆଉ ପାଶ୍ଚାତ୍ୟ ଦେଶରେ ଆଜିକାଲି ପୁରୁଷର ସାନ୍ନିଧ୍ୟକୁ ଅତ୍ୟାବଶ୍ୟକ ମନେକରେନା । ମଞ୍ଜୁ, ପୁରୁଷମାନଙ୍କ ଅପେକ୍ଷା ଆମର ଆବେଗ ଅଧିକ ନିବିଡ଼ ଓ ଗଭୀରତର । ପୁରୁଷର ଅଛି ଖାଲି ଉଦ୍ଦାମତା । ସେମାନେ ଭଲପାଇ ଜାଣନ୍ତିନି, ଖାଲି ଉପଭୋଗ କରି ଜାଣନ୍ତି । ସେମାନେ ଆମଠାରୁ ପାଇବାଟା ଜାଣନ୍ତି, କିନ୍ତୁ ଆମକୁ ଦେଇପାରିବା କ୍ଷେତ୍ରରେ ସେମାନଙ୍କର ରହିଚି କାର୍ପଣ୍ୟ । ପୁରୁଷମାନଙ୍କ ସମ୍ବନ୍ଧରେ ତୋର ଅଭିଜ୍ଞତା ନାହିଁ, କିନ୍ତୁ ମୁଁ ଜାଣେ ସେମାନେ କ’ଣ; ଜାଣେ ସେମାନଙ୍କ ‘ଭଲପାଇବା’ର ଉଦ୍ଦେଶ୍ୟ !! ଆମ ଭିତରେ ସେମାନଙ୍କ ଅବତାର ରୂପ ନେଉ, ଏତିକି ଖାଲି ସେମାନେ ଚାହାନ୍ତି । ମସ୍ତବଡ଼ ଗୋଟାଏ ଆତ୍ମସନ୍ତୁଷ୍ଟି ସେଇଟା ସେମାନଙ୍କର; ସେଇ ସେମାନଙ୍କ ଅହଙ୍କାର ସେଇଥିରେ ସେମାନଙ୍କ ପୌରୁଷର ସାର୍ଥକତା । ଆମର ଆବେଗ, ଆମର ନିବିଡ଼ ଭଲପାଇବାର ପ୍ରତିବଦଳରେ ସେମାନେ ଆମକୁ ଉପହାର ଦେବାକୁ ଚାହାନ୍ତି ଗୋଟାଏ ଦାୟିତ୍ଵ । ସମ୍ପର୍କ ବୈଧ ହେଉ କିମ୍ବା ଅବୈଧ ହେଉ, ଏତିକି ସେମାନେ ଚାହାନ୍ତି । ଏସବୁ ମୁଁ ବହିରୁ ପଢ଼ି କହୁନି; ମୋର ଅଭିଜ୍ଞତା-ପ୍ରସୂତ ଅଭିଜ୍ଞାନ ଏଇ । ଏଇ ଜ୍ଞାନ ମୁଁ ଆହରଣ କରିନି ପୁରୁଷମାନଙ୍କ ସମ୍ବନ୍ଧରେ ବହି ପଢ଼ି–ମୁଁ ସେଇମାନଙ୍କୁ ବହି ପରି ପଢ଼ିଛି–ପଢ଼ିଛି ସେମାନଙ୍କ ଦେହ..., ମନ... ପଢ଼ିଛି, ସେମାନଙ୍କ ଚେତନ–ଅବଚେତନ–ଅଚୈତନ୍ୟ ମନଃସ୍ତତ୍ଵର ରହସ୍ୟ ।

 

ତମର ଏଇ ସିଦ୍ଧାନ୍ତ ପଛରେ କ’ଣ ନିର୍ଦ୍ଧିଷ୍ଟ କୌଣସି ଅନୁଶୀଳନ ରହିଚି ଝରଣାଦି ?

 

ପ୍ରତିଟି ସିଦ୍ଧାନ୍ତର ପରିପ୍ରେକ୍ଷୀ ଥାଏ । ଆଜି ମନେପଡ଼େ ମଞ୍ଜୁ, ସେଇ ସୁଦୂର ଅତୀତର ଦିନଗୁଡ଼ିକ ମୋର । ମୋର ସେଇ ପ୍ରଥମ କୈଶୋର ଥିଲା ସବୁଜ ଉପତ୍ୟକା ପରି ସୁନ୍ଦର । ତୋ’ରି ବୟସ ମୋର ସେତେବେଳେ... କିମ୍ବା, ହୁଏତ ଆହୁରି ଟିକିଏ ବେଶୀ ହେବ । ପକ୍ଷପାତ ରୋଗଗ୍ରସ୍ତ ହୋଇ ଅକ୍ଷମ ହେଲେ ବାପା । କଲେଜ ଯିବା ବନ୍ଦ ହେଲା ମୋର । ଶିକ୍ଷାଳୟରୁ ପ୍ରେକ୍ଷାଳୟ । ପ୍ରରୋଚକ ଥିଲେ ସହରର ଜଣେ ବୟୋବୃଦ୍ଧ ବିଶିଷ୍ଟ ନାଟ୍ୟାଚାର୍ଯ୍ୟ । ସେତେବେଳକୁ ଭାଙ୍ଗିଯାଇଚି ଏକଦା–ବିଖ୍ୟାତ ଏଇ ନାଟ୍ୟକାରଙ୍କ ନିଜସ୍ଵ ଥିଏଟର ଦଳ । ତେବେ ବିଭିନ୍ନ ନାଟ୍ୟାନୁଷ୍ଠାନକୁ ଯାଆନ୍ତି ସେ ନିର୍ଦ୍ଦେଶନା ଦେବାପାଇଁ । ସହରରେ ସେତେବେଳକୁ ଗଢ଼ିଉଠିଛି ବହୁ ସୌଖୀନ୍ ନାଟ୍ୟଦଳ । ତେଣୁ ଡାଇରେକ୍ସନ୍‍ ଦେଇ ପ୍ରଚୁର ଉପାର୍ଜନ ହୁଏ ତାଙ୍କର । ଚତୁଃର୍ମାସ୍ୟା ବାଦ୍‍ ଦେଇ ବର୍ଷର ଆଉ ଆଠମାସ ପ୍ରାୟ ଲାଗି ରହିଥାଏ ଡାକରା । ତା’ଛଡ଼ା ସେ ନୃତ୍ୟ ଆଉ ଗୀତରେ ମଧ୍ୟ ପ୍ରବୀଣ ଥିବାରୁ ପ୍ରାକ୍-ବିବାହ ବୟସୀ କେତେ ଛାତ୍ରୀ ମଧ୍ୟ ପାଉଥିଲେ ମୋଟା ଅଙ୍କର ଟିଉସନ୍ ଫି’ ସହ ।

 

ନାଟ୍ୟାଚାର୍ଯ୍ୟ ମହାଶୟ ଥିଲେ ବାପାଙ୍କର ଜଣାଶୁଣା । ଦିନେ ଆସି କହିଲେ, ଅବିନାଶ ବାବୁ ଝିଅକୁ ମୋତେ ଦିଅନ୍ତୁ । ମୁଁ ତା’ ଭିତରେ ବିରାଟ ଏକ ‘ସମ୍ଭାବନା’ ଦେଖିବାକୁ ପାଉଛି । ଯୋଉମାନଙ୍କର ଖାଲି ରୂପ ଅଛି, ସେଇମାନେ ସିନା ଶୀଘ୍ର ବାହା ହେଇପଡ଼ି ବୋହୂସାଜି ଜଣକର ହେଇ ରହିବା କଥା । କିନ୍ତୁ ରୂପ ସହିତ ପ୍ରତିଭା ଅଛି ଯାହାର, ସେ ଜଣର ନୁହେଁ, ଗଣର । ମୋର ତୃତୀୟ ଚକ୍ଷୁ ଦେଖିପାରିଚି ଝରଣା ଭିତରେ ଲୁଚି ରହିଥିବା ଅସାମାନ୍ୟ ପ୍ରତିଭାକୁ । ଆପଣ ତାକୁ ଛାଡ଼ି ଦିଅନ୍ତୁ ମୋ ହାତରେ, ଦେଖିବେ ଚିରଦିନ ପାଇଁ ନାଟ୍ୟ-ବିପ୍ଳବର ଇତିହାସରେ ଲିପିବଦ୍ଧ ହୋଇ ରହିବ ଓଡ଼ିଶାର ରଙ୍ଗମଞ୍ଚରେ ନବ-ନାଟ୍ୟ ଆନ୍ଦୋଳନ ପ୍ରତି ତାହାର ଅବଦାନ ।

 

କଟକ ସହରର କୁଳ-ବୃଦ୍ଧଭାବେ ଅଭିହିତ ଏହି ନାଟ୍ୟାଚାର୍ଯ୍ୟ ସେତେବେଳେ ସେଠାକାର ପ୍ରାୟ ସବୁ ଅଭିଜାତ ପରିବାରର ନେଚୁରାଲ୍ ଗାର୍ଜେନ୍ ବା ମୁରବିରୂପେ ପରିଚିତ ଥିଲେ କହିଲେ ଚଳେ । ସମସ୍ତେ ମାନୁଥିଲେ ତାଙ୍କୁ–କରୁଥିଲେ ବିଶ୍ୱାସ ଆଉ ସମ୍ମାନ ବି । ସବୁ ଝିଅଙ୍କର ତ ସେ ଥିଲେ କମନ୍ ଅଜା ।

 

“ଗଣ-ନାଟ୍ୟ ସଂଘ”ର ନୂତନତମ ଅବଦାନ “ଶତାବ୍ଦୀର ଜୟଯାତ୍ରା” । ସେଇଥିରେ ମୋତେ ନାୟିକା ହେବାକୁ ପଡ଼ିବ ।

 

ନାଟ୍ୟାଚାର୍ଯ୍ୟଙ୍କ ସହିତ ତାଙ୍କରି ଘୋଡ଼ାଗାଡ଼ିରେ ଘରୁ ପ୍ରତିଦିନ ରିହାର୍ସେଲ୍‍କୁ ଯାଏ, ଫେରି ଆସେ ତାଙ୍କରି ସାଙ୍ଗରେ । ସଂଘର ସଦସ୍ୟମାନେ ଯେପରି ମୋ ସହ ଘନିଷ୍ଠ ହୋଇନପାରନ୍ତି ସେଥିପ୍ରତି ସତର୍କଦୃଷ୍ଟି ତାଙ୍କର ସଦାବେଳେ । ବାପାଙ୍କଠାରୁ ପରା ସେ ମୋର ଦାୟିତ୍ଵ ନେଇଛନ୍ତି...

 

ସମାଜବାଦରେ ବିଶ୍ଵାସୀ ବୋଲି ଦାବି କରୁଥିବା କେତେଜଣ ଯୁବକଙ୍କର ପ୍ରତିଷ୍ଠାନ ଥିଲା ସେଇ ନାଟ୍ୟସଂଘ । ସେମାନେ ରାଜନୀତି କରୁଥିଲେ । ଅନୁଷ୍ଠାନଟି ଥିଲା କେବଳ ସେମାନଙ୍କ ସାଂସ୍କୃତିକ ପ୍ରଚାରର ଶାଖା ମାତ୍ର । ସେମାନଙ୍କ ଭିତରେ ନେତୃତ୍ଵ ନେଉଥିଲେ ଯୋଉ କେତେଜଣ, ସେମାନେ ସମସ୍ତେ ଅବଶ୍ୟ ‘ବୁର୍ଜୋୟା’ ପରିବାରର । ଯୌବନ ଚାହେଁ ଉତ୍ତେଜନା । କଟକ ଭଳି ସହରରେ, ଯୁବକ ଯୋଉ ଧରଣର ଉତ୍ତେଜନା ସବୁ ଚାହେଁ... ତାହାର ବିଶେଷ ଅଭାବ ଥିବାରୁ ବୋଧହୁଏ ଏଇ ବୁର୍ଜୋୟା ସନ୍ତାନଗଣ ସମାଜବାଦୀ ଆନ୍ଦୋଳନକୁ ଉତ୍ତେଜନାର ମାଧ୍ୟମ ହିସାବ ଧରି ନେଉଥିଲେ । କାରଣ, କେବଳ ମୁହଁର କଥା ଛଡ଼ା ଅନ୍ୟକୌଣସି କାର୍ଯ୍ୟ କଳାପରେ ସେମାନଙ୍କର ସମାଜବାଦ ପରିଲକ୍ଷିତ ହେଉନଥିଲା; ଅବଶ୍ୟ ଯେତିକି ମୁଁ ଲକ୍ଷ୍ୟ କରିଚି ସେଇ କେତେଦିନ ସେମାନଙ୍କ ସାଙ୍ଗରେ ମିଶି... । ରିକ୍ସାବାଲାକୁ ଯଥାସମ୍ଭବ କମ୍ ପ୍ରାପ୍ୟ ଦେବାର ଚେଷ୍ଟା, ମୁଲ୍ୟବାନ ପୋଷାକପତ୍ର ପରିଧାନ, ସେମାନଙ୍କ ଭିତରୁ କାହା ବାପା କୋଉ କାର୍‍ କିଣୁଚନ୍ତି, ଏ ବର୍ଷ କୋଉ ମଡେଲର ଗାଡ଼ିଟା ସବୁଠାରୁ ଭଲ ପଡ଼ିବ, ଦାମ୍ ବେଶୀ ହେଉ ପଛେ...ଏଇ ଆଲୋଚନା ନିଜ ନିଜ ଭିତରେ, ଚା’ଆଣିବାର ଡେରି ହେଲେ ସେ ଯୋଉ ଅକଥ୍ୟ ଗାଳି ଗୁଲଜ ସଂଘର ପିଅନ ବିଚରାକୁ । ଯୋଉମାନଙ୍କ ସହିତ ବ୍ୟକ୍ତିଗତ ବା ନୀତିଗତ କଳହ ସେମାନଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେବାକୁ ଯାଇ କାହାର କ୍ଵାଲିଫିକେସନ୍‍ କମ୍‍..., କିଏ ଜାତିରେ ବା ଚାକିରିରେ ଛୋଟ, କିଏ ଖାଇବାକୁ ପାଏ ନାହିଁ ବା କାହାର ଚେହେରା ଅସୁନ୍ଦର ବୋଲି ଆକ୍ଷେପ କରିବା–ଏଇ ସବୁରୁ ମୋର ଧାରଣା ହୋଇଥିଲା ଯେ ସେମାନେ ତଥାକଥିତ ସମାଜବାଦୀ ! ଥାଉ ସେ କଥା ।

 

ଦିନେ ରିହାର୍ସେଲରେ ମୋ ଉପରେ ଭାରି ରାଗିଗଲେ ନାଟ୍ୟାଚାର୍ଯ୍ୟ ମୁଁ କୁଆଡ଼େ ଠିକ୍‍ଭାବେ ତାଙ୍କ ଡାଇରେକ୍ସନ୍ ଫଲୋ କରିପାରୁନି । ଆଖିରୁ ମୋର ଝରି ପଡ଼ିଲା ଦି’ଟୋପା ଲୁହ-। ଭାଙ୍ଗିପଡ଼ିଲି ଦୁଃଖରେ । ଭାବିଲି, ଏତିକିରେ ମୋ ଅଭିନେତ୍ରୀ ଜୀବନର ଇତିଶ୍ରୀ ହେଇ ଯିବାଇ ଭଲ । ମୋତେ କାନ୍ଦିବାର ଦେଖି ସେ ବନ୍ଦ କରିଦେଲେ ସେ ଦିନର ରିହାର୍ସେଲ୍ ।

 

ଘୋଡ଼ାଗାଡ଼ିରେ ତାଙ୍କ ସାଙ୍ଗରେ ଫେରିଲି । ସେ ବାଟ ମଝିରେ କହିଲେ ବହୁ କ୍ଷଣର ଦୀର୍ଘ ନୀରବତା ପରେ ।

 

ମୋଟେ ତ ଏଇ ଆଠଟା ବାଜିଛି । ବର୍ତ୍ତମାନ ଘରକୁ ଯିବୁ କ’ଣ, ଚାଲ ବରଂ ମୋ ବସାକୁ । ତୋତେ କେତେକ ବିଷୟ କହିବି ।

 

ତାଙ୍କ ଘରେ ପହଞ୍ଚି ସେ ମୋତେ ନେଇଗଲେ ଶୋଇବା ରୁମ୍ ଭିତରକୁ । ପୂଝାରିକି ଡାକି କହିଲେ କେହି ଖୋଜିଲେ କହିଦେବୁ ଘରେ ନାହିଁ । ତା’ପରେ ମୋତେ ପାଖରେ ବସାଇ ବୁଝାଇବାକୁ ଲାଗିଲେ । କହିଲେ ଝରଣା, ତୁ ଖୁବ୍ ଭଲ କରୁଛୁ ଅନ୍ୟସବୁ ସିନରେ । କିନ୍ତୁ ଏ ସିନ୍‍ଟାରେ କାହିଁକି ଯେ ତୋର ଏପରି ହେଲା... ।

 

ଏଇ ପ୍ରକାର ସିନରେ... –ଦ୍ଵିଧା-ଜଡ଼ିତ ଗଳାରେ କହିଲି, ମୁଁ ଫ୍ରି ହେଇପାରୁନି ।

 

ଇମିତି ସବୁ... ମାନେ ଏ ଧରଣର ଲଭ୍‍ସିନ୍ ତ ସବୁ ନାଟକରେ ରହିଚି ଆଉ ରହିବ ଏବଂ ନାୟିକା ଭାବରେ ଏହାକୁ ପ୍ରାଣବନ୍ତ କରିବାର ଦାୟିତ୍ଵ ମଧ୍ୟ ମୁଖ୍ୟତଃ ନିର୍ଭର କରିବ ତୋ ଉପରେ । ଆଚ୍ଛା, ତୁ କ’ଣ କେବେ ପ୍ରେମ କରିନୁ ଝରଣା ? ମାନେ କୌଣସି ପୁରୁଷ ସହିତ ତୋର କିଛି...

 

(ଅଭିନେତ୍ରୀ ଜୀବନରେ ପ୍ରଥମ ପାହାଚରେ ବୋଧହୁଏ ଏ ପ୍ରକାର ପ୍ରଶ୍ନର ସମ୍ମୁଖୀନ ହେବାପାଇଁ ପଡ଼େ । ଝରଣାଦିଙ୍କୁ ପଚାରିଥିଲେ ନାଟ୍ୟାଚାର୍ଯ୍ୟ ଆଉ ଆଜି ପଚାରି ସାରିଚନ୍ତି ମୋତେ ଝରଣାଦି ନିଜେ ଏଇ କିଛିକ୍ଷଣ ଆଗରୁ !!)

 

ମୁହଁ ତଳକୁ ପୋତି କହିଲି ନାଁ

 

ବୁଝିଲି; କିନ୍ତୁ ଝରଣା, ତା’ହେଲେ ତ ଆଗେ ତୋତେ ଭଲ ପାଇବାକୁ ପଡ଼ିବ... ପ୍ରେମ କରିବାକୁ ପଡ଼ିବ ।

 

ନିଜକୁ ବିପଦାପନ୍ନ ମନେକଲି । ମୋର ଇତସ୍ତତଃ ଭାବ ଦେଖି ସେ କହିଲେ, ଅନ୍ତତଃ ମନେ ମନେ । ତା’ ନ ହେଲେ ତୁ ସଫଳ ଅଭିନେତ୍ରୀ ହୋଇପାରିବୁନି ।

 

କ’ଣ ଆଉ କହିବି ତାଙ୍କୁ ?

 

ସେ ମୋତେ ପ୍ରବୋଧ ଦେଲେ, ତୋ ଭିତରେ ମୁଁ ଦେଖିଛି ଅନ୍ତର୍ନିହିତ ଏକ ଅସାଧାରଣ ପ୍ରତିଭା । ଦିନେ ତୁ ନିଶ୍ଚୟ ହେବୁ ଓଡ଼ିଶାର ସର୍ବଶ୍ରେଷ୍ଠ କଳାକାର । ମନେ ମନେ ନିଜକୁ ପ୍ରେମିକା ବୋଲି ଭାବ୍... ମନେ ମନେ ଭଲପାଆ... ତୁ ହେଇପାରିବୁ ସଫଳ ଅଭିନେତ୍ରୀ ।

 

କହିଲି ଲଭ୍‍ସିନ୍ ବୋଧହୁଏ ମୋ’ଦ୍ୱାରା ହେବନି ।

 

କାହିଁକି ହେବନି ? ଅଲବତ୍ ହେବ । ନିଶ୍ଚୟ ହେବ ସେ ଜୋର୍ ଦେଇ କହିଲେ । ଠିକ୍ ଅଛି; ବର୍ତ୍ତମାନ ତୁ ରିହାର୍ସେଲ୍‍ କର ତ... ମୋ ସାଙ୍ଗରେ... ଏକାଠି ।

 

ଦରଜା ଆଉଜାଇ ଦେଇ ସେ ନିଜେ ବହି ଧରି ବସିଲେ । ଜାଳିଦେଲେ ଫ୍ଲୋରୋସେଣ୍ଟ ଲାଇଟ୍‍ଟି... ।

 

ସିନ୍‍ଟା ତ ବୁଝିଚୁ । ପୁଣିଥରେ ଶୁଣ–ବର୍ତ୍ତମାନ ପରିସ୍ଥିତି ଏଇ ପ୍ରକାର–ଶୁଭ୍ରା ସାଙ୍ଗରେ ଅଭୟର ବାହାଘର ହେଇଯାଇଚି । ଅଭୟ ଶୁଭ୍ରାକୁ ଭଲପାଏ... ଏକାନ୍ତଭାବେ ନିଜର କରିନେବାକୁ ଚାହେଁ । ମାତ୍ର ଶୁଭ୍ରାର ମନେପଡ଼ୁଛି ଏଇ ବାସର ଘରେ... ତା’ କୁମାରୀ ଜୀବନର ପ୍ରେମିକ ସୌମିତ୍ରକୁ । ନକ୍‍ସଲାଇଟ୍ ନେତା ସୌମିତ୍ର ମହାପାତ୍ର... । ଶ୍ରୀକାକୁଲମ୍ ଜେଲ ଡେଇଁ ପଳାଇବା ପରେ ଯିଏ ବର୍ଷେ ହେଲା ନିଖୋଜ ! ...ମୋ ମୁହଁକୁ କିଛିକ୍ଷଣ ଚାହିଁରହିଲେ ନାଟ୍ୟାଚାର୍ଯ୍ୟ । ଟିକିଏ ରହି କହିଲେ–ବର୍ତ୍ତମାନ ତୁ ‘ଶୁଭ୍ରା’ ଆଉ ମୁଁ ଏଇନେ ଏଠି ‘ଅଭୟ’ । ଡାଇରେକ୍ସନ୍‍ ଦେଇ ଦେଇ... ମୋର ତ ଡାୟଲଗ୍ ମୁଖସ୍ଥ ହେଇଯାଇଚି... ବହି ନ ଧରି କହି ଦେଇପାରିବି । ତୋର ମନେଅଛି ତ ?

 

ଅଛି... ।

 

ଆରମ୍ଭ କରାଯାଉ ତା’ହେଲେ । ବାସର ଘରର ପରିବେଶ ଆଣିବା ପାଇଁ ଫ୍ଲୋରୋସେଣ୍ଟ ପରିବର୍ତ୍ତେ (ଆଉଜା ଘର ଭିତରେ ଏପର୍ଯ୍ୟନ୍ତ ଜଳୁଥିଲା ସେଟା) ଅଳ୍ପ ପାୱାରର ବ୍ଲୁ-ବଲ୍‍ଟା ଜାଳି ଦଉଚି ମୁଁ ବରଂ । ହୁଁ ବେଶ୍ ହେଲା ଏତିକି ଆଲୁଅ । ଆଚ୍ଛା ପ୍ରଥମେ ତ ମୋର । ଅଳ୍ପ ଓଢ଼ଣା ଦେଇ ତୁ ବସିରହ ପଲଙ୍କ ଉପରେ ଏମିତି ମୁହଁ ତଳକୁ କରି । ମୁଁ ଦରଜା ପାଖରୁ ଆସିବି...

 

ସେ ଯାହା କହିଲେ ସେଇଆ କରିବାକୁ ହେଲା ମୋତେ । ନାଟ୍ୟାଚାର୍ଯ୍ୟ ଆରମ୍ଭ କଲେ ତାଙ୍କ ରୋଲ୍ ।

 

ଧୀରେ ଧୀରେ ଆସି ପ୍ରଥମେ ତୋଳି ଧରିଲେ ମୋ ଚିବୁକ ।

 

ଶୁଭ୍ରା...

 

ରୋଲ୍ ଅନୁଯାୟୀ ତାଙ୍କ ମୁହଁକୁ ମୁଁ ଚାହିଁରହିଲି ଖାଲି ।

 

ସେ ମୋ ଗାଲ ଆଉଁଶିଲେ । ତା’ପରେ ଦୁଇ ହାତର ଅଞ୍ଜଳିରେ ତୋଳିନେଲେ ତାଙ୍କ ମୁହଁ ପାଖକୁ ମୋ ମୁହଁଟା । ମୋ ରାଣ, କଥା କୁହ ।

 

(ଶୁଭ୍ରା ତଥାପି ନୀରବ ରହିବ !)

 

କହିବନି ? ତମେ କ’ଣ ସୁଖୀ ହେଇନ ମୋତେ ବିବାହ କରି ?

 

ସୁଖୀ ମୁଁ ହେଇଚି ।

 

କିନ୍ତୁ ମୁଁ ଜାଣେ...

 

କ’ଣ... ?

 

ଜାଣେ, ତମେ କ’ଣ ବର୍ତ୍ତମାନ ଭାବୁଚ ।

 

କିଛି ଭାବୁ ନାଇଁ ।

 

ଭାବୁଚ ସୌମିତ୍ରକୁ ।

 

ମୁଁ ତାକୁ ବହୁଦିନୁ ଭୁଲିଚି ।

 

ନାଁ, ଭୁଲି ନାହଁ । ଭୁଲିଯିବା ଉଚିତ ମଧ୍ୟ ନୁହେଁ । କାରଣ ନାରୀର ଜୀବନରେ ସ୍ଵାମୀ ସବୁବେଳେ ଶ୍ରେଷ୍ଠ ପୁରୁଷ ହୋଇନପାରେ । ସେ କେବଳ ସ୍ଵାମୀ । ଖାଲି ଶ୍ରେଷ୍ଠ କାହିଁକି, ଏକମାତ୍ର ପୁରୁଷ ମଧ୍ୟ ସେ ନ ହୋଇ ବି ପାରେ ।

 

ମୁଁ ଅପରାଧୀ, ମୋତେ କ୍ଷମା କର ତୁମେ... କ୍ଷମା କର...

 

ତମର ଏଇ ଦେହ ଯାହା ଦିନେ ଥିଲା ଏକାନ୍ତଭାବେ ସୌମିତ୍ରର...ତାହାକୁ ମୁଁ ଜୋର୍‍ ମରି କବଳିତ କରିବାକୁ ଚାହିଁବି ନାହିଁ ଶୁଭ୍ରା ଖାଲି ସ୍ଵାମୀତ୍ଵର ଅଧିକାରରେ । ଆଜି ସାରାରାତି ଉନ୍ନିଦ୍ର ହେଇ ଅପେକ୍ଷା କରି ରହିବି (ସେ ଘୁଞ୍ଚିଗଲେ ମୋ ପାଖରୁ)... ଆଉ ଯଦି ଆବଶ୍ୟକ ହୁଏ ରାତି ପରେ ରାତି...ଦୂରେଇ ରହି ଖାଲି ଆଖି ପୂରାଇ ଦେଖୁଥିବି ତୁମକୁ... ଯେ ପର୍ଯ୍ୟନ୍ତ ସ୍ଵଇଚ୍ଛାରେ ନିଜକୁ ମୋତେ ସମର୍ପଣ ନ କରିଚ... !

 

ଉଠିଯାଇ ହାତ ଧରିଲି ତାଙ୍କର । କହିଲି ଛି..., ଏଇ ରାତି ତମପାଇଁ; ଆଉ ମୁଁ ବି ତମର । ମୋତେ ଅପରାଧୀ କରନାହିଁ । ଆସ, ଶୋଇବାକୁ ଆସ... ।

 

ସେ ମୋ ପିଠି ଉପରେ ହାତ ରଖିଲେ । ଆସ୍ତେ ଆସ୍ତେ ନେଇଗଲେ ବିଛଣା ପାଖକୁ । ଶୁଆଇ ଦେଲେ । ପାଖରେ ବସି ରହିଲେ ମୋର ଦୁଇହାତକୁ ନରମଭାବେ ଧରି । ମୁହଁ ପାଖକୁ ତା’ପରେ ମୁହଁ ନୁଆଁଇ ଆଣିଲେ ଧୀରେ ଧୀରେ । ଶୁଭ୍ରା, ଏଇ ଆଲୋକ ମୁଁ ଚାହେଁନା । ଚାହେଁ, ତମକୁ ଅନ୍ଧକାର ଭିତରେ ଦେଖିବା ପାଇଁ...

 

ତା’ପରେ ବେଡ଼୍‍ସୁଇଚ୍ ଟିପି ନୀଳ ଆଲୁଅଟା ସେ ନିଭାଇ ଦେବାର କଥା । ପର ମୁହୂର୍ତ୍ତରେ ଅବଶ୍ୟ ମସ୍ତବଡ଼ ଟର୍ଚ୍ଚ ଲାଇଟ୍ ପଡ଼ିବ ଝରକା କାଚ ଦେଇ ମୁହଁ ଉପରେ ମୋର । ସେଠି ଅନ୍ୟ କେହି ନୁହେଁ, ସୌମିତ୍ର... !

 

ତେବେ ସେସବୁ ପ୍ରଶ୍ନ ବର୍ତ୍ତମାନ ଉଠୁନାହିଁ । “ଚାହେଁ ତମକୁ ଅନ୍ଧକାର ଭିତରେ ଦେଖିବା ପାଇଁ...” ଏହିଠାରେ ରିହାର୍ସେଲ୍ ବନ୍ଦ ହବା କଥା ।

 

ସୁଇଚ୍ ଅବଶ୍ୟ ସେ ଅଫ୍ କଲେ ନାହିଁ । ଏବଂ ବେଡ଼୍‍ସୁଇଚ୍ ତାଙ୍କର ନ ଥିଲା ବି । କିନ୍ତୁ ଡାୟଲଗ୍ ଶେଷ କରି ସେଇପରି ମୁହଁ ପାଖରେ ମୁହଁ ରଖି ଆଖିରେ ଆଖି ମିଳେଇ ଚାହିଁ ରହି ଥାଆନ୍ତି ସେ । କିଛି ସମୟ ପରେ କହିଲେ...

 

ଧୀରେ ଧୀରେ ଆଖି ବୁଜିଦେ’... ।

 

କାହିଁକି ? –ମୁଁ ପଚାରିଲି । ଇମିତିକା ଲେଖା ନାହିଁ ବହିରେ !

 

ମୋ ଇଚ୍ଛା ଅନୁସାରେ ବହିର ଡାଇରେକ୍ସନ୍ ଦିଆଯିବ । କ’ଣ ଜାଣେ ସେ ଲେଖକ ? ଏଇ ପ୍ରକାର ସିନରେ ଡାୟଲଗ୍ କିଛି ନୁହେଁ, ଏକ୍ସନ୍ ପ୍ରଧାନ । ନିଜକୁ ଶୁଭ୍ରାର ଚରିତ୍ର ସାଙ୍ଗରେ ମିଶେଇଦେଇ... ନିଜକୁ ଶୁଭ୍ରା ବୋଲି ମନେକରି ଚାଲ୍... । ମୁଁ ତୋର ସ୍ଵାମୀ ଅଭୟ । ବାସର ରାତିର ମୁହୂର୍ତ୍ତ ଏ । ଯାହା କହୁଚି କରି ଯା । ଆସ୍ତେ ଆସ୍ତେ ଆଖି ବନ୍ଦ କର୍ ତ । ହଁ, ବେଶ୍ ସେଇପରି ଆଖି ବୁଜି ଶୋଇ ରହ । ହୁଁ, ...ହେଲା..., ବେଶ୍..., ଚମତ୍କାର... !

 

ଗାଲ ଉପରେ ପାଇଲି ତାଙ୍କ ଓଠର ଧୀର ସ୍ପର୍ଶ । ବାଧା ଦେଇପାରିଲିନି ଯଦିଓ ଏସବୁ ନାଟକରେ ନାହିଁ । କେତେ ସେକେଣ୍ଡ ପରେ ହଠାତ୍ ଘର ଭିତରେ ଝଲସି ଉଠିଲା ଉଜ୍ଜ୍ୱଳ ଆଲୁଅ ଝଲକାଏ । ଚାହିଁ ଦେଲି ଆଖି ମେଲି । ନାଟ୍ୟାଚାର୍ଯ୍ୟ କହିଲେ, ଫଟୋ ଉଠେଇ ନେଲି ଅଟୋମ୍ୟାଟିକ୍ ଫ୍ଲାସ୍ କ୍ୟାମେରାରେ ।

 

କାହିଁକି ? ଆଶ୍ଚର୍ଯ୍ୟ ହେଇ ପଚାରିଲି ।

 

ବୁଝୁନୁ ? ଏଇ ସିନ୍‍ଟା ଯଦି ଅଭୟ ଠିକ୍‍ଭାବେ କରିନପାରିବ ମାନେ ଯୋଉଭଳି ପୋଜରେ ମୁଁ ବସିଚି ... ଯୋଉଠି ହାତ ରଖିଚି ଇତ୍ୟାଦି... ତା’ହେଲେ ସେ ଫଟୋ ଦେଖି ଠିକ୍‍ ଫଲୋ କରିପାରିବ । ସତ୍ୟଜିତ୍‍ ରାୟ ହାତରେ ଛବି ଆଙ୍କି ଶିଳ୍ପୀମାନଙ୍କୁ ବୁଝାଇ ଦିଏ କିପରି କରିବାକୁ ହବ... ମାନେ ତା’ର ଆଇଡିଆଟା ଠିକ୍‍ କ’ଣ... କିପରି ହେବା ସେ ଚାହୁଁଚି... । ତେବେ ସେ ହେଲା ଏକାଧାରରେ ଡାଇରେକ୍ଟର ଆଉ ଚିତ୍ରକର । ମାତ୍ର ମୁଁ ତ ଛବି ଆଙ୍କି ଜାଣେ ନାଇ; ତେଣୁ ଶିଳ୍ପୀମାନଙ୍କୁ ଏଡୁକେଟ୍ କରିବା ପାଇଁ... ।

 

କାନ୍ଥରେ ଫିକ୍ସ କରା ହେଇଥିବା କ୍ୟାମେରାକୁ ଚାହିଁଲେ ସେ । ଦେଖିଲି ସେଇଠି ତାରଟିଏ ଆସିଚି ପଲଙ୍କ ପାଖରେ ଥିବା ଟେବୁଲ୍‍ ଉପରକୁ ଏପର୍ଯ୍ୟନ୍ତ ମୋ ଆଖିରେ ଏସବୁ ପଡ଼ିନଥିଲା ।

 

ଏବେ ଉଠିବି ? –ପଚାରିଲି ।

 

ଶୋଇ ରହ । ଆଉ ଟିକିଏ ତୋତେ ଦେଖେ...

 

କାହିଁକି ?

 

ମୁଁ ତୋତେ ଭଲପାଏ ଝରଣା !

 

ଆପଣ ମୋର ପିତୃତୁଲ୍ୟ, ଭଲପାଇବା କଥା ତ !

 

ତୁ ବି ସେଇଆ କହିଲୁ ? ଅସୁନ୍ଦର ଆଉ ବୃଦ୍ଧମାନଙ୍କୁ ଏଇପରି କିଛି କହି ସମ୍ମାନଜନକଭାବେ ଏଡ଼ାଇବାର କୌଶଳ ସବୁ ଝିଅଙ୍କ ପରି ତୁ ବି ତେବେ ଶିଖିଚୁ ! ଯଦି ଯୁବକ ହେଇଥାଆନ୍ତି... ସୁନ୍ଦର ହେଇଥାଆନ୍ତି...

 

ମୁଁ ତ ଆପଣଙ୍କୁ ଏଡ଼ାଇ ଦେବାକୁ ଚାହିଁନି । ଆପଣ ଭୁଲ୍ ବୁଝିଲେ ମୋତେ ।

 

ତା’ହେଲେ…ମୋତେ ଅନୁମତି ଦେବୁ !

 

ଅନୁମତି... !! ମାନେ ?

 

ଝରଣା, ଜୀବନରେ ମୋର ଅ-ନେ-କ ଝିଅ ଆସିଲେ । ଅଭିନୟ ଶିଖି, ନୃତ୍ୟ-ଗୀତ ଶିଖି ନାମ୍ କଲେ ଦେଶ ଆଉ ବିଦେଶରେ । ସେଇମାନଙ୍କ ପାଇଁ ମୋ ସ୍ତ୍ରୀ ମୋତେ ପରିତ୍ୟାଗ କରି ଚାଲିଗଲା । କିନ୍ତୁ ମୋର ସେଇ ଛାତ୍ରୀମାନଙ୍କ ଭିତରୁ କେହି ହେଲେ ସ୍ତ୍ରୀଠାରୁ ଯାହା ମିଳେ ତାହା ଦେବାପାଇଁ ରାଜି ହେଲେନାହିଁ । କାରଣ, ମୁଁ ଅସୁନ୍ଦର, କାରଣ ମୁଁ ବିଭତ୍ସ, କାରଣ ମୁଁ ଖର୍ବକାୟ; ଆହୁରି ମଧ୍ୟ ମୋର ଗୋଟିଏ ପାଦ ଆରଟିଠାରୁ ଟିକିଏ ଛୋଟ ହୋଇଥିବାରୁ ମୁଁ କୁଆଡ଼େ ଚାଲିବାବେଳେ ଖଞ୍ଜ ପରି ଦିଶେ । ଏସବୁ କେହି ମୋ ମୁହଁ ଉପରେ ନ କହିଲେ ବି ପଛରେ କଥାବାର୍ତ୍ତା ହୁଅନ୍ତି ତାହା ମୋତେ ଅଜଣା ନାହିଁ ।

 

କିନ୍ତୁ ମୁଁ ତ ଏଭଳି କେବେ ଶୁଣି ନାହିଁ କି କହି ନାହିଁ ।

 

ନାଁ ନାଁ, ତୋ କଥା କହୁନି; ମାତ୍ର ଜାଣେ, ଏପରି କହୁଥିଲେ ସେମାନେ ସବୁ–ମୀରା, ଆରତୀ, ସନ୍ଧ୍ୟା, ଛବି, ଶ୍ୟାମଳୀ… ଆହୁରି ଅନେକ । ପଛରେ କହୁଥିଲେ ଅବଶ୍ୟ । ଏପରିକି ବେଶ୍ୟାର ଝିଅ ଶୈବାଳିନୀ ମଧ୍ୟ ।

 

ଶୈବାଳିନୀ !

 

ରେଡ଼ିଓରେ ଗୀତ ଦଉଚି ଆଜିକାଲି ।

 

ସେ ବି…

 

ଆର୍ଟିଷ୍ଟ୍‍ର ପ୍ରେରଣା ଆବଶ୍ୟକ । ଆବଶ୍ୟକ ଏକ ପ୍ରେରଣାଦାତ୍ରୀ ନାୟିକା । ପୃଥିବୀର କୌଣସି କଳାକାର, ସେ ଲେଖକ ହେଉ…ଗାୟକ ହେଉ…ଚିତ୍ରକର ହେଉ କି ଅଭିନେତା ହେଉ…ତା’ ପକ୍ଷରେ ମନୋମତ ଏକ ନାୟିକାର ଘନିଷ୍ଠ ସାହଚର୍ଯ୍ୟ ବିନା ସଫଳ ସୃଷ୍ଟି ଅସମ୍ଭବ । କାଳିଦାସ, ଉପେନ୍ଦ୍ର, କବିସୂର୍ଯ୍ୟ-ବଳଦେବ…, ମାନସିଂ, ଗଡ଼ନାୟକ, ବି. ବର୍ମା..., ସତ୍ୟଜିତ୍‍, କେ.ଏ. ଆବାସ୍ ଓସ୍ତାଦ୍ ଆଲ୍ଲାଉଦ୍ଦିନ୍... କେହି ହେଲେ ଏଇ ନିୟମର ବହିର୍ଭୂତ ନୁହନ୍ତି ବୋଲି ମୋର ବିଶ୍ୱାସ । ମୁଁ ବି ଚାହିଁଥିଲି । ଚାହିଁଥିଲି ଶେଷ ପର୍ଯ୍ୟନ୍ତ ଶୈବାଳିନୀକୁ ଅନ୍ତତଃ ମୋର ନାୟିକା କରିବା ପାଇଁ । ଚାହିଁଥିଲି ସେ ରହିବ ମୋ ପାଖେ ପାଖେ ପ୍ରେରଣାର ଉତ୍ସ ହୋଇ । ତା’ର ସମସ୍ତ ବ୍ୟୟ ବହନ କରି ଥାଆନ୍ତି ମୁଁ । ପ୍ରତି ବଦଳରେ ଯେତେବେଳେ ତାକୁ ଯେଉଁ ଭାବରେ ଚାହିଁବି...ପାଇ ପାରିବି...

 

କେଉଁ ଭାବରେ ?

 

ମୋର ଖିଆଲ୍ ଖୁସି ଅନୁଯାୟୀ । ମାତ୍ର ଶୈବାଳିନୀ ରାଜି ହେଇନଥିଲା । ଝରଣା, ଆଜି କିନ୍ତୁ ତୋ’ଠାରୁ ମୁଁ ଅନ୍ୟ କିଛି ଚାହେଁ... ।

 

ମୋ’ଠାରୁ କ’ଣ ଚାହାନ୍ତି ଆପଣ ?

 

ମୋ କାନ ପାଖକୁ ମୁହଁ ଆଣି ସେ ଯାହା କହିଲେ ମଞ୍ଜୁ, ତାହାର ଅର୍ଥ ଅତି ସୁସ୍ପଷ୍ଟ । କହିଲେ, ଓଡ଼ିଶାର ଜଣେ ବିଖ୍ୟାତ ଚଳଚିତ୍ର ଶିଳ୍ପୀ ସହିତ ସେ ମୋର ବିବାହ କରାଇ ଦେଇପାରିବେ ଯେ କି ତାଙ୍କରି ହାତରେ ଗଢ଼ା । କିନ୍ତୁ ଗୋଟିଏ ସର୍ତ୍ତରେ... । ପ୍ରଥମେ ମୋତେ ହେବାକୁ ପଡ଼ିବ ନାଟ୍ୟାଚାର୍ଯ୍ୟଙ୍କ ସନ୍ତାନର ଗର୍ଭଧାରିଣୀ । ତାଙ୍କର ଇଚ୍ଛା ହେଇଚି ନିଜ ଅବତାର ଦେଖିବା ପାଇଁ । ସେ ମୋତେ ଉପଭୋଗ କରି ଚାଲିବେ ମୁଁ ସନ୍ତାନ-ସମ୍ଭବା ହେବା ପର୍ଯ୍ୟନ୍ତ । ଆଉ ଠିକ୍ ତା’ପରେ ମୋତେ ବାହା କରେଇ ଦେବେ ସେଇ ଚଳଚିତ୍ର-ଶିଳ୍ପୀଙ୍କ ସାଙ୍ଗରେ । ଏ ସମ୍ବନ୍ଧରେ ସବୁ ଦାୟିତ୍ଵ ସେ ନେବେ । ସେଇ ଶିଳ୍ପୀ କୁଆଡ଼େ ସତ୍ୟସନ୍ଧ ତାଙ୍କ ପାଖରେ... ଏଇ ପ୍ରକାର ‘ଗୁରୁ ଦକ୍ଷିଣା’ ଦେବାପାଇଁ । ଆହୁରି ମଧ୍ୟ ଆଶ୍ଵାସନା ଦେଲେ, ଅନ୍ୟକେହି ଏ କଥା ଜାଣିବେନି କେବଳ ଆମ ତିନି ଜଣଙ୍କ ଛଡ଼ା ! ସମସ୍ତେ ଜାଣିବେ ସେଇ ଶିଳ୍ପୀ ଉକ୍ତ ସନ୍ତାନର ପିତା-!! ଘୃଣାରେ ମୋର ଅନ୍ତର ଜଳି ଉଠିଲା ମଞ୍ଜୁ ! ମୁଁ ତାଙ୍କୁ ଆଘାତ ଦେବା ପାଇଁ ଚାହିଁଲି । ରୁଢ଼ ସ୍ଵରରେ କହିଲି, କିନ୍ତୁ ଆପଣଙ୍କର ସନ୍ତାନ ହେବ ବିଭତ୍ସ, ଅସୁନ୍ଦର ! ଆପଣଙ୍କ ପରି ବୁଦ୍ଧିମାନ ସେ ହୁଏତ ହେଇପାରେ ବଡ଼ହେଲେ... ମାତ୍ର କିଏ ବିଶ୍ଵାସ କରିବ ତା’ର ରୂପ ଦେଖି ଯେ ସେ ଓଡ଼ିଶାର ସୁନ୍ଦରତମ ଶିଳ୍ପୀ ଶୁଭେନ୍ଦ୍ର କୁମାରଙ୍କ ସନ୍ତାନ ବୋଲି ?

 

କିନ୍ତୁ ସେତିକି ଅପମାନ ବୋଧହୁଏ ତାଙ୍କୁ ଯଥେଷ୍ଟ ହେଲା ନାହିଁ । କହିଲେ; ଲୋକେ କ’ଣ କହିବେ, ଲୋକେ କ’ଣ ଭାବିବେ... ଶିଳ୍ପୀର ଏସବୁ ଗ୍ରାହ୍ୟ କଲେ ଚଳେ ? ତିଳ ଚିହ୍ନ ନ ଥିଲେ ସୁନ୍ଦର ମୁହଁରେ ବି ମେକ୍‍-ଅପ୍ ସରିବା ପରେ ଓଠ ତଳେ କାହିଁକି କଳା ବିନ୍ଦୁଟିଏ ବସାଇ ଦିଏ ମେକ୍‍-ଅପ୍-ମ୍ୟାନ୍ ? ସେଇଟା ବିଉଟି ସ୍ପଟ୍, ଗ୍ଲେମୋର୍ । ଶିଳ୍ପୀ ପକ୍ଷରେ ଅପବାଦ ଠିକ୍ ସେହିପରି । ତାହା ତା’ର ଜନପ୍ରିୟତା ବଢ଼ାଏ !!

 

କ’ଣ କହିବି ମଞ୍ଜୁ, ଇଚ୍ଛା ହେଉଥିଲା ତାଙ୍କୁ ଚାପୁଡ଼ାଏ ମାରିବା ପାଇଁ । ମୋତେ ସେ ବୋଧହୁଏ ଭାବିଥିଲେ ଅବୋଧ ଗୋଟିଏ ଶିଶୁ, କିଛି ଜାଣେ ନାହିଁ ତାଙ୍କ ସମ୍ବନ୍ଧରେ । ଏକଥା ତ ଜଣାଶୁଣା ଯେ କିଛିଦିନ ପାଇଁ ଶୈବାଳିନୀ ତାଙ୍କ ପାଖରେ ରହିଥିଲା । କିନ୍ତୁ ଏଇ ନପୁଂସକ ବୃଦ୍ଧ ନା ପାରିବେ ତା’ର ଉଦ୍ଦାମତାକୁ ଶାନ୍ତ କରି... ନା ତାକୁ ଅନୁମତି ଦେବେ ଅନ୍ୟ କାହାର ସାହଚର୍ଯ୍ୟ ପାଇବା ପାଇଁ !

 

ଶେଷରେ ଯାହା ହେବା ସ୍ଵାଭାବିକ ତାହା ହିଁ ଘଟିଥିଲା ।

 

ଓଡ଼ିଶୀ ଶିଖିବା ପାଇଁ ମହାରାଷ୍ଟ୍ରରୁ କଟକ ଆସିଥିଲେ କେନ୍ଦ୍ର ଲଳିତ କଳା ଏକାଡେମୀରୁ ବୃତ୍ତିନେଇ ଜଣେ ବିଖ୍ୟାତ ନୃତ୍ୟ-ଶିଳ୍ପୀ ଶଙ୍କର ନାଥ । ନାଟ୍ୟାଚାର୍ଯ୍ୟ ତାଙ୍କୁ ଶିଖାଉ ଥିଲେ । ସେ ତାଙ୍କରି ଗୃହରେ ହିଁ ଅବସ୍ଥାନ କରୁଥିଲେ ଛାତ୍ର ଭାବରେ । ଦିନେ ଏକ ସୁନ୍ଦର ସକାଳରେ ଦେଖାଗଲା, ଗୁରୁଙ୍କୁ ରାମାନନ୍ଦୀ କାଟି ଶିଷ୍ୟ ଫେରାର ହେଇଚନ୍ତି ଶୈବାଳିନୀଙ୍କ ସହିତ-! ...ନାଟ୍ୟାଚାର୍ଯ୍ୟ କୁଆଡ଼େ ତା’ପରେ ଚିଠି ଲେଖିଥିଲେ ଶୈବକୁ ମହାରାଷ୍ଟ୍ର ଠିକଣାରେ– ‘‘ଯୁବତୀ ପକ୍ଷରେ ଜଣେ ବୃଦ୍ଧ ବରଂ ନିର୍ଭରଯୋଗ୍ୟ ଯେହେତୁ ବୃଦ୍ଧର ମନ ଅଚଞ୍ଚଳ ରହିଥାଏ । ତୁ ଯାହା ସହିତ ଯାଇଛୁ... ସେ ଜଣେ ଯୁବକ । ଯେଉଁଦିନ ତା’ର ମନ ଚହଲି ଯିବ, ତୋତେ ସେ ଅବଲୀଳାକ୍ରମେ ପରିତ୍ୟାଗ କରିବ । ସେତେବେଳେ ବୁଝିବୁ ଶୈବାଳିନୀ, କେତେ ବଡ଼ ଭୁଲ୍ କରିଛୁ !’’

 

ବିଚାରୀଟି ଉପରେ ଅବଶ୍ୟ ନାଟ୍ୟାଚାର୍ଯ୍ୟଙ୍କ ଅଭିଶାପ ପଡ଼ିଲା କି ନାହିଁ ଜାଣେନା,... କିନ୍ତୁ କିଛିଦିନ ପରେ ସତକୁ ସତ କଟକ ଫେରି ଆସିଥିଲା ସିଏ । ପିଠିରେ ମାଡ଼ର ଦାଗ, ବେକ-ହାତରୁ ଉଭେଇ ଯାଇଚି ଅଳଙ୍କାର ସବୁ । ଯାହାହେଉ, ସେ ଅଭିନୟ ପରିତ୍ୟାଗ କରିଚି–ଖାଲି ରେଡ଼ିଓରେ ଗୀତ ଗାଏ ବର୍ତ୍ତମାନ–ନାଟ୍ୟାଚାର୍ଯ୍ୟଙ୍କ ସାଙ୍ଗରେ ତାହାର ଆଉ ଦେଖା ସାକ୍ଷାତ୍‍ ବି ହୁଏନା ।

 

ଖାଲି ଏତିକି ନୁହେଁ ମଞ୍ଜୁ, ଆହୁରି ଜଣକ ସମ୍ବନ୍ଧରେ ବି ଶୁଣାଯାଏ ନାଟ୍ୟାଚାର୍ଯ୍ୟଙ୍କୁ କେନ୍ଦ୍ରକରି । ସେ ଆରତୀ । କଲେଜରେ ତୃତୀୟ ବାର୍ଷିକ ଛାତ୍ରୀ । ନୃତ୍ୟ-ଗୀତ ଅଭିନୟରେ ପ୍ରବୀଣା । ଆଇ.ଏ.ଏସ୍. ଅଫିସରଙ୍କ ଝିଅ । ବେଶ୍ କିଛିଦିନ ପାଇଁ ପ୍ରିୟତମା ଶିଷ୍ୟା ଥିଲା ନାଟ୍ୟାଚାର୍ଯ୍ୟଙ୍କର । ...ମନଃସ୍ତାତ୍ତ୍ଵିକ ବିକାରଗ୍ରସ୍ତ ନାଟ୍ୟାଚାର୍ଯ୍ୟ ଦିନେ ନିଭୃତରେ (ହୁଏତ ଏଇପରି ଅଭିନୟ ଶିଖାଇବା ଆଳରେ) ତାକୁ ଛାତି ଉପରକୁ ଆଉଜାଇ ନେଇ, କୋଳ ଉପରେ ଶୁଆଇ... ତାଙ୍କ ଅଟୋମେଟିକ୍ କ୍ୟାମେରାରେ ଉଠାଇନେଲେ ଦୁଇ ତିନିଟି ଫଟୋ । ଉଦ୍ଦେଶ୍ୟ, ମୋର ଅନୁମାନ, ନିଜେ ଦେଖି ଆନନ୍ଦ ପାଇବା । ଯୋଉମାନେ ନପୁଂସକ, ସେହିମାନେଇ ଯେପରି ପିତୃତ୍ଵ ଲାଭ କରିବା ପାଇଁ ପାଗଳ ହୋଇ ଉଠନ୍ତି ବେଶୀ–ସେହିପରି ବିଭତ୍ସ ଆଉ ଅସୁନ୍ଦରମାନେ ହିଁ ସୁନ୍ଦରୀ ଝିଅମାନଙ୍କ ସହିତ ଘନିଷ୍ଠଭାବେ ଫଟୋ ଉଠାଇବା ପାଇଁ ଇଚ୍ଛା କରନ୍ତି ଅଧିକ । ଏ କଥା ମୋତେ ଆଗରୁ କହିଥିଲେ ମନଃସ୍ତତ୍ତ୍ଵ ଅଧ୍ୟାପିକା ଶ୍ରୀମତୀ ରଥ, ଯାହା ତାଙ୍କ ମତରେ ସେକ୍ସ ସାଇକୋଲଜିର ଅକାଟ୍ୟତମ ତଥ୍ୟ ।

 

(ଆରତୀ ଖାଲି ନିରୀହ ନ ଥିଲା, ନିର୍ବୋଧ ମଧ୍ୟ । ନାଟ୍ୟାଚାର୍ଯ୍ୟଙ୍କ ‘ମନଃସ୍ତତ୍ତ୍ଵ’ ପାଇଁ ଅକାରଣେ ବିଚାରୀ ବଦ୍‍ନାମ୍ ହେଲା ସିନା !)

 

କଲିକତାରେ ସେ କରାଉଥିଲେ ଏଇପ୍ରକାର ସବୁ ଫଟୋର ଡେଭେଲପମେଣ୍ଟ ଆଉ ପ୍ରିଣ୍ଟିଙ୍ଗ୍‍ । ଛବିଗୁଡ଼ିକ ଆଲମାରିରେ ରଖୁଥିଲେ ତାଲା-ଚାବି ପକାଇ । କିନ୍ତୁ ତାଙ୍କ ପାଖକୁ ଅନେକ ଝିଅ ଯେପରି ଯାଉଥିଲେ, ସେହିପରି ଯାଉଥିଲେ ବହୁ ତରୁଣ ଅଭିନେତା-ଯଶପ୍ରାର୍ଥୀ ମଧ୍ୟ । ସେଇମାନଙ୍କ ଭିତରୁ କେହି ଜଣେ ‘ଦୁଷ୍ଟ-ପିଲା’ କୌଣସି ପ୍ରକାରେ ଖଣ୍ଡିଏ ପ୍ରିଣ୍ଟ୍‍ ଚୋରି କରି ଆଣି ତାହାର ଏକ ବ୍ଲକ୍ ତିଆରି କରି ପାମ୍ପଲେଟ୍‍ ଆକାରରେ ଛାପି ବାଣ୍ଟିଦେଲା କଟକ ସହରରେ । ତଳେ ଲେଖାଥିଲା “ଏମାନଙ୍କୁ ଚିହ୍ନନ୍ତୁ ।” ପ୍ରେସ୍‍ର ନାମ ନ ଥିଲା ସେଥିରେ, ଦସ୍ତଖତ୍ ନ ଥିଲା କାହାରି ବି ।

 

ନାଟ୍ୟାଚାର୍ଯ୍ୟ ରାଗରେ ହତଜ୍ଞାନ ହୋଇ ପରଦିନଠାରୁ ତାଙ୍କ ଘରକୁ ଯୁବକମାନଙ୍କ ପ୍ରବେଶ ନିଷେଧ କରିଦେଇ ଥିଲେ । ତା’ପରେ କିନ୍ତୁ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ଯେପରିଭାବେ ମସ୍ତିଷ୍କ-ଚାଳନା କଲେ ସେ, ସେଥିପାଇଁ ଅବଶ୍ୟ ତାଙ୍କ ବିଚକ୍ଷଣ ବୁଦ୍ଧିକୁ ଆଡ଼୍‍ମାୟାର୍‍ କରିବା କଥା !! ...ପରଦିନ ସବୁ ସମ୍ବାଦପତ୍ରରେ ବାହାରିଗଲା ବିରାଟ ଅର୍ଦ୍ଧ-ପୃଷ୍ଠା ବ୍ୟାପୀ ବିଜ୍ଞାପନ । ସହରର ଜନତା ଅବାକ୍ ହେଇପଡ଼ିଲେ–

 

“ପ୍ରତ୍ୟୁତ୍ତର”

 

ନାଟ୍ୟାଚାର୍ଯ୍ୟ ସୁବୋଧ ଚନ୍ଦ୍ରଙ୍କ ନୂତନତମ ଅବଦାନ !!!

 

କେବେ ? ସ୍ଵାଧୀନତା ଦିବସରେ !

 

କେଉଁଠି ? ସହିଦ୍‍ ଭବନରେ !

 

କେତେବେଳେ ? ସନ୍ଧ୍ୟା ଛଅଟାରେ !

 

ମାତ୍ର ଗୋଟିଏ ରାତି ପାଇଁ । ଆଗରୁ ଟିକେଟ୍‍ ବୁକ୍‍ କରନ୍ତୁ–ନଚେତ୍ ହତାଶ ହେବେ ।

 

ଏଇ ନାଟକର ବିଶେଷତ୍ଵ ହେଉଛି–ଯେଉଁ ନାଟ୍ୟାଚାର୍ଯ୍ୟ ସୁବୋଧ ଚନ୍ଦ୍ରଙ୍କୁ ଏପର୍ଯ୍ୟନ୍ତ ଆପଣମାନେ କେବଳ ନିର୍ଦ୍ଦେଶକଭାବେ ଅନ୍ତରାଳରେ ରହୁଥିବାର ଜାଣନ୍ତି, ସେ ଜୀବନରେ ପ୍ରଥମ ଥର ପାଇଁ ଏହି ନାଟକରେ ମଞ୍ଚ ଉପରେ ଦେଖା ଦେବେ ଅଭିନେତା ଭାବରେ ।

 

ନାଟକର କେତୋଟି ଦୃଶ୍ୟର ଛବି ତଳେ ଦିଆଗଲା ।

 

ପିତା ଓ କନ୍ୟା ଭୂମିକାରେ ଯଥାକ୍ରମେ ନାଟ୍ୟାଚାର୍ଯ୍ୟ ଓ ଆରତୀ ଦେବୀ ।

 

ନାଟ୍ୟାଚାର୍ଯ୍ୟ ଏବଂ ଆରତୀର ତିନିଟି ଘନିଷ୍ଠ ଭଙ୍ଗୀର ଫଟୋଗ୍ରାଫ୍ ଛପାଥିଲା ସେଥିରେ ।

 

କେବଳ ସେତିକି ନୁହେଁ ମଞ୍ଜୁ, ତା’ପର ଦିନ ସମ୍ବାଦପତ୍ରରେ ବିଜ୍ଞାପନ ଆକାରରେ ଏହା ମଧ୍ୟ ବାହାରିଲା–

 

“ହଜିଛି…”

 

‘ପ୍ରତ୍ୟୁତ୍ତର ନାଟକର ପାଣ୍ଡୁଲିପି ଏବଂ ତାହାର ବିଜ୍ଞାପନ ପାଇଁ ନିର୍ମିତ କେତୋଟି ବ୍ଲକ୍‍ ପ୍ରେସ୍‍ରୁ ଫେରିବା ବାଟରେ ରିକ୍ସାରୁ କେଉଁଠି ଖସିପଡ଼ିଚି । ଯଦି କେହି ପାଇ ଥାଆନ୍ତି, ଫେରାଇ ଦେଲେ ପଚାଶ ଟଙ୍କା ପୁରସ୍କାର ପାଇବେ ।

 

ନିବେଦକ

 

ନାଟ୍ୟାଚାର୍ଯ୍ୟ...”

 

ଅର୍ଥାତ୍ ଦୁଷ୍ଟ ଟୋକାଙ୍କ ଖାପଚରେ ପଡ଼ି ବୁଢ଼ା ବୟସରେ ରଙ୍ଗ ବୋଳିହୋଇ ମଞ୍ଚ ଉପରକୁ ଉଠିବାର ବିଡ଼ମ୍ବନାରୁ ରକ୍ଷା ମିଳିଲା, ବଦ୍‍ନାମ୍‍ଟା ବି ବାଏଁ ବାଏଁ କୁଆଡ଼େ ଉଡ଼ିଗଲା । ଦୁଇଟି ବିଜ୍ଞାପନରେ କାମ ଫତେ ! ଜୋକ ମୁହଁରେ ଲୁଣ !!

 

ତାଙ୍କୁ ଅତି ନିଷ୍ଠୁର ଭାବରେ ଅପମାନ ଦେବା ପାଇଁ ସେଇ ନୀଳାଭ ସ୍ଵଳ୍ପାଲୋକିତ କକ୍ଷ ଭିତରେ ତାଙ୍କରି ବିଛଣାରେ ଶୋଇ ମୁଁ ଚିନ୍ତା କରୁଥିଲି ଆଉ ଉପାୟ ଖୋଜୁଥିଲି ସେଇ ମୁହୂର୍ତ୍ତରେ-। ମନରେ ଘୃଣା ଆସିଯାଇଥିଲା ତାଙ୍କ ପ୍ରତି । ସାଂସ୍କୃତିକ ପୁଷ୍କରିଣୀ କୂଳରେ କଳାର କଙ୍କଣ ଧରି ବସିରହିଥିବା ଏହି ଗଳିତ-ନଖ-ଦନ୍ତ ବୃଦ୍ଧ-ବ୍ୟାଘ୍ରର ସାତ୍ତ୍ଵିକ-ମୁଖାକୁ ମୋର ଯତ୍ନ-ବର୍ଦ୍ଧିତ ନିପୁଣଭାବେ ସୁତୀକ୍ଷ୍‍‍ଣୀତ ରକ୍ତ-ରଙ୍ଗ ନେଲ୍‍ପଲିସ୍ ରଞ୍ଜିତ ନଖରେ ବିଦୀର୍ଣ୍ଣ ଓ ଛିନ୍ନଭିନ୍ନ କରି ପକାଇବାକୁ ଇଚ୍ଛା ହେଉଥିଲା । ଅଳ୍ପହସି କହିଲି, ଆପଣ ନପୁଂସକ; ପୁରୁଷକାରର ଅଭିନୟ ଚମତ୍କାର କରିପାରୁଚନ୍ତି କିନ୍ତୁ ! ଆପଣଙ୍କର ପୁଣି ସନ୍ତାନ !! ହୁଁ... ୟୁ ହେବ୍‍ ନୋ ପାୱାର୍‍; ଅଛି ଖାଲି ପାର୍‍ଭର୍‍ସନ୍ । ମୋର ଦୟା ଆଉ ସହାନୁଭୂତି ଆସୁଚି ସାର୍, ଆପଣଙ୍କ ପ୍ରତି-!!!

 

ଚାବୁକ୍ ଖାଇଲା ପରି ମୁହଁ କଳାପଡ଼ିଗଲା ତାଙ୍କର ।

 

ସେତିକିରୁ ତାଙ୍କ ସାଙ୍ଗରେ ଶେଷ ।

 

ଅତଏବ୍, ପୁରୁଷମାନେ ଏଇ ଭଳିଆ । ନାଟ୍ୟାଚାର୍ଯ୍ୟ ପୁରୁଷ–ଜାତିରଇ ଏକ ପ୍ରତିନିଧିମୂଳକ ଚରିତ୍ର ମଞ୍ଜୁ ! ବୟୋବୃଦ୍ଧ ହେଲେ ବି ସେମାନେ କେବଳ ପିତୃତ୍ଵଟାକୁଇ ନାରୀ-ପୁରୁଷ ସମ୍ପର୍କର ଏକମାତ୍ର ସୂତ୍ର ବୋଲି ବୁଝନ୍ତି, ଏପରିକି ସେଇ ସମ୍ପର୍କ ଅବୈଧ ହେଲେ ମଧ୍ୟ ।

 

ସେଦିନ ଏହିପରି ମୋତେ ଅନେକ ବୁଝାଇଥିଲେ ଝରଣାଦି । ଚେଷ୍ଟା କରିଥିଲେ ପୁରୁଷମାନଙ୍କ ସ୍ଵାର୍ଥପରତା ସମ୍ବନ୍ଧରେ ମୋ ମନରେ ବଦ୍ଧମୂଳ କରିଦେବାପାଇଁ ନିର୍ଦ୍ଦିଷ୍ଟ ଏକ ଧାରଣା ।

 

ସେଇ ରାତିଟି ମୋର ଯେପରିଭାବେ କଟିଥିଲା ଝରଣାଦିଙ୍କ କାମନା ଓ ବାସନାର ବହ୍ନିରେ ନିଜକୁ ଇନ୍ଧନରୂପେ ସମର୍ପଣ କରି... ଠିକ୍ ବୁଝିପାରିନଥିଲି ହୁଇସ୍କିର ପ୍ରଭାବରେ ।

 

ଭୋର ହବା ଆଗରୁ ଭାଙ୍ଗିଥିଲା ନିଦ ।

 

ବିଛଣାରେ ପାଇଲି ଏକୁଟିଆ ନିଜକୁ ଆଉ ବାଥ୍‍ରୁମ୍ ଆଡ଼ୁ ଶୁଣିଲି ଶାୱାର୍‍ର ଝିପି ଝିପି ସହିତ ତାଳ ଦେଲା ପରି ସେଇ “ଦିଲ୍‍ ମେରୀ ଦିୱାନା”... ।

 

ଉପରକୁ ଚାହିଁଲି ।

 

ବଲବ୍‍ଟା ଜଳୁଚି ।

 

ତା’ମାନେ ସାରାରାତି ଜଳୁଥିଲା । ଆଖି ମେଲି ଚାହିଁ ଦେଖୁଥିଲା ନିର୍ବାକ୍‍ ଏକ ସାକ୍ଷୀପରି ବିଛଣା ଉପରେ ଘଟିଯାଇଥିବା ସମସ୍ତ କିଛି ଘଟଣା ।

 

ଉଠିପଡ଼ି ଫେରି ଚାହିଁଲି ଦର୍ପଣକୁ । ସେ ବି ଚାହିଁରହିଥିଲା ସାରାରାତି । ଦେଖୁଥିଲା । କିନ୍ତୁ ବର୍ତ୍ତମାନ ତା’ ଭିତରେ, ଇସ୍, କ’ଣ ଦିଶୁଚି ମୁଁ ? ଅବିନ୍ୟସ୍ତ କେଶ, ଗାଲ ଉପରେ ଦାଗ, ଦର୍ପଣଟା ବେଡ଼୍‍ର ଖୁବ୍ ନିକଟରେ ଥିବାରୁ ବେକ ଉପରର ସାମାନ୍ୟତମ ନଖ-କ୍ଷତଟା ବି ।

 

ଏଥର ମୁଁ ନିଜେ ନିଜକୁ ଚାହିଁଲି । ବୋତାମ-ଛିଣ୍ଡା ବ୍ଲାଉଜ୍ ତଳେ ଖୋଲି ଯାଇଥିବା ବ୍ରାସିଅର୍ ମୋ ମନରେ ଆଣିଦେଲା ସେଇସବୁ ସ୍ମୃତି... ଗତ ରାତିରେ ଯାହା ଯାହା ହେଇଯାଇଚି ଝରଣାଦିଙ୍କ ସହିତ ।

 

ଚାଦର କାଢ଼ି ଉଠିପଡ଼ିଲି ବିଛଣାରୁ । ଠିଆ ହେଇପଡ଼ିଲି ତଳେ ଫିଟି ଯାଇଥିବା ଶାଢ଼ିଟାକୁ ପିନ୍ଧୁ ପିନ୍ଧୁ । ଖସିପଡ଼ିଲା ସାୟା । ଫିତାଟି ଖୋଲି ଯାଇଚି ପରା !! କିନ୍ତୁ ନା, ଖୋଲି ଯାଇନି ଠିକ୍, ଟାଣି ଛିଣ୍ଡେଇ ଦିଆ ହେଇଚି । ଛିଣ୍ଡି ପୁଣି ଗଣ୍ଠି ସହିତ ଏତେ ଭିତରକୁ ପଶି ଯାଇଚି ଯେ ଆଙ୍ଗୁଳି ପୂରାଇଲେ ମଧ୍ୟ ପାଉନି... । କିନ୍ତୁ ଫିତା ନ ବାହାରିଲେ ଏଇନେ ପିନ୍ଧି ପାରିବିନି ଯେ ସାୟାଟା ! ମୁଁ ବ୍ୟସ୍ତ ହେଇ ହେଆରପିନ୍ କିମ୍ବା ସେଫ୍‍ଟିପିନ୍... କିଛି ଗୋଟାଏ ଖୋଜିବାରେ ଲାଗିଲି ଆଉ ଭାବୁଥିଲି ଲାଜରେ... କ’ଣ ନ କରିଚନ୍ତି ମୋତେ ଝରଣାଦି ? ଛି... ।

 

ଠକ୍ ଠକ୍ ଶବ୍ଦ ହେଲା ଦରଜାରେ ।

 

ସେଇ ପରିସ୍ଥିତିରେ ମୁଁ ଏବେ କରେ କ’ଣ ? ଏଇ ରୂପ, ଏଇ ବେଶ ନେଇ ଦରଜା ଖୋଲିବି ବା କିପରି ? ପଚାରିଲି, କିଏ ?

 

ମୁଁ ସୁମନ୍ତ ।

 

ଟିକିଏ ରହନ୍ତୁ ।

 

ଆଲୁଅ ଲିଭାଇ ଦେଲି–ସ୍ଲୋକରି ଦେଲି ଫ୍ୟାନଟା । ତା’ପରେ ରାକରେ ଝୁଲୁଥିବା ଝରଣାଦିଙ୍କ ସାୟାଟି ପିନ୍ଧି ପକାଇଲି ତର ତର ହୋଇ । ବଦଳାଇ ନେଲି ଶାଢ଼ି । ବ୍ଲାଉଜ୍‍ ଚେଞ୍ଜ କରିବାକୁ ସମୟ ନାହିଁ । କାନି ଟାଣି ଢାଙ୍କି ନେଲି ଯଥାସମ୍ଭବ । ଚିରୁଣୀ ଚଳେଇ ନେଲି ବାଳ ଉପରେ ଟିକିଏ । ମୁହଁରେ ପାଉଡର ପଫ୍ ବୁଲେଇ ଆଣି ସ୍ଲିପର୍‍ଟା ପାଦରେ ଗଳେଇ ନେଇଚି ପୁଣିଥରେ ନକ୍ କଲେ ସୁମନ୍ତ । ଆଉ ମୁଁ ଯାଇ ଦରଜା ଖୋଲି ଦେଲି ସାଙ୍ଗେ ସାଙ୍ଗେ ।

 

ନମସ୍କାର !

 

ପ୍ରତି ନମସ୍କାର କରି ଦେଖିଲି ତାଙ୍କ ପଛରେ ହୋଟେଲ୍‍ ବୟ ଠିଆ ହେଇଚି ପ୍ଲାଷ୍ଟିକ୍ ଝୁଡ଼ି ଆଉ ଟି’ପଟ୍ ହାତରେ । ବ୍ରେକ୍‍ଫାଷ୍ଟ ଆମ ପାଇଁ... ।

 

ସୁମନ୍ତ ବାବୁଙ୍କ ମୁହଁରେ କିନ୍ତୁ କାଲିକାର ସ୍ଵଭାବ ସୁଲଭ ପ୍ରଗଳ୍‍ଭତା ପରିବର୍ତ୍ତେ ଲକ୍ଷ୍ୟକଲି ଗାମ୍ଭୀର୍ଯ୍ୟ । ଗୋଟିଏ ରାତି ଭିତରେ ଯେପରିକି ପରିବର୍ତ୍ତନ ହେଇଯାଇଚି ତାଙ୍କର । ଆଣିଥିବା ଜିନିଷତକ ସଂଲଗ୍ନ ଡାଇନିଂ ରୁମ୍‍ର ଟେବୁଲ୍‍ ଉପରେ ରଖାଇ ସେ ପଚାରିଲେ, କାଲି ରାତିଟି କିପରି କଟିଚି ଆପଣଙ୍କର ?

 

ଚମକି ପଡ଼ିଲି । ମନେହେଲା ଏଇ ଡାକବଙ୍ଗଳାର ପକ୍କା କାନ୍ଥଗୁଡ଼ିକ ସତେଅବା କାଲି ରାତିରେ କାଚ କାନ୍ଥରେ ପରିଣତ ହେଇଯାଇଥିଲା ମୁଁ ଝରଣାଦିଙ୍କ କୋଳରେ ନିଝୁମ ନିଦରେ ଶୋଇଥିବାବେଳେ । ସମସ୍ତେ, ସାରାଦୁନିଆ, ଏପରି ସୁମନ୍ତ ବାବୁ ମଧ୍ୟ ନୀରବ ନିର୍ଲିପ୍ତ ଅନ୍ୟତମ ଏକ ବିଶିଷ୍ଟ ଦର୍ଶକଭାବେ ଦେଖିଚନ୍ତି ଆମର ସବୁ କ୍ରିୟାକଳାପ ।

 

ଟିକିଏ ଶଙ୍କିଯାଇ ପଚାରିଲି–

 

କାହିଁକି ?

 

କାହିଁକି ମାନେ ? ଆପଣ ଅତିଥି; ଆପଣଙ୍କ ସୁବିଧା ଅସୁବିଧା ପଚାରି ବୁଝିବା କଥା ତ-!

 

ନା କିଛି ଅସୁବିଧା ହେଇନି; କିନ୍ତୁ ଆପଣ ଯେ ଠିଆହେଇ ରହିଲେ; ବସନ୍ତୁ ।

 

ଚେୟାର୍‍ ଆଗେଇ ଦେଲି ତାଙ୍କୁ ।

 

ଆଣିଥିବା ଜିନିଷତକ ପ୍ଲେଟ୍‍ ଆଉ ଟ୍ରେ’ରେ ସଜାଇ ଦେଇ ବୟ୍ ଚାଲିଯାଇଥିଲା । ବାଥ୍‍ରୁମ୍‍ରୁ ସେଇପରି ଶୁଭୁଥାଏ ଶାୱାର୍‍ର ଝିପି ଝିପି ସହିତ “ଦିଲ୍ ମେରୀ ଦିୱାନା...”

 

ଆପଣ ଚା’ କପେ ଖାଆନ୍ତୁ ।

 

ନା

 

ବସିପଡ଼ି ସିଗାରେଟ୍ ଧରେଇଲେ ସୁମନ୍ତ । ‘ନା’ଟା ଯେପରିଭାବେ କହିଲେ ମୋତେ ଭଲ ଲାଗି ନ ଥିଲା । ମୁଁ ଖାଲି ନୀରବରେ ଚାହିଁରହିଲି ତାଙ୍କଆଡ଼କୁ ପାଖ ଚେଆରରେ ବସି । ସକାଳର ପରିବେଶ ସହିତ ବେଶ୍ ମାନି ଯାଉଥିଲା ତାଙ୍କର ଅବିନ୍ୟସ୍ତ ବାଳ ଆଉ ଗୋଟିଏ ରାତିର ଅବକାଶରେ ବଢ଼ି ଉଠିଥିବା ଈଷତ୍-ନୀଳ ଦାଢ଼ିର ଫସଲ । ଦିଶୁଥିଲେ, କାଲି ରାତିରେ ଭଲଭାବେ ଶୋଇନଥିବା ଯୋଗୁ ହୁଏତ, ବୟସ ତୁଳନାରେ ଟିକିଏ ଅଧିକ ପରିପକ୍ଵ । ଅନ୍ୟମନସ୍କ ପରି ସେ ସିଗାରେଟ୍ ଟାଣୁଥିଲେ, ମୋ’ଆଡ଼କୁ ନ ଅନାଇ, ବିଶେଷ ଏକ ଭଙ୍ଗୀରେ ।

 

କଥା ଆରମ୍ଭ କରନ୍ତି କିପରି ଏଇଭଳି ପରିସ୍ଥିତିରେ ? ନୀରବ, ଗମ୍ଭୀର ଆଉ ଅନ୍ୟମନସ୍କ ହୋଇ ଜଣେ ପୁରୁଷ ଯଦି ଏପରି ବସି ରହେ !

 

ଉଃ... ! କେତେ ଡେରି ଯାଏ ଆଉ ଗାଧୋଇବେ ଝରଣାଦି ? ସେ ବାହାରି ଆସିଲେଇ ରକ୍ଷା । ଭାରି ଅସ୍ଵସ୍ତିକର ଲାଗୁଥାଏ ମୋତେ । ଇମିତିଭାବେ ଗୋଟାଏ ରୁମ୍ ଭିତରେ ଜଣେ ଯୁବକ ଏବଂ ଜଣେ ଯୁବତୀ ନୀରବରେ ବସିରହିବା ଅପେକ୍ଷା ବରଂ କଳି କରିବା ଅଧିକ ଶ୍ରେୟସ୍କର !!

 

ନିରୀକ୍ଷଣ କରୁଥିଲି ତାଙ୍କ ପାଦଠାରୁ ମୁହଁ ଯାଏ । ଅଧା ମଇଳା ଚେକ୍ ସାର୍ଟ୍‍ କାଠ କୋଇଲା ରଙ୍ଗ ଫୁଲପ୍ୟାଣ୍ଟ ବାଦାମୀ ଷ୍ଟ୍ରାପ୍ ସ୍ଲିପର ପାଦରେ ବର୍ତ୍ତମାନ ଏଠାରେ ବସିଥିବା ଏହି ସୁମନ୍ତ । ମୁଁ କଳ୍ପନା କରିବାକୁ ଲାଗିଲି, କିପରି କାଲି ରାତିରେ ଝଲ୍ ମଲ୍ ଶିରସ୍ତ୍ରାଣ... କୋଷବଦ୍ଧ ତରବାରୀ... ରାଜ ପୋଷାକରେ ସୁସଜ୍ଜିତ ହୋଇ ମୋ ପାଖକୁ ଆସି ଠିଆ ହୋଇଥିଲେ ଉଇଙ୍ଗସ୍‍ ଉହାଡ଼ରେ ।

 

କାଲି ରାତିର ସେହି ମଣିମୟ, ସେଇ ପାଟଳୀପୁତ୍ର ଯୁବରାଜ, ମାସର ଏହି ଶେଷ ସପ୍ତାହରେ ରେସନ୍ କିଣିବାକୁ ଯଦି ଟଙ୍କା ନ ଥିବ–କନିଷ୍ଠ କିରାନୀ ପକ୍ଷରେ ଯାହା ସାଧାରଣତଃ ସ୍ଵାଭାବିକ–କୋଉ ପଡ଼ୋଶିନୀ ଯୋଡ଼ାଯୋଡ଼ି ଭାଉଜ ପାଖକୁ ପାଞ୍ଚଟଙ୍କା ଧାର ମାଗିବାକୁ ଯାଇ ଶୁଣିବେ ହୁଏତ, ହାୟ, ପାଟଳୀପୁତ୍ର ଯୁବରାଜ ପୁଣି ଆସିଚନ୍ତି ମୋ ପାଖକୁ ପାଞ୍ଚଟଙ୍କା ଧାର ମାଗିବା ପାଇଁ ?” ଅଫିସ ଯାଇ ହୁଏତ ଚାର୍ଜସିଟ୍ ପାଇବେ ଆଜି, ଜରୁରୀ କାମ ପେଣ୍ଡିଂ ରଖିଥିବାରୁ !!

 

ହଠାତ୍ ଏଇପରି...ମନକୁ ଆସିବା ଯୋଗୁ ଫିକ୍‍କରି ହସିଦେଲି ନିଜର ଅଜାଣତରେ ।

 

ହସିଲେ ଯେ ।

 

ବୁଝିପାରିଲି ସେ ମୋତେ ଅଲକ୍ଷ୍ୟରେ ଲକ୍ଷ୍ୟ କରୁଥିଲେ ନିଶ୍ଚୟ ।

 

କିଛି ନୁହେଁ । ଇମିତି ।

 

ଖାଲି ଖାଲି ତ କେହି ହସେନା !

 

ଦେଖିଲି ସେ ଅପମାନିତ ବୋଧ କରିଚନ୍ତି ।

 

ସୁମନ୍ତ ବାବୁ, ନରମ ସ୍ଵରରେ କହିଲି, କାଲି ରାତିରେ ଆପଣ, ଆଉ ବର୍ତ୍ତମାନର ଆପଣ..., କେତେ ପାର୍ଥକ୍ୟ..., ଏଇଆ ଭାବି ହସିଚି । ଅନ୍ୟ କିଛି ନୁହେଁ ।

 

ବେଶଭୂଷାର ପାର୍ଥକ୍ୟ ?

 

ନା ନା । ମାନେ... କାଲି କେତେ ଭଲ କଥାବାର୍ତ୍ତା କରୁଥିଲେ, ଆଉ ଆଜି... ଇମିତି ଗମ୍ଭୀର ! କ’ଣ ଦେହ ଭଲ ନାହିଁ ନା ଭଲଭାବେ ଶୋଇପାରି ନାହାନ୍ତି କାଲି ରାତିରେ...

 

ଆପଣ ନିଜେ ଶାନ୍ତିରେ ଶୋଇପାରିଥିଲେ ତ ?

 

ଡରିଗଲି... !

 

ଆପଣ କ’ଣ କହିବାକୁ ଚାହାନ୍ତି ?

 

ଆପଣ ଆଉ ଝରଣା ଦେବୀ କେବେ ଭାବି ଦେଖିଚନ୍ତି କି ଏଇ ବିରାଟ ପୃଥିବୀରେ ଅନ୍ତତଃ କୌଣସି ଦୁଇଜଣ ଯୁବକ... ଦୁହିଙ୍କ ପାଇଁ ଗଢ଼ା ହେଇ ରହି ଥାଇ ପାରନ୍ତି ।

 

ସିଗାରେଟ୍‍ଟା ପକାଇ ଦେଇ ଉଠି ଚାଲିଗଲେ ସୁମନ୍ତ ବାବୁ । ସେତେବେଳେ ମନେହେଲା ମୋର–ଅ-ନେ-କ... ଅ-ନେ-କ ବେଶୀ ବଢ଼ିଯାଇଚି ତାଙ୍କ ବୟସ ଏଇ ରାତିକ ଭିତରେ । ଖୁବ୍‍ ବେଶୀ..., ଅ-ନେ-କ ଅଧିକ... ମୋ ଅପେକ୍ଷା ଅନ୍ତତଃ !!! ମନେହେଲା, ଛୋଟ ହେଇଯାଇଚି ତାଙ୍କ ପାଖରେ ମୁଁ, ଆଉ ବଡ଼ ହେଇଯାଇଚନ୍ତି ମୋ ପାଖରେ ସେ ।

 

ମୁଁ ତାଙ୍କୁ ଫେରାଇବାକୁ ଯାଇ ଦରଜା ପାଖରେ ରହିଗଲି । ସେ ଓହ୍ଲାଇଗଲେ ବାରଣ୍ଡା ତଳଯାଏ ପଛକୁ ଫେରି ନ ଚାହିଁ ।

 

କହିଲି, ଶୁଣନ୍ତୁ ।

 

ଶେଷ ପାହାଚ ପାଖରେ ରହିଗଲେ ସୁମନ୍ତ ବାବୁ ।

 

ପାଖକୁ ଯାଇ ଅନୁରୋଧ କଲି, ଆପଣଙ୍କ ସାଙ୍ଗରେ ମୋର କଥାଅଛି ।

 

ନା ।

 

ଯାହା ଜାଣନ୍ତି, ଆଉ କାହାକୁ କହିବେ ନାହିଁ ଦୟାକରି ।

 

ସେ ଭୟ ଆପଣଙ୍କର ନାହିଁ । କିନ୍ତୁ ମନେରଖିବେ, What is unnatural, that is obscene !

 

ଯେ ପର୍ଯ୍ୟନ୍ତ ଝରଣାଦିଙ୍କ କବଳରେ ଅଛି...

 

କବଳରେ !

 

ଘରର ଅବସ୍ଥା ଖରାପ । ସେ ମୋତେ କଣ୍ଟ୍ରାକ୍ଟ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଚନ୍ତି-। ତାଙ୍କର ଅଧୀନସ୍ଥ ହୋଇ ରହିବା ଛଡ଼ା ଉପାୟ ନାହିଁ । ମୋତେ ଭୁଲ ବୁଝିଚନ୍ତି ଆପଣ । ଇଚ୍ଛା ବିରୁଦ୍ଧରେ...

 

ବାଥ୍‍ରୁମ୍ ଦରଜା ଖୋଲା ହେବା ଶବ୍ଦରେ ଚମକି ଉଠିଲୁ ଦୁହେଁ ।

 

ସୁମନ୍ତ ବାବୁ, ଭିତରକୁ ଆସନ୍ତୁ । ବାହାରେ ଠିଆହେଇ କଥାବାର୍ତ୍ତା କଲେ ସେ ସନ୍ଦେହ କରିବେ ।

 

କହିଦେବେ, ମୁଁ ବ୍ରେକ୍‍ଫାଷ୍ଟ ଦେଇ ଚାଲିଗଲି ।

 

ସେ ଆଉ ରହିଲେନି ।

 

ଝରଣାଦିଙ୍କ ଡାକ ଶୁଭିଲା, ମଞ୍ଜୁ... !

Image

 

Unknown

॥ ଦ୍ଵିତୀୟ ଅଙ୍କ ॥

 

ସୁମନ୍ତ...

 

ମୋର ରୂପ ଯେପରି କର୍କଶ ସ୍ଵଭାବ ମଧ୍ୟ ସେଇପରି ବୋଲି ଶୁଣି ଆସିଚି ମୋ ସମାଲୋଚକମାନଙ୍କଠାରୁ ପିଲାଦିନୁ ।

 

ରୂପ ପାଇଁ ଦାୟୀ ବାପା-ମାଆ; ଆଉ ସ୍ଵଭାବ ପାଇଁ...ହଁ, ଦାୟୀ ବି ସେଇମାନେ ଯେହେତୁ ମୋର ପାଞ୍ଚବର୍ଷ ବୟସରେ ମୋତେ ଅନାଥ କରି ଚାଲି ଯାଇଚନ୍ତି ସେମାନେ ।

 

ଭଦ୍ରକ ରେଲ୍‍ଓୟେ କଲୋନୀ । ଲୋକୋସେଡ଼୍‍ଆଡ଼କୁ ଛୋଟ ଦୁଇବଖୁରିଆ କ୍ଵାଟର । ତା’ରି ଭିତରେ ମୁଁ ବଡ଼ ହେଲି ।

 

ରେଲ୍ଓୟେରେ ଫାୟାରମ୍ୟାନ୍ ଥିଲେ ମାମୁ; ମୋ ମାଆର ନିଜ ବଡ଼ଭାଇ ।

 

ଆଠଗୋଟି ସନ୍ତାନ ସେମାନଙ୍କର । ତେଣୁ ମୁଁ ନିଶ୍ଚୟ ହେଇଥିଲି ବୋଝପରି । ତଥାପି ଅଧିକା ବୋଝଟାକୁ ଯେ ସେମାନେ ବହନ କରିଥିଲେ, ସ୍ଵଇଚ୍ଛାରେ କି ଅନିଚ୍ଛାରେ ହେଉ, ସେତିକି ସେମାନଙ୍କ ଦୟା ।

 

ଦାରିଦ୍ର୍ୟ ପ୍ରପୀଡ଼ିତ ଏଇ ପରିବାର ଭିତରେ ମୁଁ ଥିଲି ରୂପରେ ସବୁଠାରୁ ଅସୁନ୍ଦର । କ୍ଲାସରେ ଫାଷ୍ଟ ସେକେଣ୍ଡ ହେଉଥିବା ମାମୁ-ପୁଅ ଭାଇମାନେ ହୁଏତ ମୋତେ ସେମାନଙ୍କଠାରୁ ଏଇଥି ପାଇଁ ନିକୃଷ୍ଟତର ଭାବୁଥିଲେ ବୋଲି ସବୁବେଳେ ମନେହେଉଥିଲା ମୋର । ପଢ଼ାପଢ଼ିରେ ମୁଁ ଭଲନଥିଲି ଆଦୌ । ରେଲ୍‍ଓୟେ କଲୋନୀରେ ଏକମାତ୍ର ବିଦ୍ୟାଳୟ ଆଙ୍ଗ୍ଲୋଓଡ଼ିଆ ସ୍କୁଲରେ କୌଣସି ପ୍ରକାରେ କ୍ଲାସ୍‍ ଉଠିଯାଉଥିଲେ ମଧ୍ୟ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ମତରେ ମୁଁ ସୁମନ୍ତ ମହାପାତ୍ର ସବୁ ବର୍ଷ ଫେଲ୍‍ ହେବା କଥା...

 

ପାସ୍‍ ଯେ କରିଯାଉଚି, ତାହା କପି କରିବାର ଫଳ ଯାହା ଧରି ନ ପାରିବାଟା ସେଇମାନଙ୍କ ଅଯୋଗ୍ୟତା ବୋଲି ଜାଣିଥିଲେ ସେମାନେ ।

 

ମୁଁ ବି ଜାଣିଥିଲି, ମୋ କପି ଧରି ପାରିବା ଯେ କାହାରି ସାଧ୍ୟର ଅତୀତ । କପି କରିବା ଏବଂ ତାହା ଲୁଚାଇ ରଖି ପାରିବାର କୌଶଳରେ ମୁଁ ଯେତିକି ବିଚକ୍ଷଣତା ପ୍ରମାଣ କରିଚି, ସେତିକି ବିଚକ୍ଷଣତା... ବୁଦ୍ଧି ଆଉ ମନଯୋଗ ପଢ଼ିବା ପ୍ରତି ଥିଲେ ଫାଷ୍ଟ ହଉଥାଆନ୍ତି କ୍ଲାସରେ ।

 

ମନେପଡ଼େ ଗୋଟିଏ ପରୀକ୍ଷା-ପୂର୍ବବର୍ତ୍ତୀ ଦିନର ଘଟଣା ।

 

ମାମୁ ପୁଅ ଭାଇମାନେ କାଳେ ଦେଖିନେବେ ବୋଲି କଲୋନୀ ବାହାରେ ଅବସ୍ଥିତ ବିରାଟ ଜଳାଧାର କୂଳକୁ ଚାଲି ଯାଇ ନିଛାଟିଆ ପଥର ବନ୍ଧ ଉପରେ ବସି ଛୋଟ ଛୋଟ ଅକ୍ଷରରେ ନୋଟ୍‍କରି ଚାଲିଥିଲି ପଏଣ୍ଟଗୁଡ଼ିକୁ ଟୁକୁରା କାଗଜମାନଙ୍କରେ ଯାହା ନେଇ ପରୀକ୍ଷା ହଲକୁ ଯିବି ।

 

ଏକ ମନରେ ନୋଟ୍‍କରି ଚାଲିଥାଏ । ସମ୍ଭାବ୍ୟ ପ୍ରଶ୍ନଗୁଡ଼ିକ ଟେଷ୍ଟପେପରରୁ ଅନୁମାନ କରିଥିଲି । ବର୍ତ୍ତମାନ ଖାଲି ନୋଟ୍‍ ବହି ଦେଖି ଉତ୍ତର ଲେଖି ନେବା କଥା ।

 

ଲେଖୁ ଲେଖୁ ହଠାତ୍‍ ସନ୍ଦେହ ଆସିଲା ମନରେ–ରବି ଠାକୁରଙ୍କ “To the heaven of freedom my father let my country awake…” ଏଇଟା ହୁଏତ ପଡ଼ିଯାଇ ପାରେ ଏଥର, ଯଦିଓ ଟେଷ୍ଟପେପରରେ ନାହିଁ । ଠିକ୍‍ ଯେପରି ପ୍ରି-ଟେଷ୍ଟବେଳେ ପଡ଼ିଗଲା ଅପ୍ରତ୍ୟାଶିତଭାବେ M.I.L. ଓଡ଼ିଆ ପେପରରେ କାନ୍ତକବିଙ୍କର “ହେ ମୋହନ, କି ମୋହନ ମନ୍ତ୍ରେ ଦେଇ ଚାଲି; ଭାରତର ବକ୍ଷେ ଦେଲ ଅଗ୍ନି ଶିଖା ଜାଳି...” ଟେଷ୍ଟପେପରରେ ନ ଥିଲେବି ।

 

ସେଇପରି ଗନ୍ଧ ପାଉଥିଲା ମୋ ସିକ୍‍ସ୍‍ଥ୍-ସେନ୍‍ସ୍‍ !

 

ଖୁବ୍‍ଶୀଘ୍ର ସ୍ଵାଧୀନ ହେବାକୁ ଯାଉଚି ଭାରତ ବର୍ଷ । ତାରିଖ ବି ଘୋଷଣା ହେଇ ସରିଲାଣି । ଅଗଷ୍ଟ ପନ୍ଦର । ଆଉ ମାସଦୁଇଟା ବାକି । ସାହସୀ ଶିକ୍ଷକମାନେ ନିଶ୍ଚୟ ପକାଇ ଦେବେ ଏଇପ୍ରକାର ପ୍ରଶ୍ନ ଟେଷ୍ଟପେପର ବାହାରୁ ।

 

ବିନା ପରିଶ୍ରମରେ ପ୍ରଶ୍ନପତ୍ର ତିଆରି କରିବାର ଏକମାତ୍ର ‘ଶୋର୍ସ’ ସେମାନଙ୍କର ଟେଷ୍ଟପେପର । ଏଥର କିନ୍ତୁ ତାହାର ଟିକିଏ ବ୍ୟତିକ୍ରମ ହେବ ଏଇ କେସରେ !!

 

ଭାବୁଥାଏ...

 

ହଠାତ୍‍ ପଛଆଡ଼ୁ ଶୁଭିଲା, ହ୍ୟାଲୋ ।

 

ଚମକି ଉଠି ଚାହିଁ ଦିଏତ, ମିସେସ୍ ମାର୍ଗାରେଟ୍ !

 

ମିସେସ୍ ମାର୍ଗାରେଟ୍ ଆମର ଇଂଲିଶ୍‍ ଶିକ୍ଷୟିତ୍ରୀ ।

 

କପି କାଗଜଗୁଡ଼ିକ ଧରି ପକାଇ କହିଲେ ସୁମନ୍ତ, ୟୁ ଆର୍‍ କ’ଟ୍‍ ରେଡ଼୍‍ ହେଣ୍ଡେଡ଼୍‍ ଟୁଡେ !

 

ମୁଁ ନିର୍ବାକ୍‍ !!!

 

ଟିକିଏ ହସିଲେ; ତା’ପରେ ଗମ୍ଭୀର ହେଇଗଲେ । ଆଚ୍ଛା, କାହିଁକି ତା’ର ପଢ଼ାରେ ମନଲାଗୁନି କହିଲୁ ?

 

ମ୍ରିୟମାଣ ହୋଇ କହିଲି, ଜାଣେନା । ମୁଁ ବି ବୁଝିପାରୁନି ଠିକ୍‍ । ପଢ଼ାରେ...

 

କିନ୍ତୁ ମୁଁ ଜାଣେ । ପାଠପଢ଼ାରେ ତୋର ମନଲାଗୁନି, ତାହାର କାରଣ ତୋର ଅଭିନିବେଶ ବା କନସେଣ୍ଟ୍ରସନ୍‍ର ଅଭାବ । କୌଣସି ନିର୍ଦ୍ଦିଷ୍ଟ ଜିନିଷରେ ବେଶୀ ସମୟ ତୁ ମନ ସ୍ଥିର ରଖିପାରୁନା । ତୋତେ ଠିକ୍‍ ଷ୍ଟଡି କରିଚି ମୁଁ । ତେବେ, ଯାହା କହୁଚି ପ୍ରାକ୍‍ଟିସ୍‍ କରି ଦେଖ୍‍–କନସେଣ୍ଟ୍ରେସନ୍‍ ଆସିଯିବ । ଇଂଲଣ୍ଡରେ ଏପରି କରାହୁଏ । ଉପାୟଟା ହେଉଚି, ବନ୍‍ଶୀ ଖଡ଼ାରେ ଚାର ଗୁନ୍ଥି ପୋଖରୀ କୂଳେ ବସି ଚେଷ୍ଟା କର୍‍ ମାଛ ଧରିବାକୁ । ଗପବହି ନେଇଥିବୁ ସାଙ୍ଗରେ, ଇଚ୍ଛାହେଲେ ପଢ଼ିବୁ । ପ୍ରତିଦିନ ଦୁଇଘଣ୍ଟାରୁ ତିନି ଘଣ୍ଟାଯାଏ ଏହିପରି ମାଛ ଧରିବାର ଚେଷ୍ଟାକଲେ କନସେଣ୍ଟ୍ରେସନ୍ ଆସିଯିବ ଆପେ ଆପେ । ତୁ ଭଲପିଲା, ମୋ ଉପଦେଶଟା ମାନି ଦେଖ୍ ତ କ’ଣ ହେଉଚି ।

 

ଏତିକି କହି କପି କାଗଜତକ ଅବଶ୍ୟ ସେ ଫେରାଇ ଦେଇଥିଲେ ।

 

ପରୀକ୍ଷାଟା ଗଲା ।

 

ତା’ପରେ ତାଙ୍କ ଉପଦେଶ ଅନୁଯାୟୀ ଚାର ଗୁନ୍ଥି ବସିବାକୁ ଲାଗିଲି ଉପରବେଳା ସ୍କୁଲ୍‍ ଛୁଟି ପରେ ଚାରିଟାରୁ ଛଅଟା ଯାଏ । ଖରାଦିନ ହେଇଥାଏ; ବେଶ୍‍ ଲାଗେ ସନ୍ଧ୍ୟାଯାଏ ପାଣି ଧାରରେ ବସିବାକୁ । ହେଲେ ବସେ ସିନା, କନସେଣ୍ଟ୍ରେସନ୍ କିନ୍ତୁ ଚାର ପାଖରେ ବା ମାଛ ଆଡ଼କୁ ରହେ ନାହିଁ ସବୁବେଳେ । ସେଇ ବିଶାଳ ସୁବିସ୍ତୀର୍ଣ୍ଣ ଜଳାଧାର ଆର ପାଖେ ଚାଉଳକଳର ଚିମ୍‍ନିରୁ ଉଠୁଥିବା ଧୂଆଁଆଡ଼କୁ ଚାହିଁ ମୁଁ ଭାବେ ସେହି କାଳର ଯାନ୍ତ୍ରିକ ପ୍ରକ୍ରିୟା କଥା; ଫେରି ଚାହେଁ ଅଦୂରସ୍ଥ ଲେଭେଲ୍‍ କ୍ରସିଂଆଡ଼କୁ–ମନେପଡ଼େ ସେଇଠି ହୋଇଯାଇଥିବା ଏକସିଡେଣ୍ଟ୍; ଯୋଉଥିରେ ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯାଇଥିଲା ଗୋଟିଏ ପୋଲିସ୍ ଜୀପ୍ । ଘୂରି ଚାହେଁ ରାଜଘାଟ ପୋଲଆଡ଼କୁ –ମନେପଡ଼େ ଶାଳନ୍ଦୀର ଗତବର୍ଷ ବନ୍ୟା କଥା–ପୋଲ ଉପରୁ ଠିଆହୋଇ ଆମେସବୁ କିପରି ବନ୍ୟା ଦେଖୁଥିଲୁ ତଳକୁ ଚାହିଁ...ଇତ୍ୟାଦି ।

 

ମାଛ ଆଉ ଚାର ଊହ୍ୟ ହୋଇଯାଏ କୁଆଡ଼େ ଏଇସବୁ ବିଭିନ୍ନ-ମୁଖୀ ଚିନ୍ତା ଭିତରେ । ଫେଲ୍‍ କରେ କନସେଣ୍ଟ୍ରେସନ୍ ପ୍ରକ୍ରିୟା !!

 

ତଥାପି ମୁଁ ପ୍ରାକଟିସ୍ କରି ଚାଲିଥିଲି । ଯାଉଥିଲି ପ୍ରତିଦିନ । କାରଣ ମୋତେ ଭଲ ଲାଗୁଥିଲା । ଭଲ ଲାଗୁଥିଲା ପାଣି କୂଳରେ ସେଇ ବରଗଛ ତଳେ ନିରୋଳାରେ ବସିବାକୁ । ଘାସବଣ ଘେରା ଇମିତି ସ୍ନିଗ୍ଧ ନିଭୃତି ସ୍ଥାନଟିଏ ସାରା ସହରରେ ନାହିଁ । ମାଛ ହୁଏତ ଦୁଇ ତିନିଟି କେବେ କିମିତି ଧରାପଡ଼ିଥିଲେ, କିନ୍ତୁ ଆନନ୍ଦ ଯାହା ପାଉଥିଲି ବସି ବସି ତାହାହିଁ ଥିଲା ମୋର ଲାଭ ।

 

ଏହିପରି କନସେଣ୍ଟ୍ରେସନ୍ ପ୍ରାକଟିସ୍ କରୁ କରୁ ଏକ ସାୟାହ୍ନରେ ଘଟିଗଲା ସେଇ ଅଘଟଣ ।

 

ବରଗଛ ତଳେ ବସିପଡ଼ି ମୁଁ ସେଦିନ ବନ୍‍ଶୀଟି ପକାଇବାମାତ୍ରେ ବିରାଟ ମାଛଟାଏ ଲାଖିଗଲା କଣ୍ଟାରେ । ଖୁବ୍ ବଡ଼ ନିଶ୍ଚୟ ! ମୁଁ ତାକୁ ଟାଣି ଉଠାଇ ପାରୁନଥିଲି । ଦେଖି ପାରୁନଥିଲି ଅବଶ୍ୟ ପାଣି ଭିତରେ ଥିବାରୁ–କିନ୍ତୁ ଇମିତି ହଲ୍ ଚଲ୍ ହେଉଥିଲା ଯେ ଢେଉ ଉଠୁଥିଲା ଉପରକୁ-। କିଂକର୍ତ୍ତବ୍ୟବିମୂଢ଼ ମୋତେ ଅବାକ୍ କରି ପର ମୁହୂର୍ତ୍ତରେ ଦେଖାଗଲା କଣ୍ଟା ସହିତ ଗୁଡ଼ାଇହୋଇ ରକ୍ତାଭ କେଶ-ଗୁଚ୍ଛ ଆଉ ମିସେସ୍ ମାର୍ଗାରେଟ୍‍ଙ୍କ ମୁହଁ-

 

(କହିବାକୁ ଭୁଲିଯାଇଚି, ଏଠାକାର ଅନ୍ୟାନ୍ୟ ଆଙ୍ଗ୍ଲୋ ଇଣ୍ଡିଆନ୍‍ମାନଙ୍କ ପରି ସ୍ଵର୍ଣ୍ଣାଭ ନୁହେଁ, ରକ୍ତାଭ ଥିଲା ତାଙ୍କ କେଶ, ଯୋଉଥି ପାଇଁ ‘ଜବା-କେଶୀ’ ବୋଲି ଡାକୁଥିଲେ ତାଙ୍କୁ କେତେକ, ଅବଶ୍ୟ, ତାଙ୍କ ପଛରେ ।)

 

ସନ୍ଧ୍ୟାବେଳେ ଏକୁଟିଆ ଗାଧୋଇବାକୁ ଆସି ଇମିତି ଗୋଟାଏ ଖିଆଲରେ ସେ କୁଆଡ଼େ ପରୀକ୍ଷା କରି ଦେଖୁଥିଲେ କେତେ ସମୟ ପାଣି ଭିତରେ ନିଶ୍ଵାସ ବନ୍ଦ୍ କରି ବୁଡ଼ି ରହିପାରିବେ । ଏଇ ଥର ମନେ ମନେ ଷାଠିଏ ଯାଏ ଗଣି (ଏଇଟା ସବୁଠାରୁ ବେଶୀ ସମୟ) ଅଣ-ନିଶ୍ଵାସୀ ହେଇ ଉପରକୁ ମୁଣ୍ଡ ଟେକୁ ଟେକୁ ମୋ ବନ୍‍ଶୀର କଣ୍ଟାଟା କୁଆଡ଼େ...

 

(ଏସବୁ ଅବଶ୍ୟ ସେ ମୋତେ କହିଥିଲେ ପରେ) !

 

ଉପରକୁ ମୁଣ୍ଡ ଟେକିବା କ୍ଷଣି ମୋତେ ଦେଖି ପାଟିକରି ଉଠିଥିଲେ

 

ନଟି ବୟ୍, ଉହୁଃ... କାଢ଼ି ନେ... କାଢ଼ିନେ କଣ୍ଟାଟାକୁ !

 

ପାଣି ଭିତରକୁ ଯିବି କିପରି, ଆପଣ ବରଂ କାଢ଼ିଦିଅନ୍ତୁ । ବିପନ୍ନ ହୋଇ କହିଲି ।

 

ବନ୍‍ଶୀଟା ଛାଡ଼ି ଦେ ତୁ । ସୁତାଟାକୁ ଟାଣୁ ଟାଣୁ କହିଲେ, –ୟୁ ଆର ଫିସିଙ୍ଗ୍ ମି ଟୁଡେ-!

 

ଆଇ ଆମ୍ ସରି... କହି ବନ୍‍ଶୀ ଛାଡ଼ିଦେଲି । ପାଣି ଉପରେ ସେଇଟା ଭାସିବାକୁ ଲାଗିଲା । ଦେଖୁଥାଏ, ଟାଣି ଝିଙ୍କି ସୂତା ଛିଡ଼େଇବାକୁ, ଚେଷ୍ଟା କରୁଥାଆନ୍ତି ସେ, ପାରୁନଥିଲେ ମଧ୍ୟ ।

 

କହିଲି, ଆପଣ ଉଠି ଆସନ୍ତୁ ଉପରକୁ; ମୁଁ ବାହାର କରିଦେବି ।

 

ଲାଇକ୍ ଦିସ୍ ! –ସେ ହସିଉଠିଲେ, କଣ୍ଟାଟା ବାହାରି ଗଲା, ବାଳରୁ, ବନ୍‍ଶୀଟା ହାତରେ ଧରି ବେତ ଉଞ୍ଚାଇବା ଭଙ୍ଗୀରେ କହିଲେ ଆଖି ବୁଜ୍, ମୁଁ ପାଣିରୁ ଉଠିବି ଏଇନେ, ଭିତରେ କିଛି ପିନ୍ଧିନି !... ଖାଲି ବୁଜିଲେ ହବନି, ହାତ ଢାଙ୍କ୍ ଆଖିରେ... । ହୁଁ, ସେଇ ରକମ୍; ବେଶ୍-। ପଛ ବୁଲି ଠିଆ ହ’ ତ ବର୍ତ୍ତମାନ । ଠିକ୍ ଅଛି ।

 

ପାଣିରୁ ସେ ଉଠୁଚନ୍ତି । ଜଳର ଛଳ-ଛଳ ସହିତ ତାଙ୍କ ହସର କଳ କଳ ଶୁଭୁଚି ଘନ ଘୋର ଅନ୍ଧକାର ଭିତରେ ।

 

କିନ୍ତୁ କୌତୂହଳୀମନ ବାଧା ମାନେ ନାଇଁ । ...ବାରଣ ମାନେ ନାଇଁ । କିଛି ପିନ୍ଧି ନାହାନ୍ତି ମାର୍ଗାରେଟ୍ !

 

ମୁଁ ଟିକିଏ ଦେଖନ୍ତି !

 

ନିବୁଜଭାବେ ଆଖି ଉପରେ ଢାଙ୍କିଥିବା ଆଙ୍ଗୁଳି ଅଳ୍ପ ଟିକିଏ ମେଲା କଲି–ପତା ଖୋଲି ଆସ୍ତେ ଫେରି ଚାହିଁଲି ପଛକୁ... ।

 

କୂଳରୁ ଭିତରକୁ ଝୁଙ୍କିପଡ଼ି ପ୍ରାୟ ପାଣି ଛୁଉଁଥିବା ଗୋଟିଏ ବରଗଛ ସିଅରୁ ସେ ତାଙ୍କର ଅନ୍ତର୍ବାସ ନେଇ ପିନ୍ଧୁଚନ୍ତି । ପାଦ ଦୁଇଟି କେବଳ ବୁଡ଼ି ରହିଚି । ପାଣି ସେଠି ଅଳ୍ପ !!

 

ନିର୍ଜନ ଜଳାଶୟ ତୀରରେ ତନ୍ଵୀ ଯୁବତୀର ଉନ୍ମକ୍ତ ଦେହ !!! ...ଯାହାର ଦର୍ଶକ କେବଳ ଜଣେ । ହଠାତ୍ ମୋର ମନେହେଲା, ମୁଁ କିଶୋର ନୁହେଁ... ପୁରୁଷ; ଆଉ ସେ ଶିକ୍ଷୟିତ୍ରୀ ନୁହେଁ ନାରୀ !!!

 

ଦେଖିବାକୁ ଲାଗିଲି ନିର୍ନିମେଷ ଦୃଷ୍ଟିରେ ।

ସେଇ ସିଅରେ ସେ ଝୁଲାଇ ରଖିଥିଲେ ଅନ୍ତର୍ବାସ ସହିତ ବହିର୍ବାସ ମଧ୍ୟ । ଗୋଟିଏ ପରେ ଗୋଟିଏ ସବୁ କିଛି ପିନ୍ଧି ବୋତାମ ଲଗାଇବା ଶେଷ କରିବା ଆଗରୁ କହିଲେ, ଆଖି ଖୋଲିପାରୁ ଏବେ... ଆରେ... ନଟି ବୟ... ଏ କ’ଣ… ତୁ ଯେ ଫେରି ଚାହିଁଚୁ ମୁଁ ଅନୁମତି ଦେବା ଆଗରୁ... ! ସବୁ କିଛି ଦେଖିଚୁ ନାଁ କ’ଣ ?

ପୂରାପୂରି ହାତ କାଢ଼ିଦେଇ ମୁଁ ହସି ଉଠିଥିଲି ଆଉ ସେ ବି !

ମିସେସ୍ ମାର୍ଗାରେଟ୍ ।

ସ୍ଵାମୀ ତାଙ୍କର ଇଞ୍ଜିନ୍ ଡ୍ରାଇଭର । ଯାତାୟାତ ଖଡ଼ଗପୁର ୱାଲଟିୟର ରୁଟରେ । ସପ୍ତାହର ନିର୍ଦ୍ଦିଷ୍ଟ ଦୁଇଦିନ ମାତ୍ର ରହନ୍ତି ସେ ଏଠି । ବାକି ପାଞ୍ଚଦିନ ବାହାରେ । ସ୍ଵାମୀ-ବିହୀନ ରାତିରେ ସୁନିଦ୍ରା ପାଇବା ପାଇଁ ଆଜିପରି ସପ୍ତାହର ଏହି ପାଞ୍ଚଦିନ ସେ ଇମିତି ପାଣିରେ ବୁଡ଼ି ସନ୍ଧ୍ୟାବେଳୁ ଦେହ ଥଣ୍ଡାକରି ନିଅନ୍ତି ବୋଧହୁଏ ନିୟମିତ ।

ତାଙ୍କ ସାଙ୍ଗରେ ବନ୍ଧୁତା (?) ହୋଇଯିବା ପରେ ପଚାରି ଦେଇଥିଲି ଅବଶ୍ୟ ।

କହିଥିଲେ, ମାତୃ-ଗର୍ଭରୁ ଯେଉଁପରି ସେ ଜନ୍ମ ହେଇଚନ୍ତି...ସେଇପରି ହେବାକୁ ଇଚ୍ଛା ହୁଏ ତାଙ୍କର ଜଳାଶୟ ଭିତରେ ପଶିଲେଇ । ନିଜେ ମଧ୍ୟ ସେ କହିପାରିବେନି ଏହାର କାରଣ–କହିପାରିବେ ତାଙ୍କୁ ପରୀକ୍ଷା କରି କୌଣସି ମନସ୍ତାତ୍ତ୍ଵିକ ହୁଏତ ।

ନାରୀ ଦେହ ସମ୍ବନ୍ଧରେ ମୋତେ ପ୍ରଥମ ଅଭିଜ୍ଞତା ଦେଇଥିବା ସେଇ ମିସେସ୍‍ ମାର୍ଗାରେଟ୍‍ ପ୍ରସଙ୍ଗ କ୍ରମେ ଥରେ କହିଥିଲେ ଗୋଟିଏ ନୂଆ କଥା–ଜଣେ ଝିଅ କୁଆଡ଼େ ଆଉ ଜଣେ ଝିଅ ପ୍ରେମରେ ବି ପଡ଼ିପାରେ ।

ପରେ ଏହା ଆବିଷ୍କାର କରିଥିଲି ସାହିତ୍ୟର ପୃଷ୍ଠାରୁ ।

ମାଟ୍ରିକ୍‍ ପରୀକ୍ଷା ସମୟରେ ମୋର ଓଡ଼ିଆ ପୋଏଟ୍ରି ସିଲେକ୍‍ସନ୍ ହଜି ଯାଇଥିବାରୁ ରାଧାନାଥ ଗ୍ରନ୍ଥାବଳୀର ଯେଉଁ ଅଂଶଟି ସେଥିରେ ଅଛି ସେଇତକ ଅନ୍ତତଃ ଫୁଟନୋଟ୍‍ ସହ କପିକରି ନେବାପାଇଁ ସ୍କୁଲ ଲାଇବ୍ରେରୀରୁ ନେଇ ଆସିଥିଲି ଗ୍ରନ୍ଥାବଳୀଟିକୁ ।

“ଚିଲିକା” ତ ଥିଲା କେବଳ କୋର୍ସରେ । ସବୁ ବର୍ଷ ପଡ଼ିବା କଥା ସେଇ ଦିହ-ଘଷା ପ୍ରକୃତି ବର୍ଣ୍ଣନା ପଦକ–

“ଯହିଁ ମେଘାଲୋକେ ପ୍ରଫୁଲ୍ଲ ଅନ୍ତର,

ମୈଥିଳୀ-ପାଳିତ କେକୀ ବଂଶଧର

ନୀପେ ନୃତ୍ୟକାରୀ ନୀଳକଣ୍ଠ କେକା

ଅଦ୍ୟାପୀ ସୂଚଇ ରାମାଶ୍ରମ ରେଖା ।”

ତଳେ ଲେଖାଥିବ–କୁହ ଏଇଟା ରାଧାନାଥଙ୍କ କୋଉ କାବ୍ୟରେ ଅଛି; ବୁଝାଅ–କୋଉ ସ୍ଥାନରେ ବର୍ଣ୍ଣନା ସେ କରିଚନ୍ତି ।

‘ଚିଲିକା’ରୁ ଯାହା ନୋଟ୍‍ କରିବା କଥା କରିନେଇ (ସେଇ ପରୀକ୍ଷା ସମୟରେ !) ମୁଁ କୋର୍ସ ବହିର୍ଭୂତ ତାଙ୍କର ପ୍ରେମଧର୍ମୀ କାବ୍ୟଗୁଡ଼ିକ ପଢ଼ି ବସିଲି କୌତୂହଳୀ ହୋଇ ।

‘ଚିଲିକା’ ପରେ ପ୍ରଥମେ ଆରମ୍ଭ କଲି “ଯଯାତି କେଶରୀ” । କାହିଁକି ସେଇଟା ପଢ଼ି ବସିଲି ପ୍ରଥମେ, କାରଣ ନାହିଁ କିଛି । ଗୋଟାଏ ଖିଆଲରେ ।

‘କେଦାର ଗୌରୀ’, ‘ଉଷା’ କି ‘ନନ୍ଦିକେଶ୍ଵରୀ’ ବି ପଢ଼ି ପାରିଥାଆନ୍ତି ପ୍ରଥମେ । କିନ୍ତୁ ପୃଷ୍ଠା ଲେଉଟାଉ ଲେଉଟାଉ ସେଇଟାଇ ବାହାରିପଡ଼ିଲା ଆଗେ । ତେଣୁ ପଢ଼ିବସିଲି । ଆଉ... ପଢ଼ୁ ପଢ଼ୁ ରହିଗଲି ସେଇଠି, ଯୋଉଠି ରାଜଜେମା ଲଳିତା ଯଯାତି-ଭଗ୍ନି ବିମଳାକୁ ଭିଡ଼ିଧରି–“ବିମଳାକୁ ଜେମା ସକଳ୍ପେ ପୁରୁଷ ଗଢ଼ିନେଇ ସେହିପରି..., ଲଳିତ-ସମ୍ଭୋଗ ରୀତିମାନ ମନେ ଆଚରିଲା ଅଳ୍ପୋଦରୀ...”

ମନଶ୍ଚକ୍ଷୁରେ ମୋର ନାଚିବାକୁ ଲାଗିଲା ଅହେତୁକଭାବେ ସେଇ କାଳ୍ପନିକ ଦୃଶ୍ୟଟି କାବ୍ୟ ଶେଷ କରିବାପରେ ବି । କାହିଁକି ଅବଶ୍ୟ ଜାଣେନା । ହୁଏତ ସେଥିରେ Peculiarity ସ୍ଵାଦ ଥିଲା ବୋଲି ।

ପରୀକ୍ଷା ଆଗରେ ଥିଲାବେଳେ ସମୟ କଟାଇବା ପାଇଁ ଯିଏ ‘ଯଯାତିକେଶରୀ’ ପଢ଼ି ବସେ ସେ ଫେଲ୍‍ ହେବା ଉଚିତ ।

ମୁଁ କିନ୍ତୁ ପାସ୍‍ କରିପାରିଥିଲି ।

(କପି... !)

କଲେଜରେ ଏଡ୍‍ମିଶନ୍ ନେଲି ତା’ପରେ ।

କିନ୍ତୁ ଘରର ଅବସ୍ଥା ଖରାପଆଡ଼କୁ ଗତି କରିଥାଏ ସେତେବେଳକୁ ।

କିଛିଦିନ ଧରି ମାଇଁଙ୍କର ଯୋଉ ଖୁଁ ଖୁଁ କାଶଟା ଚାଲିଥିଲା, ସେଇଟା ଯେ ସୁବିଖ୍ୟାତ ରାଜକୀୟ ବ୍ୟାଧି ତାହା ଜଣାପଡ଼ିଗଲା ଶେଷରେ । ସେ ଗଲେ ଇଟ୍‍କୀ । ସ୍ୟାନାଟୋରିଅମ୍ ଖର୍ଚ୍ଚ ଚଳାଇବା ପାଇଁ ମୋରି ଆଡ଼ୁ ହେଲା ଖର୍ଚ୍ଚ-କାଟ୍‍ ବ୍ୟବସ୍ଥା । ମୋ ପଢ଼ାପାଇଁ ଆଉ ସେମାନେ ଦେଇପାରିବେନି । ସ୍ଵାଭାବିକ । ସରକାରୀ ନୀତି ମଧ୍ୟ ଏଇଆ । ସ୍ୱାସ୍ଥ୍ୟ ବିଭାଗ ବଜେଟ୍ ଭାରୀ ହେଇଗଲେ ଶିକ୍ଷା ବିଭାଗରୁ ଛଟେଇ କରାଯାଏ ।

ମାମୁ ଅବଶ୍ୟ ବୁଝାଇ ମୋତେ କହିଥିଲେ ଏବଂ ଚେଷ୍ଟାକରି ଯୋଗାଡ଼ କରି ଦେଇଥିଲେ ସ୍ଥାନୀୟ ବ୍ଲକ୍‍ ଅଫିସରେ କନିଷ୍ଠ କିରାନୀର ଚାକିରିଟିଏ ।

ବ୍ଲକ୍‍ ଚାକିରି–କ୍ଵାଟର ପାଇବା ପାଇଁ ମୁଁ ହକ୍‍ଦାର–ତଥାପି ରହିବାକୁ ଲାଗିଲି ମାମୁଙ୍କ ବସାରେ ଯେହେତୁ ସେ ଇଚ୍ଛା କରୁଥିଲେ ମୁଁ ନ ଯାଏ । ଏଇ ଇଚ୍ଛାଟା ଅବଶ୍ୟ କୃତ୍ରିମ ନୁହେଁ ପ୍ରାକୃତିକ । କାରଣ ଘରେ ରହିଲେ ଅନ୍ତତଃ ଖାଇବା ଖର୍ଚ୍ଚ ଦେବି ତ ! (ସେଇଥିରୁ ସେ କିଛି ରୋଜଗାର କରିପାରିବେ !!)

ଦୁନିଆରେ କେହି କାହାକୁ ବିନା ସ୍ଵାର୍ଥରେ ଭଲପାଏ ନାହିଁ ଦେଖିଚି ।

 

ମାମୁଙ୍କୁ ତା’ହେଲେ ଆଉ ଦୋଷ ଦେବି କାହିଁକି ?

 

ହୃଦୟର ବନ୍ଧନ କଟିଗଲେ ବି ଚକ୍ଷୁଲଜ୍ଜାର ବନ୍ଧନ କାଟି ଦେଇ ହୁଏନା । ତେଣୁ ମାମୁଙ୍କ ପରିବାର ପ୍ରତି ମୋର ହାର୍ଦ୍ଦିକ ସମ୍ପର୍କ ନ ଥିଲେ ବି ଏକ ପ୍ରକାର ବାଧ୍ୟହେଇ ରହିଥିଲି ସେଠି...ଚାକିରି କରିବା ପରେ ମଧ୍ୟ । ମୋର ପୈତୃକ ସମ୍ପତ୍ତି ଏମାନେ ଆତ୍ମସାତ କରିଚନ୍ତି; ତଥାପି ମୋ ଦାୟିତ୍ଵ ନ ନେଇ ବି ପାରିଥାଆନ୍ତେ । କୌଣସି ସାକ୍ଷ୍ୟ-ପ୍ରମାଣ ତ ନାହିଁ ସେଇ ଆତ୍ମସାତ୍‍ର ଯଦିଓ ତାହା ସତ୍ୟ । ଏତେ ଦିନ ମୋ ଦାୟିତ୍ଵ ନେଲେ, ‘ଦୟା’ କରି ପଢ଼େଇଲେ..., ଏତିକି ନିଶ୍ଚୟ ମାନବିକତା ସେମାନଙ୍କର । କାରଣ ମୋ’ପ୍ରତି ନୈତିକ ଦାୟିତ୍ଵ ଥିଲେ ମଧ୍ୟ ଆଇନଗତ ଦାୟିତ୍ଵ ସେମାନଙ୍କର ନ ଥିଲା ।

 

ଅବଶ୍ୟ ଛଅମାସ ପରେ ତାଙ୍କର ଟ୍ରାନ୍ସଫର୍‍ ହେଇଗଲା ଖଡ଼ଗପୁର ଆଉ ମୁଁ ଉଠି ଆସିଲି ମୋତେ ଦିଆ ହୋଇଥିବା କ୍ଵାଟରକୁ । ବ୍ଲକ୍‍ କଲୋନୀର ଶେଷ, ଶାଳନ୍ଦୀ ଦେଖାଯାଏ, ସହରର ଉପାନ୍ତର ନିରୋଳା ଆଉ ସୁନ୍ଦର ସେଇ ପରିବେଶ ।

 

(ତେବେ ଖଡ଼ଗପୁର ଯିବା ପରେ ବି ନିସ୍ତାର ଦେଇନାହାନ୍ତି ମୋତେ ସେମାନେ । ନାନା ଆଳରେ ଟଙ୍କା ପାଇଁ ଲେଖିଚନ୍ତି–ଆଉ ମୁଁ ମଧ୍ୟ ପଠାଇଚି ପାରୁପର୍ଯ୍ୟନ୍ତ ! ଚକ୍ଷୁ-ଲଜ୍ଜାର ବନ୍ଧନ ତ !!)

 

ମାମୁ ଯିବା ପରେ ମୁଁ ଏକ ମନସ୍ତାତ୍ତ୍ଵିକ ମୁକ୍ତି ପାଇଥିଲି । ତାଙ୍କ ଘରେ ମୋର ସ୍ଥିତି ଆଉ ସହରରେ ତାଙ୍କର ଉପସ୍ଥିତି ଅନେକ ପରିମାଣରେ ଖର୍ବ କରୁଥିଲା ମୋର ସ୍ଵାଧୀନତା । ତାଙ୍କର ଟ୍ରାନ୍ସଫର୍‍ ପରେ ମନେହେଲା ମୁଁ ନିଷ୍କୃତି ପାଇଯାଇଚି ଯେହେତୁ ସେ ଜଗୁନଥିଲେ ମଧ୍ୟ ମନେହେଉଥିଲା ଜଗିରହିଥିବା ପରି । ସେଇ ଶ୍ଵାସ-ରୁଦ୍ଧତାରୁ ମୁକ୍ତି ମିଳିଲା ବର୍ତ୍ତମାନ । ଏଇ ଥର ଜୀବନକୁ ଉପଭୋଗ କରିପାରିବି ।

 

କିନ୍ତୁ ଉପଭୋଗ କରିବାକୁ ଚାହିଁଲେଇ ଉପଭୋଗ କରି ହୁଏନା । ଉପଭୋଗ ପାଇଁ କୌଣସି କିଛି ଭଦ୍ରକଭଳି ଛୋଟ ସହରରେ (ମୋର ବିରାଟ ମନ ପାଇଁ !) ନ ଥିବା ଭଳି ମଧ୍ୟ କ୍ରମେ କ୍ରମେ ମନେହେବାକୁ ଲାଗିଲା । ଜୀବନକୁ କିପରି ଇଣ୍ଟେରେଷ୍ଟିଂ କରାଯାଇପାରେ ସେଥିପାଇଁ ମୁଁ ଉପାୟ ଖୋଜିବାକୁ ଲାଗିଲି ।

 

ନିଷ୍କ୍ରିୟଭାବେ ରହିବା ମୋ ପକ୍ଷରେ ଥିଲା ପ୍ରାୟ ଆତ୍ମହତ୍ୟାର ସାମିଲ । ଏହି ମାନସିକ-ଆତ୍ମହତ୍ୟାରୁ ରକ୍ଷାପାଇବା ପାଇଁ ଶେଷରେ ମୋତେ ‘ଡ୍ରିଙ୍କ’ ଧରିବାକୁ ପଡ଼ିଲା । ସହରର ଏକମାତ୍ର ବାରରେ ଚାଲିଲା ମୋର ନୈଶ୍ୟ-ଲୀଳା କଣ୍ଟ୍ରାକଟରମାନଙ୍କ ଆତିଥେୟତାରେ-। ବ୍ଲକ୍‍ର ବିଲ୍ କ୍ଲର୍କ ଥିଲି ମୁଁ । ‘ପେମେଣ୍ଟ’ଟା ମୋ ହାତରେ ଥିବାରୁ ବିଲ୍ ପାସ୍‍ ହେବାରେ ଟିକିଏ ଡେରି କରି ଦେଲେ ଯଥା ସମୟରେ ସେମାନେ ଆସି ଆମନ୍ତ୍ରଣ କରି ନେଉଥିଲେ ବାର୍‍କୁ-

 

ପ୍ରଥମେ ପ୍ରଥମେ ଡ୍ରିଙ୍କ୍ ।

 

ତା’ପରେ ନେଲି ସିଧା ସଳଖ ନଗଦ ଟଙ୍କା । ଡ୍ରାଇଭିଂ ମଧ୍ୟ ଶିଖିଲି ସେଇମାନଙ୍କ ଗାଡ଼ି ନେଇ । ଶିଖୁ ଶିଖୁ ଜଣକର ଜୀପ୍‍ଟିଏ ଭାଙ୍ଗି ଦେଲି ।

 

କ୍ରମେ କ୍ରମେ ନିଜକୁ ଭାରି ବଡ଼ ମନେହେବାକୁ ଲାଗିଲା । ମନେହେଲା, ମୋର ଗାଡ଼ି ଅଛି, ଟଙ୍କା ଅଛି, ମୁଁ ଡ୍ରିଙ୍କ୍ କରିପାରୁଚି, ଡ୍ରାଇଭ୍ କରିପାରୁଚି; ଗୋଟାଏ ବାକ୍ୟରେ –ଜୀବନକୁ ଉପଭୋଗ କରିପାରୁଚି ।

 

ନିଜକୁ ବଡ଼ ବୋଲି ମନେକରିବା ପଛରେ କିନ୍ତୁ ଥିଲା ଅବଦମିତ ହୀନମନ୍ୟତା । ହଁ, ହୀନମନ୍ୟତାରେଇ ମୁଁ ଘାରି ହଉଥିଲି ଅବଚେତନ ମନ ଭିତରେ । କାରଣ, ଜାଣିଥିଲି ମୁଁ ଅସୁନ୍ଦର-। (ଭାରି ସଚେତନ ଥିଲି ମୋର ରୂପହୀନତା ସମ୍ବନ୍ଧରେ ଖୁବ୍ ପିଲାଦିନୁ । ସହପାଠୀମାନେ ମୋତେ ଚିଡ଼ାଉ ଥିଲେ ଅସୁନ୍ଦର ବୋଲି । ବୟସ ବଢ଼ିବା ସଙ୍ଗେ ସଙ୍ଗେ ମୋର ବିଶ୍ଵାସ ହୋଇଯାଇଥିଲା, କେବଳ ଏଇଥି ପାଇଁ କୌଣସି ଝିଅ ମୋତେ ଭଲପାଇ ପାରିବନି-।)

 

ସେଇଥି ପାଇଁ ତ ମିସେସ୍ ମାର୍ଗାରେଟ୍‍ଙ୍କ ସହିତ ଦୈହିକ ସମ୍ପର୍କ ସ୍ଥାପିତ ହେବାପରେ ଦିନେ ପଚାରି ଦେଇଥିଲି, ଆପଣଙ୍କ ସ୍ଵାମୀ ଏତେ ସୁନ୍ଦର ସୁପୁରୁଷ; ଆପଣ ମୋତେ ଭଲ ପାଇପାରୁଚନ୍ତି କିପରି ?

 

ଦୂର୍ ବୋକା । ସେ ଉତ୍ତର ଦେଇଥିଲେ–ତୋତେ ପୁଣି ଭଲପାଇଲି କେବେ ? ଖାଲି ବ୍ୟବହାର କରୁଚି ମାତ୍ର; ଜଷ୍ଟ ଇଉଜିଂ ୟୁ ! ସ୍ଵାମୀଙ୍କ ଅବର୍ତ୍ତମାନରେ ମୋର ସେଇଟା ଦରକାର !! ବେଶ୍ ସେତିକି !!!

 

ବୁଝିଥିଲି କୌଣସି ନାରୀ ମୋତେ ଭଲପାଇବନି, କେବଳ ବ୍ୟବହାର କରିବ । ବ୍ୟବହୃତ ସାମଗ୍ରୀ ପରି ବ୍ୟବହାର କରି ପରିତ୍ୟାଗ କରିବ ‘ନିରୋଧ’ ବା ସେଇ ଭଳି ଅନ୍ୟପ୍ରକାର ଉପକରଣ ପରି । ତେଣୁ ଭାବିନେଲି, ମୁଁ ମଧ୍ୟ ମନେକରିବି ସେମାନଙ୍କୁ ବ୍ୟବହାର୍ଯ୍ୟ ସାମଗ୍ରୀ ।

 

ମିସେସ୍ ମାର୍ଗାରେଟ୍‍ଙ୍କୁ ଭଲଭାବରେ ବ୍ୟବହାର କରିଚି ସେଇଆ ଭାବି ନେଇ ।

 

ମନେଅଛି ଶାରୀରିକ କ୍ରିୟାବେଳେ ମୋ ନିଷ୍ଠୁରତାରେ ବ୍ୟଥିତାହୋଇ ସେ ଦିନେ କାନ୍ଦି ପକାଇଥିଲେ ପ୍ରାୟ । କହିଥିଲେ, ନିଜ ସ୍ତ୍ରୀ ଭଳି ବ୍ୟବହାର କର୍‍,...

 

(ଆହା ହା ! ନିଜ ସ୍ତ୍ରୀ ଭଳି !! ଶୁଣିବାକୁ କି ସୁଇଟ୍ !!!)

 

ଉତ୍ତର ଦେଇଥିଲି, ସେଇଆ ତ ଭାବୁଚି !

 

ନା ! ସେ ଅସ୍ପଷ୍ଟ ସ୍ଵରରେ ପ୍ରାୟ ଆର୍ତ୍ତନାଦ କରିଥିଲେ–ଜାନୁଆର ସାଙ୍ଗରେ ଏଇଭଳିଆ ବ୍ୟବହାର କରାଯାଏ; ଜାନୁଆରମାନେଇ ଏଇଭଳି ବିହେଭ୍ କରନ୍ତି... !

 

(ବେଶ୍ କରିଚି । ଯିଏ ମୋତେ ବ୍ୟବହାର୍ଯ୍ୟ ସାମଗ୍ରୀ ମନେକରେ ତା’ ସହିତ ଏଇ ଯୋଗ୍ୟ ବ୍ୟବହାର । ତା’ପାଇଁ ମୁଁ ମଣିଷ ନୁହେଁ କି ଜାନୁଆର ବି ନୁହେଁ; କାଠ, ପଥର ବା ଲୁହା ପରି ଗୋଟାଏ ସାମଗ୍ରୀ !!!)

 

କିନ୍ତୁ ମୋ ବ୍ୟବହାରରେ ପ୍ରକାଶ ପାଉଥିବା ନିଷ୍ଠୁରତା ଅପରିବର୍ତ୍ତିତ ରହିଲେ ବି ସେ ମୋତେ ବାରମ୍ବାର ଦରକାର କରୁଥିଲେ । ହୁଏତ ବ୍ୟବହାର୍ଯ୍ୟ ବସ୍ତୁ ହିସାବରେ ବେଶ୍ ଉନ୍ନତ ଧରଣର ଥିଲି ବୋଲି ଅନ୍ତତଃ ତାଙ୍କ ପାଇଁ । ସେଇଆ ସେ ମନେକରୁଥିଲେ ନିଶ୍ଚୟ । ନଚେତ୍ ମୋ ପରି ଅସୁନ୍ଦର କୁ-ରୂପ ଜଣକୁ ବାରମ୍ବାର ଡାକୁଥିଲେ ବା କାହିଁକି ?

 

କିଛିଦିନ ପରେ ସେମାନେ ବି ଟ୍ରାନ୍ସଫର୍‍ ହେଇଯାଇଥିଲେ ଖୋର୍ଦ୍ଧାରୋଡ଼ ।

 

ଚାଲିଯାଇ ଥିଲେ ମିସେସ୍ ମାର୍ଗାରେଟ୍‍; କିନ୍ତୁ ବଦଳାଇ ଦେଇ ଯାଇଥିଲେ ମୋର ମୂଲ୍ୟବୋଧ ।

 

ସେଇ ପରିବର୍ତ୍ତିତ ମୂଲ୍ୟବୋଧକୁ ନେଇ ମୁଁ ସୁମନ୍ତ ମହାପାତ୍ର କାୟୋମନୋଃ-ବାକ୍ୟରେ ପରିଣତ ହେବାକୁ ଲାଗିଲି ଏକ ମର୍‍ବିଡ୍ କ୍ୟାରେକ୍‍ଟରରେ ।

 

ଯୁଦ୍ଧର ଘନଘଟା...

 

ଜାତୀୟ ପ୍ରତିରକ୍ଷା ପାଣ୍ଠିପାଇଁ ଅର୍ଥସଂଗ୍ରହ କରିବାକୁ ଷ୍ଟାଫ୍‍ମାନେ ମିଶି ଥିଏଟର କରିବା ସ୍ଥିରହେଲା । ବି.ଡ଼ି.ଓ. ନିଜେ ମଧ୍ୟ ଉତ୍ସାହୀ ହେଲେ ଏ ବିଷୟରେ । ଯୋଉମାନେ ଅଫିସରେ ଫାଙ୍କି ଦିଅନ୍ତି, ଦେଖାଗଲା ସେଇମାନଙ୍କ ଆଗ୍ରହ ଏଥିରେ ବେଶୀ–ଆଗୁଆ ହୋଇ ଲାଗି ପଡ଼ିଚନ୍ତି ମହତ୍‍ ଜାତୀୟ କାର୍ଯ୍ୟରେ !

 

ଅଫିସ ଭିତରେ ସେତେବେଳେ ମୋର କୌଣସି ପୋଜିସନ୍ଇ ନ ଥାଏ । ସମସ୍ତଙ୍କଠାରୁ ମୋର କାର୍ଯ୍ୟକଳାପ କମ୍ । ସେଥିରେ ପୁଣି ମୋ ଉପରେ ବିଶେଷ ସନ୍ତୁଷ୍ଟ ନ ଥାଆନ୍ତି ବି.ଡ଼ି.ଓ. । (ସବୁବେଳେ ମୋ ବିରୁଦ୍ଧରେ ଚୁଗୁଲି ଶୁଣିଲେ ସନ୍ତୁଷ୍ଟ ଆଉ ରହନ୍ତେ କି ?) କାଳେ ଥିଏଟରରେ ଭଲ ଏକ୍‍ଟିଭିଟି ଦେଖେଇ ପାରିଲେ ତାଙ୍କ ଶୁଭ ଦୃଷ୍ଟିରେ ପଡ଼ିଯିବି, ଏଇଆ ଥାଏ ମୋର ଆଶା; ଆଉ ଷ୍ଟାଫ୍ (ସେଇ ସବୁ ଚୁଗୁଲିଆ)ମାନଙ୍କ ଆଶଙ୍କା ! ଏତେ ଅଳ୍ପଦିନ ଭିତରେ ମୁଁ ଟଙ୍କା ମାରିବାର ଏତିକି କାଇଦା ଜାଣିଲିଣି । କଣ୍ଟ୍ରାକ୍ଟରମାନଙ୍କ ସାଙ୍ଗରେ ଡ୍ରିଙ୍କ୍‍ କରୁଚି ସେମାନଙ୍କ ଜୀପ୍ ନେଇ ଘୂରୁଛି–କୁଆଡ଼ୁ ସହିପାରନ୍ତେ ସେମାନେ । ତେଣୁ ମୁଁ ଥିଏଟର ମାଧ୍ୟମରେ ବି.ଡ଼ି.ଓ.ଙ୍କ ଶୁଭଦୃଷ୍ଟିରେ ପଡ଼ିବାକୁ ଚେଷ୍ଟାକଲେ ବି ସେମାନେ ମୋର ସମସ୍ତ ତତ୍ପରତାକୁ ଚାପିଦେଇ ମୋତେ କୋଣ ଠେସା କରି ରଖିବାରେ ଲାଗିଲେ ।

 

ନାଟକର ନାମ ‘ବିଷକନ୍ୟା’ । ଗୁପ୍ତ-ମୌର୍ଯ୍ୟ ଯୁଗୀୟ ଏୗତିହାସିକ ପ୍ଲଟ ।

 

ଚାହିଁଥିଲି ବଡ଼ ରୋଲ୍‍ ନେବା ପାଇଁ । ଷଡ଼ଯନ୍ତ୍ର କରି... ଦେଲେ ମୋତେ ଅତି ଛୋଟିଆ ପାର୍ଟଟିଏ । ପାଟଳିପୁତ୍ରର ନାବାଳକ ଯୁବରାଜ ମଣିମୟ । କେବଳ ଶେଷ ଦୃଶ୍ୟରେ ଯିଏ ଷ୍ଟେଜ୍‍ ଉପରକୁ ଆସିବ । ସଂଳାପ ପୁଣି ଅଳ୍ପ କେତୋଟି ଲାଇନ୍‍ ।

 

ମନଟା ଖରାପ ହେଇଯାଇଥାଏ ।

 

ମୋତେ ସପୋର୍ଟ କରିବାକୁ କେହି ନାହିଁ । କିଏ ମୋ’ପାଇଁ କହିବ ?

 

ଏହି ପରିସ୍ଥିତି ଭିତରେ ଦିନେ ରବିବାର ସକାଳୁ ମୁଁ ସାଇକେଲ ନେଇ ଯାଉଛି କଚେରି ପାଖ ଛକକୁ ସିଗାରେଟ୍ କିଣିବା ପାଇଁ । ଦେଖିଲି ଡକ୍ଟର ଦାସଙ୍କ ସାମନାରେ ବି.ଡ଼ି.ଓ. ତାଙ୍କ ସ୍ତ୍ରୀ ଆଉ ଡକ୍ଟର ଦାସ ନିଜେ । ଠିଆ ହେଇ କ’ଣ କଥାବାର୍ତ୍ତା ହଉଥାଆନ୍ତି ସେମାନେ ।

 

ରାସ୍ତା କଡ଼ଟା । ମୋ ଉପରେ ସେମାନଙ୍କ ଦୃଷ୍ଟିପଡ଼ିବା କ୍ଷଣି ଓହ୍ଲାଇ ପଡ଼ି ନମସ୍କାର କଲି ।

 

କୁଆଡ଼େ ଚାଲିଲ ସୁମନ୍ତ ? ବି.ଡ଼ି.ଓ. ପଚାରିଲେ ।

 

ଆଜ୍ଞା, ଏଇ... ଟିକିଏ–

 

(ସିଗାରେଟ୍ କଥାଟା ବି.ଡ଼ି.ଓ.ଙ୍କୁ କୁହାଯାଇନପାରେ । ଯଦିଓ ସେ ଆଧୁନିକା ତରୁଣୀଙ୍କ ସ୍ଵାମୀ ନିଜେ ମଧ୍ୟ ଧୂମପାନ ଅତ୍ୟାଧୁନିକ ଭଦ୍ରଲୋକ !)

 

ସେଇ ଛକରୁ ମୋ’ପାଇଁ ସିଗାରେଟ୍ ପ୍ୟାକେଟଟିଏ ଆଣି ଦେଇପାରିବ ?

 

(ଅନୁରୋଧ ! “ଛକରୁ ସିଗାରେଟ୍ ନେଇଆ” କହିଥିଲେ ବି ଆଣି ଥାଆନ୍ତି । ଧାଇଁ ଯାଇ !! ଅଫିସର କେହି ଏଠି ଥିଲେ ଈର୍ଷା କରନ୍ତେ ମୋ ସୌଭାଗ୍ୟ ଦେଖି ! ମନେ ମନେ ଚିତ୍କାର କରି ଡାକି ଦେଲି ସେମାନଙ୍କୁ–ଦେଖି ଯାଅବେ ପାଜୀ–ହାରାମଜାଦା–ବଦମାସ୍‍ଗୁଡ଼ା ବି.ଡ଼ି.ଓ. ସ୍ଵୟଂ ସିଗାରେଟ୍ ପାଇଁ ପଠାଉଚନ୍ତି !! ଅଫିସ ହେଇଥିଲେ ଆଭୁଡ଼ା ପଡ଼ନ୍ତ ନ କହିବା ଆଗରୁ ଆଗେ ଦୌଡ଼ିଯିବା ପାଇଁ !!! ଏଇନେ ଏଠି ? କେହି ଅଛ ଯେ ଯିବ !)

 

ସାଙ୍ଗେ ସାଙ୍ଗେ ସାଇକେଲରେ ଉଠିଲି–‘‘ନେଇ ଆସୁଚି ଆଜ୍ଞା’’ କହି ଦେ ଛୁଟ୍ ।

 

ପଛରୁ ଡାକ, ରୁହ ରୁହ, ଟଙ୍କା ନିଅ, ମୋର କି ସିଗାରେଟ୍ ଜାଣ ?

 

ଘଚାସ୍ କରି ବ୍ରେକ୍ । ସାଇକେଲ୍‍ ଫେରେଇବା । ଟଙ୍କା ପକେଟସ୍ଥ କରି କ୍ୟାପଷ୍ଟେନ୍ ଆଣିବାକୁ ପୁଣି ମାର ଦୌଡ଼–(ସାଇକେଲରେ !)

 

(ମାର୍ ଦୌଡ଼–ମାର୍ ଦୌଡ଼– ! ମାରିଲି ମାରିଲି, ମାରିନେଲି ଏଇଥର–ବାଜିମାତ୍ ! ଶଳେ କଥାବାର୍ତ୍ତା ହଉଥିଲ ପରା ଏ ବର୍ଷ କୁଆଡ଼େ ମୋ ସି.ସି.ଆର୍‍. ଖରାପ ହେଇଯାଇପାରେ ବୋଲି ? ଦେଖି ଯାଅବେ ଆସି ଦେଖିଯାଅ–ରାମା, ଦାମା, ଶାମା, କପିଳାର ଦଳ !)

 

ଜୋରରେ ଅଟକି ଗଲା ଟ୍ୟାକ୍ସିଟା । “…କୈସା ଆଦମୀ ହୈ ! “ଦାଢ଼ି ଆଉ ପଗଡ଼ି ଘେରା ମୁହଁ । ଆଉ କ’ଣ କହିବି କି କହିଲା ଶୁଣିବାକୁ ସମୟ ନାହିଁ । ବ୍ୟାଲାନ୍ସ ରଖି, ହ୍ୟାଣ୍ଡେଲ୍ ଘୂରେଇ ପୁଣି ମାର ପ୍ୟାଡ଼େଲ୍ ଜୋର୍‍ ସେ ।

 

ଆଜ୍ଞା ଏଇ ସିଗାରେଟ୍ ! (ଧଇଁ ସଇଁ ନିଶ୍ଵାସ ସହ !!)

 

ହି ଇଜ୍ ଏ ଭେରି ସ୍ମାର୍ଟ ବୟ ! (ଏଁ–ଏଁ–କ’ଣ ଶୁଣୁଚି କାନ ? ବିଶ୍ଵାସ କରି ହଉନି !!)

 

ଡକ୍ଟର ଦାସ ହସିଲେ । ଆଧୁନିକା ପତ୍ନୀ ବି ଫିକ୍ କରି ଟିକିଏ ହସିଦେଲେ ଲିପ୍‍ଷ୍ଟିକ୍ ଭିତରୁ ।

 

ସୁମନ୍ତ, ଡ୍ରାମାରେ ଲାଗିଚ ତ ? ରିହାର୍ସେଲ୍ ଚାଲିଛି ?

 

ଚାଲିଚି ଆଜ୍ଞା ।

 

ଆଜି ଯିବି ତମ ରିହାର୍ସେଲ୍ ଦେଖିବା ପାଇଁ । କେତେବେଳେ କରୁଚ ?

 

ସବୁଦିନ ସନ୍ଧ୍ୟାବେଳେ ହଉଚି । ଆଜି କିନ୍ତୁ ଉପରବେଳା ହବ । ଛୁଟିଦିନ ।

 

ଆରେ ଉପରବେଳା ମାନେ କେତେଟାରେ ?

 

ତିନିଟାରେ ଆଜ୍ଞା

 

ଯିବି । ଦେଖିବା ତମେମାନେ କେମିତି କରୁଚ ।

 

ଆଧୁନିକା ପତ୍ନୀ ପଚାରିଲେ, ତମେ ରୋଲ୍ ନେଇଚ ପରା ।

 

(ସୁଯୋଗ... ସୁଯୋଗ... ! ସକାଳୁ ଉଠି ଶଙ୍ଖଚିଲ ଦର୍ଶନର ସୁଫଳ !!)

 

ଗୁହାରି କଲାପରି କହିଲି, ଆଜ୍ଞା, ମୋତେ ଛୋଟ ରୋଲ୍‍ ଦେଇଚନ୍ତି ।

 

ହସି ଉଠିଲେ ସମସ୍ତେ ।

 

କି ରୋଲ୍ ନେଇଚ ? (...କୋକିଳ କଣ୍ଠୀ ପଚାରିଲେ । କଥାଗୁଡ଼ା ବୋହିପଡ଼ୁଚି ଯେମିତି–ଇଚ୍ଛା ହଉଚି ଚାଟି ପକେଇବାକୁ । ମନ୍ଦ ନୁହେଁ ବ୍ୟବହୃତ ସାମଗ୍ରୀ ଭାବରେ !!!)

 

ପାଟଳୀପୁତ୍ର ଯୁବରାଜ

 

ବାଃ (ପୁଣି ଲିପଷ୍ଟିକ୍ ହସ !!) ଭଲ ତ !

 

ଖୁବ୍ ଛୋଟ ରୋଲ୍‍ଟା !

 

ଆରେ ସେଇଟା ଏଥର ଭଲଭାବେ କରନା । ସିଗାରେଟ୍‍ ମୁହଁରେ ଦେଲେ ବି.ଡ଼ି.ଓ. । ପୁଣି ଡ୍ରାମା ହେଲେ କହିବା ତମକୁ ବଡ଼ ରୋଲ୍ ଦବାପାଇଁ ।

 

(ଯାଃ... ସବୁ ଆଶା ଭରସା ବିଲୁପ୍ତ । ଜଳି ଆସୁଥିବା ଦୀପଟା ଦପ୍ କରି ନିଭିଗଲା ଯିମିତି !! ଖାଲି କ’ଣ ସେତିକି ? ପ୍ୟାଡ଼େଲ୍ ମାରୁ ମାରୁ ପଛରୁ ଶୁଭିଗଲା ବଡ଼ ଫାଙ୍କିବାଜ୍, ଅଫିସରେ କାମ କରେନା ଆଦୌ !!!)

 

ଇଚ୍ଛାହେଲା ରୋଲ୍ ନେବି ନାହିଁ କି ସହଯୋଗ କରିବି ନାହିଁ ଡ୍ରାମାରେ । କିନ୍ତୁ ତାହାହେଲେ ଆହୁରି ବେଶୀ ବିପଦ । ଜାତୀୟ ପ୍ରତିରକ୍ଷା ପାଣ୍ଠି ପାଇଁ ଟଙ୍କା ଉଠାଇବାକୁ ଡ୍ରାମା କରାହେଉଚି–ନିଜେ ତଦ୍‍ବୀର କରୁଚନ୍ତି ବି.ଡ଼ି.ଓ. !! ଅତଏବ..., ନାଁ, ସେସବୁ ଚଳିବନି !! ମନ ଭିତରୁ ଉଠୁଥିବା ଅନ୍-ପାର୍ଲ୍ୟାମେଣ୍ଟାରୀ ଭାଷା ସବୁକୁ ଛାଡ଼ି ପାଖରେ ଚାପି ରଖି ମୁହଁଟାକୁ ଯଥାସମ୍ଭବ ନିରୀହ କରି ରୋଲ୍ କରୁଥାଏ ଆଉ ଥିଏଟର୍‍ ସମ୍ବନ୍ଧୀୟ ଅନ୍ୟାନ୍ୟ ଆନୁଷଙ୍ଗିକ କାମ ବି ।

 

ସହରସାରା ଚାରିଆଡ଼େ ପୋଷ୍ଟର ପଡ଼ିଯାଇଚି । ନାଟକର ନାମ “ବିଷକନ୍ୟା” ଉଦ୍ଦେଶ୍ୟ ଜାତୀୟ ପ୍ରତିରକ୍ଷା ପାଣ୍ଠି ସଂଗ୍ରହ କରିବେ ବ୍ଲକ୍‍ ଷ୍ଟାଫ୍‍ମାନେ, କଟକରୁ ଆସିବେ ନାୟିକା ହେବା ପାଇଁ ବିଖ୍ୟାତ ଅଭିନେତ୍ରୀ ଝରଣା ରାୟ !!!

 

ସବ୍‍ଡିଭିଜନ୍‍ର ସଦର ମହକୁମା ଛୋଟ ସହରଟିର ଚାଞ୍ଚଲ୍ୟ ଖେଳାଇବା ପାଇଁ ତାହାହିଁ ଥିଲା ଯଥେଷ୍ଟ ।

 

ଅବଶ୍ୟ ପୂର୍ବତନ ବି.ଡ଼ି.ଓ.ଙ୍କ ଦ୍ଵାରା ପ୍ରତିଷ୍ଠିତ ବ୍ଲକ୍‍ ଷ୍ଟାଫ୍‍ମାନଙ୍କର ନାଟ୍ୟାନୁଷ୍ଠାନ ଏଇ ‘ସୃଜନୀ କ୍ଲବ୍‍’ ଗତ କେତେବର୍ଷ ଧରି ନାଟକ ଦେଖାଇଚନ୍ତି ଅପୂର୍ବ ସଫଳତାର ସହିତ । ଝରଣାଙ୍କୁ ଏହା ଆଗରୁ ବି ଆଣିଥିଲେ ସେମାନେ । ଛାତ୍ର ଜୀବନରେ ମୁଁ ମଧ୍ୟ ଆସି ଏମାନଙ୍କ ନାଟକ ଦେଖିଥିଲି, ମୁଗ୍ଧ ହେଇଥିଲି ଝରଣାଙ୍କ ଅଭିନୟ-ପ୍ରତିଭାରେ । ଆଜି ଘଟଣାଚକ୍ରରେ ନିଜେ ହୋଇପଡ଼ିଚି ସେହି ଅନୁଷ୍ଠାନର ଜଣେ, ଭାବିଲେ ଗର୍ବ ଆସିବା କଥା ମନରେ । କିନ୍ତୁ ଖରାପ ଲାଗୁଥାଏ, ଭଲ ରୋଲ୍‍ ଏମାନେ ମୋତେ ଦେଲେନି–ଆଉ ତା’ ବି ଉଦ୍ଦେଶ୍ୟମୂଳକଭାବେ ।

 

ସେଇ କ୍ଷତି ପୂରଣ କରି ନେବାକୁ ଅର୍ଗାନାଇଜର୍ ପରି ଉପରେପଡ଼ି ସବୁକାମ କରି ପକାଉଥାଏ–ଯଦିଓ ପ୍ରାୟ ଅବାଞ୍ଛିତଭଳି ମୋର ପୋଜିସନ । ଝରଣାଙ୍କ ସହିତ ଅଭିନୟ ନ କରିପାରିଲେ ବି ତତ୍ତ୍ୱାବଧାରକ ଭୂମିକାରେ ରହି ଅନ୍ତତଃ ତାଙ୍କର ନିକଟତର ସାହାଚର୍ଯ୍ୟରେ ଆସିପାରିବି ତ !

 

(ଖାଲି ମୁଁ କାହିଁକି, ସମସ୍ତଙ୍କ ମନ ଭିତରେ ନିଶ୍ଚୟ ସେଇଆ ଥିବ । କିଏ ନ ଚାହେଁ ଜଣେ ଅଭିନେତ୍ରୀର ସଂସ୍ପର୍ଶରେ ଆସିବାକୁ ଷ୍ଟେଜ୍ ଭିତରେ ହେଉ କି ବାହାରେ ହେଉ । ଅବଶ୍ୟ ନାରୀ ମାତ୍ରେଇ ମୋ ଆଖିରେ କେବଳ ବ୍ୟବହୃତ ସାମଗ୍ରୀ, ସେ ଯିଏ ହେଉନା କାହିଁକି ।)

 

କିନ୍ତୁ କ’ଣ ଏଥର ହେଲା ମୋର ?

 

ଏହା ପୂର୍ବରୁ କୌଣସି ନାରୀକୁ ତ ମୁଁ ଏଇ ଦୃଷ୍ଟିରେ ଦେଖିନି, କୌଣସି ନାରୀକୁ ନେଇ ଏଇ ପ୍ରକାର ଚିନ୍ତା କରିନି ! ଜନ୍ତୁପରି ଚେହେରାର ଏଇ ସୁମନ୍ତ ମହାପାତ୍ର ମହାଶୟଙ୍କ ଜାନ୍ତବ ମନ ଭିତରେ ହଠାତ୍ ଗୋଟାଏ ସେଇ ପ୍ରକାର ଦୁର୍ବଳତା ଆସିଲା କାହିଁକି ଯାହାକୁ “ବସନ୍ତ-ବର୍ଣ୍ଣନା” ପରି ଅନୁଭବ କେବେ କରି ନାହିଁ । ବାସ୍ତବରେ… ମାତ୍ର ଖାଲି ବହିର ପୃଷ୍ଠାରେ ପଢ଼ିଚି...ଉପନ୍ୟାସ ବା ନାଟକ ବହିର ପୃଷ୍ଠାରେ...ଜଣେ ନାରୀପ୍ରତି ଜଣେ ପୁରୁଷର ମନରେ (‘ମନ’ ! ଦେହ ନୁହେଁ…) ଟିକିଏ ନରମ୍ ନରମ୍ ଭାବ ଆସିବ ।...ଯାହାକୁ ସାହିତ୍ୟିକ ଭାଷାରେ ‘ପ୍ରେମ’, ‘ଭଲ ପାଇବା’ ବା ସେଇପରି କିଛି ଗୋଟାଏ କହନ୍ତି–ଯୋଉ ପ୍ରକାର ଭାବ ମନରେ ଆସିଥିଲେ ମେସେସ୍ ମାର୍ଗାରେଟ୍‍ ସହିତ ମୁଁ ‘ସ୍ତ୍ରୀ ସହିତ ଯେପରି ବ୍ୟବହାର କରାଯାଏ’ କରିପାରି ଥାଆନ୍ତି । (‘ମନ’ରୁ ଯେ ପୁଣି ଦେହକୁ ଆସିଗଲି ହଠାତ୍ । ମନରେ ଯେତେ ନରମ ଭାବ ଆସିଲେ ବି ଦେହଟାକୁ ଊହ୍ୟ କରାଯାଇ ପାରେନା ତେବେ !!)

 

କିନ୍ତୁ ଝରଣା ନୁହେଁ, ମୁଁ ମଞ୍ଜୁ କଥା କହୁଚି; ଝରଣା ସହିତ ଊହ୍ୟ ପରି ଆସିଥିବା ସେଇ ଝିଅଟି... ଯାହାକୁ ସେ ତାଙ୍କର ପିଉସୀ ଝିଅ ଭଉଣୀ ବୋଲି ପରିଚୟ ଦେଇଥିଲେ ପ୍ରଥମେ ।

 

ଦେହ-ସର୍ବସ୍ଵ ସୁମନ୍ତ ମହାପାତ୍ରର ‘ମନ’ ବୋଲି ଯେ କିଛି ଅଛି, କେହି ସେ କଥା ଚିନ୍ତା କରୁନଥିଲା ବେଳେ ମଞ୍ଜୁ ବୋଧହୁଏ ଅନୁଭବ କରିପାରିଥିଲା ମୋ ମନର ଖବର । ମୁଁ ଅସୁନ୍ଦର ଅଭିନୟ କରିବା ପାଇଁ ଅନୁପଯୁକ୍ତ, ମୁଁ ରହିବା ଉଚିତ ‘ମୃତ ସୈନିକ’ କିମ୍ବା ‘ନେପଥ୍ୟେ’ କୋଳାହଳ ତାଲିକାରେ; ‘ତାଲିକା’ର ଯଦିବା ‘ଭୂମିକା’କୁ ଆସେ ‘ରାଜପୁତ୍ର’ ନ ସାଜି ବରଂ ମୋର ‘ବିଦୂଷକ’ ସାଜିବା ଉଚିତ କାହିଁକି ନା ମୋର କରୁଣତମ ସଂଳାପ କୁଆଡ଼େ ସୃଷ୍ଟି କରେ ଦାରୁଣତମ ହାସ୍ୟରସ... ।

 

ମଞ୍ଜୁ ବୁଝିଥିଲା, ଏଇସବୁ ମନ୍ତବ୍ୟ ମୋ ମନରେ କେତେ ଆଘାତ ଦେଉଛି ।

 

ସେମାନେ ମୋତେ ଏପରି କହିବାବେଳେ ମୁଁ ଭାବୁଥିଲି, ‘ମୃତ-ସୈନିକ’ ‘ନେପଥ୍ୟେ କୋଳାହଳ’ ଆଉ ‘ବିଦୂଷକ’ର ଅଭିନେତାଙ୍କୁ ଅଦରକାରୀ ଅଳିଆ ଗଦା ମନେକରୁଥିବା ଏଇ ଆତ୍ମଚାରୀମାନେ ବୁଝନ୍ତିନି–କେତେକ ସେଇସବୁ ଭୂମିକା ନେଉଚନ୍ତି ବୋଲି ତ ‘ମନ୍ତ୍ରୀ’ ‘ସେନାପତି’ ବା ‘ସମ୍ରାଟ’ର ଗମ୍ଭୀର ଭୂମିକାରେ ଅବତୀର୍ଣ୍ଣ ହେଇ ପାରୁଚନ୍ତି ଆଉ ମାନେ ! ଜଣେ କାନ୍ଧ ଦେଖାଇ ତଳେ ଠିଆ ହୋଇ ରହୁଚି ବୋଲି ସିନା ଆଉଜଣେ ତା’ ଉପରେ ଉଠି ନିଜର ଉଚ୍ଚତା ପ୍ରଦର୍ଶାଇ ପାରୁଚି । ଜଣେ ଦୀପରୂଖା ହୋଇଚି ବୋଲି ତ ଆଉଜଣେ ତା’ ଉପରେ ଜାଜୁଲ୍ୟମାନ ପ୍ରଦୀପ ହୋଇ ଦୃଷ୍ଟି ଆକର୍ଷଣ କରିପାରୁଚି ସମସ୍ତଙ୍କର ।

 

ଭାବୁଥିଲି; କିନ୍ତୁ ପାରୁନଥିଲି ପ୍ରତିବାଦ କରି । ସେଇ ମୂର୍ତ୍ତିମତୀ ହେଲା ମୋ’ପାଇଁ ପ୍ରତିବାଦର ସାକ୍ଷାତ ଅବତାର ପରି । ମୋରି ମନକଥା ଫୁଟି ଉଠିଲା ତା’ ମୁହଁରେ । ହଁ, ମୋ’ପ୍ରତି ସହାନୁଭୂତି ଦେଖାଇ ଥିଲା ମଞ୍ଜୁ…ଆଉ ତା’ ବି ଏକାନ୍ତରେ ବା ଅନ୍ତରାଳରେ ନୁହେଁ–ସମସ୍ତଙ୍କ ଆଗରେ ।

 

ଝରଣାର ମୁହଁ ଭଙ୍ଗୀରୁ ବୁଝିପାରିଥିଲି–ମଞ୍ଜୁର ଏଇ ସହାନୁଭୂତି ଦେଖାଇବାଟା ସେ ପସନ୍ଦ କରିପାରିନି । କାହିଁକି ପାରିନି, ତାହାର କାରଣ ଖୁବ୍ ସାଦା । ମୁଁ ସୃଜନୀର ଜଣେ ନଗଣ୍ୟ କର୍ମୀ ଆଉ ମୋତେ ଅବହେଳା କରୁଥିବା ବ୍ୟକ୍ତି-ବିଶେଷମାନେ ନାଟ୍ୟ-ସଂସ୍ଥାର ଅଗ୍ରଗଣ୍ୟ ନେତା-

 

ମୋର ଇଚ୍ଛା ହେଉଥିଲା ମଞ୍ଜୁକୁ ଧନ୍ୟବାଦ ଦେବାପାଇଁ । ତା’ ପାଖରେ ମୁଁ କୃତଜ୍ଞ ହେଇଥିଲି । ଚାହୁଁଥିଲି ତାକୁ ବହୁତ କିଛି କହିବା ପାଇଁ । ଚାହୁଁଥିଲି ତାକୁ ଅନେକ କ୍ଷଣ ଧରି ଅନେଇ ରହିବାକୁ । ନାରୀ ସହିତ କେବଳ ଶାରୀରିକ-କ୍ରିୟାରେ ବିଶ୍ଵାସ କରୁଥିବା ମୁଁ ସୁମନ୍ତ ମହାପାତ୍ର ପ୍ରଥମ ଥର ପାଇଁ ଅନୁଭବ କଲି ମୋ ଭିତରେ ମନ ନାମକ ବାୟବୀୟ ବା ଅଦୃଶ୍ୟ କିଛି ଗୋଟାଏ ରହିଚି ଆଉ ତାହା ମଞ୍ଜୁର ସହାନୁଭୂତିର ଉତ୍ତାପରେ ଗରମ୍ ହୋଇ ଖାଲି ନରମ୍ ହୋଇ ଯାଇନି... ତରଳ ହୋଇ ସ୍ରୋତ ପରି ତା’ଆଡ଼କୁ ମୋତେ ଭସାଇ ନେଇ ଗଲାଣି ।

 

ସେମାନେ ରହୁଥିବା ଡାକବଙ୍ଗଳାର ହତାକୁ ଲାଗି ବ୍ଲକ୍‍ କଲୋନୀର ଶେଷରେ ଅବସ୍ଥିତ ମୋ କ୍ଵାଟର୍ ।

 

ବିଛଣାରେ ଶୋଇ ଶୋଇ ମଞ୍ଜୁ କଥା ଭାବୁଥାଏ । ସିଗାରେଟ୍ ପରେ ସିଗାରେଟ୍ । ଝରକା ସେ ପାଖେ ଜହ୍ନ ଆଲୁଅରେ ଦିଶୁଥାଏ ଡାକବଙ୍ଗଳାଟା । ଖୁବ୍ ପାଖରେ । ମୋ କ୍ଵାଟର୍ ଆଉ ସେଇ ବଙ୍ଗଳାର ପଛ ପାଖ ହତା ମଝିରେ ଖାଲି ଗୋଟିଏ ଛିଣ୍ଡା ତାର-ବାଡ଼ର ବ୍ୟବଧାନ ।

 

ବାଥ୍‍ରୁମ୍ ଭିତରୁ ପାଣିର କଳକଳ ଶବ୍ଦ ସହିତ ଭାସିଆସୁଥିଲା ମୃଦୁ କଣ୍ଠ-ସଙ୍ଗୀତର ଲହରୀ ।

 

ଏ କାହା ଗଳା ?

 

ମଞ୍ଜୁର ନିଶ୍ଚୟ ।

 

ସୁଲୁ ସୁଲୁଆ ପବନଟା ବନ୍ଦ ହେଇ ଗଲା ହଠାତ୍ ।

 

ଝରକା ପାଖ ଇଉକାଲିପଟସ୍ ଗଛଟାର ଛୁଞ୍ଚି ପରି ସରୁ ସରୁ ପତ୍ରଗୁଡ଼ିକ ବି ଟିକିଏ ହେଲେ ଆଉ ଏଇନେ ହଲ୍‍ଚଲ୍ ହେବାର ଦିଶୁନି ଆଲୋକ-ଉଜ୍ଜ୍ଵଳ ଆକାଶର ପୃଷ୍ଠ-ଭୂମି ଉପରେ-। ଗରମ ବଢ଼ୁଚି, ଦେହ ଭିଜି ଆସିଲାଣି ଝାଳରେ, ଭାରି ଅସ୍ଵସ୍ତିକର ଲାଗୁଚି ।

 

ଘର ଭିତରେ ରହି ହେବନାହିଁ ଆଉ । ବାହାରକୁ ଉଠିଆସି ବାରଣ୍ଡା ଉପରେ ଆସି ଠିଆ ହେଲି ।

 

ରେଲ୍ଓୟେ କଲୋନୀରେ ଇଲେକ୍‍ଟ୍ରିସିଟ୍ ଅଛି । ପିଲାଦିନୁ ଫ୍ୟାନରେ ମୁଁ ଅଭ୍ୟସ୍ତ । ସିଲିଂ ଫ୍ୟାନ୍ ନ ଥିଲେ ବି ଦୁଇବଖରାକୁ ଦୁଇଟା ଟେବୁଲ୍‍ ଫ୍ୟାନ୍ ତ ଥିଲା ମାମୁଙ୍କର । ଆଉ ଏଠି ଇଲେକ୍‍ଟ୍ରିକ୍ ଲାଇନ୍ ସହରର ଏଇ ଏରିଆକୁ ଆସି ଯାଇଥିଲେ ବ୍ଲକ୍‍ କଲୋନୀକୁ ଅଣାହୋଇନି ଏ ଯାଏ (ଯଦିଓ ପାଖ ଡାକବଙ୍ଗଳାରେ ବି ଲାଗିଯାଇ ସାରିଲାଣି) । ଶୁଣା ତ ଯାଉଚି ଏଇ ବର୍ଷ ଆସିଯିବ ବୋଲି–କେଜାଣି କେତେ ଡେରି ହେବ ଆଉ ?

 

ତାଳ-ପତ୍ର ପଙ୍ଖାରେ ବିଞ୍ଚିହେବା ଅପେକ୍ଷା ବରଂ ବାହାରେ ବୁଲିବି ପବନ ଆସିବା ଯାଏ-

 

ସିଗାରେଟ୍‍ଟିଏ ଧରାଇ ଓହ୍ଲାଇ ଆସିଲି ବାରଣ୍ଡା ତଳ ଘାସ ଉପରକୁ ।

 

ପାଣିର କଳକଳ ଆଉ ସଙ୍ଗୀତର ଗୁଞ୍ଜନ ମୋ କାନରେ ବାଜୁଥାଏ । ମୁଁ ମନେ ମନେ ସ୍ଵର ମିଳାଇବାକୁ ଲାଗିଲି ।

 

ବାଥ୍‍ରୁମ୍ ଭିତରେ ମଞ୍ଜୁ ଅଛି ତା’ହେଲେ ।

 

ଝରଣା ତେବେ ଥିବ କୋଉଠି ବର୍ତ୍ତମାନ ?

 

ହୁଏତ ଶୋଇପଡ଼ିବଣି ।

 

ହୋଇପାରେ ଶୋଇବା ଆଗରୁ ଗାଧୋଇବା ମଞ୍ଜୁର ଗୋଟାଏ ଅଭ୍ୟାସ । କିମ୍ବା (ହୋଇପାରେ) କେବଳ ଆଜି ଗାଧୋଉଚି ଅସମୟରେ ଗରମଟା ଖୁବ୍ ପଡ଼ିଯାଇ ଥିବାରୁ ।

 

ମଞ୍ଜୁ ବାଥ୍‍ରୁମ୍ ଭିତରେ । ମୁଁ ତା’ କଥା ଭାବିବାକୁ ଲାଗିଲି । ଚିନ୍ତା ଭାବନାରେ ସବୁବେଳେ କଳ୍ପନା ସହ କିଛିଟା ଉଦ୍ଭଟତା ମିଶି ରହିଥାଏ; ଆଉ ସେଇ ଉଦ୍ଭଟ ଅଂଶକୁ ଲିଖିତ ବାକ୍ୟରେ ରହିଯାଇଥିବା ଭୁଲ୍ ବା ଅବାନ୍ତର ଶବ୍ଦ ପରି ପରେ ଆମେ କାଟି କାଟି ସଂଶୋଧନ କରୁ...ଯୋଉଟା ହୁଏ ଫାଇନାଲ ପ୍ରୁଫ୍ । କିନ୍ତୁ ଅ-ସଂଶୋଧିତ ଲେଖା ଯେପରି ମୌଳିକ ରଚନା, ଅ-ସଂଶୋଧିତ ଚିନ୍ତା ସେହିପରି ମୌଳିକ ଭାବନା ।

 

ବାଥ୍‍ରୁମ୍ ଭିତରେ ଥିବା ମଞ୍ଜୁ ସମ୍ବନ୍ଧରେ ମୁଁ ସେହିପରି ଅ-ସଂଶୋଧିତଭାବେ ଚିନ୍ତା କରିବାକୁ ଲାଗିଲି । ମୋ ଭାବନାର ଗତି ଏତେ ଦୃଢ଼ ଥିଲା ଯେ ସଂଶୋଧନ କରିବା ପାଇଁ ନ ଥିଲା ସମୟ କିମ୍ବା ଅବକାଶ । ମନଶ୍ଚକ୍ଷୁରେ ଦେଖିବାକୁ ପାଇଲି ସେ ଶାୱାର୍ ତଳେ ଠିଆହୋଇ ସାବୁନ୍ ମାଖି ହଉଚି । ସାବୁନ୍ ଫେଣର ମସୃଣତାରେ ଧୀରେ ଧୀରେ ଶାଢ଼ି ଖସି ଯାଉଚି ଛାତିରୁ... ଫେନ-ନିଭ ସ୍ରୋତ ବହି ଚାଲିଚି ଗିରି-ଶଙ୍କଟ ମଧ୍ୟ ଦେଇ...ସିଗାରେଟ୍ ଖୋଳ ଉପରିସ୍ଥ କାଗଜ ପରି ସ୍ଵଚ୍ଛ ଭିଜା-ପତଳା-ଶାଢ଼ି ତଳେ ସବୁ କିଛି ସ୍ପଷ୍ଟ... । ପୁଣି ଆହୁରି ତଳକୁ ଖସିଯାଉଚି ଆବରଣ । କ୍ରମାନ୍ଵୟରେ... । ଦୃଶ୍ୟମାନ ହେଇ ଉଠିଲାଣି । ନାଭି-ବିନ୍ଦୁ ଆଉ ରୋମାବଳୀ...

 

ମୋ ଭାବନା ଫେଣ-ମିଶା ସାବୁନ୍ ପାଣିର ସ୍ରୋତ ସଙ୍ଗେ ହୁଏତ ନିମ୍ନଗାମୀ ହୋଇଥାଆନ୍ତା ଆହୁରି; କିନ୍ତୁ ହଠାତ୍ ବନ୍ଦ ହୋଇଗଲା ଶାୱାର୍‍ର ଝିରି ଝିରି ଆଉ ଗୀତର ଲହରୀ ବି ।

 

ମଞ୍ଜୁ ବର୍ତ୍ତମାନ ଶାଢ଼ି ବଦଳାଇବ ।

 

ମୋର ଅସଂଶୋଧିତ ଭାବନା ମୋତେ ସେତେବେଳକୁ ପ୍ରାୟ ମୋହାଚ୍ଛନ୍ନ କରି... ନେଇସାରିଲାଣି ଆୟତ୍ତର ବାହାରକୁ ।

 

ଘାସ ଉପରେ ମୁଁ ଧୀରେ ଧୀରେ ଆଗେଇବାକୁ ଲାଗିଲି । ସେଇ ଡାକବଙ୍ଗଳାଆଡ଼କୁ । ଛିଣ୍ଡା ତାର-ବାଡ଼ ଦେଇ ଚାଲି ଯାଇଚି ସରୁ ଚଲାବାଟ । ସେଇବାଟେ ମୁଁ ଆଗେଇଲି । ଆଗେଇ ଚାଲିଲି ଗୋଟାଏ ଅସ୍ଵାସ୍ଥ୍ୟକର କୌତୂହଳ ନେଇ । ମୋତେ ଟାଣି ଟାଣି ନେଇ ଯାଉଥିଲା ସେହି କୌତୂହଳର ତୀବ୍ରତା ।

 

ପହଞ୍ଚି ଯାଇଚି ସେମାନେ ଥିବା ସୁଟ୍‍ର ବନ୍ଦ ଝରକା ପାଖରେ । କେହି କୁଆଡ଼େ ନାହିଁ-। ଚାରି ଆଡ଼ ଶୂନଶାନ୍ । ମୁଁ କ’ଣ କରିବି କେହି ଦେଖିବେନି...

 

ଆଲୁଅ ଜଳୁଚି ଭିତରେ ।

 

ଝରକା ଫାଙ୍କ ଦେଇ ଭିତରକୁ ଉଙ୍କି ମାରିବାର ଚେଷ୍ଟା କଲି । ଗାଧୁଆ ଘରର କବାଟଟା ଖୋଲି ଯାଉଚି... ।

 

କିନ୍ତୁ ନା, ମଞ୍ଜୁ ନୁହେଁ ! ଝରଣା । ଗଳାର ସ୍ଵର ମୁଁ ବାରି ପାରିନି ତା’ହେଲେ ଶାୱାର୍ ଶବ୍ଦ ସାଙ୍ଗରେ । ଝରଣା ବାଥ୍‍ରୁମରେ ଥିଲା ଏତେ ବେଳଯାଏ, ଅଥଚ ମୁଁ ଏଣେ ମଞ୍ଜୁର ମୁହଁ ସାଙ୍ଗରେ ତା’ର ନ ଦେଖି ଥିବା ଦେହଟାକୁ କଳ୍ପନାରେ ଯୋଡ଼ି ନିଉଡ୍‍ ଛବିଟିଏ ଆଙ୍କି ବସିଚି ମୋ ମନର ଇଜେଲ୍ ଉପରେ । ନିଜକୁ ମନେହେଲା ଲଣ୍ଡନ୍‍ର ସେଇ ବିଖ୍ୟାତ ଶିଳ୍ପୀ... ଯିଏ ରାଜକୁମାରୀ ମାର୍ଗାରେଟ୍‍ଙ୍କ ମୁହଁର ଛବିଟିକୁ ମଡେଲ୍ କରି ଇଜେଲ୍ ଉପରେ ବର୍ଣ୍ଣାଙ୍କିତ କରିବା ପରେ ଗୋଟାଏ ଖିଆଲରେ ଆହୁରି ଆଙ୍କିଦେଇ ଥିଲା ତାଙ୍କର କାଳ୍ପନିକ ନଗ୍ନ ଦେହାବିଶିଷ୍ଟ ମଧ୍ୟ ଯାହାକୁ ଆର୍ଟ ଏକ୍‍ଜିବିସନରେ ଦେଖି ତୀବ୍ର ପ୍ରତିବାଦ କରି ଉଠିଥିଲେ ରାଜକୁମାରୀ–ନୋ ନୋ ନେଭାର୍‍ ! ମୁଁ ଏଇ ଆର୍ଟିଷ୍ଟ ଆଗରେ କେବେହେଲେ ନଗ୍ନ ହେଇ ପୋଜ୍ ଦେଇନି ।

 

ଭିତରୁ ଶୁଭୁଥିଲା ମୃଦୁ ମୃଦୁ ସଂଳାପ ଆଉ ଦ୍ରୁତ ଘୂର୍ଣ୍ଣାୟମାନ ସିଲିଂ ଫ୍ୟାନ୍‍ର ଶବ୍ଦ ।

 

କାହାରିକି ଦେଖି ପାରୁନଥିଲି ଆଉ । ସେମାନେ ମୋ ସ୍ୱଳ୍ପ ଦୃଷ୍ଟି ସୀମାର ପରିସର ଭିତରେ ନ ଥିଲେ ବର୍ତ୍ତମାନ ।

 

ଝରଣା ପରେ ମଞ୍ଜୁ ପୁଣି ବାଥ୍‍ରୁମ୍‍କୁ ଯିବ କି ? ଶାୱାର୍‍ ତଳେ ଯାଇ ଠିଆ ହେବ; ଆଉ...

 

ଭାବୁ ଭାବୁ ବାହାରେ ମୋ ଦେହ ଗରମ ହେବାକୁ ଲାଗିଲା ।

 

ମଞ୍ଜୁ ଗାଧୋଇବ । ପୁଣି ମୁଁ ତା’ ଦେହ ଉପରେ ବୋହି ଯାଉଥିବା ଜଳରେ କଳ କଳ ଶୁଣିବି–ଏଇ ଅପେକ୍ଷାରେ ପ୍ରତୀକ୍ଷା କରି ରହିଲି ।

 

କିନ୍ତୁ ବହୁକ୍ଷଣ ପରେ ମଧ୍ୟ ସେଇପରି କିଛି ଶୁଣିବାକୁ ନ ପାଇବାରୁ ଭାବିଲି ମଞ୍ଜୁ ତେବେ କ’ଣ ଯିବ ନାହିଁ ଗାଧୋଇବା ପାଇଁ ?

 

ବୋଧହୁଏ ନା ।

 

କିମ୍ବା ହେଇପାରେ, ସେ ଆଗେ ଗାଧୋଇ ନେଇ ସାରିଚି ।

 

ମୁଁ ଠିଆ ହେଇ ରହିଲି ।

 

ଖାଲି ଅସ୍ପୁଟ ଅସଂଲଗ୍ନ ସଂଳାପ ଶୁଭୁଥିଲା ଭିତରୁ ।

 

ଭାରି ଇଚ୍ଛାହେଲା ମଞ୍ଜୁକୁ ଟିକିଏ ଦେଖିବା, ପାଇଁ ।

 

ସରି ଆସିଥିବା ସିଗାରେଟ୍‍ଟିକୁ ତଳେ ପକାଇ ପାଦରେ ଦଳୁ ଦଳୁ ଆଖିରେ ପଡ଼ିଲା ଆର ଝରକାରୁ ଆଲୋକ ରେଖା ଆସି ବାହାରର ଘାସ ଉପରେ ପଡ଼ୁଚି ।

 

ଅଶାର ସଙ୍କେତ ପରି ମୋତେ ତାହା ଟାଣିନେଲା ସେଇଠିକି ।

 

ହଁ, ସେଇ ଝରକା ବନ୍ଦହେଲେ ବି ଅଧବୁଜା । କାଠ ଛାଡ଼ି ଯାଇ ଟିକିଏ ମେଲା ।

 

ଅଣୁବୀକ୍ଷଣରେ ପରମାଣୁକୁ ଖୋଜିବାର ଉତ୍ସାହ ନେଇ ଚାହିଁବା ପରି ଆଖି ରଖିଲି ସେଇଠି ।

 

କେବଳ ଦର୍ପଣଟା ଦିଶୁଚି ।

 

କିନ୍ତୁ ସେଥିରେ ?

 

ମୁଁ କ’ଣ ମଞ୍ଜୁ ଆଉ ଝରଣାଙ୍କର ପ୍ରତିବିମ୍ବ ଦେଖୁଚି ନା ଅତୀତ ଇତିହାସର କବର ଭିତରୁ ସଦ୍ୟ ଉଠି ଆସିଥିବା ରାଧାନାଥଙ୍କ “ଯଯାତି କେଶରୀ” କାବ୍ୟର କବିତା ଆଉ ବିମଳାଙ୍କ ପ୍ରେତାତ୍ମାର ଅପଛାୟା !!!

 

ଝରଣା ଉପରେ କ୍ରୋଧ ଆସିଲା ଆଉ ମଞ୍ଜୁ ପ୍ରତି ଘୃଣା ! ଦେ ଓୟାର୍ ଲାଇକ୍ ଏନିମେଲ୍‍ସ... !! ଦେ ଓୟାର୍ ଲାଇକ୍ ଡଗ୍‍ସ !!!

 

ମୁଁ ଅଧିକ କ୍ଷଣ ସହ୍ୟ କରିପାରିଲି ନାହିଁ ସେଇ ଦୃଶ୍ୟ । ହୃଦୟ ଭରା ଘୃଣା ନେଇ ଚାଲିଆସିଲି ସେଠାରୁ ।

 

ପରଦିନ ସକାଳେ... । ମଞ୍ଜୁ ସହିତ ମୋର କଥା କହିବା ପାଇଁ ବି ଇଚ୍ଛା ହେଉନଥିଲା । କଟିଯାଇଥିଲା ତା’ ପ୍ରତି ମୋ ମନରେ ସଞ୍ଚରି ଆସିଥିବା ନରମ୍ ନରମ୍ ଭାବ, ଯାହାକୁ ଦୁର୍ବଳତା, ଆସକ୍ତି ବା ଅନ୍ୟକିଛି କୁହାଯାଇ ଥାଏ ।

 

ଇଚ୍ଛା ହେଲା ତାକୁ ଆଘାତ ଦେବାପାଇଁ ।

 

ସେ ଜାଣୁ ମୁଁ ସବୁ ଦେଖିଚି !

 

ଯାହା ମନକୁ ଆସିଲା କହିଦେଲି । ସେ ଝାଉଁଳି ପଡ଼ିଲା ଭୟରେ । କହିଲା; ସେ ଝରଣାର କବଳରେ ରହିଚି । ଅଧିକ କିଛି କହିଥାଆନ୍ତା... ସମୟ କିନ୍ତୁ ପାଇଲାନି ।

 

ଫେରି ଆସି ତା’ କଥା ଭାବିବାକୁ ଲାଗିଲି ।

 

ସେଦିନ ରାତିରେ ପୁଣି ଅଭିନୟବେଳେ ଦେଖା-ସାକ୍ଷାତ୍‍ ।

 

କିନ୍ତୁ କେହି କାହାରିକି ଭରସି କିଛି କହିପାରୁନଥିଲୁ ।

 

ରାତି ପାହିବା ଆଗରୁ ଭୋର୍ ଗାଡ଼ିରେ ଫେରିଗଲେ ସେମାନେ ।

 

ବ୍ଲକ୍‍ କଲୋନୀ ପାଖ ପୋଲ ଦେଇ ସେଇ ଗାଡ଼ିଟା ଚାଲିଯିବାର ଶବ୍ଦରେ ସବୁଦିନ ପରି ମୋର ନିଦ ଭାଙ୍ଗିଯାଇଥିଲା । ମନେପଡ଼ିଥିଲା, ନିତାନ୍ତ ଅହେତୁକଭାବେ ହୁଏତ ସଚ୍ଚି ରାଉତରାଙ୍କ କୌଣସି ଏକ କବିତାର ଅସଂଲଗ୍ନ ଦୁଇଟି ଲାଇନ୍... “ଧାନଶିରୀ ନଈ ଡେଇଁ ସକାଳର ଡାକଗାଡ଼ି ଧାଏଁ…”

 

...“ପଢ଼ି ଅଛି କବିତାରେ ଏତେବେଳେ କାନ୍ଦେ ଚକ୍ରବାକୀ…”

 

ଏଇ ସମୟରେ ଚକ୍ରବାକୀ କାନ୍ଦେ ବୋଲି କବିତାରେ ପଢ଼ିଚି–କିନ୍ତୁ ନିଜେ କେବେ ଶୁଣିନି । ...ଚମତ୍କାର !!

 

ମୁଁ ସେଇପରି କଳ୍ପନା କରିବାକୁ ଲାଗିଲି ମଞ୍ଜୁ କାନ୍ଦି କାନ୍ଦି ଯାଉଚି ।

 

ଏଇ ପରିସ୍ଥିତିରେ ଗଳ୍ପର ନାୟିକାମାନେ ତ ସବୁ କାନ୍ଦିବା କଥା ।

 

ନାୟକ ପରି ମନେହେଲା ନିଜକୁ ।

 

ଗଳ୍ପର ନାୟକ ।

 

ମୁଁ ସିଗାରେଟ୍ ଧରେଇଲି ।

 

ମଞ୍ଜୁ ନାହିଁ ଏ କଥା ଭାବିଲାବେଳକୁ ବଢ଼ି ଉଠିବାକୁ ଲାଗିଲା ମନ ଭିତରର ଶୂନ୍ୟତା ।

 

ଶୂନ୍ୟତାକୁ ମୋର ଭାରି ଭୟ ।

 

ତେଣୁ ମୁଁ ତାକୁ ଭୁଲିବା ପାଇଁ ଚେଷ୍ଟାକଲି ।

 

ନିତ୍ୟକର୍ମ ସାରି ଶୀଘ୍ର ବାହାରି ଗଲି ଅଫିସ୍ ।

 

ଥିଏଟରରେ ମାତି କାମ ସବୁ ପେଣ୍ଡିଂ ପଡ଼ି ରହିଚି । ତେଣୁ ଅନେକ କିଛି କରିବାକୁ ହେବ ଆଜି, ଏଇଆ ଭାବି ମୁଁ ମଞ୍ଜୁକୁ ଭୁଲିବା ପାଇଁ ଚେଷ୍ଟାକଲି ।

 

ଅନୁଭବ କଲି, ଏଇ ଭୁଲି ନ ପାରିବା ଏକ ଯନ୍ତ୍ରଣା । ଏଥିରୁ ରକ୍ଷା ପାଇଲେ ମୁଁ ବଞ୍ଚେ-

 

ମୋର କେବଳ ଆନନ୍ଦ ଆବଶ୍ୟକ ।

 

ବେଦନା ନୁହେଁ ।

 

ସେମାନଙ୍କୁ ଷ୍ଟେସନରେ ଛାଡ଼ି ଆସିବାକୁ ଯାଇଥିବା ଦଳରେ ଥିଲା ଆମ ଅଫିସ୍ ପିଅନ ରଘୁଆ ।

 

ଫେରିଆସି ସେ ମୋତେ ମୁଦା ଲଫାପାଟିଏ ଦେଲା ।

 

ମଞ୍ଜୁ ଦେଇଚି ।

 

ଖାଲି ଗୋଟିଏ ଲାଇନ୍–“ଭୁଲ୍ ବୁଝିବେନି !”

 

ଏଇ ଦୁଇଟି ଶବ୍ଦରେ ବେଦନା ରହିଚି ।

 

କିନ୍ତୁ ମୁଁ ତ ଆନନ୍ଦରେ ବିଶ୍ଵାସ କରେ ।

 

ଆଉ ସେଇଥିପାଇଁ ମୋର ମନଟାକୁ ମୁଁ ଗଢ଼ି ନେଇଚି ଏକନିଷ୍ଠ ନୁହେଁ, ଅନେକ–ନିଷ୍ଠ କରି । ଚେଷ୍ଟାକରି ଗଢ଼ି ନେଇଚି ।

 

ରକ୍ତ ପରୀକ୍ଷା ପାଇଁ ବ୍ଲଡ୍‍ ନେବାବେଳେ ଆଙ୍ଗୁଠି ଟିପରେ ଯେପରି କ୍ଷଣକ ପାଇଁ ଟିକିଏ ଯନ୍ତ୍ରଣା ଆସି ପୁଣି ଉଭେଇଯାଏ–ସେଇପରି ମନଟା ଟିକିଏ ଚହଲିଯାଇ ଫେର୍ ନିସ୍ତରଙ୍ଗ ହେଇଗଲା । ପୁଣି ଦେଖାଗଲା ପ୍ରତିବିମ୍ବ ସେଥିରେ ଅନେକ ମୁହଁର । ଖାଲି ରେଲ୍ଓୟେ କଲୋନୀର ମିସେସ୍ ମାର୍ଗାରେଟ୍ ନୁହେଁ–ସହରର ଏକମାତ୍ର ବାରରେ ମୋର ପାନସଙ୍ଗିନୀ ହେବାପାଇଁ ଯୋଉମାନଙ୍କୁ ସବୁ ମୁଁ ଯୋଗାଡ଼ କରିଚି ବା ମୋତେ ଯୋଗାଇ ଦେଇଚନ୍ତି ବ୍ଲକ୍‍ କଣ୍ଟ୍ରାକ୍ଟରମାନେ ରାତି ପରେ ରାତି... ।

 

ମଞ୍ଜୁର ନିରୀହ ମୁହଁ କୁଆଡ଼େ ହଜିଗଲା ସେଇସବୁ କେତେ କେତେ ମଦିର ମୁହଁ ଭିତରେ ।

 

ଦିନଗଲା, ଚାଲିଗଲା ଚିହ୍ନ ବି ।

 

ସ୍ମୃତି ପରିଣତ ହେଲା ବିସ୍ମୃତିରେ । ମୃତ୍ୟୁ ପରି ହିମ-ଶୀତଳ ସ୍ମୃତିକୁ ନେଇ ମୁଁ ରକ୍ତ ମାଂସର ଗରମ ଜିଅନ୍ତା ମଣିଷ ବଞ୍ଚି ରହିପାରିବିନି ।

 

ସ୍ମୃତି କେବେହେଲେ ମନର ଉତ୍ତାପରେ ଇନ୍ଧନ ଯୋଗାଇ ପାରେନା । ତେଣୁ ଭୁଲିଗଲି ମଞ୍ଜୁର ସ୍ମୃତିକୁ; ବଞ୍ଚି ରହିବା ପାଇଁ ଯେହେତୁ ମୋର ଅଧିକତର ଆବଶ୍ୟକ ରକ୍ତ-ମାଂସ-ବିଶିଷ୍ଟ ଉଷୁମ ଶରୀରରେ ଘନିଷ୍ଠ ସାନ୍ନିଧ୍ୟ !

 

ସ୍ମୃତିର ରୋମନ୍ଥନ କରୁ କରୁ ମନେପଡ଼େ ଆଜି ସେଇ ବର୍ଷଣ ମୁଖର ରାତି ! ଆକାଶରେ ସେଇ ବଜ୍ର-ବିଜୁଳି ସମାରୋହ !!

 

କ୍ଵାଟର ଦରଜାରେ ମୋର ଶୁଭୁଥିଲା କରାଘାତ ।

 

ସେଇ ମୃଦୁ ଶବ୍ଦକୁ ପ୍ରଥମେ ମନେକରିଥିଲି ପବନର ଆନ୍ଦୋଳନ । କିନ୍ତୁ ତା’ପରେ ସେଟା ସ୍ପଷ୍ଟହୋଇ ଉଠିଲା । ରେଡ଼ିୟମ୍ ଡାୟାଲ୍ ଘଡ଼ିରେ ନିଶା-ରାତିରେ ବାଘ-ଆଖି ପରି ଉଜ୍ଜ୍ଵଳଭାବେ ଜଳୁଥିବା ସମୟକୁ ଦେଖି ଅଧିକ ବିସ୍ମିତ ହେଇଉଠିଲି । ଠିକ୍ ଦୁଇଟା । ଏତେ ରାତିରେ ଏଇ ଦୁର୍ଯ୍ୟୋଗରେ କିଏ ମୋତେ ଡାକିପାରେ ? ପଚାରିଲି ।

 

ସୁମନ୍ତ, ମୁଁ ଦରଜା ଖୋଲ ।

 

ଗଳାର ସ୍ଵରଟା ବାରି ପାରିଲିନି ପ୍ରଥମେ । ତା’ପରେ ମନେହେଲା ପରିଚିତ ।

 

ପୁଣି ପଚାରିଲି, କିଏ ?

 

ଆରେ ଖୋଲନା !

 

ଏ ଯେ ବି.ଡ଼ି.ଓ.ଙ୍କ ସ୍ତ୍ରୀଙ୍କର କଣ୍ଠ ପରି ।

 

ବର୍ଷାମୁଖର ରାତିରେ ତୃତୀୟ ପ୍ରହରରେ ମୋ ଦରଜାରେ ବି.ଡ଼ି.ଓ.ଙ୍କ ସ୍ତ୍ରୀ ବିଶ୍ଵାସ କରି ହେଲାନି ।

 

(ପ୍ରଭୁ ପତ୍ନୀ ସ୍ଵୟଂ ଜଣେ ଅଧଃସ୍ତନର ଦ୍ଵାରରେ…ସୁନ୍ଦର ଜ୍ୟେତ୍ସ୍ନା ରାତିରେ ବି ଏକଥା ବିଶ୍ଵାସ କରିପାରିନଥାନ୍ତି ଓଡ଼ିଶା ସରକାରଙ୍କ ଜଣେ ବ୍ଲକ୍‍ କର୍ମଚାରୀ ହେଇ । “ସାହେବ-ବିବି-ଗୋଲାମ ରାଜ୍‍”ର ଗଣ୍ଡି ଭିତରେ ଅଭ୍ୟସ୍ତ ହେଇ ଯାଇଥିଲିତ !)

 

ଉଠିଯାଇ ଖୋଲି ଦେଲି ଅଗତ୍ୟା ।

 

ହଁ ସେଇ । କିନ୍ତୁ ଦେହରେ କେବଳ ତାଙ୍କର ସାୟା ଆଉ ବଡ଼ିସ୍ ! ଭିଜି ଯାଇଚନ୍ତି ପୂରାପୂରି !! ଅନ୍ଧାର ଭିତରେ ଅନୁଭବ କଲି ତାଙ୍କ ନିଶ୍ଵାସରେ ଝଡ଼ର ପ୍ରଖରତା, ଦୂର ଲାଇଟ୍ ପୋଷ୍ଟଟାର ପ୍ରାୟାନ୍ଧକାର ଆଲୋକରେ ଅନୁଭବ କଲି ମୁହଁରେ ତାଙ୍କର ଉତ୍ତେଜନା ।

 

ଭୁଲିଗଲି ନମସ୍କାର କରିବାକୁ । କହିଲି ଭିତରକୁ ଆସନ୍ତୁ ।

 

ସେ ଭିତରକୁ ପଶି ଆସି ନିଜେ କବାଟ ବନ୍ଦ କରିଦେଲେ ।

 

ତା’ପରେ ରିତିମତ ଡ୍ରାମାର ଡାୟଲଗ୍ ମୁଁ ବିପଦରେ ପଡ଼ିଚି ସୁମନ୍ତ, ମୋତେ ଆଜି ରାତିକ ପାଇଁ ଆଶ୍ରୟ ଦେଇପାରିବ ?

 

ସମଗ୍ର ଘଟଣାଟା ସେ ବର୍ଣ୍ଣନା କରିଥିଲେ... ।

 

ତାଙ୍କ କଥା ଶୁଣିଲାବେଳେ ମନେହେଉଥିଲା ଯେପରିକି ଆଖି ଆଗରେ ଏକ ଟେଲିଭିଜନ ପର୍ଦ୍ଦା ଉପରେ ସବୁକିଛି ମୁଁ ସ୍ପଷ୍ଟ ଦେଖିପାରୁଚି–ଶୁଣିପାରୁନି ବି.ଡ଼ି.ଓ.ଙ୍କ ଚିତ୍କାର–ଶ୍ରୀମତୀ ଦାସଙ୍କ କାତରୋକ୍ତି–ପାଖ ରୁମରେ ଅପେକ୍ଷମାଣ ଜିଲ୍ଲାପାଳଙ୍କ ମଦ୍ୟସିକ୍ତ ପ୍ରଳାପ !

 

ବି.ଡ଼ି.ଓ.ଙ୍କ ବିରୁଦ୍ଧରେ ବିପୁଳ ଅଙ୍କ ଅର୍ଥ ଆତ୍ମସାତ୍‍ର ଅଭିଯୋଗ ସମ୍ବନ୍ଧରେ ତଦନ୍ତ କରିବା ପାଇଁ ଆସିଥିବା ଛଅଟି ସନ୍ତାନର ପିତା ପୌଢ଼ ଜିଲ୍ଲାପାଳ ଭେଙ୍କଟ୍‍ ରାଓ, ଆଇ.ଏ.ଏସ୍.ଙ୍କ ଚରିତ୍ର କାହାକୁ ବା ଅଜଣା !

 

ତମେ ବୁଝିପାରୁନ, ମୋର ସର୍ଭିସ୍ ଚାଲିଯିବ–ଜେଲ ବି ହେଇଯିବ !

 

କିଛି ଟଙ୍କା ବରଂ ଦେଇଦିଅ ଭେଙ୍କଟ୍‍ ରାଓଙ୍କୁ ।

 

ସେ ଟଙ୍କା ଚାହାନ୍ତି ନାହିଁ ମାଳା, ସେ ଚାହାନ୍ତି ତମକୁ ।

 

ଏକଥା ମୁହଁରେ ଧରିପାରୁଚ ତମେ ?

 

ଟକ୍ ସେନ୍‍ସ !! ସେଇଟଙ୍କା ମୁଁ କାହାପାଇଁ ମାରିଚି ? ତମେଇନା କହିଥିଲ, କିଛି... ଆତ୍ମସାତ୍ କରିପାରିଲେ ସେଇଥିରେ କଟକରେ ବଡ଼ ରକମ୍ କୋଠା ଖଣ୍ଡେ ତୋଳି ନେଇ ଭଡ଼ା ଲଗାଇ ଦେଲେ ମାସକୁ ହଜାରେ ଟଙ୍କା ଥୁଆ । ତମେଇ ନା ଉଦାହରଣ ଦେଇଥିଲ ସେଇସବୁ ବି.ଡ଼ି.ଓ.ମାନଙ୍କର... ଯୋଉମାନେ ଏଇ ଉପାୟରେ କାହିଁରେ କ’ଣ କରିଗଲେଣି । ତମେଇନା ‘ଇଉସ୍‍ ଲେସ୍’ ବୋଲି ଗାଳି ଦେଇଥିଲ ମୋତେ ମୁଁ ସେମାନଙ୍କ ପରି ହୋଇପାରୁନଥିଲି ପ୍ରଥମେ ପ୍ରଥମେ ଯେତେବେଳେ ।

 

ମାରି ଦେଇ ଖସିଯିବା ପରି ବୁଦ୍ଧି ତମର ଯଦି ନ ଥିଲା ଅନ୍ୟମାନଙ୍କ ଭଳି, କାହିଁକି ପଙ୍କ ଭିତରେ ପଶିଲ ? ମୁଁ ଯୋଉମାନଙ୍କ ଉଦାହରଣ ଦେଇଚି, ସେମାନେ ଟଙ୍କାମାରି କୋଠା ବାଡ଼େଇଛନ୍ତି, ସ୍ତ୍ରୀକି ଛାଡ଼ିଦେଇ ନାହାନ୍ତି ଉପରିସ୍ଥ କର୍ମଚାରୀ ପାଖରେ ।

 

ଉପରିସ୍ଥ କର୍ମଚାରୀ ଚାହିଁବା ଭଳି ସ୍ତ୍ରୀ ସେମାନଙ୍କର ଥିଲେ ନିଶ୍ଚୟ ଛାଡ଼ି ଦେଇପାରନ୍ତେ । ସମସ୍ତେ ଆଜିକାଲି ସେସବୁ କୁସଂସ୍କାରର ଊର୍ଦ୍ଧ୍ୱରେ ଅଥଚ ତର୍କ-ଶାସ୍ତ୍ରରେ ଏମ୍‍.ଏ. ତମେ ମାଳବିକା ଦାସ ସେଇ ସୀତା-ସାବିତ୍ରୀ ଯୁଗରେ ପଡ଼ିରହିଚ, ଏପରିକି ନିଜ ସ୍ଵାମୀକୁ ବିପଦରୁ ଉଦ୍ଧାର କରିବା ପାଇଁ ମଧ୍ୟ ତମେ ସେଇ ଅର୍ଥହୀନ... ମୂଲ୍ୟହୀନ... ବାୟବୀୟ ସଂସ୍କାର ଛାଡ଼ିବା ପାଇଁ ନାରାଜ୍ !!

 

ଶେଷ ପର୍ଯ୍ୟନ୍ତ ବଳ-ପ୍ରୟୋଗ । ବେଡ଼୍‍ରୁମ୍ ଭିତରେ ସ୍ତ୍ରୀଙ୍କ ସହିତ ଭେଙ୍କଟ୍‍ ରାଓଙ୍କୁ ଛାଡ଼ିଦେଇ ବାହାରୁ କବାଟ ବନ୍ଦ କରି ଦିଅନ୍ତି ପତି-ଦେବତା !

 

ଟେଲିଭିଜନ ପର୍ଦ୍ଦା ଉପରେ ଏହାପରେ ଦୁଇଟି ଦୃଶ୍ୟ ଏକ ସଙ୍ଗେ ଦେଖାଗଲା । ଡ୍ରଇଂ ରୁମରେ ଜ୍ଵଳନ୍ତ ସିଗାରେଟ୍ ହାତରେ ବସି ଡ୍ରିଙ୍କ୍ କରୁଚନ୍ତି ସର୍ବେଶ୍ଵର ଦାସ୍ ନିର୍ବିକାର ଭାବରେ; ଆଉ ତାଙ୍କରି ବେଡ଼୍‍ରୁମ୍ ଭିତରେ ତାଙ୍କ ଧର୍ମପତ୍ନୀଙ୍କୁ ‘ମୋଲେଷ୍ଟ’ କରୁଚନ୍ତି ଭେଙ୍କଟ୍ ରାଓ !

 

ଏ ପାଖରେ ଧ୍ୟାନମଗ୍ନ ଜଣେ ଯୋଗୀ !

 

ସେ ପାଖରେ ପିଞ୍ଜରାବଦ୍ଧ ହରିଣୀଟିଏ ଏକ ମହାବଳର କବଳରେ... !!

 

ଅଭାବନୀୟ ଦୃଶ୍ୟଟି ଦୃଢ଼ ଗତିରେ ଚରମ କ୍ଲାଇମେକ୍ସଆଡ଼କୁ ଧାବମାନ । ତକିଆ ପାଖରେ ଥିବା ଦାମ୍ପତ୍ୟ-ଜୀବନର ଉପନିଷଦ “ଏନ୍‍ସାଇକ୍ଲୋପିଡ଼ିଆ ଅଫ୍ ସେକ୍ସ” ନାମକ ଓଜନଦାର (ତା’ଛଡ଼ା ଅନ୍ୟକିଛି ହାତ ପାଖରେ ସେ ପାଇନଥିବେ ଅନୁମାନ କରୁଚ । ସର୍ବେଶ୍ଵର ଦାସଙ୍କର ନିର୍ବିକାରଭାବେ ବସି ରହିବାଟା ଯେପରି ମୋର ଅନୁମାନ…ବହିର ନାମଟା ବି ସେହିପରି ମୋର ଅନୁମାନ !) ଗ୍ରନ୍ଥଟି ଜୋରରେ ଫିଙ୍ଗିଚନ୍ତି ମାଳବିକା…ଯାହାର ଆଘାତରେ (ନିଶ୍ଚୟ ତା’ ମୁଣ୍ଡରେ ବାଜିଥିବ… ! ଏଇଟା ମଧ୍ୟ ମୋର ଅନୁମାନ !) ଭେଙ୍କଟ୍ ରାଓର ମୂର୍ଚ୍ଛା ଏବଂ ପତନ, (କ’ଣ, ଅନୁମାନ ମୋର ଖୁବ୍ ନେଚୁରାଲ୍ ମନେହେଉଚି ତ ? ତକିଆ ପାଖରେ ଏଡ଼େ ବଡ଼ ଆଉ କି ପ୍ରକାର ବହିଟାଏ ରଖାଯାଇ ପାରିଥାଏ ? ରାତି ଅନିଦ୍ରା ହୋଇ ସ୍ଵାମୀ-ସ୍ତ୍ରୀ କ’ଣ ଡିକ୍ସନାରୀ ପଢ଼ିବେ ? ଅତଏବ ନିଶ୍ଚୟ ସେହି ଜଣାଶୁଣା ବହିଟା । ସେଇଟା ମଥାରେଇ ବାଜିଲେ କେବଳ ମୂର୍ଚ୍ଛା ଓ ପତନ ସମ୍ଭବ ଭେଙ୍କଟ୍‍ ରାଓ ପରି ଜଣେ ଲାସ୍-ଭାରି ଲୋକ ପକ୍ଷରେ । ବାକିସବୁ ବି ସେଇପରି ଅନୁମାନ କରିନେବା କଥା... !!) ...ନ କହିଥିଲେ ଚଳିଥାଆନ୍ତା–ତଥାପି ସେ ମୋତେ କହିଦେଇଥିଲେ କିପରି ମୂର୍ଚ୍ଛିତ ଭେଙ୍କଟ୍ ରାଓଙ୍କ ହାତମୁଠା ଭିତରେ ଜାବ ପଡ଼ି ଅଟକି ଯାଇଥିଲା ତାଙ୍କ ଶାଢ଼ି । ଦରଜାରେ ଶୁଭୁଚି ସର୍ବେଶ୍ଵର ଦାସଙ୍କ କରାଘାତ (ଭେଙ୍କଟ୍ ରାଓ ଦୁମ୍‍କରି ପଡ଼ିଥିବା ଶବ୍ଦ ନିଶ୍ଚୟ ଶୁଣିଚନ୍ତି ବି.ଡ଼ି.ଓ. । ସେଇଥି ପାଇଁ ବ୍ୟସ୍ତହୋଇ କବାଟ ବାଡ଼େଇ ଥିବେ ଅନୁମାନ କରୁଚି...) “ମାଳା, ମାଳା, କ’ଣ ହେଲା… କ’ଣ କଲ… ଦରଜା ଖୋଲ… ବୋଲି ସେ ଚିତ୍କାର କରି ଚାଲିଚନ୍ତି !!!

 

କିଂ କର୍ତ୍ତବ୍ୟ ବିମୂଢ଼ା ମାଳବିକା ଶାଢ଼ି ଛାଡ଼ି ପଛ ଦରଜା ଖୋଲି ନିର୍ବସନା-ପ୍ରାୟ ଝଡ଼, ଜଳ, ଅନ୍ଧାର ଭିତରେ ଧାଇଁ ଯାଉ ଯାଉ ସମ୍ବିତ୍ ଫେରିପାଇଲେ । ଏଇପରି ସେ ନିଶ୍ଚୟ ଷ୍ଟେସନ ଯାଏ ଚାଲିଯାଇ ପାରିବେନି !

 

ଆକାଶରେ ଝଲସି ଉଠିଲା ବିଜୁଳି ।

 

ନିଜକୁ ସେ ଆବିଷ୍କାର କଲେ ।

 

ବଜ୍ରର ପ୍ରଚଣ୍ଡ ଶବ୍ଦରେ ଅଟକି ରହିଗଲେ ଏଇଠି, ମୋ’ରି କ୍ଵାଟର୍ ପାଖରେ ।

 

ଛୋଟ କ୍ଵାଟର୍, ଦୁଇଟି ମାତ୍ର ରୁମ୍ ।

 

ତାଙ୍କୁ ଶୋଇବା ଘରେ ଛାଡ଼ିଦେଇ କହିଲି, ଆପଣ ଚେଞ୍ଜ୍‍ କରି ନିଅନ୍ତୁ । ଟାୱେଲ୍‍ ଅଛି-

 

(ଭାବିଲି, ମୋର ଧୋତି ଥିଲେ ସେ ପିନ୍ଧି ପାରିଥାଆନ୍ତେ । କିନ୍ତୁ ହାୱାଇନ୍ ଆଉ ଫୁଲ-ପ୍ୟାଣ୍ଟ୍‍ ଛଡ଼ା ମୁଁ ତ ଅନ୍ୟ କିଛି ପିନ୍ଧେନା ।)

 

ବାହାର ଘରେ ବସି ସିଗାରେଟ୍ ଟାଣୁଥିଲି ଆଉ ମନଶ୍ଚକ୍ଷୁରେରେ ଦେଖୁଥିଲି ଭିଜି ଯାଇ ଦେହରେ ଅଠା ମାରିଲା ପରି ଲାଗିଥିବା ବଡ଼ିସ୍, ବ୍ରା’, ସାୟା…ସବୁ କିଛି ଟାଣି ଭିଡ଼ି ଖୋଲିବାକୁ ଚେଷ୍ଟା କରୁଚନ୍ତି ମାଳବିକା… (ମନ ଭିତରର ପଶୁଟା କହୁଚି ମୋତେ ସାହାଯ୍ୟ କରିବାକୁ ଡାକନ୍ତେକି !) ଏତ ଦେଖିପାରୁଚି, ବଡ଼ିସ ଆଉ ବ୍ରା’ ଖୋଲି ସେ ଫିଙ୍ଗିଦେଲେ ଖଟ ଉପରକୁ… (ଆହା, ସେଇ ଭିଜା ପରିଧେୟତକ ରାକରେ ଅନ୍ତତଃ ରଖନା... ! ମୋ ବିଛଣାଟା... ଓଦା ହେଇଯିବ ଯେ...) ତା’ପରେ ଗଣ୍ଠିପଡ଼ିଯାଇଥିବା ସାୟାର ଫିତାଟା ଖୋଲିବାର ପ୍ରଚେଷ୍ଟା… (ଆୟାସସାଧ୍ୟ ବ୍ୟାୟାମ !) ନ ହେବାରୁ ଶେଷକୁ ଜୋର୍‍ ଗୋଟିଏ ଟାଣରେ ଛିଡ଼ାଇ ଦେଲେ ସେ…ଆଉ ତା’ପରେ (ସେ ବି ଏକ ଦୃଶ୍ୟ !) ସାୟା ଗୋଲଭାବେ ତଳେ ଘେରେଇ ହେଇପଡ଼ିଚି ବୃତ୍ତର କେନ୍ଦ୍ରବିନ୍ଦୁ ଉପରେ ଖାଲି ପେଣ୍ଟିସରେ ଠିଆହେଇ ରହିଚନ୍ତି ଭେନାସ୍‍ ପରି ରୂପବତୀ ପ୍ରଭୁପତ୍ନୀ !

 

ବେଶୀ ସମୟ ଆଉ ସେଠି ସାନ୍ନ୍ୟାସୀ ପରି ବସି ରହି ପାରିଲିନି (ସ୍ଵୀକାର କରିବାରେ ଲଜ୍ଜା କ’ଣ ? ମନ୍ତ୍ର ଚାଳିତବତ୍ ଧୀରେ ଧୀରେ ଆସି ଠିଆହେଲି ଆଉଜା ଦରଜା ଉହାଡ଼ରେ, କିନ୍ତୁ ଦେଖିବାର ଉପାୟ ନାହିଁ କିଛି । ଘର ଭିତରଟା ଅନ୍ଧାର)

 

ସେ ପେଣ୍ଟିସ୍ ବି ଖୋଲିଥିବେ ନିଶ୍ଚୟ । ସବୁ କିଛି ଓଦାକୁ ତ କାଢ଼ି ପକାଇବା କଥା ।

 

ହଠାତ୍ ମୋତେ ଡାକଦେଇ କହିଲେ, ସୁମନ୍ତ, ମୁଁ ତମ ଚାଦରଟା ପିନ୍ଧି ପକେଇଲି ।

 

ପିନ୍ଧନ୍ତୁ...ବୋଲି ବାହାରି ପଡ଼ିଲା ମୁହଁରୁ । ଚମକି ଉଠି ଜିଭ କାମୁଡ଼ି ପକାଇଲି କହି ଦେଇ ସାରି, ଆଉ... ଫେରିପଡ଼ିଲି ସେଠୁ । ମୁହଁଟା ଦରଜା ପାଖରେ ଅଛି ବୋଲି ଜାଣିପାରିଲେ ତେବେ !! ନିଶ୍ଚୟ ଭାବିଥିବେ, କେତେବେଳୁ ଠିଆ ହେଲିଣି...

 

କିଛି କହିବେ କି ଆଉ ?

 

ନାଁ ।

 

ବାହାର ଘରେ କିଛିସମୟ ବସିଚି, ଶୁଭିଲା । ଏବେ ଭିତରକୁ ଆସିପାର ।

 

ନ ଶୁଣିଲା ପରି ବସି ରହିଲି ଚୁପ୍ ହୋଇ ।

 

ସେ ପୁଣି ଡାକିଲେ, ସୁମନ୍ତ !

 

ମନଶ୍ଚକ୍ଷୁରେ ଦେଖୁଚି, ମାଳବିକାଙ୍କ ତନୁରେ ଶାଢ଼ିପରି ଘେରି ରହିଚି ମୋ ଶିଲ୍‍କ ଚାଦରଟା । ତାଙ୍କ ବ୍ଲାଉଜ୍-ବିହୀନ କାନ୍ଧ, ସୁଡୌଲ ଗଳା, ସମ୍ପୂର୍ଣ୍ଣ ବାହୁ, ଆଣ୍ଠୁ ତଳକୁ ଅନାବୃତ ନଖ ପର୍ଯ୍ୟନ୍ତ... ଏପରିକି ପାଦତଳ ଯାଏ ବି... ସବୁକିଛି ଯେପରି ଉଜ୍ଜ୍ଵଳ ଓ ଜାଜ୍ଜ୍ୱଲ୍ୟମାନ ସ୍ଵକୀୟ ବର୍ଣ୍ଣାଭରେ । ଅନ୍ଧାର ଭିତରେ ସତେ ଯେପରି ସେଇ ନିଜେହିଁ ନିଜର ଆଲୋକ ।

 

ସୁମନ୍ତ, ଆସ... । ସେ ଆହୁରି ଥରେ ଡାକିଲେ ।

 

ଆପଣ ବରଂ ସେଇଘରେ ଶୋଇପଡ଼ନ୍ତୁ । ସନ୍ତର୍ପଣରେ କହିଲି... ଦରଜାଟା ବନ୍ଦ କରି ଦେଇପାରନ୍ତି ଭିତର ଆଡ଼ୁ ।

 

କିନ୍ତୁ ନା । ବରଂ ଶୁଣିବାକୁ ପାଇଲି ଆଉଜା ଦରଜା ଖୋଲା ହେବାର ଶବ୍ଦ ।

 

ସେ ଆସି ମୋ ପାଖରେ ଠିଆହେଲେ ।

 

ହଁ, ସେଇ ରୂପ । ମୁଁ ମନଶ୍ଚକ୍ଷୁରେ ଦେଖିଥିଲି । ତେବେ ଆହୁରି କିଛି ଅଧିକ ଆକର୍ଷଣ-। ଝରକା ବାଟେ ପଡ଼ୁଥିବା ଦୂର ଲାଇଟ୍-ପୋଷ୍ଟର ଆଲୁଅରେ ଭାରି ସୁନ୍ଦର ଦିଶୁଥିଲା ତାଙ୍କର ମଥା ଉପରକୁ ଉଠାହୋଇ ବନ୍ଧା କେଶ-ସ୍ତୂପ ।

 

ପ୍ରଭୁ-ପତ୍ନୀଙ୍କ ଆଗରେ... ମୁହଁକୁ ସିଗାରେଟ୍ ନେଉ ନେଉ ଅଭ୍ୟସ୍ତ ଆଙ୍ଗୁଳି ସେଇଟା ତଳେ ଖସାଇ ପକାଇଲା ।

 

ସେଇ ଜଳନ୍ତା ନିଆଁଟାକୁ ନିଭେଇବା ପାଇଁ ସେ ମାଡ଼ି ଦେଲେ ପାଦରେ । ତା’ପରେ ଯନ୍ତ୍ରଣାରେ କହି ଉଠିଲେ ଉଃ... !!

 

କ’ଣ ହେଲା ?

 

ମୁଁ ଝୁଙ୍କିପଡ଼ି ଦେଖିବା ପାଇଁ ଚେଷ୍ଟାକରିବା ଆଗରୁ ପାଦଟି ତାଙ୍କର ଉଠିଆସି ରହିଚି ନୂଆଣିଆ ଆର୍ମଚେୟାରର ହାତ ଉପରେ ମୋରି ହାତ ପାଖକୁ ଲାଗି ।

 

(ଆର୍ମଚେୟାରର ଫିତା ଉପରେ ମୋର ସାରାଦେହଟା ଦୋଦୁଲ୍ୟମାନ ହୋଇଉଠିଲା-!)

 

ସେ ଝୁଙ୍କିପଡ଼ି ଦୁଇ ହାତରେ ଚାପିଧରିଲେ ତାଙ୍କ ପାଦର ସେଇ କନିଷ୍ଠ ଆଙ୍ଗୁଳିଟି ଯୋଉଠି ଜ୍ଵାଳା ଥିବାର ଅନୁମାନ କରି ନେଲି ।

 

ଟି’ପୟ ଉପରେ ଚିକ୍ ଚିକ୍ ଦିଶୁଥିବା ମୋ ନୂଆ ଟର୍ଚ୍ଚଟାକୁ ଉଠାଇନେଇ ଟିପିଧରିଲି ମୁଁ-। ...ଆଲୁଅରେ ଦେଖି ତାଙ୍କର ସେଇ ଆଙ୍ଗୁଳିଟିରେ ହାତ ଲଗାଇ କହିଲି, ଆହା… ଲାଲ ପଡ଼ି ଯାଇଚି ।

 

ମାଲବିକାଙ୍କ ହାତ ଉପରେ ମୋ ହାତ ରହିଥିଲା । ପଚାରିଲି, ଆପଣ ସ୍ଲିପର୍‍ ପିନ୍ଧିନଥିଲେ ?

 

ତମେ ଏତେ ସିଗାରେଟ୍ ଖାଅ କାହିଁକି ?

 

ତଳେ ପଡ଼ି ତଥାପି ଜଳୁଥିବା ସିଗାରେଟ୍‍ଆଡ଼କୁ ଅନାଇଦେଇ ସେ ପଚାରି ଥିଲେ ।

 

ମୋ ସ୍ଳିପରରେ ସେଟା ଚାପିଦେଇ କହିଲି–

 

ରହନ୍ତୁ, ଅଏଣ୍ଟମେଣ୍ଟ ଆଣେ…

 

ଟର୍ଚ୍ଚମାରି ବେଡ଼୍‍ରୁମ୍ ଥାକରୁ ଅଏଣ୍ଟମେଣ୍ଟ ଖୋଜି ଆଣିଲି… ।

 

ସେ ସେଇପରି ଆଙ୍ଗୁଳିଟିକୁ ଧରି ଝୁଙ୍କିପଡ଼ି ଠିଆହୋଇ ରହିଥିଲେ ।

 

ପଚାରିଲି ଲଣ୍ଠନ ଜଳେଇବି ?

 

ନା ।

 

ତାଙ୍କ ଆଙ୍ଗୁଳି ଉପରକୁ ଟର୍ଚ୍ଚ ମାରିଲି ।

 

ଦେଖାନ୍ତୁ ଲଗେଇ ଦିଏ ।

 

ଦିଅ, ମୋତେ ଲଗେଇ ଆସେ । ତମେ ଯାଅ, ଶୋଇବ ।

 

ନା, ନା ଆପଣ ଯାଇ ଶୁଅନ୍ତୁ–ମୋତେ ଆଉ ନିଦ ନାହିଁ ।

 

କି ଆଶ୍ଚର୍ଯ୍ୟ କଥା, ତମ ଘରେ ମୁଁ ଶୋଇବି ଆଉ ତମେ ବସି ରହିବ ସାରାରାତି ।

 

ଦେଖନ୍ତୁ ଗୋଟିଏ ତ ଖଟ...

 

ବେଶ୍‍ତ ତେବେ କେହି ଶୋଇବାନି !

 

କିନ୍ତୁ ଆପଣଙ୍କର ବିଶ୍ରାମ ଦରକାର ।

 

ତା’ଠାରୁ ବି ଆହୁରି ବେଶୀ ଦରକାର ଗରମ ଚା’କପେ । ଆରେଞ୍ଜମେଣ୍ଟ ଅଛି ?

 

ଅଛି । ମୁଁ କରି ଆଣେ ।

 

ୟୁ ଆର୍ ଏ ଗୁଡ୍ ବୟ ।

 

ଧୂମାୟିତ ଚା’ କପ୍‍ ହାତରେ ଆମେ ଦୁଇଟି ଚେୟାରରେ ବସିଥିଲୁ ମୁହାଁମୁହିଁ ।

 

ସିଗାରେଟ୍ କାହିଁ ? ସେ ଖୋଜିଲେ ।

 

ବଢ଼େଇ ଦେଲି ।

 

ଫିଲଟର୍‍ ଟିପ୍ ତ ? …କାଢ଼ି ଆଣି ମୋ ହାତରେ ଦେଲେ ଦୁଇଟି ସିଗାରେଟ୍ । ସମଟାଇମସ୍ ଆଇ ଠୁ ସ୍ମୋକ । ତମେ ଦୁଇଟି ଯାକ ଏକା ସଙ୍ଗେ ଧରେଇପାରିବ ?

 

ନିଶ୍ଚୟ । କିନ୍ତୁ...

 

ଯାହା କହୁଚି କରନା ।

 

ଲାଇଟର୍‍ଟା ଜାଳି ଧରିଲେ ସେ ମୁହଁ ପାଖରେ ମୋର । ମୁଁ ଧରେଇ ନେଲି ।

 

ଗୋଟାଏ ଦିଅ ମୋତେ...

 

ମାନେ...

 

ଆଃ, ଦିଅନା !

 

ମୋ’ରି ଅଇଁଠା ସିଗାରେଟ୍ ସେ ମୁହଁରେ ଦେଲେ । ଆରଟି ଧରି ବସି ରହିଲି ହତବାକ୍ ହେଇ । ମୁଁ ଧରେଇଥିବା ସିଗାରେଟ୍‍ଟିକୁ ସେ... (ମନେପଡ଼ିଗଲା ଇଂଲିଶ୍‍ ଫିଲ୍ମରେ ଇମିତି ଦେଖିଚି । କିନ୍ତୁ ସେମାନେ ତ ସ୍ଵାମୀ-ସ୍ତ୍ରୀ ଥିଲେ... !!)

 

ଟାଣ । ଧରି ବସିରହିଚ ଯେ ?

 

ସ୍ମୋକ୍‍ କଲି ।

 

(ସବୁକିଛି ଯେପରି ପ୍ରହେଳିକା ପରି ଅସ୍ଵାଭାବିକ ମନେହେଉଚି !)

 

ଝଡ଼ ବର୍ଷା ଚାଲିଥିଲା । ଅପ୍ରକୃତିସ୍ଥ ଥିଲା ବାହାରର ପ୍ରକୃତି ।

 

ମାଳବିକାଙ୍କର ସବୁ କିଛି... ମନେହେଉଥିଲା ଅପ୍ରାକୃତିକ ଆଉ ଅସ୍ଵାଭାବିକ ।

 

ତାଙ୍କରି ସାନ୍ନିଧ୍ୟ ହୁଏତ ମୋ’ଠାରେ ସେହି ଅପ୍ରାକୃତିକତା ଆଉ ଅସ୍ଵାଭାବିକତା ସଂକ୍ରମିତ କରି ଦେଇ ଥିଲା । ତେଣୁ ନିଜକୁ ମଧ୍ୟ ମୁଁ ସେତେବେଳେ ପୂରାପୂରି ପ୍ରକୃତିସ୍ଥ କିମ୍ବା ସ୍ଵାଭାବିକ ମନେକରୁନଥିଲି ।

 

ବିଶ୍ଵାସ କରୁଥିଲି ତାଙ୍କୁ ଆଉ ତାଙ୍କ କଥା ସବୁକୁ... ।

 

ତାଙ୍କ ପ୍ରତି ଦୁର୍ବଳ ହୋଇଉଠୁଥିଲି ।

 

ମୋ ମନରେ ତାଙ୍କ ପ୍ରତି ଆସିଥିଲା ଆସକ୍ତି ।

 

(ଭିତରର ପଶୁଟା କହୁଥିଲା, ଇମିତି ସୁଯୋଗ ଛାଡ଼ିବା କଥା ନୁହେଁ !)

 

ମାଳବିକା କହିଲେ, ମୁଁ ସ୍ଵାମୀଙ୍କୁ ଡାଇଭର୍ସ୍‍ କରିବାକୁ ଚାହେଁ । ତମର ମତ କ’ଣ ?

 

ଆପଣଙ୍କ ସହିତ ମୁଁ ଏକମତ ।

 

କିନ୍ତୁ ସେଥିପାଇଁ ପ୍ରଥମେ ମୁଁ ବାପାଙ୍କ ପାଖରେ ପହଞ୍ଚିବା ଉଚିତ । ସେ ଆଇନଜ୍ଞ, ବାରିଷ୍ଟର ।

 

ବେଶ୍‍ ତ ।

 

ମୋତେ ନେଇ କଟକରେ ଛାଡ଼ିଆସି ପାରିବ ? ଆଜି ରାତିରେ ।

 

ମୁଁ...

 

ହଁ, ତମକୁ କହୁଚି ।

 

ରିଷ୍ଟ୍ ୱାଚକୁ ଚାହିଁଲି । ରେଡ଼ିୟମ୍ ଡାଏଲରେ ଜ୍ଵଳନ୍ତ ସମୟ ଦୁଇଟା ପଇଁଚାଳିଶ ମିନିଟ୍-। କହିଲି, ଟ୍ୟାକ୍ସିରେ ଏଠୁ କଟକ ଯିବାପାଇଁ ଦେଢ଼ ଘଣ୍ଟା ଲାଗେ । ଆପଣ ବସନ୍ତୁ; ମୁଁ ତା’ହେଲେ ଦେଖେ ଯାଇ ଷ୍ଟାଣ୍ଡରେ...

 

ପ୍ଲାଷ୍ଟିକ୍ ରେନକୋର୍ଟଟା ପିନ୍ଧିନେଇ ଚାଲିଲି ଟ୍ୟାକ୍ସିଷ୍ଟାଣ୍ଡ । ପନ୍ଦର ମିନିଟ୍‍ର ବାଟ ।

 

ଯଦି ଗାଡ଼ି ମିଳିଯାଏ, ମାଳବିକାଙ୍କୁ କଟକରେ ଛାଡ଼ି ରାତି ପାହିବା ଆଗରୁ ବି ଫେରିଆସି ପାରିବି ।

 

(ନିଜକୁ ବେଶ୍ ହିରୋ ମନେହେଉଚି)

 

ପରୋପକାର କରିବାର ଗୋଟାଏ ବୀରତ୍ଵ ଅଛି ତ !

 

କିନ୍ତୁ ପର ମୁହୂର୍ତ୍ତରେ ଭିତରର ପଶୁଟା ପଚାରିଲା, ଜବାବ୍ ଦାବି କଲା, କାହିଁକି ?

 

ବାସ୍ତବିକ୍ କାହିଁକି ମୁଁ ଏତେସବୁ କରିବି ? ସେ ମୋର କିଏ ? ଯୋଉ ସୁମନ୍ତ ମହାପାତ୍ରର ଜୀବନ-ଦର୍ଶନ କହେ–“ନାରୀ ମାତ୍ରେଇ ଉପଭୋଗ୍ୟ”...ପ୍ରତିବଦଳରେ ସେ କ’ଣ ପାଇବ ମାଳବିକାଠାରୁ ?

 

ମାଳବିକାକୁ ଅନୁଶୀଳନ କରିବାକୁ ଲାଗିଲି । ସିଗାରେଟ୍ ଧରେଇବା କଥାଟା..., ସେ ତ ଗୋଟାଏ ପ୍ରଲୋଭନ ମାତ୍ର । ନେକେଡ୍‍ ଫ୍ଲାର୍ଟ... ନିଛକ ଚାଲ୍‍ବାଜୀ ! ଦୈହିକ କିମ୍ବା ଆର୍ଥିକ ଲାଭ ବିନା କାହାର କିଛି ଉପକାର କରିବା ନିଷ୍କାମ ହୃଦୟରେ... ଗୀତାର ପଂକ୍ତି ଅନୁଯାୟୀ–କର୍ମ କରିଯାଅ, ଫଳରେ ଆଶା ନ ରଖି...’’ ଏସବୁ ତ ବିଶ୍ଵାସ କରେ ନାହିଁ ସୁମନ୍ତ ମହାପାତ୍ର ଅନ୍ତତଃ । ଗ୍ରାମ-ସେବିକା କସ୍ତୁରୀ ଯେମିତି ଅଳ୍ପ ହସି ଅନୁରୋଧ କରେ ତା’ ଟି.ଏ. ବିଲ୍‍ଟା ପାସ୍‍ କରେଇ ଦବା ପାଇଁ, ସମାଜ-ସଂଗଠିକା କ୍ରିଷ୍ଟିନା ଯେମିତି ବାଙ୍କ ଚାହାଣି ହାଣି ମଧ୍ୟ ଘଣ୍ଟାଏ ଲେଟରେ ଆସିଥିଲେ ବି ଅନୁରୋଧ କରେ ଆଟେଣ୍ଡେନ୍‍ସ ରେଜିଷ୍ଟରରେ ତାକୁ ଦସ୍ତଖତ୍ ମାରିବା ପାଇଁ ଅନୁମତି ଦେବାକୁ–ସିଗାରେଟ୍ ବ୍ୟାପାରଟା ମାଳବିକାର ସେଇପରି ଗୋଟାଏ ଚାଲ୍...

 

ତା’ ନୁହେଁ ତ ଆଉ କ’ଣ ?

 

ନାରୀ-ଜାତିର ଏଇ ଫ୍ଲାର୍ଟ ସାଙ୍ଗରେ, ଚାଲ୍‍ବାଜୀ ସାଙ୍ଗରେ, ...ଖୁବ୍ ପରିଚିତ ସୁମନ୍ତ ଶର୍ମା । ହୁଁ... ହୁଁ... !!!

 

ନାଁ, ଏ ସବୁରେ ମୁଁ ଭୁଲେନା । ଏତିକିରେ ମୋ’ଠାରୁ କାମ ହାସଲ କରେଇ ହବନି । ମୋର ଦରକାର ଘୁଷ୍... । ଘୁଷିର ପୁଂଲିଙ୍ଗ ଘୁଷ୍ ! କଣ୍ଟ୍ରାକ୍ଟରମାନଙ୍କ ହସରେ ମୁଁ ଭୁଲି ନାଇଁ । ଭୁଲି ନାଇଁ କସ୍ତୁରୀର କଥାରେ କି କ୍ରିଷ୍ଟିନାର କଟାକ୍ଷରେ । ଯାହା ନେବାର ନେଇଚି । ଆଦାୟ କରିନେଇଚି ଉପକାର କରିବାର ମୂଲ୍ୟ । ମୋର ଶୋଚନା କି ଅନୁଶୋଚନା ନାଇଁ । କେହି ମୋ ପାଖରେ ଋଣୀ ନୁହେଁ କି ମୁଁ ବି ନୁହେଁ କାହାଠାରେ ଦାୟ-ଗ୍ରସ୍ତ । ମୁଁ ଭଲପାଏନା କାହାରିକୁ, ଆଉ ମୋତେ ମଧ୍ୟ କେହି ଭଲପାଏନା ନିଶ୍ଚୟ, ଯେହେତୁ କି ରୂପର ହାଟରେ ମୁଁ ଦେବାଳିଆ । (ରୂପଇତ ଭଲପାଇବାର ପ୍ରଥମ ସୋପାନ) । ଏ କ୍ଷେତ୍ରରେ ଅବାନ୍ତର ସ୍ତ୍ରୀ-ପୁରୁଷର ରୁଚି-ଭେଦ ପ୍ରଶ୍ନ । ଅସୁନ୍ଦର ଛବି, ଅସୁନ୍ଦର ଦୃଶ୍ୟ ପରି ଅସୁନ୍ଦର ମୁହଁ ମଧ୍ୟ ଭଲଲାଗେନା କାହାରିକି । ସୁନ୍ଦର ପୁଅ ଝିଅଙ୍କୁ ବାପା ମାଆ ଭଲପାଆନ୍ତି ବେଶୀ । ସ୍କୁଲରେ ଶିକ୍ଷକମାନେ ବି ପସନ୍ଦ କରନ୍ତି ‘ଗୁଡ୍ ଲୁକ୍’... । ରେଲ୍ଓୟେ ସ୍କୁଲରୁ ଯେତେବେଳେ ଦଳେ ଛାତ୍ରଙ୍କର ଯିବାର ହେଲା ଦିଲ୍ଲୀ, ପ୍ରଥମ ସ୍ଵାଧୀନତା ଦିବସରେ ପ୍ୟାରେଡରେ ଅଂଶଗ୍ରହଣ କରିବା ପାଇଁ,–ମୋତେ ତ ବାଦ୍ ଦିଆ ହେଇଥିଲା ଦେଖିବାକୁ ସୁନ୍ଦର ନୁହେଁ ବୋଲି (…ଅସୁନ୍ଦର ପିଲାମାନେ ଗଲେ ଦିଲ୍ଲୀବାଲାଏ କ’ଣ ଧାରଣା କରିବେ ଓଡ଼ିଆଙ୍କ ସମ୍ବନ୍ଧରେ !) ଯଦିଓ ଡ୍ରିଲ୍ ଭଲ କରୁଥିଲି, କ୍ୟାଡ଼େଟ୍ ଥିଲି ଜୁନିଅର ଏନ୍‍.ସି.ସି.ର ପ୍ରଥମ ଗ୍ରୁପରେ ବି !!

 

ପକେଟ୍ ଭରି ଯେମିତି ଟଙ୍କା ଆଦାୟ କରି ନେଇଚି କଣ୍ଟ୍ରାକ୍ଟରମାନଙ୍କଠାରୁ, କସ୍ତୁରୀ ଆଉ କ୍ରିଷ୍ଟିନାମାନଙ୍କଠାରୁ ଯେମିତି ଆଦାୟ କରି ନେଇଚି ‘ନିରୋଧ’ ଭରା ଆନନ୍ଦ, –ସେଇପରି କିଛି ଦାଖଲ୍ ନ ଦେଇ ଭାବିଚି ଖସିଯିବ ମାଳବିକା ମୋ ଉଚ୍ଚିଷ୍ଟ ସିଗାରେଟ୍ ଥରେ ଦି’ଥର ଟାଣିଦେଇ, ନଗ୍ନ ବାହୁ ଆଉ ଅର୍ଦ୍ଧ-ଉଲଗ୍ନ ଉରୁର କାଉଁରୀ କାଠି ମୋ ଆଖି ଆଗରେ ହଲେଇ, –ଅର୍ଥାତ୍ ଗୋଟିଏ ବାକ୍ୟରେ ମୋତେ ନିର୍ବୋଧ ପ୍ରମାଣିତ କରି !

 

ହୁଁ, ମାଳବିକା ଦେବୀ, ସୁମନ୍ତ ମହାପାତ୍ରର ହୃଦୟ-ଫୃଦୟ ନାହିଁ… । (ବୋକାମାନଙ୍କର କେବଳ ହୃଦୟ ନାମକ ଅବସ୍ତୁଟାଏ ବେଶୀ ପରିମାଣରେ ଥାଏ ବୋଲି ଶୁଣିଚି !) ମୁଁ ପୂରାପୂରି ବସ୍ତୁବାଦୀ । ବୁଝେ ଖାଲି ଲାଭର ଦିଗଟାଇ । ସବୁ କିଛିରେ ମୋର ବେନିଫିଟ୍ ଦରକାର, ରିୱାର୍ଡ଼ ଦରକାର, ପ୍ରଫିଟ୍‍ ଦରକାର, ମୂଲ୍ୟ ଦରକାର ।

 

ମୋର ଅନେକ-ରାତ୍ରୀ-ଅଭିସାରର ସାରଥି ପୁରୁଖା ଟ୍ୟାକ୍ସି ଡ୍ରାଇଭର୍ ଶୋଭାନ୍ ଅଲ୍ଲୀ । ସେ ବିଶ୍ଵସ୍ତ । କେବଳ ଅର୍ଥ ହିଁ ତା’ ପକ୍ଷରେ ପରମାର୍ଥ । ସେ ବୟସ୍କ, ବୃଦ୍ଧ । ତେଣୁ ଏଇସବୁ ବ୍ୟାପାର ପାଇଁ ନିରାପଦ । ସେ ସମ୍ଭୋଗରେ ଅଂଶୀଦାର ହେବାକୁ ଦାବି କରି ବସେନା । ଦୈହିକ ବ୍ୟାପାରରେ ସେ ଇନୋସେଣ୍ଟ୍ ।

 

ଷ୍ଟାଣ୍ଡ୍ ପାଖରେ ତା’ ଘର ଆଗରେ ଟ୍ୟାକ୍ସି ରଖି ନିଶ୍ଚିନ୍ତରେ ଶୋଇଥିଲା ଶୋଭାନ୍ ବାରଣ୍ଡା ଉପର ଖଟିଆରେ । ବାରଣ୍ଡା ବାହାରେ କାନ୍ଥ । ତେଣୁ ପାଣି ଛାଟ ପଡ଼ିବାର ପ୍ରଶ୍ନ ଉଠେନା । ଅବଶ୍ୟ ଖରା, ବର୍ଷା ଶୀତ... ସବୁ ଋତୁରେଇ ସେ ଶୋଇରହେ ଏଇଠି ରାତି ପାସେଞ୍ଜର୍‍ଙ୍କ ସୁବିଧା ପାଇଁ ।

 

ଉଠି ବସିଲା ଡାକ ଶୁଣି ।

 

ଘଟଣାଟା ବର୍ଣ୍ଣନା କରିବା ପରେ ପ୍ରଥମେ ଟିକିଏ ଦ୍ଵିଧା... (ଖାସ୍ ବି.ଡ଼ି.ଓ.ଙ୍କ ସ୍ତ୍ରୀ... !) ...କିନ୍ତୁ ବୁଝାଇ ସୁଝାଇ ରାଜି କରାଇବା ପରେ (ମୋଟା ଅଙ୍କର ସର୍ତ୍ତରେ ଅବଶ୍ୟ...) ଚଟାପଟ୍ ଭିତରକୁ ଯାଇ ଝିଅର ଇସ୍ତ୍ରୀ ଦିଆ ଶାଢ଼ି ଖଣ୍ଡେ ଖବରକାଗଜରେ ଗୁଡ଼ାଇନେଇ ବାହାରି ଆସ ଖୁବ୍ ସ୍ମାର୍ଟନେସ୍ ଦେଖାଇ କହି ପକାଇଲା, ଆଉ ଡେରି କରିବାର ନୁହେଁ ।

 

ସଦର ରାସ୍ତା ଉପରୁ ହେଡ଼୍‍ଲାଇଟ୍ ନିଭାଇ ଗାଡ଼ିଟା ପ୍ରାୟ ନିଃଶବ୍ଦରେ ଗଡ଼ାଇ ଆଣି ସେ ରୋକି ଦେଇଥିଲା ମୋ କ୍ଵାଟର୍‍ ଆଗରେ ।

 

ଜାତୀୟ ରାଜପଥଦେଇ ଦୂରନ୍ତ ଗତିରେ ଛୁଟି ଚାଲିଛି ଟ୍ୟାକ୍ସି । ଭଦ୍ରକରୁ କଟକ ମାତ୍ର ଚଉଷଠି ମାଇଲ । ଠିକ୍ ଦେଢ଼ଘଣ୍ଟା ଲାଗେ । ଆକାଶରୁ ନିକ୍ଷିପ୍ତ ଶତ-ସହସ୍ର ତୀର ପରି ବର୍ଷଣର ଧାରା ଚିକ୍ ଚିକ୍ କରି ଉଠୁଚି ହେଡ଼୍‍ଲାଇଟ୍‍ର ଧୂମ୍ରାଭ ସୁଦୂର-ସନ୍ଧାନୀ ଆଲୋକ-ରେଖା ଉପରେ ଯାହା ଗାଡ଼ିଟିକୁ ଆଗେ ଆଗେ ବାଟ କଢ଼ାଇ ନେଉଚି । ପଛ ସିଟରେ ମୋ ପାଖରେ ଖାଲି ଖଣ୍ଡେ ଶାଢ଼ି ଦେହରେ ମାଳବିକା । ସେ ଛାଡ଼ି ଦେଇଚି ତା’ର ଆର୍ଦ୍ର ବେହରଣ ସବୁ । (ତାକୁ “ଆପଣ” “ଆପଣ” ଭାବିବାକୁ ଇଚ୍ଛା ହେଉନି ଆଉ !) ଉଭୟ ଆମେ ନୀରବ । ଖାଲି କଥା କହି ଚାଲିଛି ଶୋଭାନ୍‍ ଅଲ୍ଲୀ ଏକାକୀ । ଗତଥର ଏଇବାଟେ ଯାଉ ଯାଉ ମସ୍ତବଡ଼ ସାପଟାଏ କିପରି ଗାଡ଼ିତଳେ ତା’ର ମାଡ଼ି ହେଇଗଲା... ସେଇ ଘଟଣାର ବର୍ଣ୍ଣନା ଫେଣେଇ ଫେଣେଇ କରି କହୁଚି । ମନକୁ ମନ କଥା କହିବା ତା’ର ଅଭ୍ୟାସ ।

 

ସାପ କଥାରୁ ମନେପଡ଼ିଲା କସ୍ତୁରୀ କଥା । ଥରେ ମୋତେ ସେ କହିଥିଲା, ମାଟ୍ରିକ୍ ପରୀକ୍ଷା ଆଗରୁ କୁଆଡ଼େ ସ୍ଵପ୍ନରେ ସେ ସାପ ଦେଖିଲା ବାରମ୍ବାର । ବୋଉ ପାଖରେ କହିବାରୁ ବୋଉ କହିଲେ ମନ୍ଦିରକୁ ଯାଇ ମହାଦେବଙ୍କୁ ପୂଜା କରିବାକୁ ପ୍ରତି ଗୁରୁବାର ଦିନ । କିନ୍ତୁ ସେ ତାକୁ ଏଇ ପରାମର୍ଶ ଦେବାବେଳେ ଅପାର ବର ହସୁ ଥାଆନ୍ତି ମୁରୁକେଇ ।

 

ହସୁଚ ଯେ ! –କସ୍ତୁରୀ ଚିଡ଼ି ଉଠିଥିଲା ।

 

ଶରତ ଭାଇ ପରେ ତାକୁ ଏକାନ୍ତରେ କହିଥିଲେ, ମୁଁ ବୋଉଙ୍କୁ କହିବି, ଶୀଘ୍ର ତୋର ବାହାଘର ଯୋଗାଡ଼ କରିବାକୁ... ।

 

ବୁଝିପାରିଲାନି କସ୍ତୁରୀ ।

 

ଅପା-ବର କୁଆଡ଼େ ମନସ୍ତତ୍ତ୍ଵର ବହି ଖୋଲି ଦେଖାଇ ଦେଇଥିଲେ–ଅବଦମିତ ଯୌନ-କାମନାର ଉପସର୍ଗ ପୁରୁଷମାନଙ୍କ ପାଇଁ ଡଙ୍ଗା ଆଉ ବିରାଡ଼ିର ସ୍ଵପ୍ନ ଦେଖିବା ଏବଂ ମହିଳାମାନଙ୍କ ପାଇଁ... ସାପ; ସାପର ସ୍ଵପ୍ନ !!!

 

କସ୍ତୁରୀ ମୋତେ କହିଥିଲା–ଦେହ ସମ୍ବନ୍ଧରେ ପ୍ରଥମ ଅଭିଜ୍ଞତା ତାକୁ ଦେଇଥିଲେ ସେଇ ଶରତ ଭାଇ । ପ୍ରବୀଣା ବୟସ୍କା-ମହିଳା ପରି ଆହୁରି ବି କହିଥିଲା, ତା’ର ଅନେକ ବାନ୍ଧବୀଙ୍କ “ଅପା-ବର”ମାନଙ୍କ କଥା ସେ ଜାଣେ –ସମସ୍ତଙ୍କ “ଅପା-ବର”ମାନେ କୁଆଡ଼େ ଏଇପରି–ସବୁ “ଶରତ ଭାଇ”ମାନଙ୍କ କାମ ହେଉଚି କୁଆଡ଼େ “କସ୍ତୁରୀ”ମାନଙ୍କୁ ଜଗି ଜଗି ରହିବା... ଆଉ କାହା ସଙ୍ଗରେ ପ୍ରେମ କରିବାକୁ ନ ଦେବା... ଇମିତି ଗୋଟାଏ ବର ଯୋଗାଡ଼ କରିବା ଯିଏ ହୋଇଥିବ ପ୍ରତିଷ୍ଠିତ, ଅର୍ଥବାନ, ଅଥଚ ନିପଟ ନିର୍ବୋଧ...(ତା’ମାନେ ‘କସ୍ତୁରୀ’ମାନଙ୍କ ସହିତ ‘ଶରତ ଭାଇ’ମାନଙ୍କ ସମ୍ପର୍କ ଯେପରି ନିର୍ବିଘ୍ନରେ ଅକ୍ଷୁଣ୍ଣ ରହିପାରେ ଚିରଦିନ ?)

 

ଗାଡ଼ି ଭିତରେ ଲାଇଟ୍ ଜଳୁନି । ବାହାର ଆଲୁଅର ଧାସରେ ଅସ୍ପଷ୍ଟ ଦିଶୁଥିଲା ମାଳବିକାର ମୁହଁ । ସେ ଆଉ ଏଇ ମୁହୂର୍ତ୍ତରେ ମୋର ପ୍ରଭୁ-ପତ୍ନୀ ନୁହେଁ । ବରଂ ତା’ର ପ୍ରଭୁ ମୁଁ ।

 

ସିଟ୍ ଉପରେ ମୋ ପାଖକୁ ଲାଗି ରହିଥିବା ତା’ ପାପୁଲିରେ ମୁଁ ଆସ୍ତେ ନେଇ ଡାହାଣ ହାତ ରଖିଲି ।

 

ସେ ମୋ ମୁହଁକୁ ଆଖି ଫେରାଇ ଚାହିଁଲା ।

 

କିନ୍ତୁ ତା’ଆଡ଼କୁ ଅନାଇବାର ସାହସ ମୋର ସେତେବେଳେ ଅଭାବ ପଡ଼ିଯିବାରୁ (ହଠାତ୍ କାହିଁକି ଅଭାବ ପଡ଼ିଗଲା ଜାଣେନା !) ମୁଁ ସେହିପରି ଆଗକୁ ଚାହିଁ ରହିବାର ଛଳନା କରି ଚାଲିଲି ।

 

କିଛି ସମୟ ପରେ ସେ ଧୀରେ ଧୀରେ ହାତ ଖସାଇ ନେଲା ।

 

ଝଡ଼ ପରି ଛୁଟି ଚାଲିଚି ଗାଡ଼ି ।

 

ଆଉ, ଝଡ଼ ଉଠିଚି ମନ ଭିତରେ ମୋର ।

 

କସ୍ତୁରୀ ତ ଠିକ୍ ଏଇପରି କରିଥିଲା । କ୍ରିଷ୍ଟିନା ବି ।

 

କସ୍ତୁରୀର ହାତ ଉପରେ ମୁଁ ପ୍ରଥମ କରି ଯୋଉଦିନ ହାତ ରଖିଥିଲି, ହଠାତ୍ ସେ ନୀରବ ହେଇଯାଇଥିଲା କିଛି ଗୋଟାଏ କହୁ କହୁ । କ’ଣ କହୁଥିଲା ବର୍ତ୍ତମାନ ମନେପଡ଼ୁନି ଅବଶ୍ୟ । ତେବେ ପ୍ରେମର କଥା ନୁହେଁ ନିଶ୍ଚୟ । (କହୁଥିଲା ବୋଧହୁଏ ତା’ ପିଲାଦିନର କଥା କିମ୍ବା ସେଇପରି ଅନ୍ୟକିଛି ପିଲାଳିଆ । ବେଳେ ବେଳେ ସେ ପିଲାଳିଆ କଥା କହେ, ପିଲାଳିଆ ବ୍ୟବହାର ଦେଖାଏ ଯାହା ପୁରୁଷମାନଙ୍କୁ ଆକର୍ଷିତ କରେ ବୋଲି ତା’ର ବିଶ୍ଵାସ ଥିଲା ହୁଏତ । ହଁ, ଠିକ୍ ମନେପଡ଼ିଲା ବର୍ତ୍ତମାନ–ସେତେବେଳେ ପିଲାଦିନର କିଛି ଗୋଟାଏ ଘଟଣା ବର୍ଣ୍ଣନା କରିବାକୁ ଯାଇ ସେ ଚେଷ୍ଟା କରୁଥିଲା ଖୁବ୍ ପିଲାଳିଆ ହେବାକୁ... !) ହାତରେ ହାତ ରଖିବାରୁ ତାହାର ମୁଖର-ମୁଖ ମୂକ ହୋଇଗଲା ତତ୍‍କ୍ଷଣାତ୍ । ଆଉ ସେ ବି ଠିକ୍ ମୋ ମୁହଁକୁ ଏହିଭଳି (ମାଳବିକା ପରି) ଅନାଇ ରହିଯାଇଥିଲା କିଛି କ୍ଷଣ ପାଇଁ... ହୁଏତ ମୋତେ ବୁଝିବାକୁ କିମ୍ବା ସବୁ ବୁଝି ମଧ୍ୟ କିଛି ବୁଝି ପାରୁନଥିବାର ଛଳନାକରି ।

 

ବିଭିନ୍ନ ଝିଅ ବିଭିନ୍ନ ପ୍ରକାର ବ୍ୟବହାର ଦେଖାନ୍ତି ବିଭିନ୍ନ ପରିସ୍ଥିତିରେ; କିନ୍ତୁ ସବୁ ଝିଅ ଯେ ଗୋଟିଏ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଏକାଭଳି ହୁଅନ୍ତି ତାହା ମୁଁ ଅଭିଜ୍ଞତାରୁ ଜାଣିଥିଲି । ସେଇ ନିର୍ଦ୍ଦିଷ୍ଟ ପରିସ୍ଥିତି ଚରମ ମୁହୂର୍ତ୍ତ; ମଣିଷ ଯେତେବେଳେ ହୋଇଉଠେ ଆଦିମ । ଛଳା-କଳା-ଚାତୁରୀର ମାୟାଜାଲ କାଟି ଫୁଟିଉଠେ ଯେତେବେଳେ ନୈସର୍ଗିକ ଆଦିମତା । ଭାଷା ସେଇ ପରିସ୍ଥିତିରେ ନିଷ୍କ୍ରିୟ । ଦେହ, ମନ, ଆତ୍ମା... ସେତେବେଳେ ପ୍ରକୃତି ପରି ପ୍ରାକୃତିକ । ଆଦିମ ମଣିଷ ଭାଷା-ହୀନ ଥିଲା–ତେଣୁ ଆଦିମତାର ପରିପ୍ରକାଶ ନୀରବତାର ମାଧ୍ୟମରେ, ନୈଶାଦ୍ଧ୍ୟର ମାଧ୍ୟମରେ; କେବଳ ଭଙ୍ଗୀ... କ୍ରିୟା... ଆଉ ଚାହାଣିର ମାଧ୍ୟମରେ ।

 

ପ୍ରଗଳ୍‍ଭା କସ୍ତୁରୀ, ମୁଖରା କ୍ରିଷ୍ଟିନା, ପ୍ରଭୁ-ପତ୍ନୀ ମାଳବିକା...ସମସ୍ତେ ଠିକ୍ ଏକାଭଳି ହେବାକୁ ଯେପରି ଅବା ନିୟମଗତଭାବେ ବାଧ୍ୟ । (ସେଇଆ ମନେହେଇଥିଲା ମୋର !) ‘ଚରମ ମୁହୂର୍ତ୍ତରେ ଏକ ନିର୍ଦ୍ଦିଷ୍ଟ ରୂପର ଅବତାର ପରିଗ୍ରହଣ କରିବା ପାଇଁ ସମସ୍ତେ ଯେପରି ଅବା ସତ୍ୟସନ୍ଧ !!!

 

(ଏଇସବୁ ଚିନ୍ତା ଧୀରେ ଧୀରେ ମୋ ମନର ସାହସିକ ଅଭାବକୁ ପରିପୂରଣ କରିଆଣିଲା ।)

 

ମାଳବିକାର ମୋ ମୁହଁକୁ ଚାହିଁରହିବା... ତା’ପରେ ହାତ ଭିତରୁ ହାତ କାଢ଼ିନେବା...ତାହାକୁ ମୋ ଆଖିରେ ବର୍ତ୍ତମାନ କସ୍ତୁରୀ ଆଉ କ୍ରିଷ୍ଟିନା ସହିତ ସମାନ କରି ଆଣିଲାଣି । ଆଉ ମନେହେଉନି ଯେ ସେ ମୋର ପ୍ରଭୁ-ପତ୍ନୀ, ଯାହାଙ୍କ ସ୍ଵାମୀ ହାତରେ ମୋ ଚାକିରିର ଚରିତ୍ର-ଲିପି !!!

 

ଆଗରେ ବୈତରଣୀର ପୋଲ । ପୋଲ ପାଖରେ ଛୋଟ ପରିଚିତ ରେଷ୍ଟସେଡ଼୍‍ ।

 

ଧିମେଇ ଆସିଲା ଟ୍ୟାକ୍ସିର ଗତି-ବେଗ ।

 

ଯକ୍ଷ୍ମା ରୋଗୀ ଭଳି କାଶି କାଶି ଖଙ୍କାର ବାହାର କରିବା ପରି କାର୍‍ବୁରେଟର୍‍ରୁ ଶେଷ ପେଟ୍ରୋଲତକ ଅପସୃତ ହୋଇଯିବାର ଶବ୍ଦ ! ... ତା’ପରେ ରହିଗଲା ଗାଡ଼ିଟା ।

 

କହିବାକୁ ହେବ, ତେଣୁ କହିଲି କ’ଣ ହେଲା ? ଏଠି ରଖିଲ ଯେ ?

 

ଇଞ୍ଜିନ ଟ୍ରବ୍ଲ !! –ଉତ୍ତରଦେଲା ଚିନ୍ତିତ ଶୋଭାନ୍ ଅଲ୍ଲୀ ।

 

ମୋ’ରି ଯୋଜନା ଅନୁଯାୟୀ ସେ କାମ କରିଚି–ମନେ ମନେ ଧନ୍ୟବାଦ ଦେଲି ତାକୁ-!!!

 

ଉଦ୍‍ବିଗ୍ନ ମାଳବିକା ପଚାରିଲା ବର୍ତ୍ତମାନ ତା’ହେଲେ ଉପାୟ କ’ଣ ?

 

ଗାଡ଼ିଟା...; ଦେଖେ କ’ଣ ହେଲା ! ଶୋଭାନ୍ ବର୍ଷାତି ପିନ୍ଧି ଓହ୍ଲାଇ ଯାଇ ବନେଟ୍ ଉଠାଇ ଟର୍ଚ୍ଚମାରି କ’ଣ ଟିକିଏ ଦେଖିନେଲା ।

 

ଆହା କଏଲ୍ ଯେ ଜଳିଯାଇଚି !! ୟା’ ଆଲ୍ଲା, ବହୁତ ମୁସ୍କିଲ୍ ହୋ ଗିୟା...

 

କ’ଣ କରାଯିବ ତା’ହେଲେ ? ମୁଁ ବିରକ୍ତ ହେଲାପରି ଭାବ ଦେଖାଇଲି । –କିଛି ଗୋଟାଏ ବ୍ୟବସ୍ଥା କରନା !

 

ଶୋଭାନ୍ ଥାଉଁ ଥାଉଁ କିଛି ଫିକର ନାହିଁ ସା’ବ୍ ! ହେଲେ କଏଲ୍ ମୋ ପାଖରେ ନାହିଁ । ମୁଁ ଯାଉଚି ଆଖୁଆପଦା–ସେଠି ଅଛି ଜଣେ ମିସ୍ତ୍ରୀ–ତା’ରି ପାଖରୁ ନେଇ ଆସିବି ।

Unknown

 

ଆଖୁଆପଦା । ସେ ତ ଦୂର ହେବ ! –ମାଳବିକାର କଣ୍ଠସ୍ଵରରେ ଉଦ୍‍ବିଗ୍ନ-ଭାବ !!

 

ନା, ମେମ୍ ସା’ବ୍ । ଯିବା ଆସିବାକୁ ଦେଢ଼ ଘଣ୍ଟାରୁ ବେଶୀ ଲାଗିବନି । ମୁଁ ସାଙ୍ଗରେ ଏଇ ରେଷ୍ଟସେଡ଼୍‍ର ଚୌକିଦାରକୁ ନେଇଯାଉଚି । ଏଠି ଏମାନେ ସମସ୍ତେ ମୋର ଚିହ୍ନା-ପରିଚ ।

 

ସେ ଯାଇ ଚୌକିଦାରକୁ ଉଠାଇ ଆଣିଲା ।

 

ମାଳବିକା କିନ୍ତୁ ବ୍ୟସ୍ତ ହୋଇଉଠିଚି ।

 

ଶୋଭାନ୍ ଟିକିଏ ଚିନ୍ତାକରି କହିଲା, ଜାଗାଟା...ଭଲ ନୁହେଁ । ଇମିତି ଗାଡ଼ି ଭିତରେ ନ ବସି ରେଷ୍ଟସେଡ଼୍ ଭିତରେ ଯାଇ ଅପେକ୍ଷା କରିବା ବରଂ ଭଲ ମେମ୍‍ ସା’ବ୍ !

 

ମୁଁ ବି ତାକୁ ସମର୍ଥନ କଲି ।

 

କିନ୍ତୁ ଏକା ଜିଦ୍ ମାଳବିକାର ସେ ଗାଡ଼ି ଛାଡ଼ି ଯିବନି । ବାଧ୍ୟହେଲି କହିବାକୁ, ତା’ହେଲେ ଶୋଭାନ୍, ଗାଡ଼ି ଦରଜା ବାହାରୁ ତମେ ଲକ୍ କରି ଦିଅ ବରଂ...

 

(ସବୁ ଦରଜା ବାହାରୁ ଲକ୍ କରିବା ବ୍ୟବସ୍ଥା ଶୋଭାନ୍ ନିଜ ଗାଡ଼ିରେ ବିଶେଷଭାବେ କରାଇ ଥିଲା ।)

 

ଏଥିରେ ବି ମାଳବିକାର ଆପତ୍ତି ।

 

ତା’ର ଷଷ୍ଠେନ୍ଦ୍ରିୟ ହୁଏତ ‘ଯୋଜନା’ ଆଉ ‘ଷଡ଼ଯନ୍ତ୍ର’ର ଘ୍ରାଣ ବାରିପାରିଚି ।

 

ଶେଷ ପର୍ଯ୍ୟନ୍ତ...ଗାଡ଼ି ଭିତରେ ଆମକୁ ବସିରହିବାକୁ ଛାଡ଼ିଦେଇ ଶୋଭାନ୍ ଆଉ ଚୌକିଦାର ଅଦୃଶ୍ୟ ହେଇଗଲେ ଅନ୍ଧାର ଭିତରେ ।

 

ବେଶ୍ କିଛିକ୍ଷଣ ଧରି ପାଖାପାଖି ସେଇପରି ବସିରହିଥିଲୁ ଆମେ ନିର୍ବାକ୍‍ ଆଉ ନିଷ୍କ୍ରିୟ ହେଇ ।

 

ମୁଁ ତା’ ସମ୍ବନ୍ଧରେ ନୂଆ ଭାବରେ ଚିନ୍ତା କରିବାକୁ ଲାଗିଲି । ବର୍ତ୍ତମାନ ମନେହେଲା ସେ କ୍ରିଷ୍ଟିନା କି କସ୍ତୁରୀ ନୁହେଁ । ଖାଲି ମୋ ସାଙ୍ଗରେ ଟିକିଏ ଫ୍ଲାଟ୍ କରିବାକୁ ଚେଷ୍ଟା କରୁଥିଲା, ଏତିକିମାତ୍ର । ଚିଡ଼ିଆଖାନାର ରେଲିଂ ଏ ପାଖରେ ଠିଆହେଇ ମାଂସ ଟୁକୁରାକୁ ପିଞ୍ଜରାବଦ୍ଧ ମହାବଳର ମୁହଁ ପାଖକୁ ଆଗେଇ ନେଇ ପୁଣି ପଛେଇ ଆଣିବାର ଖେଳ ସେ ଖେଳୁଥିଲା ମୋ ସାଙ୍ଗରେ । ସେଥିରେ ଖେଳାଳୀର ଆନନ୍ଦ ଅଛି–ପଶୁଟାର ଅଛି ସିନା ଯନ୍ତ୍ରଣା !

 

ମୋ ଭିତରେ ଦେଖାଗଲା କ୍ରୋଧ । ଉଗ୍ର ପାଶବିକ କ୍ରୋଧ ।

 

ଜାଣ ମାଳବିକା, ଏଇ ରେଷ୍ଟସେଡ଼୍ ଭିତରେ ମୁଁ କେତେ କ’ଣ କାଣ୍ଡ କରିଯାଇଚି ? ସେ ସବୁର ସାକ୍ଷୀ ଏଇ ଶୋଭାନ୍ ଅଲ୍ଲୀ ଆଉ ଚୌକିଦାର !! ସୁମନ୍ତ ମହାପାତ୍ରକୁ ତମେ ଚିହ୍ନ ନାହିଁ; ଦେଖି ନାହଁ ତା’ର ଭୟଙ୍କର ସ୍ୱରୂପ ! ତମେ ଖେଳୁଚ ମୋ ସାଙ୍ଗରେ ସେଇ ଚିଡ଼ିଆଖାନାର ଖେଳ-! ୟୁ ଆର୍ ପ୍ଲେଇଂ ଦ୍ୟାଟ୍ ଡାର୍ଟି ଗେମ୍ !!!

 

ଠିକ୍ କରି ନେଲି, ଏଥର ମୁଁ ଆଗେଇବି ।

 

ମୋ ଭାରି ହାତଟା ନେଇ ତା’ କାନ୍ଧ ଉପରେ ରଖିଲି ।

 

ସେ ଆସ୍ତେ କରି ସେଇଟା ଖସାଇ ଦେଲା ଆଉ ଘୁଞ୍ଚିଗଲା ମୋ ପାଖରୁ ।

 

କେତେ ସେକେଣ୍ଡ ଚାହିଁ ରହିଲି ତା’ ମୁହଁକୁ । ଠିକ୍ ମୁହଁ ନୁହେଁ, ମୁହଁର ସିଲହଟ୍; ବାହାରେ ବାରମ୍ବାର ଚମକି ଉଠୁଥିବା ବିଜୁଳି ଆଲୁଅର ପଟ୍ଟଭୂମୀରେ ଗୋଟିଏ ଲମ୍ବ ନାକ ଆଉ ଖସିପଡ଼ିଥିବା ଖୋସାର ଆଉଟ୍ ଲାଇନ୍ ।

 

ପୁଣି ତା’ଆଡ଼କୁ ହାତ ବଢ଼ାଇଥିଲି...ହଠାତ୍ ପଛ ପଟ ଜୀପ୍ ଗାଡ଼ିର ଗର୍ଜନ ! ପରିଚିତ ଶବ୍ଦ । ସାଇଲେନ୍ସର୍ ପାଇପ୍ ଖରାପ ଥିବା ଆମରି ବ୍ଲକ୍ ଜୀପ୍‍ଟା ।

 

ଉଭୟ ଆମେ କିଂ କର୍ତ୍ତବ୍ୟ ବିମୂଢ଼ ହୋଇ ପଛଆଡ଼କୁ ଫେରି ଚାହିଁ ରହିଗଲୁ–କାଚ ଭେଦ କରି ଆମ ମୁହଁରେ ପଡ଼ିଚି ହେଡ଼୍‍ଲାଇଟ୍‍ର ପ୍ରଖର ଆଲୋକ–ଯେପରିକି ବଣର ଦୁଇଟି ଜନ୍ତୁ ଆମେ–ଜାଣୁ ସ୍ପଟ୍ ଲାଇଟ୍ ପଡ଼ିଲାଣି... ୟା’ପରେ ଗୁଳିମାଡ଼ ବସିବ..ତଥାପି ଆମେ ନିଶ୍ଚଳ, ନିଥର ଆଉ ନିର୍ବାକ୍... !!!

 

ଜୀପ୍ ଆସି ଠିଆ ହେଇଗଲା ଟ୍ୟାକ୍ସି ପାଖକୁ ଲାଗି ।

 

ଡ୍ରାଇଭର ସିଟରେ ବି.ଡ଼ି.ଓ. ସର୍ବେଶ୍ଵର ଦାସ ନିଜେ । ଆଉ କେହି ନାହିଁ ।

 

ଦରଜା ଖୋଲି ନିଜେ ଓହ୍ଲାଇଗଲେ ମାଳବିକା । ଯାଇ ବସିଗଲେ ଜୀପରେ ।

 

ଏସବୁ କ’ଣ ?

 

ଲାଗୁଚି ଭୌତିକ କାଣ୍ଡ ପରି !!

 

ସର୍ବେଶ୍ଵର ମାଳବିକାକୁ କିଛି କହିଲେନି...ମାଳବିକା ସର୍ବେଶ୍ଵରଙ୍କୁ କହିଲେନି କିଛି...ସିଏ ଆସି ପହଞ୍ଚିଗଲେ–ତାଙ୍କୁ ଦେଖିଲା କ୍ଷଣି ଇଏ ଯାଇ ବସିଗଲେ–ମୋତେ ମଧ୍ୟ କହିଲେନି କେହି କିଛି–ଆଶ୍ଚର୍ଯ୍ୟ !!!

 

ଭାଷାର ଊର୍ଦ୍ଧ୍ଵରେ ଇମିତି କିଛି କୋର୍ଡ଼ ଅଛି ନା କ’ଣ ସେମାନଙ୍କ ଭିତରେ... ଯାହା ମାଧ୍ୟମରେ କଥାବାର୍ତ୍ତା ହେଇଗଲେ ସେମାନେ; ଅଥଚ ମୁଁ କିଛି ବୁଝିପାରିଲିନି ।

 

ଗଲାବେଳେ ଖାଲି ଏତିକି କହିଗଲେ ସର୍ବେଶ୍ଵର ଦାସ, କାଲି ଦିନଟା ଛୁଟି ନେଇପାର; କିନ୍ତୁ ପହରି ଦିନ ମୋତେ ଦେଖା କରିବ ନିଶ୍ଚୟ । ଅଫିସରେ ନୁହେଁ, –ଘରେ । ସନ୍ଧ୍ୟାବେଳେ ଆସିବ ।

 

ମୋର ଏଥର ତଟସ୍ଥ ହେବା ପାଳି !

 

ସବୁକିଛି ଯେପରି ଗୋଟାଏ ଦୁର୍ଭେଦ୍ୟ ଗୋଲକ ଧନ୍ଦା !!

 

ମୋବାଇଲ୍ କୋର୍ଟରେ ସେଇ ମୁହୂର୍ତ୍ତରେ ମୋର ବିଚାର ସରିଗଲା !!!

 

ଜାଣେ ମୋର ଫାଶିଦଣ୍ଡ ହେବ । ହଁ, ଠିକ୍ ସେଇ ପ୍ରକାରେ ମନେ ମନେ ପ୍ରସ୍ତୁତ ହେଇ... ଖାଲି ରାୟଟା ଶୁଣିବା ପାଇଁ ଅତି ସନ୍ତର୍ପଣରେ ଯାଇ ଠିଆହେଲି କାଠଗଡ଼ା ଭିତରେ ।

 

ବିଚାରପତି ରାୟ ଶୁଣେଇଲେ, କିଛି ମନେକରିବନି ସୁମନ୍ତ, ମୋ ସ୍ତ୍ରୀର କ୍ରନିକ୍ ହିଷ୍ଟିରିଆ । (ଏଁ ଏଁ କ’ଣ ହେଲା ?? ହ୍ୱାଟ୍ !!) ସି ଇଜ୍ ପିକୁଲିଆର୍ ସେ ଅସ୍ଵାଭାବିକ ! (କ’ଣ ସବୁ କହିଯାଉଚନ୍ତି ସେ ଶୁଣିପାରୁନି; କାନ ଝାଇଁ ଝାଇଁ ହେଇଯାଉଚି !) ...ତମଠାରେ ମୁଁ କୃତଜ୍ଞ ...କିନ୍ତୁ କଥା ଦିଅ ଯାହା ହେଇଯାଇଚି, ଯାହା ଜାଣ–ଆଉ କେହି ଜାଣିବେନି ।

 

କାନରେ କେତେଗୁଡ଼ିଏ ଅବୋଧ୍ୟ ଅସଂଲଗ୍ନ ସଂଳାପ ବାଜୁଥିବା ପରି ଲାଗୁଥିଲା । ମୁହଁରୁ ବାହାରିଲା ଖାଲି ସାର୍...

 

ତମେ ଆମ ଘରକୁ ଆସିବ । ସର୍ବେଶ୍ଵର ଦାସ କହିଲେ–ଆପଣାର ମନେକରିବ ଆମକୁ ।

 

ତା’ପରେ ସେଠାକୁ ମୋର ଖୋଲି ଯାଇଥିଲା ଅବାଧ ଗତିପଥ... ।

 

ହଁ, ମାଳବିକା ସହିତ ଦୈହିକ ସମ୍ପର୍କ ବି ସ୍ଥାପିତ ହେଇଥିଲା ମୋର ଅବଶେଷରେ । ସେଇ ମୋତେ ପରେ କହିଥିଲା, ସର୍ବେଶ୍ଵର ନପୁଂସକ । ସେ କେବଳ ସ୍ତ୍ରୀକୁ ଉତ୍ତପ୍ତ କରି ଜାଣନ୍ତି; ଶୀତଳ କରି ଜାଣନ୍ତିନି ।

 

ମାଳବିକାକୁ ଶାନ୍ତ, ଶୀତଳ ଓ ସ୍ଵାଭାବିକ କରି ରଖିପାରିଥିଲି ସୁଦୀର୍ଘ ଦୁଇବର୍ଷ ।

 

ମହାମହିମ ଜିଲ୍ଲାପାଳଙ୍କୁ ପ୍ରତ୍ୟାଖ୍ୟାନ କରିଥିବା ଜଣେ ମହିୟସୀ ମହିଳା ମୋ’ପରି ଜଣେ ସାମାନ୍ୟକୁ କାହିଁକି କୃତାର୍ଥ କଲେ ଏଇ ପ୍ରଶ୍ନ ପଚାରି ଦେଇଥିଲି ପ୍ରଥମ ଦୈହିକ ସଂଯୋଗବେଳେ । ନାଗୁଣୀର ହିସ୍ ହିସ୍ ଗର୍ଜନ ପରି କାନ ପାଖରେ ସେ ଫିସ୍ ଫିସ୍ କରି କହିଥିଲେ, ସେ’ଟା ଯେ ନପୁଂସକ ! (ଭାବିଥିଲି କହିବେ “ତମକୁ ମୁଁ ଭଲପାଏ ପରା ସୁମନ୍ତ !” ...କିନ୍ତୁ ନା କେବଳ ମୋର ପୁରୁଷକାରଟା ତାଙ୍କର ଦରକାର ଥିଲା !)

 

(ସୁମନ୍ତ ଶର୍ମା ! ପୃଥିବୀର ସବୁ ସ୍ଵାମୀ ବା ପୁରୁଷଯାକ ଏଇଭଳି ନପୁଂସକ ହେଇଥାଆନ୍ତେ କି ! ଆଉ ତମେ ଏକା ରହି ଥାଆନ୍ତ ସେମାନଙ୍କର ପରିପୂରକ ହେଇ !!)

 

ସେଇ ସୁଦୀର୍ଘ ଦୁଇବର୍ଷ ମୁଁ ଖାଲି ମାଳିବିକାର ପ୍ରେମିକ ନ ଥିଲି, ହୋଇପାରିଥିଲି ମଧ୍ୟ ଦୁର୍ନୀତିଗ୍ରସ୍ତ ସର୍ବେଶ୍ଵର ଦାସଙ୍କ ରାଇଟ୍-ହ୍ୟାଣ୍ଡ-ମ୍ୟାନ୍ ।

 

ଫଳରେ ପ୍ରଚୁର ଅର୍ଥାଗମ ହୋଇଥିଲା ମୋର । ଆହୁରି ବି ହୋଇଥାଆନ୍ତା, କିନ୍ତୁ ଆମେ ଧରାପଡ଼ିଗଲୁ ଦୁର୍ନୀତି-ନିବାରଣ-ବିଭାଗର ଜାଲରେ ।

 

ସବୁକିଛି ଯେପରି ଛିନ୍ନଭିନ୍ନ କରିଦେଲା ହଠାତ୍ ଗୋଟାଏ ଝଡ଼ ଆସି । ମୁଁ ଆଉ ସେମାନେ...ପରସ୍ପରଠାରୁ ବିଚ୍ଛିନ୍ନ ହୋଇ କିଏ କୁଆଡ଼େ ଛିଟିକି ପଡ଼ିଲୁ !!!

 

ଚାକିରି ଚାଲିଗଲେ ବି ଅର୍ଥର ଅଭାବ ମୋର ନ ଥିଲା ।

 

ପାଖରେ ସେତେବେଳକୁ ଅବଶିଷ୍ଟ ଥାଏ ଦଶ ହଜାର ଟଙ୍କା । କୌଣସି ଗୋଟାଏ ଛୋଟ ଧରଣର ସ୍ଵାଧୀନ ବ୍ୟବସାୟ ଚଳାଇବା ପାଇଁ ଯଥେଷ୍ଟ ।

 

ଭାବି ବସିଲି, କ’ଣ କରିପାରିବି ମୁଁ ।

 

ସରକାରୀ ଚାକିରି ପାଇବା ପ୍ରଶ୍ନ ଉଠୁନଥିଲା । ସହଜ ନ ଥିଲା ଘରୋଇ ଫାର୍ମରେ ଚାକିରିଟିଏ ଯୋଗାଡ଼ କରିପାରିବା ।

 

ନିଜକୁ ଅଧ୍ୟୟନ କରିଚି ଏତେଦିନ ଧରି । ଏତେଦିନ ଧରି ଅନୁଶୀଳନ ଆଉ ବିଶ୍ଳେଷଣ କରିଚି ନିଜକୁ । ଚାକିରି କରିବା ମନୋବୃତ୍ତି ପ୍ରକୃତରେ ମୋର ଅଛି କି ?

 

ନାଁ, ନାହିଁ ।

 

ମୁଁ ଜାଣେ, ନାହିଁ ।

 

ସ୍ଵାଧୀନ, ଉଦ୍ଧତ, ଅନମନୀୟ, ପଟାନ୍ତର-ବିହୀନ ଏକ ଚରିତ୍ର ମୁଁ ।

 

ବର୍ଣ୍ଣାଡ୍ ଶ’ କହିଥିଲେ, ସ୍ଲେଭ୍ ମେଣ୍ଟାଲିଟି ଇଜ୍ ଦି’ ସିକ୍ରେଟ୍ ଅଫ୍ ସକସେସ୍ ଇନ୍ ସର୍ଭିସ୍ । ଦାସ ମନୋବୃତ୍ତିହିଁ ଚାକିରିରେ ସାଫଲ୍ୟର ଗୋପନୀୟ ରହସ୍ୟ ।

 

ମୋର ଅବଚେତନ ମନ ଭିତରେ ରହିଥିଲା ସେଇ ଦାସ–ମନୋବୃତ୍ତିର ଅଭାବ ।

 

ତା’ଛଡ଼ା ଭାବିଲି, ଚାକିରି କରି କେତେ ଟଙ୍କା ବା ପାଇବି ? ଚାକିରିର ଦରମାରେ ମୋର ଖରଚ ଚଳିବା ବର୍ତ୍ତମାନ କଷ୍ଟକର, ଯେହେତୁ ସୁରା-ସାକୀର ବିଳାସରେ ଆସକ୍ତ ଜୀବନର ଗତି-ପଥକୁ ବଦଳାଇ ପାରିବା ମୋ ପକ୍ଷରେ ଆଉ ସମ୍ଭବ ନୁହେଁ ।

 

ଭବିଷ୍ୟତର କର୍ମପନ୍ଥା ସମ୍ବନ୍ଧରେ ଏହିପରିଭାବେ ମୁଁ ଦ୍ଵନ୍ଦ୍ଵ-ଗ୍ରସ୍ତ ଥିବାବେଳେ ଶୋଭାନ୍ ଅଲ୍ଲୀ ପରାମର୍ଶ ଦେଲା ଟ୍ୟାକ୍ସି-ବ୍ୟବସାୟ କରିବା ପାଇଁ । କହିଲା, ନେଟ୍ ପ୍ରଫିଟ୍ ଦିନକୁ ପଚାଶ ଟଙ୍କା । ଗାଡ଼ି ତ ଆପଣ ନିଜେ ଚଳେଇ ଜାଣନ୍ତି–ଡ୍ରାଇଭର୍ ଠକି ପାରିବନି ।

 

ସେଇ ମୋତେ କରେଇ ଦେଲା ଗାଡ଼ି ଖଣ୍ଡେ ଅପେକ୍ଷାକୃତ ଅଳ୍ପ ଦାମରେ ।

 

ଆମ୍ବାସାଡର୍ ଗାଡ଼ିଟା । ରଙ୍ଗ କରାଇ ନେବାରୁ ସୁନ୍ଦର ଦିଶିଲା । ସର୍ଭିସ୍ ବି ଭଲ ।

 

ଡ୍ରାଇଭିଂ ଲାଇସେନ୍ସ ତ ଥିଲା ମୋର ଆଗରୁ–‘ଟ୍ୟାକ୍ସି ଲାଇସେନ୍ସ’ ବି କରାଇ ଦେଲା ସେଇ କିଛି ଘୁଷ୍ ବିନିମୟରେ ।

 

ତା’ପ୍ରତି କୃତଜ୍ଞ ହୋଇ ଅନୁରୋଧ କରିଥିଲି ବିଶ୍ଵସ୍ତ ଡ୍ରାଇଭର୍‍ଟିଏ ଯୋଗାଡ଼ କରିଦେବା ପାଇଁ । ଡ୍ରାଇଭର୍ ଚଲେଇବ; ସାମୟିକ ଅନୁପସ୍ଥିତିରେ ମୁଁ ବି ମ୍ୟାନେଜ୍ କରି ନେଇପାରିବି; ଏହିପରି ଭାବିଥିଲି ପ୍ରଥମେ; କିନ୍ତୁ ଯାହାକୁ ଯୋଗାଡ଼ କରି ଦେଇଥିଲା ଶୋଭାନ୍, ବେଶୀଦିନ ସେ ମୋ’ପ୍ରତି ବିଶ୍ଵସ୍ତ ରହିପାରିଲାନି ।

 

ସେତେବେଳକୁ ଓଡ଼ିଶାସାରା ଆଉ ପ୍ରଦେଶ ବାହାରେ ବି ଘୂରାଘୂରି କରି ବହୁ ଟ୍ୟାକ୍ସି-ଚାଳକଙ୍କ ସହିତ ପରିଚୟ ହୋଇଯାଇଥାଏ ମୋର; ଜାଣିପାରିଲିଣି ଅନେକ ସେମାନଙ୍କ ଭିତରୁ ସମ୍ଭ୍ରାନ୍ତ ବଂଶର ସନ୍ତାନ, ନିଜେ ନିଜ ଗାଡ଼ିର ମାଲିକ–ଏହି ଉପାୟରେ ସମାଧାନ କରୁଚନ୍ତି ଶିକ୍ଷିତ ବେକାର ସମସ୍ୟାର ।

 

ଅନୁପ୍ରାଣିତ ହୋଇ ନିଜେ ଶେଷକୁ ଷ୍ଟିଅରିଂ ହୁଇଲ୍ ଧରିଲି; ଆଉ ଦେଖିଲି–ପ୍ରଫିଟ୍‍ର ପରିମାଣ ବଢ଼ି ବଢ଼ି ଚାଲିଚି ଅବିଶ୍ଵସ୍ତ ସେଇ ଲୋକଟିକୁ ବିଦାୟ କରି ଦେବା ପରେ ।

 

ବାସ୍ତବିକ୍, ସେ ଚାଲିଯିବା ପରେ ମୁଁ ହୋଇପାରିଥିଲି ସୁଖୀ, ହୋଇପାରିଥିଲି ଗ୍ରହ-ମୁକ୍ତ, ସମ୍ପୂର୍ଣ୍ଣଭାବେ ସ୍ଵାଧୀନ ।

 

ସେଇ ଯାଯାବର ଜୀବନ, ଆଉ ତା’ର ସ୍ମୃତି ।

 

ବହମାନ ସ୍ମୃତି ସ୍ରୋତର ପ୍ରତିକୂଳରେ ମନ ବେଳେ ବେଳେ ସନ୍ତରଣ କରି ଚାଲେ ନିତାନ୍ତ ଅହେତୁକ ଭାବରେ ।

 

ସେମାନେ ସବୁ କିଏ ?

 

କେତେଘଣ୍ଟାର ଆରୋହୀ ।

 

ପିଚୁ ରାସ୍ତା ଉପରେ ଭିଜା ଟାୟାରର ଦାଗ ପରି ଶୁଖିଯାଇ ଉଭେଇ ଯିବା ଉଚିତ ସେମାନଙ୍କ ମୁହଁର ପ୍ରତିଛବି ମୋ ମନର ପଟ୍ଟଭୂମୀ ଉପରୁ ।

 

ଯିବା ଉଚିତ; କିନ୍ତୁ ତା’ ଯାଏନା ।

 

ପୃଥିବୀରେ ଯାହା ହେବା ଉଚିତ ସବୁ କ’ଣ ହୁଏ ? ଯାହା ରହିବା ଉଚିତ ସବୁ କ’ଣ ରହେ ?

 

ଗାଡ଼ିର ଉଇଣ୍ଡ୍-ସ୍କ୍ରିନ୍ ଆଗରେ ସେଇସବୁ ‘ଭୁଲିଯିବା ଉଚିତ’ ସ୍ମୃତି ମୂର୍ତ୍ତିମନ୍ତ ହୋଇ ଡ୍ରାଇଭିଂ କରୁ କରୁ ଆନମନା କରିଦିଏ ମୋତେ । ଭୟ ହୁଏ, ଏକସିଡେଣ୍ଟ୍ କରି ପକେଇବି ! ଚହଲି ଯାଏ ଆତ୍ମବିଶ୍ଵାସ !!

 

ଅନେକ ମୁହଁ ଭିତରେ ବିଶେଷ କେତୋଟି ମୁହଁ ଘଟଣା ଭିତରେ ଅଘଟଣ ପରି ମନେ ରହେ ମଣିଷର । ତେଣୁ ମଞ୍ଜୁର ମୁହଁ ଚିହ୍ନିବାରେ ମୋର ତ ଭୁଲ୍ ହେବା କଥା ନୁହେଁ ! କାରଣ ଅସଂଖ୍ୟ ମୁହଁ ଭିତରେ ତା’ ମୁହଁଟି, ଅନ୍ତତଃ ମୋ’ପାଇଁ, ବିଶିଷ୍ଟ...; ଅନେକ ଘଟଣା ଭିତରେ ତାହା ସହିତ ପରିଚୟ ଅଘଟଣ ନ ହେଲେ ବି ।

 

(ରାସ୍ତା ଉପରୁ ଗାଡ଼ିର ଉଇଣ୍ଡ୍ ସ୍କ୍ରିନ୍ ଆଉ ଘରଟାର ଝରକା ଦେଇ ଯୋଉ ମୁହଁଟିକୁ ଦେଖିପାରିଥିଲି କ୍ଷଣକ ପାଇଁ, କଳ୍ପନାରେ ନୁହେଁ ବାସ୍ତବରେ ସେଇ ମୁହଁଟି କଥା ମୁଁ ଅବଶ୍ୟ କହୁଚି-।)

 

ଯୋଉ ତିନିଜଣ ମୋତେ ଟ୍ୟାକ୍ସି ଷ୍ଟାଣ୍ଡ୍‍ରୁ ନେଇ ଆସିଚନ୍ତି ଏଠିକି–ସେମାନଙ୍କ ସାଙ୍ଗରେ କଣ୍ଟ୍ରାକ୍ଟ, ପୂରା ଟ୍ୟାକ୍ସି...କଟକରୁ ରାଉରକେଲା । ଜବାବ୍ ଛିଡ଼ିଚି ତିନିଶହ ଚାଳିଶରେ । ପେଟ୍ରୋଲ୍ ପାଇଁ ଶହେ ଟଙ୍କା ଏଡ୍‍ଭାନ୍‍ସ ନେବା ଛଡ଼ା ଆଉକିଛି ଜାଣିବା ମୋର ଆବଶ୍ୟକ ନ ଥିଲା (କିଏ, କେଉଁମାନେ ବା କାହିଁକି ଇତ୍ୟାଦି) । ଆଉ ବର୍ତ୍ତମାନ ମୁହଁଟିକୁ ଦେଖି ନେବା ପରେ ଆବଶ୍ୟକ ହେଲାନାହିଁ ଘର ସାମ୍‍ନାର ନେମ୍ ପ୍ଲେଟ୍‍ଟାକୁ ପଢ଼ିବା ବି ।

 

ଦୁଆର ମୁହଁରେ ଗାଡ଼ି ରଖି ମୁଁ ଚାଲିଗଲି ନିକଟବର୍ତ୍ତୀ ହୋଟେଲ୍‍ରୁ ଖାଇ ଆସିବା ପାଇଁ-

 

ସେମାନେ ଭିତରକୁ ଗଲେ । କ’ଣ କଥାବାର୍ତ୍ତା ହେଉଚନ୍ତି ସମସ୍ତେ ବସି ।

 

ଏଇ ସମୟ ଭିତରେ ଭାରୀ ଜଳଖିଆ ଖାଇ ମଧ୍ୟାହ୍ନ-ଭୋଜନଟା ଟିଫିନ୍ କ୍ୟାରିଅରରେ ଭରି ନେବା ଭଲ ।

 

ଯୋଉଠି ବସି ଖାଉଥିଲି, ସେଠାରୁ ଝରକା ଦେଇ ଦିଶୁଥିଲା ମୋ ଗାଡ଼ିଟା ।

 

ଜଳଖିଆ ସାରି, ଚା’ କପ୍ ଶେଷ ହେବା ଆଗରୁ ସିଗାରେଟ୍‍ଟା ଧରେଇଚି ହର୍ଣ୍ଣ ବାଜିଉଠିଲା ଦି’ ତିନିଥର । କିନ୍ତୁ ଚା’ କପ୍‍ରୁ ମୁହଁ ଟେକି ଗାଡ଼ି ପାଖରେ ଦେଖିଲିନି କାହାରିକି ।

 

ବିଲ୍ ମେଣ୍ଟେଇ ଟିଫିନ୍ କ୍ୟାରିଅର୍‍ଟା ହାତରେ ଧରି ଓହ୍ଲାଇ ଆସିଲି ରାସ୍ତା ଉପରକୁ ।

 

ସମୁଦାୟ ଗାଡ଼ିଟା ପରିଷ୍କାର ଦେଖାଗଲା ଏଥର ।

 

ନାଁ, ସେ ଦୁଷ୍ଟ ପିଲା ନୁହେଁ, ସେଇମାନଙ୍କ ଭିତରୁ କେହି ହର୍ଣ୍ଣ ଦେଇଯାଇଚି–ଯାହାର ଅର୍ଥ, ଯିବାପାଇଁ ସେମାନେ ପ୍ରସ୍ତୁତ ହୋଇ ସାରିଲେଣି ।

 

ଷ୍ଟିଅରିଂ ପାଖରେ ବସି ମୁଁ ଏଥର ହର୍ଣ୍ଣ ମାରିଲି ସେମାନଙ୍କୁ । ଧୋତି-ପଞ୍ଜାବିପିନ୍ଧା ଭଦ୍ରଲୋକ ଜଣକ ବାହାରି ଆସି କହିଲେ, ଆସି ଗଲେଣି ଆପଣ ?

 

(ହଁ ‘ଆପଣ’ ! ଭଡ଼ା ମୁଲେଇବାବେଳେ ଏଇ ଲୋକଟା ପ୍ରଥମେ ମୋତେ ‘ତମେ’ କହିବାକୁ ଆରମ୍ଭ କରିବାମାତ୍ରେ ମୁଁ ବି ତାକୁ ‘ତେମେ’ ‘ତେମେ’ କରିବାରୁ ନିଜକୁ ସଂଶୋଧନ କରି ନେଇ ଥିଲା ସିଏ ।)

 

ଉତ୍ତର ଦେଲି, ମୋର ସବୁ ରେଡ଼ି ।

 

ବାହାରିବା ତା’ହେଲେ; ଆମେ ସବୁ ତ ପ୍ରସ୍ତୁତ ହେଇ ସାରିଲୁଣି । କହୁ କହୁ ସେ ଚାଲିଗଲା ଭିତରକୁ ।

 

ଯାତ୍ରାରମ୍ଭ ପୂର୍ବରୁ କ୍ଲଚ୍, ଏକ୍ସିଲେଟ୍‍ର, ଗିଅର୍...ପରୀକ୍ଷା କରିନେବା ମୋର ଅଭ୍ୟାସ । ଚେକ୍ କରୁ କରୁ ଦେଖିଲି ଭାରି ହାଡ଼୍ ଲାଗୁଚି ଏକ୍ସିଲେଟର୍ । ଆରେ, ଜାମ୍ ହେଇ ଗଲାନା କ’ଣ ? ତଳକୁ ଝୁଙ୍କିପଡ଼ି ସେ’ଟା ସଜାଡ଼ିବାରେ ଲାଗିଗଲି–ଆଉ ସେଇ ଅବସରରେ ସେମାନେ ଆସି ବସି ଯାଇଥିଲେ ପଛ ସିଟରେ ।

 

ତଳକୁ ଝୁଙ୍କି କାମ କରୁ କରୁ କହିଲି କେହି, ଆଗକୁ ଆସି ପାରନ୍ତି ।

 

ସମସ୍ଵର ଶୁଭିଲା ନାଁ, ଏଇଠି ହବ ।

 

ଏକ୍ସିଲେଟର୍ ଠିକ୍ କରି ରୁମାଲରେ ହାତ ପୋଛୁ ପୋଛୁ ଫେରି ଚାହିଁଲି ପଛକୁ । ସେଇ ତିନିଜଣ । (ପରସ୍ପର ଭିତରେ ସେମାନଙ୍କର କଥାବାର୍ତ୍ତାରୁ ଜାଣିଥିଲି–ଧୋତି-ପଞ୍ଜାବି ସୁବୋଧ, ଟ୍ରାଉଜର୍-ହାୱାଇନ୍ ଅଭୟ, ଆଉ ଲାମ୍ବା କଲି...ଟି’ସାର୍ଟ୍...ନଳୀ ପେଣ୍ଟ୍...ପଏଣ୍ଟେଡ୍‍ ସୁ’ ଜଣକ ଜ୍ୟୋତିଷ୍‍ । ‘ଜ୍ୟୋତିଷ’ ନୁହେଁ, ଜ୍ୟୋତିଷ୍‍’ –‘ଷ’ ତଳେ ହଳନ୍ତ୍ ।)

 

ବାହାରିବା ? ଷ୍ଟିଅରିଂରେ ହାତରଖି ପଚାରିଲି ।

 

ସେ... ଆସିବେ ଯେ ।

 

ମୁଁ ତା’ହେଲେ ସିଗାରେଟ୍ ନେଇ ଆସୁଚି ।

 

ଓହ୍ଲାଇ ଗଲି ସିଗାରେଟ୍ ଆଣିବାକୁ । ଫେରିଆସି ଦେଖେ ତ ସାମ୍ନା ସିଟରେ ସେ, ହଁ ସେଇ...ମଞ୍ଜୁ; ମଞ୍ଜୁଳା !

 

ଆଖିରେ ଗଗଲସ୍ ।

 

ଦେହରେ ବନାରସୀ ।

 

ତା’ ସ୍ୱାସ୍ଥ୍ୟ ଆଉ ଆଉ ସୌନ୍ଦର୍ଯ୍ୟ ଆଗ ଅପେକ୍ଷା ଢେର ବେଶୀ ଉଜ୍ଜ୍ଵଳ ହେଇଉଠିଚି ।

 

ଅତି ସୁନ୍ଦର ଚେହେରା ମନେ ରହେ, ମନେ ରହେ ଅତି ଅସୁନ୍ଦରମାନଙ୍କୁ ବି । ତେଣୁ ସେ ବି ମୋତେ ଚିହ୍ନି ପାରିବା ଉଚିତ ।

 

କିନ୍ତୁ ନାଁ; ଥରେମାତ୍ର ମୋ ଆଡ଼େ ଅନାଇ (ହସିବ କି ? ପଚାରି ଦେବ, “ସୁମନ୍ତ ବାବୁ ଆପଣ ?” ନାଁ ନାଁ; ଚିହ୍ନିପାରିଲାନି ହୁଏତ ।) ଗଗଲସ୍ ଆଖି ପୁଣି ବୁଲି ଗଲା ପଛକୁ । ଆପଣମାନଙ୍କୁ କମ୍ପର୍ଟ ହବ ବୋଲି ଏଠି ଆସି ବସିଲି । ଖୁବ୍ ଗରମ୍ ହଉଚି ନୁହେଁ ?

 

ବୁଝିଲି । ପଛ ସିଟରେ ମଞ୍ଜୁ ସାଙ୍ଗରେ ବସିବାକୁ ପ୍ରତିଯୋଗୀତା କରିବା ପାଇଁ ସେ ଆସିବା ଆଗରୁ ତିନିହେଁ ଆସି ବସି ଯାଇଥିଲେ ସେଇଠି । ଫଳରେ (ଆହା ବିଚରା !) ସମସ୍ତେ ହେଲେ ଲ’ଷ୍ଟ ! ପଛପଟେ ଜଣେ ମହିଳା ଯେ ତିନିଜଣଙ୍କ ଭିଡ଼ରେ ବସିବାକୁ ଚାହିଁବନି–ସ୍ଵାଚ୍ଚାନ୍ଦ୍ୟ ଦୃଷ୍ଟିରୁ, ବିଶେଷତଃ ଏଇ ଗରମ ଦିନରେ–ଏଟା ସାଧାରଣ ଜ୍ଞାନ । ଏତିକି ବୁଝି ସେମାନଙ୍କ ଭିତରୁ ଜଣେ କେହି ଆଗରୁ ମୋ ପାଖକୁ ଚାଲିଆସି ସାକ୍ରିଫାଇସ୍ କରିଥିଲେ ହେଇଥାଆନ୍ତା; କିନ୍ତୁ ଏସବୁ ବ୍ୟାପାରରେ କିଏ କାହିଁକି ସାକ୍ରିଫାଇସ୍ କରିବାକୁ ଚାହିଁବ ? ଫଳରେ ଲ’ସ୍ ହେଲା ସମସ୍ତଙ୍କର–ସଙ୍ଗ-ସୁଖରୁ ବଞ୍ଚିତ ହେଲେ ସମସ୍ତେ । (ବୋକାଗୁଡ଼ାକ ! ଏଇ ବୁଦ୍ଧି ନେଇ ‘ପ୍ରେମ’ କରିବାକୁ ବାହାରିଛନ୍ତି !!)

 

ମୋ ଆଖିରେ ବି ଗଗଲସ୍ ଥିଲା । ସିଟ୍ ଉପରେ ମଞ୍ଜୁ ଆଉ ମୋ ଭିତରେ ଆହୁରି ମଧ୍ୟ ଥିଲା ଭଙ୍ଗା ହୋଇ ଥୁଆ ହୋଇଥିବା ତାହାର ହାୱା-ତକିଆ ଆଉ ହାୱା-ବିଛଣାର ବ୍ୟବଧାନ-

 

କିନ୍ତୁ ଏସବୁ ସତ୍ତ୍ୱେ ବି–ତକିଆ, ବିଛଣାକୁ ଲାଗି ରହିଥିବା ତା’ରି ଛୋଟ ଚମଡ଼ା ସୁଟକେଶ୍ ଉପରେ ଅଳସଭାବେ ଲମ୍ବି ପଡ଼ିଥିବା ତାହାର ଡାହାଣ ହାତରେ ରିଷ୍ଟୱାଚ୍ ପିନ୍ଧା ବାହୁଟି ପ୍ରାୟ ମୋ ଦେହ ଛୁଉଁଥିଲା ଯେପରି । (ମଞ୍ଜୁର ଘଡ଼ି ନ ଥିଲା ଭଦ୍ରକରେ; ବର୍ତ୍ତମାନ ଡାହାଣ ହାତରେ ପିନ୍ଧି ଶିଖିଲାଣି । ଖାଲି ସେତିକି ନୁହେଁ, ଅନେକ କିଛି ଶିଖିଗଲାଣି... ଜାଣିଗଲାଣି... ମନେହଉଚି ତାକୁ ଦେଖିଲେ !)

 

ନାଁ, ସେ ମୋତେ ଚିହ୍ନ ନାହିଁ । ଭାବି ବସିଲି, ହେଇପାରେ; ଏଟା ସ୍ଵାଭାବିକ; ଅନେକ ସ୍ଥାନକୁ ସେ ଏମିତି ଅଭିନୟ କରିବା ପାଇଁ ଯାଇଥିବ, ମିଶିଥିବ କେତେ ଲୋକଙ୍କ ସାଙ୍ଗରେ; ମନର ଦର୍ପଣ ଉପରେ ତା’ର କେତେ ମୁହଁର ଛାଇ ପଡ଼ି ଉଭେଇ ଯାଉଥିବ ନିମିଷକେ !

 

ତା’ ମନଟା ଦର୍ପଣ ହେଲେ ମୋ ମନଟା ବି କିଛି କ୍ୟାମେରାର ଫିଲ୍ମ ନୁହେଁ ଅବଶ୍ୟ !

 

ତଥାପି ମଞ୍ଜୁକୁ ମୋର ମନେଅଛି; କାରଣ ହୁଏତ… ସେ ଖୁବ୍ ସୁନ୍ଦର ବୋଲି ।

 

କିନ୍ତୁ ମୋର ଯୋଉ କୁତ୍ସିତ ଚେହେରା, ସେଇଥି ପାଇଁ କ’ଣ ତା’ର ମୋତେ ସ୍ମରଣ ରଖିବା ସ୍ଵାଭାବିକ ନ ଥିଲା ?? କ୍ଲାସର ସବୁଠାରୁ ଭଲ ଆଉ ସବୁଠାରୁ ଦୁଷ୍ଟ ଛାତ୍ରକୁ ଯେପରି ଶିକ୍ଷକ ଚିରଦିନ ମନେରଖିପାରନ୍ତି, ଜୀବନର ସବୁଠାରୁ ସୁଖକର ଆଉ ସବୁଠାରୁ ଦୁଃଖକର ଘଟଣା ଯେପରି ମନେରହିଯାଏ... ଠିକ୍ ସେଇପରି ମୋତେ ସେ ମନେରଖିବା ସ୍ଵାଭାବିକ ବୋଲି ମୁଁ ଭାବିନେବାଟା କ’ଣ ମୋର ଭୁଲ୍ ?

 

କାହିଁକି ତେବେ ମନେରହିଲାନି ତା’ର ?

 

ମୋ’ଠାରୁ ଅଧିକତର କୁତ୍ସିତ କାହାରି ସଂସ୍ପର୍ଶରେ ୟା’ ଭିତରେ ସେ ଆସିଯାଇଚି ବୋଧହୁଏ ତା’ହେଲେ !!!

 

ପଛରେ ବସିଥିବା ସେମାନେ କହି ଉଠିଲେ, ଗାଡ଼ି ଏଥର ଚାଲୁ ।

 

ଗୁମୁରି ଉଠିଲା ଆମ୍ବାସଡର ଇଞ୍ଜିନ୍ । ଗଳି ଦି’ପାଖରେ କୌତୂହଳୀ ଆଖି । (ଦୃଷ୍ଟି ମଞ୍ଜୁ ପ୍ରତି ନିଶ୍ଚୟ ।) ଦରଜା ପାଖରେ ଠିଆ ହୋଇ ବିଦାୟ ସମ୍ଭାଷଣ ଜଣାଉଥିବା ସେଇ ବୟସ୍କା ମହିଳା (ତା’ମାଆ ହେଇଥିବେ) ଆଉ ଦେଖାଗଲେନି ଗାଡ଼ିଟା ଟର୍ନ୍ ନେଇ ନେବାରୁ ।

 

ସେ ପ୍ରାୟ ଝୁଙ୍କିପଡ଼ି ଥିଲା ମୋ ଉପରକୁ ଗାଡ଼ି ଅଣ ଆଡ଼ିଆ ହୋଇଯିବାରୁ ଟର୍ଣ୍ଣିଂ ନେଲାବେଳେ । ତା’ପରେ ଠିକ୍ ହେଇ ବସି ସୁନ୍ଦର ସୁନେଲି ପ୍ୟାକେଟ୍‍ରୁ ଫିଲଟର୍ ଟିପ୍ ସିଗାରେଟ୍ କାଢ଼ି ଲାଇଟର୍ ଜଳେଇ ଧରେଇ ନେଲା । ନିଭି ଯାଇଚି ମୋ ସିଗାରେଟ୍‍ଟା ଠିକ୍ ସେତିକିବେଳେ–ଟାଣି ଦେଲେ ବି ଧୂଆଁ ବାହାରୁ ନ ଥାଏ–ତାହା ଦେଖିପାରିଚି ସେ–ଛାତି ପକେଟରୁ ଲାଇଟର୍ କାଢ଼ି ଧରେଇ ନେବି କି ଅଧାରୁ ଫିଙ୍ଗିଦେବି ସେଟାକୁ...ଭାବୁଚି, ଜଳନ୍ତା ଲାଇଟର୍ ଧରା ନେଲ୍-ପଲିସରେ ଜଳୁଥିବା ଲାଲ୍ ବାଘ-ନଖଗୁଡ଼ିକ ତାହାର ଆସି ଯାଇଥିଲା ମୋ ମୁହଁର ଖୁବ୍ ନିକଟକୁ ।

 

ନିଭିଥିବା ସିଗାରେଟ୍ ଧରେଇ ନେଇ ମୁଁ ଧନ୍ୟବାଦ ଦେବାପାଇଁ ତା’ ମୁହଁକୁ ଚାହିଁଲି । ଗଗଲସ୍ ଉହାଡ଼ରେ ଆଖି ଦି’ଟା ତାହାର ଅବୋଧ୍ୟ ।

 

ତେବେ ଲିପଷ୍ଟିକ୍ ଓଠର ଲାଲ୍ ନିଆଁ ହଠାତ୍ ଜଳି ଉଠି ନିଭିଗଲା କାହିଁକି–ବୁଝିପାରିଥିଲି ବେଶ୍ ।

 

ମୋତେ ତା’ର ମନେପଡ଼ିଯାଇଚି ବର୍ତ୍ତମାନ । ଅର୍ଥାତ୍ ସେ ମୋତେ ଚିହ୍ନିପାରିଚି ।

 

ସ୍ପିଡ୍ ବଢ଼େଇ ଦେଲି ଗାଡ଼ିର ।

 

ଗତି-ବେଗ ବଢ଼ିଲେଇ ମୋର ମନେପଡ଼େ ସେଇ ସବୁ ମୁହଁଗୁଡ଼ା । ଆଗେଇ ଆସନ୍ତି...ଗାଡ଼ିଆଡ଼କୁ ଧାଇଁ ଆସୁଥିବା ଗୋଟିକ ପରେ ଗୋଟିଏ ମାଇଲ୍ ଖୁଣ୍ଟି ପରି । ଜଣକ ପରେ ଜଣକର ମୁହଁ...

 

ସେଇ ଯେ ସମ୍ବଲପୁରରୁ ସେମାନଙ୍କୁ ନେଇ ଦେବଗଡ଼ ଯାଇଥିଲି ପିକ୍‍ନିକ୍ । ଖୁନ୍ଦାଖୁନ୍ଦି ହେଇ ବସିଥିଲେ ଆଠଜଣ । ଜଣେ ଅଧ୍ୟାପକ, ତିନିଜଣ ଛାତ୍ରୀ, ଚାରିଜଣ ଛାତ୍ର ।

 

ହୀରାକୁଦ ଦେଖିବା ପାଇଁ ଶାନ୍ତି-ନିକେତନରୁ ଆସିଥିଲେ ସେମାନେ ।

 

ଛାତ୍ରୀ ଭିତରୁ ଜଣେ ନନ୍ଦିତା, ଅଧ୍ୟାପକଙ୍କ କନ୍ୟା । ନଦୀ-ମାତୃକା ସମତଳ ବଙ୍ଗର ସବୁଜ ସହଜ ରୂପ ଦେଖିବାରେ ଚିର-ଅଭ୍ୟସ୍ତ ତା’ର ଆଖି ଓଡ଼ିଶାର ଅରଣ୍ୟ-ପର୍ବତର ଦୃଶ୍ୟରେ ଅଭିଭୂତ । ଜୀବନରେ ସେ କେବେ ପ୍ରପାତ ଦେଖି ନାଇଁ । ହୀରାକୁଦ ଦେଖି ଫେରି ଯିବାର ପ୍ରାକ୍‍କାଳରେ କାହାଠାରୁ ପ୍ରଧାନପାଟ ସମ୍ବନ୍ଧରେ ଶୁଣି ସେ ଜିଦ୍ ଧରିଥିଲା ଦେଖିବା ପାଇଁ, ରାଜି କରେଇଥିଲା ବାବାଙ୍କୁ ।

 

ବାଟସାରା ପାଖରେ ବସି ସେ ମୋତେ ପଚାରୁ ଥାଏ ଓଡ଼ିଶା ସମ୍ବନ୍ଧରେ ଅନେକ ପ୍ରକାର ପ୍ରଶ୍ନ । ତା’ର କୌତୂହଳ ଚରିତାର୍ଥ କରୁ କରୁ ଡ୍ରାଇଭିଂ କରି ଚାଲିଥାଏ ମୁଁ ଅବଲୀଳା-କ୍ରମେ-। ମୋର ସୁସ୍ପଷ୍ଟ ଇଂରାଜୀରେ ବିସ୍ମିତ ହେଇ ଅଧ୍ୟାପକ ମହଲାନବିଶ୍ ମୋ ସମ୍ବନ୍ଧରେ ଜାଣିବାକୁ ଚାହିଁଥିଲେ ।

 

ବି.ଏ. ପାସ୍ କରି ବହୁଦିନ ଚାକିରି ନ ପାଇବା ପରେ ପୈତୃକ ଅର୍ଥରେ ଟ୍ୟାକ୍ସିଟିଏ କିଣି ସ୍ୱାବଲମ୍ବୀ ହୋଇଚି କହିବାରୁ ଖୁସି ହେଇଗଲେ ଭାରି । ଆହୁରି ଆନନ୍ଦିତ ହୋଇଗଲେ ମୁଁ ତାଙ୍କରି ସବଜେକ୍ଟ ସାଇକୋଲଜିର ସ୍କଲାର୍ ବୋଲି କହିବାରୁ । (ଆତ୍ମସମ୍ମାନ ରକ୍ଷାପାଇଁ କେତେ ପରସେଣ୍ଟ ମିଛ କହିଲେ ପାପ ହେବନାହିଁ, ତାହାର ଭାଗ-ମାପ ମୋତେ ଜଣାଥିଲା । ଅଫିସ୍-ବୟ୍ ଥିଲାବେଳେ ବର୍ଣ୍ଣାଡ଼୍ ଶ’ ତ ବାହାରେ ନିଜକୁ ଜୁନିଅର୍ କ୍ଲର୍କ ବୋଲି ପରିଚୟ ଦେଉଥିଲେ । ଅନ୍ୟକୁ ବଞ୍ଚାଇବା ପାଇଁ ବା ନିଜକୁ ବଞ୍ଚାଇବା ପାଇଁ ଯେତେ ମିଛ କୁହାଯାଇପାରେ । –କାହାରି କିଛି କ୍ଷତି ସେଥିରେ ହେଉନି ତ !)

 

ଦେବଗଡ଼ ସହର ବାହାରେ ପ୍ରଧାନ ପାଟ ଜଳ-ପ୍ରପାତ ତଳେ ଦୁଇଟି ଛୋଟ ଛୋଟ ପାହାଡ଼ର ମଥାନରେ ଅବସ୍ଥିତ “ଲଳିତ ବସନ୍ତ” ଆଉ “ବସନ୍ତ ନିବାସ ।” ଦୁଇଟି ଯାକ ବଙ୍ଗଳା ଖାଲିଥିଲା ସେଦିନ । ଡିସେମ୍ବରର ପ୍ରଚଣ୍ଡ ଶୀତରେ କିଏ ଏଠିକି ଆସନ୍ତା ? ଖରାଦିନେ ସିନା କେବଳ ଭିଡ଼ ହୁଏ ଏଠାରେ ।

 

“ବସନ୍ତ ନିବାସ”ରେ ଜିନିଷପତ୍ର ରଖି ଚୌକିଦାରକୁ କୁହାହେଲା ଖାଇବାର ବ୍ୟବସ୍ଥା କରିବା ପାଇଁ । ସେତେବେଳେ ଦିନ ଦଶଟା । ପ୍ରପାତ ତଳେ କିଛି ସମୟ ବୁଲି ଆସି ସାଙ୍ଗରେ ଆଣିଥିବା ଚା’ ଆଉ ସ୍ୟାଣ୍ଡ୍‍ଉଇଚ୍ ଖାଇ ପ୍ରପାତ-ମୁଖୀ ବସନ୍ତ-ନିବାସର ସୁଦୃଶ୍ୟ କରିଡୋରରେ ବସି ଏଠାରେ ପୂର୍ବରୁ ରାଜ-ଅତିଥି ହୋଇଥିବା କବିବୃନ୍ଦଙ୍କ ମାର୍ବେଲ୍ ବନ୍ଧେଇ କବିତା ସବୁକୁ (ଯାହା ବିଭିନ୍ନ ପିଲାରରେ ଫିକସ୍ କରାହେଇଚି) ନେଇ ଦାର୍ଶନିକ ଆଲୋଚନା କରିବାରେ କଟିଯାଇଥିଲା ବେଶ୍ କିଛି ସମୟ । ସେଇ ଓଡ଼ିଆ କବିତାମାନ ମୁଁ ସେମାନଙ୍କୁ ବଙ୍ଗଳାରେ ବୁଝାଇ ଦେଇଥିଲି ଅବଶ୍ୟ ।

 

ମଧ୍ୟାହ୍ନ-ଭୋଜନ ପରେ ସ୍ୱଳ୍ପ ବିଶ୍ରାମ । ତା’ପରେ ସମସ୍ତେ ପର୍ବତ ଉପରକୁ ଉଠିଲୁ ପ୍ରପାତର ଉତ୍ସ ଦେଖିବା ପାଇଁ ।

 

ଅଧ୍ୟାପକ ମହଲାନବିଶ୍ କହିଲେ, ସୁମନ୍ତ, ତୁମେ ଆମର ଫ୍ରେଣ୍ଡ, ଫିଲସଫର୍ ଏଣ୍ଡ ଗାଇଡ୍ । ତେଣୁ ତମେଇ ଲିଡ୍‍ କର ଆମକୁ ।

 

ଦୁର୍ଗମ, ଦୁରାରୋହ, ଅରଣ୍ୟ-ଶଙ୍କୁଳ, କଣ୍ଟକାକୀର୍ଣ୍ଣ ପ୍ରଧାନପାଟର ପର୍ବତ । ଅନେକ କଷ୍ଟରେ ଉଠିବାକୁ ହୁଏ । ବହୁ ଦୂର ଉଠିବା ପରେ କ୍ଳାନ୍ତ, ଶ୍ରାନ୍ତ ହୋଇପଡ଼ିଲେ ସମସ୍ତେ । ଅରଣ୍ୟ-ପଥରେ ମୋର ନିତ୍ୟସହଚର ବନ୍ଧୁକଟାକୁ ଗାଡ଼ି ପଛରୁ କାଢ଼ିଆଣି କାନ୍ଧରେ ଝୁଲାଇଥିଲି କାଳେ ଯଦି ସମ୍ବର-ମିରିଗ... କିଛି ମିଳିଯାଏ–ଏଇ ଆଶାରେ । ରେଢ଼ାଖୋଲ, ପାଲଲହଡ଼ା ରାସ୍ତାରେ ଗାଡ଼ି ନେଇ ଯାଉ ଯାଉ ବାଟ ଉପରେ ମିଳିଥାଏ ବେଳେବେଳେ ଗୋଟାଏ ଅଧେ ସୁଯୋଗ । ମାଂସ-ଲୋଭୀ ମନ ମୋର ମୋତେ ପରିଣତ କରିଚି ନିପୁଣ ଶିକାରୀରେ । ଲକ୍ଷ୍ୟ ମୋର ସବୁବେଳେ ଅବ୍ୟର୍ଥ । ଏବେ ବି ନାଚି ଉଠେ ଆଖି ଆଗରେ ସେଇ ବାଘୁଣୀଟି ଆଉ ତାହାର ଛୋଟ ଛୋଟ ତିନିଟି ଶାବକ... ! ରାଉରକେଲାରୁ କୋଇଡ଼ା ଯିବା ବାଟରେ ମିରିଗଖୋଜ ଜଳପ୍ରପାତଠାରେ ପୋଲ ତଳକୁ ଓହ୍ଲାଇ ଯାଇଥିଲି ଇଞ୍ଜିନ୍ ଥଣ୍ଡା କରିବା ଉଦ୍ଦେଶ୍ୟରେ ପାଣି ଆଣିବା ପାଇଁ । ସେଇଠି ଛଟପଟ ହେଉଥିବା ଗୋଟାଏ ହରିଣୀକୁ ସେ ଆଉ ତା’ର ଶାବକମାନେ ଘେରି ବସିଥିବାର ଦେଖି ସେଇ ଶିକାରଟା ସେମାନଙ୍କ ମୁହଁରୁ ଛଡ଼ାଇ ନେବାପାଇଁ ଇଚ୍ଛା ଜାଗିଲା ମନରେ । ପାଣି ଆଣିବି କ’ଣ, ଫେରିଗଲି ଗାଡ଼ି ପାଖକୁ । ସେମାନେ ମୋତେ ଲକ୍ଷ୍ୟ କରିନଥାନ୍ତି-

 

ଫେରି ଆସିଲି ଖୁବ୍ ଶୀଘ୍ର ଲୋଡେଡ୍ ବନ୍ଧୁକ ହାତରେ । ତଥାପି ସେମାନେ ଶିକାରକୁ ନେଇ ବ୍ୟସ୍ତ । କି ସୁନ୍ଦର ଦିଶୁଥିଲେ ସେମାନେ, ବିଶେଷତଃ ନୂଆ ମାତୃତ୍ଵ ଲଭିଥିବା ସେଇ ଯୁବତୀ ବାଘୁଣୀଟା !!... ସୁନ୍ଦର କିଛି ଦେଖିଲେଇ ମୋର କାହିଁକି କେଜାଣି ଭାରି ଇଚ୍ଛା ହୁଏ ଖିନ୍‍ଭିନ୍ କରି ଧ୍ଵଂସ କରିଦେବା ପାଇଁ । ମର୍‍ବିଡ଼ ସାଇକୋଜିରେ ମୁଁ ହଣ୍ଟେଡ୍‍ !! ମୋ କବଳରୁ ଅକ୍ଷତ, ଅନାହତ ହୋଇ ଖସିଯିବ ଏଡ଼େ ସୁନ୍ଦର ଜିନିଷଟା ? ସୁନ୍ଦରୀ ବାଘୁଣୀର ଆଖିକୁ ଲକ୍ଷ୍ୟ କରି ଉଞ୍ଚେଇ ଥିଲି ବନ୍ଧୁକ । ବିସ୍ଫୋରଣର ଶବ୍ଦ, ଟିକିଏ ନିଆଁ ଆଉ ଧୂଆଁ ଏବଂ ମେଘଭଳି ଏକ ଗର୍ଜନ...! କୂଳ ଉପରୁ ଗଡିପଡ଼ିଲା ପାଣି ଭିତରେ–ପିଲାଗୁଡ଼ାକ ଧାଇଁଗଲେ ମାଆ ପାଖକୁ–ପ୍ରଖର ସ୍ରୋତରେ କିନ୍ତୁ ମୁହୂର୍ତ୍ତକେ ଭାସି ଗଲେ ସଭିଏଁ–କିଛି ଦୂର ଭାସିଯିବା ପରେ ପ୍ରପାତ–ଅତଳ ଗହ୍ୱରରେ ଉଭେଇ ଯିବେ ମାଆ ଆଉ ଶାବକମାନେ–ମୁଁ ଉପଭୋଗ କରୁଥିଲି !!!

 

ତା’ପରେ ସେମାନଙ୍କ ଶିକାରଟିର ଅଧିକାରୀ ହୋଇଥିଲି ମୁଁ ।

 

ଉପଭୋଗ କରୁଥିଲା ନନ୍ଦିତା । ସେ କଳା-ଛାତ୍ରୀ । ସେ ଲେଖିକା । ପ୍ରଧାନ-ପାଟର ପର୍ବତ ତା’ ଆଖିରେ ମାର୍କତମଣି, ପ୍ରପାତର ପତନଶୀଳ-ଜଳ-ଧାର ତା’ ଆଖିରେ ରୌପ୍ୟ-ସ୍ରୋତ, ଆରୋହଣର ପ୍ରଚେଷ୍ଟାରେ କଷ୍ଟଠାରୁ ଆନନ୍ଦ ତା’ର ଅଧିକ । ଦୃତ-ସଞ୍ଚରଣଶୀଳ ଲଘୁ-ଦେହୀ କସ୍ତୁରୀ-ମୃଗୁଣୀ ପରି ଚଞ୍ଚଳ ଓ ସାବଲୀଳ ଗତିରେ ଅନ୍ୟ ସମସ୍ତଙ୍କୁ ଅତିକ୍ରମ କରି ଆଗେ ଆଗେ ବାଟ କଢାଇ ଚାଲିଥିବା ମୋ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା କରୁଥାଏ ରବିନ୍ଦ୍ର-କବିତା ପରି ଛନ୍ଦମୟୀ ନନ୍ଦିତା । କଳା-ଛାତ୍ରୀର ଆଖିର କଜଳରେ ଥିଲା କିଛି ଗୋଟାଏ ଅଲିଖିତ ଭାଷା, ଯାହା ମୁଁ ଧୀରେ ଧୀରେ ପଢ଼ିପାରିଲି–(ପଢ଼ିପାରିଲି, ଯେହେତୁ ମୁଁ ଜଣେ ପେଶାଦାର୍ ପ୍ରେମିକ-ପଢ଼ିପାରିଲି, ଯେହେତୁ ମୋ ଆଖିରେ ଅଭିଜ୍ଞତାର ଉଚ୍ଚ-ଶକ୍ତି-ବିଶିଷ୍ଟ ପ୍ରଚକ୍ଷୁ !)–ଆଉ ସେଇଥି ପାଇଁ ଟିକିଏ ଗତି କମେଇ ତାକୁ ଦେଇ ଥିଲି ଆଗେଇ ଆସିବାର ସୁଯୋଗ ।

 

ସୁଯୋଗକୁ ଅପେକ୍ଷା କଲେ ସେ ନିଜେ ଆସି ଧରା ଦିଏ ଶେଷରେ ।

 

ଶେଷ ବାଙ୍କ ପାଖରେ ଉଚ୍ଚ ହେଇ ଉଠି ଯାଇଚି ପାହାଡ଼ର କାନ୍ଥି । ସମସ୍ତେ କହିଲେ “ଥାଉ ପାରିବୁନି” କିନ୍ତୁ କେବଳ ନନ୍ଦିତାକୁ ଛାଡ଼ି । “ଏଇ ଯେ ରୂପାର ଧାର ପରି ଚିକ୍ ଚିକ୍ କରୁଚି ପ୍ରପାତରେ ଉତ୍ସ !!

 

ଏତେଦୂର ଆସି...ନ ଦେଖି ଫେରିବନି ବାବା ! ତା’ ଅପେକ୍ଷା ସମସ୍ତେ ମୋତେ ସେଇ ଜଙ୍ଗଲରେ ଛାଡ଼ିଦେଇ ଶାନ୍ତିନିକେତନ ଫେରିଯାଅ... ମୁଁ କିନ୍ତୁ ଶାନ୍ତି ପାଇବିନି ନ ଦେଖି ଫେରିଗଲେ । ତମେମାନେ ସିନା ନିଜ ପାଇଁ ଦେଖୁଚି-କିନ୍ତୁ ମୋ’ରି ଆଖି ଦେଇ ଦେଖୁଚନ୍ତି ଶତ ସହସ୍ର ପାଠକ । ତେଣୁ ମୁଁ ନ ଦେଖିଲେ ‘ଭ୍ରମଣ କାହାଣୀ’ ମୋର ଅପୂର୍ଣ୍ଣ; ‘ଦେଶ୍’ ପତ୍ରିକାର ପାଠକମାନଙ୍କ ମନ କ୍ଷୁନ୍ନ ! ଏତେଦୂର ଆଣି ସେମାନଙ୍କୁ ଉତ୍ସ ପାଖକୁ ନ ନେଇ ବଞ୍ଚିତ କରି ଅଧା-ବାଟରୁ ଫେରାଇ ନେଲେ ନନ୍ଦିତା ମହଲାନବିସର ମୁଣ୍ଡପାତ୍ କରିବେ ସେମାନେ !”

 

ଏମ୍.ଏ. କ୍ଳାସର ବାକ୍-ଚତୁରୀ ଝିଅଟି ପାଖରେ ହାର ମାନିଲେ ସମସ୍ତେ । ଶେଷରେ ଠିକ୍ ହେଲା, ସେମାନେ ସେଇଠି ବସି କ୍ଳାନ୍ତି ଅପନୋଦନ କରିବା ଅବସରରେ ମୁଁ ନେଇ ନନ୍ଦିତାକୁ ଉତ୍ସ ଦେଖାଇ ଆଣିବି ।

 

ସେତେବେଳକୁ ମୁଁ ତା’ର ‘ଦାଦା’ ହେଇସାରିଚି । ଅଧ୍ୟାପକ ମହଲାନବିସ୍ କହିଲେ କିନ୍ତୁ ‘ଭ୍ରମଣ-କାହାଣୀ’ରେ ସୁମନ୍ତଦାର ନାମଟା ଯେପରି ରହେ ।

 

ଖାଲି ନାମଟା ? ...ହସି ହସି ଜବାବ୍ ଦେଇଥିଲା ନନ୍ଦିତା, ତାଙ୍କ ଫଟୋ ମଧ୍ୟ । ବନ୍ଧୁକ କାନ୍ଧରେ ସେ ଆମକୁ ବାଟ କଢ଼େଇ ନେଇ ଚାଲି ଥିବାର ଛବି ।

 

କହିଲି ତା’ହେଲେ ବର୍ତ୍ତମାନ ଉଠେଇ ନିଆ ହଉ ।

 

ଅଟୋମେଟିକ୍ କ୍ୟାମେରାରେ ସେଇପରିଭାବେ ଉଠା ହେଲା ସମସ୍ତଙ୍କର ଗ୍ରୁପ୍ ଫଟୋ-

 

ତା’ପରେ ନନ୍ଦିତାକୁ ନେଇ ମୁଁ ଚାଲିଲି ।

 

କିଛିଦୂର ଯିବା ପରେ ସେ କହିଲା, ଦେଖୁଚ ରାସ୍ତାଟା କେମିତି ଡିଫିକଲଟ !!

 

କହିଲି, ଶାଢ଼ି ପାଇଁ । ପାହାଡ଼ ଚଢିବା ପାଇଁ ଶାଲୱାର୍ କମିଜ୍ ଭଲ ।

 

ମୋର...ନାହିଁ ।

 

ଓଡ଼ିଶା ଆସିବା ଆଗରୁ କାହାଠାରୁ ନେଇ ଆସିବା ଉଚିତ ଥିଲା ।

 

ସାରାଓଡ଼ିଶାଟା ତ ବଣ-ପାହାଡ଼ରେ ଭରା ନୁହେଁ । ମୁଁ ପୁରୀ ଯାଇଚି ଉପକୂଳ ଦେଇ...-। ସମତଳ..., ଆଖି ପାଇବା ଯାଏ ଧାନକ୍ଷେତ...ଠିକ୍ ଜଙ୍ଗଲ ପଡ଼ିଥିବ ?

 

ତମେ ମୋ ହାତ ଧର ସୁମନ୍ତଦା, ଗୋଡ଼ ଖସୁଛି ।

 

ପଛକୁ ଫେରି ଚାହିଁଲି ।

 

ସେମାନେ ଦିଶୁ ନାହାନ୍ତି–ନନ୍ଦିତା ସନ୍ତର୍ପଣରେ କହିଲା–ରହିଗଲେଣି ଅନେକ ତଳେ ।

 

ଯଦି ଦିଶୁ ଥାଆନ୍ତେ...ଆଉ ଥାଆନ୍ତେ ଖୁବ୍ ପାଖରେ...

 

ଦୁଷ୍ଟାମୀ ରଖ । ହାତ ଧରି କେଆର୍ ଫୁଲି ନିଅ; ନ ହେଲେ ମୁଁ ଏଇଠି ରହିଲି । ଦେଖୁଚ, ମୋ ଗୋଡ଼ ସ୍ଲିପ୍ କରୁଚି !

 

ସ୍ଲିପ୍ କରୁଚି ସ୍ଳିପର ପାଇଁ, ମୋର ଗରଜ୍ ପଡ଼ିଚି ତମ ହାତ ଧରି ନେବାକୁ !

 

ବେଶ୍, ମୁଁ ଏଇଠୁ ରହିଲି । ତମେ ଚାଲି ଯାଅ ଏକା ଏକା...ମନ ଭରି ପାଣି ପିଇ ଆସିବ... ।

 

ନିଶ୍ଚୟ ଯିବ । ଖୁବ୍ ତ ଶୋଷ ହେଉଚି ମୋତେ ।

 

ଯାଅ, ଚାଲି ଯାଅ ।

 

ଓଠ ଫୁଲାଇ ପଥର ଉପରେ ବସି ପଡ଼ିଲା ନନ୍ଦିତା ।

 

ତମେ ରହିଲ, ମୁଁ ତା’ ହେଲେ ଉଠୁଚି...

 

ହଉ ଯାଅ ଯାଅ... । ଜଣାପଡ଼ିଲା ତମେ କି ରକମ ଲୋକ !!

 

ତା’ଆଡ଼କୁ ନ ଅନାଇ ଉପରକୁ ଉଠିବାରେ ଲାଗିଲି ।

 

କିଛି-କ୍ଷଣର ନୀରବତା !

 

ତା’ପରେ ତଳୁ ଶୁଭିଲା (ମୁଁ କାନ ପାରିଥିଲି ସେଇଆ ଶୁଣିବାକୁ ଆଶା କରି) ସତରେ ତମେ ମୋତେ ଛାଡ଼ି ଚାଲିଯାଉଚ ସୁମନ୍ତଦା ?

 

ରହିଯାଇ ତଳକୁ ଚାହିଁ କହିଲି, ଯିବ ଯଦି ଆସ ।

 

ନାଁ । ... ନିଜେ ତଳକୁ ଆସି ମୋତେ ନେଇ ଯାଅ ।

 

ନାଁ–ସେହିପରି ଠିଆ ହୋଇ ରହି ଉତ୍ତର ଦେଲି ।

 

(ମୁଁ ନନ୍ଦିତା ସାଙ୍ଗରେ ଖେଳୁଥିଲି । ଠିକ୍ ବାଘ ଯେମିତି ଶିକାର ଉପରକୁ ଲମ୍ଫ ଦେବାର ଅନେକ ଆଗରୁ ତା’ ସହିତ ଖେଳ ଆରମ୍ଭ କରିଦେଇଥାଏ ଘୂରି ଫେରି... ଲାଞ୍ଜ ହଲେଇ ... ନିଶ ଥରେଇ...ଆଗକୁ ଧାଇଁ... ପୁଣି ପଛକୁ ଫେରି ... କୁମ୍ଭୀର ଯେପରି ଶିକାର ଉପରକୁ ଖଗ ମାରିବା ଆଗରୁ ଭଉଁରୀ କାଟି ବୁଡ଼େ ଉଠେ ଖୁବ୍ ପାଖରେ ପୁଣି ଦୂରରେ, ନାଗ-ସାପ ଯେପରି ଚୋଟ ମାରିବା ଆଗରୁ ଫଣା ହଲାଇ ହଲାଇ ସମୟ ନିଏ ଶିକାରକୁ ଖେଳାଇବା ପାଇଁ,–ସେହିପରି ମୁଁ ଖେଳି ଖେଲାଉଥିଲି ନନ୍ଦିତାକୁ । ଭୁଞ୍ଜିବା ଆଗରୁ ଆଘ୍ରାଣରେ ବି ତ କମ୍ ଆନନ୍ଦ ମିଳେନା !)

 

ସୁମନ୍ତଦା’ ତମକୁ ମୋ ମୁଣ୍ଡ-ରାଣ (ମାଥାର୍ ଦିବ୍ୟ !)

 

ହସିଲି । ଏମ୍. ଏ. କ୍ଳାସର ଛାତ୍ରୀ ! ଗାଉଁଲି ଝିଅଙ୍କ ପରି ରାଣ, ନିୟମ ପକାଉଚି !!

 

ଧୀରେ ଧୀରେ ଓହ୍ଲାଇ ଆସିଲି ତଳକୁ ।

 

ହାତ ଧରା-ଧରି ହେଇ ଆମେ ଉଠୁଥିଲୁ । ...ଉପଭାଗ କରୁଥିଲି ତା’ ଦେହର ସାନ୍ନିଧ୍ୟ । ଦାମୀ ଶାଢ଼ି କଣ୍ଟାରେ ଲାଗି ଚିରି ଯାଇଚି–ଭୃକ୍ଷେପ ନାହିଁ, ସ୍ୟାଣ୍ଡାଲର ଷ୍ଟ୍ରାପଟିଏ ଖସି ଗଲାଣି-ଖାତିର୍ ନାହିଁ, ପଥର ବାଜି ଆଞ୍ଚୁଡ଼ି ଯାଇଚି ଉପର ପାଦ-ନଜର ନାହିଁ ନନ୍ଦିତାର ! ବେଳେ ବେଳେ ସେ ବଡ଼ ପଥର ଡେଇଁ ପାରୁନଥାଏ; ମୋତେ ସବୁଠି ପ୍ରାୟ କୋଳକରି ତାକୁ ଉଠାଇ ନେବାକୁ ପଡ଼େ । ତା’ର ସ୍ପଷ୍ଟପରି ନରମ ଛାତି ସେତେବେଳେ ଘଷି ହୋଇଯାଏ ମୋ ବାହୁ ଉପର ଦେଇ-ହସି ଉଠେ ସେ, ଆଉ ହସି ଉଠେ ମୁଁ ବି ।

 

ଆମେ ପ୍ରପାତରେ ଉତ୍ସ ପାଖରେ ପହଞ୍ଚିଲୁ ।

 

ଅନ୍ଧକାରଚ୍ଛନ୍ନ ଗୋଟିଏ ସୁଡ଼ଙ୍ଗ-ପ୍ରାୟ ଗର୍ତ୍ତ ଭିତରୁ ଆବର୍ତ୍ତମାନ ସ୍ଵଚ୍ଛ ଜଳର କଟାହ ତରଳ କାଚର ସ୍ରୋତପରି ବାହାରକୁ ପ୍ରବହମାନ କୁକ୍ଷିର ଅନ୍ଧକାରରୁ ପୃଥିବୀର ଆଲୋକକୁ ଆସିବାମାତ୍ରେ ସେ ଦୁର୍ବାର ଆନନ୍ଦରେ ଲମ୍ଫ ଦେଉଚି ଅତଳକୁ ।

 

ପ୍ରଧାନ-ପାଟର ସେଇ ଶବ୍ଦାୟମାନ ଉଲ୍ଲାସ-ଧ୍ଵନୀ, ଅପରାହ୍ନର କିରଣରେ ହାରକ-ଚୂର୍ଣ୍ଣର ଭ୍ରମ ସୃଷ୍ଟି କରୁଥିବା ଉତ୍‍କ୍ଷିପ୍ତ ଜଳକଣା, ପାହାଡ଼ି ହାୱାର ଶୈତ୍ୟ ମାଦକତା ଉପଭୋଗ କରୁଥିଲୁ ମୁଁ ଆଉ ନନ୍ଦିତା ପାଖାପାଖି ଠିଆ ହୋଇ-ହଠାତ୍ ଭାସି ଆସିଲା ବାଘ-ଦେହର ବାସ୍ନା ! ନନ୍ଦିତା ମୁହଁ ଫେରାଇ ଚାରିଆଡ଼କୁ ଚାହିଁବାକୁ ଲାଗିଲା ଘଟଣା କ’ଣ ଜାଣିବା ପାଇଁ-ମୁଁ କିନ୍ତୁ ବୁଝିପାରିଥିଲି ଠିକ୍ !!

 

କାନ ପାଖରେ ତା’ର ମୁହଁ ରଖି କହିଲି; ଆସ...

 

ନନ୍ଦିତାର ଚକିତ ଚାହାଣୀରେ ଭୟ ଆଉ ଉତ୍ତେଜନା । ବୁଝିପାରିଲାଣି ସେ ମଧ୍ୟ । କିଂକର୍ତ୍ତବ୍ୟ-ବିମୁଢ଼ ଆଖିରେ ମୋ’ଆଡ଼କୁ ଚାହିଁଲା; କିନ୍ତୁ କୁଆଡ଼େ ଆମେ...

 

ଦେଖୁଚ ସେଇ ଗଛ ଉହାଡ଼ରେ ? ...ଶିକାର ମଞ୍ଚା ।

 

ସେ ଫେରି ଚାହିଁଲା ।

 

ରାଜାଙ୍କ ଅମଳରେ ତିଆରି, ବର୍ତ୍ତମାନ ଅବ୍ୟବହୃତ, ଲୁହାର ସେଇ ମଞ୍ଚା ଉପରକୁ ସିଡ଼ି ବାଟେ ଉଠି ଯାଇ ରେଲିଂ ଦିଆ ଦରଜାଟା ବନ୍ଦକରି ଦେବା ପରେ ମନେହେଲା ମଣିଷ-ଚିଡ଼ିଆ-ଖାନାର ଅବରୁଦ୍ଧ ଯନ୍ତା ଭିତରେ ଆମେ–ଏବଂ ଆଉ କିଛି ସମୟ ପରେ ଟିକେଟ୍ କିଣି ବାଘ ଆମକୁ ଦେଖିବା ପାଇଁ ଆସିବ ।

 

ଖାଲି ବାଘ ନୁହେଁ, ତା’ ପଛେ ପଛେ ବାଘୁଣୀଟିଏ ମଧ୍ୟ । ପାଣି ପିଇବା ପାଇଁ ଓହ୍ଲାଇଲେ ସେମାନେ । ପିଇ ସାରି କୂଳରେ ଆସି ଠିଆ ହୋଇ ପରସ୍ପରକୁ ଲେହନ କରିବାକୁ ଲାଗିଲେ ବି । ଆମ ଦୁହିଙ୍କୁ ଆଦୌ ଲକ୍ଷ୍ୟ କରି ନାହାନ୍ତି, ମନେହେଲା ।

 

ଲକ୍ଷ୍ୟକଲି, ନନ୍ଦିତାର ଭୀରୁ ଆଖିରେ ଆତଙ୍କର ଛାୟା ।

 

ପଚାରିଲି, ଭୟ କରୁଚ ?

 

ସେ କହିଲା ନାଁ ।

 

କିନ୍ତୁ ମୁଁ ବୁଝିଥିଲି, ସେ ଭୟ ପାଇଚି । ସାହସ ଦେଇ କାନ ପାଖରେ କହିଲି; ରୟେଲ୍ ବେଙ୍ଗଲ୍ କି ଲିୟପାର୍ଡ଼ ନୁହେଁ, ଛୋଟ ଚିତା ଦି’ଟା ! ଅଲିୟର୍ ଜୁ’ରେ କେତେ ବଡ଼ ବଡ଼ ମହାବଳ ଦେଖିଥିବ–ଭୟ କରୁଚ ଏଇଗୁଡ଼ାଙ୍କୁ ? ବେଶ୍, ଦେଖ ତା’ ହେଲେ...ଶେଷ୍ କରି ଦେଉଚି... ।

 

ଗୁଳି ଭରା ବନ୍ଧୁକ ଥିଲା ହାତରେ, ଜାଣିଥିଲି ଲକ୍ଷ୍ୟ ମୋର ଅବ୍ୟର୍ଥ, ନାରୀ ଆଗରେ ପୁରୁଷକାର ଦେଖାଇବାର ଏ ଭଳି ଏକ ସୁଯୋଗର ସଦ୍‍ବ୍ୟବହାର ତ କରେ !

 

କିନ୍ତୁ ସେ ବାଧା ଦେଲା ।

 

କହିଲା, ମୁଁ ଭୟ ପାଇନି ସୁମନ୍ତଦା’... । ଯଦିବା ପ୍ରଥମେ ପାଇଥିଲି ଟିକିଏ, ବର୍ତ୍ତମାନ ଆଉ ନାହିଁ । ଦେଖ ସେମାନଙ୍କୁ,–ପାଣି କୂଳରେ କିପରି ଖେଳୁଚନ୍ତି । ଏତିକିବେଳେ ମାରିବ ? ଅନ୍ୟର ଆନନ୍ଦରେ ବାଧା ଦେବାଇ ତ ଉଚିତ ନୁହେଁ... ।

 

କାନ୍ଧ ଉପକୁ ବନ୍ଧୁକ ଖସାଇ ନେଇ ତା’ମୁହଁକୁ ଚାହିଁଲି । ବର୍ତ୍ତମାନ ସେ ଭିନ୍ନ ପ୍ରକାର ଦିଶୁଚି । ମନେହେଲା, ଏଇ ମୁହୂର୍ତ୍ତରେ ତା’ ଆଖିରେ ରହିଚି ତ୍ରସ୍ତତା ନୁହେଁ-ଉନ୍ମାଦନା, ଅରଣ୍ୟ ଆତଙ୍କ ନୁହେଁ-ଆଦିମ-ଆମନ୍ତ୍ରଣର ଅଭିଜ୍ଞାନ, ପକ୍ଷର ମୃଦୁ କମ୍ପନରେ ଭୟର ଅଭିବ୍ୟକ୍ତ ନୁହେଁ–ଜୟର ଅଭିଳାଷ ।

 

ନୀରବ ଏଇ ଚାହାଣିର ଅଲିଖିତ ଅକଥିତ ଭାଷା ମୁଁ ବୁଝେ; ବୁଝେ ଯେହେତୁ ଏହି ମନ୍ତ୍ର ସତେଇଶି-ବର୍ଷ-ବୟସରେ ମୁଁ ଅର୍ଜ୍ଜନ କରିସାରିଚି ସତୁରୀ ବର୍ଷର ନାରକୀୟ (sorry ନାରୀ-ସମ୍ବନ୍ଧୀୟ) ଅଭିଜ୍ଞତା । ତରୁଣୀର ଆଖି କିପରି ‘କ୍ଷଣ କ୍ଷଣକେ ଆନ’ ସେ କଥା ବୁଝିବା ପାଇଁ ମୋତେ ବହି ପଢ଼ିବାକୁ ହୋଇନି-‘ବେଡ଼-ରୁମ୍ ଆୟ’ (Bed room eye)ର ଅର୍ଥ ଅନୁସନ୍ଧାନ କରିବା ପାଇଁ ମୋତେ ଡିକ୍‍ସନାରୀ ଖୋଜିବାକୁ ହୋଇନି-ବହି ନ ପଢ଼ି ମଧ୍ୟ ଯେହେତୁ ମୁଁ ଜଣେ ସାଂଘାତିକ ପାଠକ, ‘ଭୋରାସିଅସ୍ ରିଡର୍’-ବହି ପଢ଼ିବା ପରି ଯେହେତୁ ମୁଁ ସେଇମାନଙ୍କୁ ପଢ଼ିଛି-ଭଲଭାବେ ପଢ଼ିଛି ସେମାନଙ୍କ ଅନେକ ଆଖିର ଭାଷାକୁ-ପଢ଼ିଛି ସେମାନଙ୍କ ଦେହ ଆଉ ମନକୁ, ହୋଇ ପାରିଚି ସେମାନଙ୍କ ସମ୍ବନ୍ଧୀୟ ବିଶାଳ ଏକ ଜ୍ଞାନକୋଷ, ବିରାଟ ଏକ ଏନ୍‍ସାଇକ୍ଳୋପିଡ଼ିଆ-!!!

 

ସେ କିଛି କହିବାକୁ ଚେଷ୍ଟା କରି ରହିଗଲା ।

 

ରହିଥିଲା କିନ୍ତୁ ଓଠର କମ୍ପନ ।

 

ସେଇ କମ୍ପନକୁ ସ୍ଥିରକରି ଦେବାପାଇଁ ମୁଁ ତା’ ମୁହଁ ପାଖକୁ ମୁହଁ ନେଲି । ସେ ଓଠ ଫେରେଇ ନେଇ ଡାହାଣ ହାତ ପାପୁଲିର ଗଛପାଖଟି ଗାଲ ଉପରେ ରଖି ବାଧା ଦେଇ କହିଲା “ନାଁ” (ଅସ୍ଫୁଟ ଏକ ଧ୍ୱନିପରି) ଏବଂ ତା’ପରେ ଦୁଇଟି ମାତ୍ର ଶବ୍ଦ “ଏଇ କ’ଣ ?”

 

(ଏ ଭାଷା ବି ମୁଁ ବୁଝେ । ପୁରୁଷକୁ ଅଧିକ ପ୍ରଲୁବ୍ଧ କରିବା ପାଇଁ ଏଇ ବାଧା ଏକ ଛଳନା-ଏକ କୌଶଳ-ନାଁ ନାଁ ଇଏ ହେଉଚି ସେଇ ମୂଲ୍ୟ ବଢ଼ାଇବାର ପୁରୁଣା-ସେୟାର୍ ମାର୍କେଟ କାଇଦା !! ଇଏ ହଉଚି ସେଇ ସିକନ୍ଦର ଆଲମଙ୍କ ବସ୍ତା-ପଚା ରେକର୍ଡ଼ ଗୀତର ଘୋଷା ଲାଇନ୍–‘ଏଡିକି ଚତୁରୀ...ଏତେ ତୋ ଚାତୁରୀ, ବୁଝି ରହୁ ଅବୁଝା...’ନାଁ ସେଇ ରକମ୍ କ’ଣ ଯାହା ଠିକ୍ ଠିକ୍ ମନେ ପଡ଼ୁନି ଏଇନେ !)

 

ତଳେ ସେମାନେ ଲେହନ କରୁଥିଲେ ପରସ୍ପରକୁ । ଖେଳୁଥିଲେ ନିଜ ନିଜ ଭିତରେ । ହଠାତ୍ ତା’ପରେ ବାଘଟା ଗର୍ଜ୍ଜନ କରି ଲମ୍ଫ ଦେଲା ବାଘୁଣୀ ଉପରକୁ ।

 

ବନ୍ଧୁକ ଡେରାଇ ଦେଇ ନନ୍ଦିତା ଉପରକୁ ଲମ୍ଫ ଦେଲି ମୁଁ... । ସେ ତଳେ ପଡ଼ିଗଲା । ମୁଁ ରହିଥିଲି ତା’ ଉପରେ ।

 

ସୁମନ୍ତଦା’, ତମକୁ ମୋ ରାଣ (“ମାଥାର୍ ଦିବ୍ୟ”ଟାକୁ ଏଠ “ମୋ ରାଣ” ବୋଲି ଅନୁବାଦ କରୁଚି)... ଛାଡ଼ି ଦିଅ... !

 

କାହିଁକି ?

 

ଭୟ କରେ...

 

ଆଗେ ଏସବୁ ହେଇନି ?

 

ନାଁ,ନାଁ...ନାଁ...

 

ତା’ ହେଲେ ସେଇ ଭୟଟା ଆଜି ଭାଙ୍ଗି ଦିଏଁ... ।

 

ସେତେବେଳେ ମୁଁ ତା’ର ନୀବି-ବନ୍ଧନ ଖୋଲି ଦେଇ ସାରିକି । ମୋର ଗୋଟିଏ ହାତ ଥିଲା ସାୟାର ଫିତା ଉପରେ–ଆରଟି ତା’ ଛାତିରେ ନିଆଁ ଜଳାଇବାକୁ ଚେଷ୍ଟା କରୁଥିଲା ।

 

ସେ କହିଲା, ଜାଣିନଥିଲି, ତମେ ଏତେ ଖରାପ ବୋଲି ।

 

ମୁଁ ବି ଜାଣିନଥିଲି ତମେ ଏତେ ଭଲ । କିନ୍ତୁ ବର୍ତ୍ତମାନ ଉଭୟ ସମାନ ହେଇଯିବା... ।

 

ଯଦି ମୋର କିଛି ହେଇଯାଏ...

 

ମୁଁ ତମକୁ ବାହାହେବି, ଆଉ କ’ଣ ?

 

ସବୁ ପୁରୁଷମାନେ ସିମିତି କହନ୍ତି !

 

ମୋର ଇଚ୍ଛାହେଲା ଯୋରରେ ହସି ଉଠିବାକୁ !! ପୃଥିବୀର ଯେତେ ‘କୁମାରୀ’ ସମସ୍ତଙ୍କୁ ଉପହାସ କରିବା ପାଇଁ ଇଚ୍ଛା ହେଲା ଭାରି !!! ମନେ ମନେ ହସି ଉଠିଲି–ହାଃ...ହାଃ...ହାଃ...ହାଃ...ହାଃ...

 

“ବେଟର ଲେଟ୍ ଦ୍ୟାନ୍ ନେଭର”–“ଆଗରେ ହେୟାର୍ ପିନ୍ କର୍ଭ୍ !”

 

ଓଃ... !! ଅନେକ କର୍ଭ ଇମିତି ଆସିବ !!!

 

ଗାଡ଼ି ଘୁରେଇବା ସାଙ୍ଗେ ସାଙ୍ଗେ ମନର ଗତି ବି ଘୂରିଗଲା... ।

 

...ମନେପଡ଼ିଲା ଜୁଡ଼ିକୁ ।

 

ସେ ଏକ ହିପପୀ ତରୁଣୀ ।

 

ହେୟାର୍ ପିନ୍ କର୍ଭରେ ଗାଡ଼ି ଘୁରେଇବା ପରି ଭୁବନେଶ୍ଵରର ଗୋଲେଇ ଛକ ପାଖରେ ସ୍ପିଡ୍ କରି ଖାଲି ଗାଡ଼ିଟା ଘୁରଉଚି ଷ୍ଟାଣ୍ଡକୁ ନେବା ପାଇଁ...ଜୁଡ଼ି ହାତ ଟେକି ରୋକି ଦେଇଥିଲା ମୋତେ ।

 

ଗଳାରେ ରୁଦ୍ରାକ୍ଷମାଳା, ପ୍ରାୟ–ଅନାବୃତ ଦେହ; ଗୌରିକ ବସ୍ତ୍ର ଏକ କଞ୍ଚୁଲା ଆଉ ଏକ କୌପୀନ ଛଡ଼ା କିଛି ପରିଧାନ ନାହିଁ ବାମ ବାହୁରେ ଗୁଡ଼ାଇ ହୋଇ ରହିଚି ଫଣା ଟେକିଥିବା ଜୀବନ୍ତ-ତୁଲ୍ୟ ରବରର ସାପଟିଏ-ଡାହାଣ ହାତରେ ଚିକ୍ ଚିକ୍ କରୁଚି ଷ୍ଟେନ୍ ଲେସ ଷ୍ଟିଲର ତ୍ରିଶୂଳ-। ଚେହେରାରୁ ଜଣାପଡ଼ୁଚି, ଅମେରିକାନ୍ ନିଶ୍ଚୟ ।

 

ଗାଡ଼ି ରହିଗଲାମାତ୍ରେ ସାପଟା ମୋ ନିକଟକୁ ଠିକ୍ ଝରକା ପାଖରେ ଝୁଙ୍କିପଡ଼ିବାରୁ ଭୁବନେଶ୍ଵରର ରାଜପଥ ଉପରେ ସେଇ ଗୋଧୂଳିର ଆଲୋକରେ ମଧ୍ୟ ଭ୍ରମ ବଶତଃ ସେଇଟାକୁ ପ୍ରକୃତି ବିଷଧର ଭାବି ମୁଁ ଚମକି ଉଠିଥିଲି–ଯଦିଓ ତାହା ମୁହୂର୍ତ୍ତକ ପାଇଁ । ଭଲ ଭାବରେ ଅନାଇବା ପରେ ସିନା ଭୁଲ୍ ଭାଙ୍ଗି ଯାଇଥିଲା, କିନ୍ତୁ ବିସ୍ମିତ ହୋଇଥିଲି ତାହାର ଜୀବନ୍ତ ପ୍ରାୟ ଭଙ୍ଗୀ ଲକ୍ଷ୍ୟ କରି । ଯେ କେହି ଭାବି ନେବ ସତକୁ ସତ ଗୋଖରଟାଏ !

 

ଭୟ ଆଉ ବିସ୍ମୟ ପରେ ସାଙ୍ଗେ ସାଙ୍ଗେ ରାଗ ଆସିଲା ପୁଣି, ହଠାତ୍ ମୋ’ପ୍ରତି ତା’ର “ହେ’ କିଲର୍” (Hey killer) ସମ୍ବୋଧନ ଯୋଗୁ । ଇଚ୍ଛା ହେଲା ପଚାରି ଦେବି “ହେୟ୍ ୟାଙ୍କି ମଙ୍କି, ହାଟ୍ ଡୂ ୟୁ ୱାଣ୍ଟ ?” କିନ୍ତୁ ମନେପଡ଼ିଗଲା ପର ମୁହୂର୍ତ୍ତରେ, ଥରେ ଏମାନଙ୍କୁ ଗାଡ଼ିରେ ଉଠାଇବା ମାନେ “ରାତିଏ ଯାଇ ହାତିଏ ଆଣିବା” ପରି ।

 

ମୁହଁରେ ହାସ୍ୟ ଫୁଟାଇ କହିଲି, ହବ ଆଇ କିଲ୍‍ଡ ଏନି ବଡି ?

 

ଫନି ଫେଲୋ ! ‘କିଲର୍’ ବୁଝ ନାଇଁ ତମେ ? ଟିପିକାଲ୍ ଇଣ୍ଡିଆନ୍–ନିତାନ୍ତ ଭାରତୀୟ-

 

କିନ୍ତୁ ଏଇ ନିତାନ୍ତ ଭାରତୀୟଠାରୁ ତମେ ଆପାତତଃ କି ପ୍ରକାର ସହଯୋଗିତା ଚାହିଁ ?

 

ତମକୁ ବ୍ୟବହାର କରିବାକୁ ଚାହେଁ ।

 

ବ୍ୟବହାର କରିବାକୁ ଚାହଁ ? (ହାୟରେ, ତୁ ବି !)

 

ହଁ, ଯୋଉ ଭଳିଆ ଚାହିଁବି ।

 

ବେଶ୍ କୋଉଠିକି ଯିବା ପାଇଁ ହେବ ।

 

ଯୋଉଠିକି ଇଚ୍ଛା । ନୋ ଡେଷ୍ଟିନେସନ୍ ।

 

ନୋ ଡେଷ୍ଟି ନେସନ୍ ?

 

ଆରେ ଜୀବନଟାଇ ତ ଲକ୍ଷ୍ୟହୀନ !

 

କିନ୍ତୁ ମୂଲ୍ୟହୀନ ନୁହେଁ-ତେଣୁ ମୂଲ୍ୟଟା ଆଗେ ଠିକ୍ ହେଇ ଯାଉ ।

 

ତମେ ଘଣ୍ଟା ରେଟରେ ନେବ, ନାଁ ମାଇଲେଜ୍ ?

 

ଘଣ୍ଟା ରେଟ । ଘଣ୍ଟାକୁ କୋଡ଼ିଏ ଟଙ୍କା, ଗାଡ଼ି ଚାଲୁ କିମ୍ବା ରହୁ ।

 

ବେଶ୍ ତା’ ହେଲେ ।

 

ପିଠି ପଛରେ ଝୁଲୁଥିବା ତାହାର ଗେରୁଆ ରଙ୍ଗ ଥଳିଟାକୁ ମୁଁ ଏ ପର୍ଯ୍ୟନ୍ତ ଲକ୍ଷ୍ୟ କରିନଥିଲି । ସେଇଟା ପଚ୍ଛରୁ ଖୋଲି ଟ୍ୟାକ୍ସିର ବ୍ୟାକ୍ ସିଟ୍‍କୁ ଝରକା ଦେଇ ଫୋପାଡ଼ି ଦେଲେ ସନ୍ୟାସିନ୍ନୀ । ତା’ପରେ ତ୍ରିଶୂଳ ସାପ ସହ ମୋ ପାଖରେ ବସି ଦରଜାଟା ସଶବ୍ଦରେ ବନ୍ଦ କରି ଦେଲେ ।

 

ପଚାରିଲି ବର୍ତ୍ତମାନ କୁଆଡ଼େ ?

 

ଯୁଆଡ଼େ ଇଚ୍ଛା ସିଆଡ଼େ !... ନିର୍ବିକାର ଉତ୍ତର !!

 

ବିସ୍ମିତ ହେଲି ନାଇଁ । ଲେଡ଼ିଜ୍ ହଷ୍ଟେଲକୁ ଡାୟାଲ୍ କରି ଏକ କାଳ୍ପନିକ ନାମର (ମିନୀ, ରିନି, ଲୁସି, ଜେନି ...ଇମିତି ନାମରେ କେହି ନାଁ କେହି ତ ଥିବା...) ଅପରିଚିତା ମହିଳା ସହିତ ଆଳାପ କରିବା-ତାକୁ ଆମନ୍ତ୍ରଣ କରିବା ଉଇକ୍-ଏଣ୍ଡରେ ଯିବା ପାଇଁ ସେଇ ଅନୁରୋଧ ମଧ୍ୟ ସାଦରେ ଗୃହିତ ହେବା... ଯଦିଓ ଉଭୟ କେହି କାହାରିକି ଜାଣିନାହାନ୍ତି କି ଦେଖିନାହାନ୍ତି ଆଗରୁ–ରେଳ ଷ୍ଟେସନରେ ବୁକିଂ କାଉଣ୍ଟରରେ ଠିଆ ହୋଇ ବୁକିଂ କ୍ଳର୍କକୁ ଯେ କୌଣସି ସ୍ଥାନରେ ଟିକେଟ୍ ଦେବା ପାଇଁ କହିବା ଏବଂ କେତୋଟି ଷ୍ଟେସନ ଯିବା ପରେ ଚେନ୍ ଟାଣି ଯେ କୌଣସି ସ୍ଥାନରେ ଓହ୍ଳାଇ ପଡ଼ିବା-ଏଇସବୁ ଏକସେଣ୍ଟ୍ରି ସିଟି ଆମେରିକା ବହୁଦିନୁ ଆରମ୍ଭ ହୋଇ ଯାଇଚି ...ଏତିକି ଖବର ଅନ୍ତତଃ ମୋତେ ଜଣା ।

 

ଆଚ୍ଛା, ଚିଲିକା ହ୍ରଦର ନାମ ଶୁଣିଚ ? ପୁଣି ପଚାରିଲି ।

 

ନେଇ ତ ଯାଇଥାଆନ୍ତ; କହିଲ ପୁଣି କାହିଁକି ? ବର୍ତ୍ତମାନ ମୁଁ ଜାଣିପାରିବି ଠିକ୍ ସେଇଆଡ଼କୁ ଚାଲିଛି ବୋଲି;–ଏଥିରେ ସସପେନ୍ସ କ’ଣ ରହିଲା ନା ଥ୍ରୀଲ୍ କ’ଣ ରହିଲା ?

 

ତା’ ହେଲେ...

 

ନାଁ । କହି ପକାଇଲ ଯେତେବେଳେ...ଆଉ ସେଠିକି ଯିବିନି । ଗାଡ଼ି ଚାଲିଥିବ..., ବୁଝି ପାରୁନଥିବି କୁଆଡ଼େ ଯାଉଚି, ଆଲୋକକୁ କି ଅନ୍ଧକାରଆଡ଼କୁ, ଶ୍ମଶାନକୁ କି ପାକଶାଳାଆଡ଼କୁ (ଟୁ ବୁରିଏଲ୍ ଅର୍ ଟୁ ଦ’ ବାର ...), ସତ୍ୟ ଅଥବା ମିଥ୍ୟାକୁ, ସମୁଦ୍ରକୁ କି ମରୁଭୂମି ମଧ୍ୟକୁ, ଆଗକୁ ଅବା ପଛକୁ, ତଳକୁ ଅଥବା ଉପରକୁ ... ମାନେ ଶିଖର ଅଥବା ଗହରକୁ ଜୀବନ କିମ୍ବା ମରଣକୁ ...ମୁଁ ଏକଜାକ୍ଟଲି୍ ଏଇପରି ଫିଲ୍ କରିବାକୁ ଚାହେଁ ! ...ବୁଝୁଚ କିଛି ? ଦିସ୍ ଇଜ୍ ହିପ୍ପି ସ୍କୁଲ୍ ଅଫ୍ ଥ’ଟ୍ !!

 

(ଗୁମ୍ ମାରି ରହିଗଲି କିଛିକ୍ଷଣ । ଇଏ ତ ରୀତିମତ ଉପନିଶଦ ! –ମୋର ଚଉଦ ପୁରୁଷ ଏ ହିପ୍ପୀ ଫିଲସଫି ବୁଝିପାରିବନି ବାବା !!)

 

ଭାବିଲି, କୋଉଠି ଯାଇ କି କାଣ୍ଡ ଇଏ କରିବ କେଜାଣି ! କାମଟା ଅନ୍ତତଃ ନୋଟ୍‍ କରି ନେଇଥିବା ଉଚିତ । ସନ୍ତର୍ପଣରେ ପଚାରିଲି ଆଚ୍ଛା ମିସ୍, ତମ ନାମ କ’ଣ ଜାଣିପାରେ କି ? ଗାଡ଼ି ଷ୍ଟାର୍ଟ କରିବା ଆଗରୁ ଏକୁଟିଆ ପାସେଞ୍ଜରଙ୍କ ନାଆଁ ଟିପି ରଖିବାକୁ ହୋଇଥାଏ । ନିୟମ !

 

ଜୁଡ଼ି...ମିସ୍ ଜୁଡ଼ି ଉଇଞ୍ଚେଲ...; କିନ୍ତୁ ବର୍ତ୍ତମାନ ମୁଁ ସନ୍ନ୍ୟାସିନୀ ...ଯୋଗିନୀ ... ! ତେଣୁ “ସନ୍ନ୍ୟାସିନୀ” ବା ଯୋଗିନୀ” ବୋଲି ଯାହାକିଛି ଗୋଟାଏ ନୋଟ୍ କରିଦେଇପାର । ଜୁଡ଼ି ଉଇଞ୍ଚେଲ ନାଆଁ ଟା ବି ଠିକ୍ କି ଭୁଲ ଯଦି ଭେରିଫାୟ କରିବାକୁ ଚାହଁ, ପାସପୋର୍ଟ ଦେଖେଇ ପାରେ; କିନ୍ତୁ ଦେଖ, ଯାହା ନୋଟ୍ କରିପାର ... ମାତ୍ର ତମ ଟ୍ୟାକ୍ସିରେ ବସିଥିବା ଯାଏ ମୋତେ ସନ୍ନ୍ୟାସିନୀ କିମ୍ବା ଯୋଗିନୀ ଛଡ଼ା ଅନ୍ୟକିଛି ବୋଲି ଡାକି ପାରିବିନି !

 

ହଉ ସନ୍ନ୍ୟାସିନୀ ମହାଶୟା, ବର୍ତ୍ତମାନ ତମେ ଠିକ୍ ଏକଜାକ୍ଟଲି ଯୋଉଭଳି ଫି’ଲ କରିବାକୁ ଚାହୁଁଚ ... ସେପରି ଅନୁଭୂତି ଅନୁଭବ କରିବାରେ ନିଜକୁ ସାହାଯ୍ୟ କରିବା ପାଇଁ ...ଟୁ ଏନେବ୍ଲ ଇୟୋର ସେଲଫ୍ ଟୁ ଫିଲ୍ ଲାଇକ୍ ଦ୍ୟାଟ୍...ପ୍ରଥମେ ତମ ମୁଣାରୁ ଏଲ୍. ଏସ. ଡି କ୍ୟାପସୁଲଟାଏ ବାହାର କରି ମୁହଁ ଭିତରେ ପୁରାଇ ଦିଅ-ନିଶା ଛାଡ଼ିବା ପରେ ଦେଖିବ ମୁଁ ତମକୁ କୋଉଠି ନେଇ ଥୋଇଚି; କିନ୍ତୁ ତା’ଆଗରୁ ପ୍ରଥମେ ମୋତେ ଆଗ ଶହେଟା ଟଙ୍କା ବଢ଼େଇ ଦିଅ ତ ପେଟ୍ରୋଲ ପାଇଁ ... ।

 

ନିଜ ପାଟିରେ ଏଲ୍. ଏସ୍. ଡି. ପୁରାଇ ନେଇ ମୋ’ଆଡ଼କୁ ସେ ବଢ଼ାଇ ଦେଲା ଗୋଟାଏ ଶହେ ଟଙ୍କିଆ ନୋଟ୍ ଭିତରେ ମୋଡ଼ି ସେହି ମାଦକ ଟ୍ୟାବଲେଟରୁ ଚାରି ପାଞ୍ଚଟି । ଟଙ୍କା ନେଲି; ଟ୍ୟାବଲେଟତକ ମଧ୍ୟ ରଖିଦେଲି ପକେଟରେ । କହିଲି, ତମରି ପରି ମୋର ଯେତେବେଳେ ଅନ୍ୟ ଜଗତରେ ବିଚରଣ କରିବାର ଇଚ୍ଛା ପ୍ରବଳ ହୋଇଉଠିବ-ସେଇ ମୁହୂର୍ତ୍ତ ପାଇଁ ଏ ଗୁଡ଼ିକ ଷ୍ଟକରେ ରହୁ...

 

ଗୋଟାଏ ଅନ୍ତତଃ ବର୍ତ୍ତମାନ...

 

ଏସବୁ ପାଟିରେ ଦେଇ ଡ୍ରାଇଭିଂ କରିବା ଅଭ୍ୟାସ ଆମମାନଙ୍କର ନାହିଁ ।

 

ସେ ଆଉ ଜୋର କଲାନି ବେଶୀ ।

 

କୁଆଡ଼େ ନେବି ଭାବି ନେଲି ଟିକିଏ । ତା’ପରେ ଷ୍ଟାର୍ଟ ଦେଲି । ଚଳାଇ ନେଲି କୋଣାର୍କ ରାସ୍ତାଆଡ଼କୁ...

 

ସହର ଅତିକ୍ରମ କରିବା ପରେ ମୁଁ ସ୍ପିଡ୍ ବଢ଼ାଇ ଚାଲିଛି । ଲକ୍ଷ୍ୟ କରୁଥାଏ, ଆଖି ଦି'ଟା ତାହାର ଲାଲ ହେଇ ଆସୁଛି ଧୀରେ ଧୀରେ । ରହସ୍ୟମୟ ଚାହାଣିରେ ମୋ ମୁହଁକୁ ସେ ଚାହୁଁଥିଲା ବାରମ୍ବାର ... ଓଠରେ ଫୁଟି ଉଠିଛି ଅଳ୍ପ ଟିକିଏ ହସ !

 

ସ୍ପିଡ ବଢ଼ାଇ ଦେଲି ଆହୁରି ।

 

କହିଲା, ଆସ୍ତେ ଚଲାଅ ନା !

 

ଭାବିଥିଲି ତମେ ...ମାନେ ଆମେରିକାନ୍ ମାନେ ...ସ୍ପିଡ୍ ପସନ୍ଦ କର !

 

ମୁଁ ଆମେରିକାନ୍ ନୁହେଁ କି ଅନ୍ୟକୌଣସି-କିଛି ନୁହେଁ,–ମୁଁ କେବଳ ହିପ୍ପି । ନାଁ ନାଁ, ଏଇ ମୁହୂର୍ତ୍ତରେ କେବଳ ଜଣେ ପ୍ରାଚ୍ୟ ସନ୍ନ୍ୟାସିନୀ ମାତ୍ର !

 

କିନ୍ତୁ ସେ ଦେଶରେ ତମେମାନେ ତ ଦୂରନ୍ତ ଗତି-ବେଗରେ ଅଭ୍ୟସ୍ତ...

 

କହୁ କହୁ ଗାଡ଼ି ସ୍ଲୋ କରି ଆଣିଲି ।

 

ପାସେଞ୍ଜରକୁ ସନ୍ତୁଷ୍ଟ କରିବା ମୋର କର୍ତ୍ତବ୍ୟ । ତା’ର ଯେଭଳି ଇଚ୍ଛା...

 

ଜୁଡ଼ି ତନ୍ଦ୍ରାଛନ୍ନ ପରି କହିବାକୁ ଲାଗିଲା ପାଶ୍ଚାତ୍ୟର ଦୂରନ୍ତ ଗତିବେଗକୁ ଭୟ କରି ଧାଇଁ ଆସିଛି ଏଠି ଶରଣ ନେବା ପାଇଁ । ଆସିଛି, ଏଇ ଆଶାରେ ଯେ ଏଠି ଧ୍ୟାନସ୍ଥ ହେବା ପରି ନିବିର୍ଘ୍ନରେ ଶୋଇ ରହିପାରିବ । ଜୀବନ ଏଠି ମନ୍ଥର–ମନ ଏଠି ସ୍ଥିତପ୍ରଜ୍ଞ । ମୁଁ ଏଠାକୁ କାହିଁକି ଆସିଛି ଜାଣ କିଲର, ସ୍ଥିତିପ୍ରଜ୍ଞ ହେବା ପାଇଁ ।

 

କିନ୍ତୁ ତମେ ମୋତେ ‘କିଲର’ କାହିଁକି କହୁଛ ?

 

ୟୁ ଆର୍ ରିଏଲି ଏ କିଲର୍ । ତରୁଣୀ ମାତ୍ରେଇ ତମକୁ ଦେଖି ମୁଗ୍ଧ ହେବେ-ତରୁଣୀ ମାତ୍ରେଇ ଆମଦ୍ଵାରା କିଲଡ୍ ହେବାକୁ ଚାହିଁବେ ଅବଶ୍ୟ ଆମ ଆମେରିକା ହେଇଥିଲେ ତମେ ନିଜେଇ କିଲଡ୍ ହେଇସାରି ଥାଆନ୍ତ ସେମାନଙ୍କଦ୍ଵାରା ।

 

ତା’ମାନେ, ଉପହାସ କରୁଚ ମୋତେ ? ମୁଁ ଅସୁନ୍ଦର; ସେଇଥି ପାଇଁ ନାଁ ?

 

ତମେ କ’ଣ ବାହାର ଜଗତର ଖବର କିଛି ରଖନା କିଲର୍ ? ଜାଣ ନାହିଁ ଦ୍ଵିତୀୟ ମହାଯୁଦ୍ଧ ପରେ ପରେ ଇଉରୋପ, ଆମେରିକା...ମାନେ ପୃଥିବୀର ଅଧିକାଂଶ ଭୂଭାଗରେ ରୁଚି ଆଉ ମୂଲ୍ୟବୋଧ ପରିବର୍ତ୍ତିତ ହୋଇ ଗଲାଣି !! ଆଜିକାର ନାରୀ, ଯୁବକ ଅପେକ୍ଷା ବାଳକକୁ ପ୍ରେମିକ ବା ସ୍ଵାମୀ ଭାବରେ ପସନ୍ଦ କରୁଚି ବେଶୀ-ଶାୟୀତା ହେବା ଅପେକ୍ଷା ଧର୍ଷିତା ହେବାରେ ସେ ପାଉଛି ଅଧିକ ଆନନ୍ଦ-ଟିକିଏ ବନ୍ଧୁତା ହେଇଗଲେ ସେସବୁ ଦେଶରେ ଜଣେ ଝିଅ ଆଉ ଜଣେ ଝିଅକୁ ଆଗେ ପଚାରୁ ଥିଲା “ତୁ ପ୍ରେମ କଲୁଣୀ ?” ଆଜି ପଚରା ହେଉଛି “ତୋତେ କେହି ଧର୍ଷଣ କରିଚନ୍ତି ?” ହବ ୟୁ ବିନ୍ ରେପଟ୍ ! ନାଟକୀୟଭାବେ ବଦଳି ଯାଇଚି ମୂଲ୍ୟବୋଧ । ଛାଡ଼ପତ୍ର ଦେଇଥିବା ନାରୀ ବି ବିଧବା ମହିଳାକୁ ବିବାହ କରିବା ପାଇଁ ତରୁଣ ଆଜି ସେଠାରେ ‘କ୍ରେଜି’, ଗୌରବର୍ଣ୍ଣଠାରୁ ବାଦାମି ବା କୃଷ୍ଣବର୍ଣ୍ଣ ଅଧିକ କାମୋଦ୍ଧୀପକ ବିବେଚିତ ହେଉଛି ଆଜି ସେଠାରେ, ସୁନ୍ଦର ଅପେକ୍ଷା ଅସୁନ୍ଦର-ରୁକ୍ଷ-କର୍କଶ ‘ରଫ୍’ ଚେହେରାରେ ଅଧିକ ପୁରୁଷକାର...ଅଧିକତର ମ୍ୟାନିଲିନେସ୍ ଅଛି ବୋଲି ଆବିଷ୍କାର ଆଉ ଅନୁଭବ କରୁଚନ୍ତି ଝିଅମାନେ । ଜାଣ, ସୁନ୍ଦର ପୁରୁଷମାନଙ୍କୁ ‘ଫିମେଲିସ୍’ କହି ସେମାନେ ରିଜେକ୍ଟ୍ କରି ଦେଉଚନ୍ତି ଆଜିକାଲି !!! ଅତଏବ...ଟିକିଏ ରହି ଜୁଡ଼ି କହିଲା...ତମେ କିଲର !!

 

ହସି ଉଠି ସିଗାରେଟ୍‍ ଧରିଲି । ତାକୁ ଯାଚିବାରୁ ସେ ନେଇ ନେଲା ଗୋଟିଏ ଆଉ ଫୋପାଡ଼ି ଦେଲା ବାହାରକୁ । ବୁଝିପାରିଲି, ସେ ସ୍ଵାଭାବିକ ଅବସ୍ଥାରେ ନାହିଁ । (କିମ୍ବା ହେଇପାରେ, ଏଇଟାଇ ବର୍ତ୍ତମାନ ତା’ର ସ୍ଵାଭାବିକ ଅବସ୍ଥା !) ଏଲ. ଏସ. ଡି.ର ନିଶାଟା ଆସ୍ତେ ଆସ୍ତେ ବଢ଼ି ଶେଷରେ ଚରମରେ ପହଞ୍ଚେ । ଶୁଣିପାରିଲି, ସେ ମନକୁ ମନ କହୁଚି ଏଲ. ଏସ. ଡି. ଖାଇ ସାରିବା ପରେ ପୁଣି ଟୋବାକୋ କୌଣସି ବ୍ଲଡି ଫୁଲ ଖାଏ ?

 

ରାସ୍ତାର ଦି’ ପାଖରେ ନଡ଼ିଆ-ବଣ...ବିଲ ମଝିରେ ବିକ୍ଷିପ୍ତ ଜନପଦ... ଦୂର ଚକ୍ରବାଳର ସୀମା ଉପରେ ନୈବେଦ୍ୟ ପରି ପାହାଡ଼ଟିଏ ଯାହାର ଆର ପାଖରେ ସୂର୍ଯ୍ୟ ଅସ୍ତ ହୋଇଯାଉଛି ଧୀରେ ଧୀରେ ଗୋଧୂଳିର ଶେଷ କିରଣ ବିଞ୍ଚି ଦେଇ ।

 

ମୋର ପ୍ରାକୃତିକ ଦୃଶ୍ୟ ଉପଭୋଗ ବାଧା ଦେଇ ଜୁଡ଼ି କହିଲା ଗାଡ଼ି ରଖ ।

 

ରାସ୍ତାକଡ଼କୁ ଆଣି ରଖି ଦେଲି ଗୋଟିଏ ଛୋଟ ପୋଲ ପାଖରେ । ହାତ ବଢ଼ାଇ ପଛ ସିଟରୁ ସେ ତା’ବ୍ୟାଗ୍ ନେଇ ଆସିଲା ବାହାର କଲା ବୋତଲ ।

 

କୌଣସି ସ୍ଵାଭାବିକ ଅବସ୍ଥାରେ ଥିବା ମଣିଷର ସାନ୍ନିଧ୍ୟ ମୁଁ ବେଶୀ କ୍ଷଣ ସହ୍ୟ କରିପାରେନା, ଜାଣ !

 

ସେ ମୋତେ ଅସ୍ଵାଭାବିକ ମଣିଷରେ ପରିଣତ କରିବାକୁ ଚାହିଁଥିଲା ।

 

ଏକ ରକମର ଜୋର କରି ପିଆଇ ଦେଇଥିଲା ଆକଣ୍ଠ ହ୍ୱାଇର୍ଟ୍ ହର୍ସ୍ ।

 

ଧୀରେ ଧୀରେ ଗାଡ଼ି ଚଳାଇ ଯେତେବେଳେ ଆମେ ପହଞ୍ଚିଲୁ କୋଣାର୍କର ପାଦ ଦେଶରେ...ଚାରିଆଡ଼ ସେତେବେଳେ ନିର୍ଜନ ଆଉ ନିସ୍ତବ୍ଧ । ପବନର ସାଇଁ ସାଇଁ ବି ଶୁଭୁନି; ହଲୁ ନାହିଁ ଝାଉଁ ବଣର ପତ୍ରଟିଏ ମଧ୍ୟ ।

 

ପୂର୍ଣ୍ଣଚନ୍ଦ୍ରର ଉଜ୍ଜ୍ଵଳ କିରଣରେ କୌମୁଦୀ-ସ୍ନାତ କୋଣାର୍କ ଦିଶୁଥିଲା ମାୟାମୟ । ଦୁହେଁ ହାତ ଧରାଧରି ହୋଇ ଯାଇ ଠିଆ ହୋଇ ରହିଥିଲୁ ମୁଖଶାଳା ପାଖରେ ।

 

ଗାଇଡ୍ ପରି ତାକୁ ବୁଝାଇବାକୁ ଆରମ୍ଭ କରି ଦେଲି-କେବେ କାହାଦ୍ଵାରା ନିର୍ମିତ ହୋଇଥିଲା ଏହି ମନ୍ଦିର ।

 

କିନ୍ତୁ ଜୁଡ଼ି କହିଲା, ଆଗ୍ରହ ନାହିଁ ତା’ର ସେ ସବୁରେ ।

 

ସୋପାନ ଶ୍ରେଣୀ ଅତିକ୍ରମ କରି ଆମେ ଉପରକୁ ଉଠିଲୁ ପହଞ୍ଚିଲୁ ବିଶାଳ କାୟ ମୈଥୁନ ମୂର୍ତ୍ତିର ମୁହାଁମୁହିଁ ।

 

ସେ ପଚାରିଲା, କହିପାରିବ ଏ ସବୁର ଅର୍ଥ କ’ଣ ? ଭାରତରେ ଆସି ଦେଖୁଚି-ସେକ୍ସ ସମ୍ବନ୍ଧରେ ସମସ୍ତେ ପ୍ରାୟ ନୀରବ । ଅଥଚ ସୁଇଡେନ୍ ଭଳି ଫ୍ରିପର୍ଣ୍ଣୋଗ୍ରାଫି ପ୍ରଦର୍ଶନୀ ଏକ କୋଣାର୍କର ଗାତ୍ରରେ ! ତା’ ହେଲେ କ’ଣ ଆଜିର ସୁଇଡେନ୍ ଭଳି ପ୍ରୋଗ୍ରେସିଭ୍ ଥିଲା ଶତ ଶତ ବର୍ଷ ତଳର ଭାରତବର୍ଷ ?

 

ହସିଦେଇ କହିଲି, ଇଣ୍ଡିଆନ୍ ପିପୁଲ୍ ଆର ସିକିଙ୍ଗ୍ ଇନ୍ ସେକ୍ସ; ବଟ୍ ଦେ ନଟ୍ ଓପନ୍ ଦେଆର୍ ମାଉଥ୍ । ଭାରତୀୟମାନେ ସେକ୍ସରେ ଆକଣ୍ଠ ନିର୍ମଜ୍ଜିତ–କିନ୍ତୁ ମୁହଁ ଖୋଲିବାକୁ ନାରାଜ୍ ।

 

ସେ ବି ହସି ପକାଇଲା ।

 

ସେକ୍ସ ଚରମରେ ପହଞ୍ଚିଲେ ହୁଏ ଜାତିର ପତନ !–ଜୁଡ଼ି କହିଲା–ମୁଁ ଜାଣେ ତମ ଦେଶର ଇତିହାସ । କୋଣାର୍କ ପରେ ତମମାନଙ୍କର ଡିଜେଷ୍ଟର ହେଇଚି, ବିପର୍ଯ୍ୟୟ ହେଇଚି । ଥ’ଟ୍ ଲିଡ୍ ସ୍ ଟୁ ଆକ୍ସନ୍–କର୍ମ ଚିନ୍ତାକୁ ଅନୁସରଣ କରେ । କୋଣାର୍କର ଗାତ୍ରରେ ଯୋଉମାନଙ୍କ peculiar thoughts ପ୍ରତିଫଳିତ ହୋଇଥିଲା-ସେମାନଙ୍କର ଅନୁଶ୍ରୁତ କର୍ମ ମଧ୍ୟ ସେହିପରିଭାବେ ପ୍ରଭାବିତ କରିଥିବ ସମାଜକୁ-ସେଇଥିପାଇଁ ବୋଧହୁଏ ତମ ଜାତିର ହଠାତ୍ ଅଧିପତନ ପରି କୋଣାର୍କର ବି ହେଲା ଫ୍ୟାଟାଲ୍ ଡାଉନ୍ ଫ’ଲ ! ନଚେତ, ଓଡ଼ିଶାର ଏତେ ଏତେ ମନ୍ଦିର ମଥାଟେକି ରହିଥିଲେ ମଧ୍ୟ ଖାଲି କୋଣାର୍କ କାହିଁକି ଭୁଶୁଡ଼ି ପଡ଼ି ଥାଆନ୍ତା ?

 

ତା’ ମୁହଁକୁ ଚାହିଁ ପଚାରିଲି, ତମେ କ’ଣ ଇତିହାସ ଛାତ୍ରୀ ?

 

ଖାଲି ଛାତ୍ରୀ ନୁହେଁ, ଡକ୍ଟରେଟ୍ ! ହସି ଉଠିଲା ଜୁଡ଼ି... !! –କିନ୍ତୁ ସେଇ ସାର୍ଟିଫିକେଟ ମୁଁ ଚିରି ପକେଇଛି । (ଟିକିଏ ରହି...) ମାନବ ଜାତିର ଆଦୌ କୌଣସି ଇତିହାସ ନ ଥିଲେ କ’ଣ ଭଲ ହେଇନଥାନ୍ତା ? ଇତିହାସକୁ ମୁଁ ଅସ୍ଵୀକାର କରିବାକୁ ଚାହେଁ ।

 

କାହିଁକି ?

 

ପ୍ରାଗୈତିହାସିକ ପୃଥିବୀ, ଐତିହାସିକ ପୃଥିବୀଠାରୁ ଆହୁରି ଅଧିକ ସୁନ୍ଦର ! କଳ୍ପନା କର-ଚାରିଆଡ଼େ ବୃହ୍‍ଦାକାର କୀଟ, ପତଙ୍ଗ, ମାମଥ୍, ଡାଇନୋସିରସ୍ ! ଅରଣ୍ୟବାସୀ, ଗୃହାନିବାସୀ ମଣିଷ; ଫଳର ଆହରଣ ଆଉ ଶିକାରର ସନ୍ଧାନ ତାହାର ଏକମାତ୍ର ଜୀବିକା–ମଦ୍ୟପାନ ତା’ର ଏକମାତ୍ର ଆନନ୍ଦ-ମୈଥୁନ ତା’ର ଏକମାତ୍ର କ୍ରୀଡ଼ା;-ଜନ୍ମରେ ଜୀବନର ଆରମ୍ଭ-ମୃତ୍ୟରେ ସବୁକିଛିର ଶେଷ । ତା’ର ପାପ ନାହିଁ... ପୂଣ୍ୟ ନାହିଁ, ପୂର୍ବଜନ୍ମ ନାହିଁ... ପୁର୍ନଃଜନ୍ମ ନାହିଁ, ରାଷ୍ଟ୍ର ନାହିଁ...ଆଇନ୍ ନାହିଁ, ଆଶା ନାହିଁ... ନୈରାଶ୍ୟ ନାହିଁ, ଦୁଃଖ ନାହିଁ... .ଶୋକ ନାହିଁ, ମୁକ୍ତି ନାହିଁ... ବନ୍ଧନ ନାହିଁ, ସ୍ଵର୍ଗ ନାହିଁ... ନର୍କ ନାହିଁ, ତା’ର ଭଗବାନ ନାହିଁ କି ଅବତାର ନହିଁ, ତା’ର ଗୀତା ନାହିଁ କି ବାଇବେଲ୍ ନାହିଁ, ଏପରିକି ନାହିଁ ତା’ର ମାତା...ପିତା...ଭ୍ରାତା... ଭଗିନୀ...ପୁତ୍ର...କନ୍ୟା...ମଧ୍ୟରେ ତଥାକଥିତ ପାରସ୍ପରିକ ସମ୍ପର୍କର ଅବାଞ୍ଛିତ ସଂସ୍କାର ବି !!!

 

ଆମେ ସେତେବେଳକୁ ସେହି ଚତ୍ଵରରେ ବସି ପଡ଼ିଛୁ । ପାବଚ୍ଛ ଉପରେ ଭାର ଦେଇ ମୁଁ, ଆଉ ନଟୀମୂର୍ତ୍ତିର ଜାନୁ ଉପରେ ଅର୍ଦ୍ଧଶାୟିତା ହୋଇ ସେ ।

 

କହିଲି, ତମେ ହୁଏତ ଦାୟିତ୍ଵ-ବିହୀନ ଜୀବନର ଆନନ୍ଦ କଥା କିନ୍ତୁ ପରିବାର ଭିତରେ ପାରସ୍ପରିକ ସମ୍ପର୍କର ପରମ୍ପରା କିପରି ଅବାଞ୍ଛିତ ସଂସ୍କାର ହୋଇପାରେ, ଦୁଃଖର କାରଣ ହୋଇପାରେ ?

 

ନିଶାଟା ମୋର କମି ଆସୁଛି । ଆଉ ଗୋଟିଏ ବୋତଲ...

 

ଗୋଟିଏ ସରି ସାରିଥିଲା ସେତେବେଳକୁ । କର୍କ ଫିଟିଲା ଆଉ ଗୋଟିକର । ଢଳା ହେଲା ଗ୍ଲାସରେ । ଧୀରେ ଧୀରେ ‘ସିପ୍’ କଲୁ ଉଭୟ । ମୁହଁରେ ଏକାଥରେ ଦୁଇଟି ସିଗାରେଟ୍ ପୁରାଇ ସେ ଟାଣିବାକୁ ଲାଗିଲା, ଆଉ ମୋ’ଆଡ଼କୁ ବଢ଼ାଇ ଦେଲା ଗୋଟିଏ । ଲାଇଟରେ ଧରାଇ ନେଇ ତା’ଆଡ଼କୁ ଚାହିଁଲି । ଝାଉଁ ବଣ ଉପରେ ଉଠିଥିବା ପୂର୍ଣ୍ଣଚନ୍ଦ୍ର ପ୍ରତି ଦୃଷ୍ଟି ତା’ର ନିବଦ୍ଧ । ଅଦ୍ଭୂତ... ଉଦାସୀନ...ଆଉ ରହସ୍ୟମୟ ତା’ଆଖି ।

 

ରାତି ସେତେବେଳେ ନିସ୍ତବ୍ଧତର ହେଇଥିଲା । ମୃଦ ମୃଦ ଶୁଭୁଥିଲା ସମୁଦ୍ରର ଧ୍ୱନି । ସେ ତା’ର ଲମ୍ବା ନାକ ମୋ’ଆଡ଼କୁ ଫେରାଇ ପଚାରିଲା; ସମୁଦ୍ର ଏଠୁ କେତେଦୂର ହେବ ?

 

ଅଳ୍ପ ।

 

ତେବେ ?

 

ଏଇ...ଦୁଇ ମାଇଲ୍ ।

 

ପ୍ରାଗୈତହାସିକ ମନ ମୋର ଚାହୁଁନି ଆଉ ବେଶୀ ସମୟ ଏଇ ଇତିହାସର ଅଭିଜ୍ଞାନ ଭିତରେ ବସି ରହିବା ପାଇଁ । ଚାଲି ଯିବା ବେଳାକୁ । ସମୁଦ୍ର ଚିରଦିନ ପ୍ରାଗୈତିହାସିକ ! ଇତିହାସ ତାକୁ ପରିବର୍ତ୍ତିତ କରିନି, ଇତିହାସ ତା’ର ରୂପ ବଦଳାଇ ପାରିନି ।

 

ସାଗର ତଟରେ ନବ-ନିର୍ମିତ ବିରାଟ ଲାଇଟ ହାଉସ୍ ଠିଆ ହୋଇଚି ଅଭ୍ରଂକଷ ମଥା ତୋଳି । ନିର୍ମାଣ ଶେଷ ହେଲାଣି; କିନ୍ତୁ ଆଲୋକ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇନଥିବାରୁ ଡେରି ଅଛି କାର୍ଯ୍ୟକାରୀ ହେବାକୁ ।

 

କାର୍ ରଖି ଆମେ ସେଇ ଲାଇଟ୍ ହାଉସ ତଳ ବାଲି ଉପରେ ବସିଲୁ । ପାଦ ପାଖରେ ଆମର ପ୍ରସ୍ତାବିତ-ମେରାଇନ୍-ଡ୍ରାଇଭ୍ ପାଇଁ ନ୍ୟସ୍ତ ହୋଇଥିବା ପ୍ରଥମ ଶିଳା-ସ୍ତମ୍ଭ ଉପରେ ଖୋଦିତ ପୂର୍ବତନ ପର୍ଯ୍ୟଟନ ବିଭାଗ ମନ୍ତ୍ରୀଙ୍କ ନାମ କଳା କଳା ଅକ୍ଷରରେ ଫୁଟି ଦିଶୁଚି । (ମେରାଇନ୍-ଡ୍ରାଇଭ୍ କେବେ ହେବ ଜଣାନାହିଁ–କିନ୍ତୁ ଶିଳାନ୍ୟସ୍ତ କରିଥିବା ଭଦ୍ରଲୋକଙ୍କୁ ଛିଣ୍ଡା ଚଟି ପାଦରେ ଚାଲି ଚାଲି ଭୁବନେଶ୍ଵର ରାସ୍ତାରେ ପ୍ରାୟ ବୁଲିବାର ଦେଖାଯାଏ ନିର୍ବାଚନରେ ପରାସ୍ତ ହେବାପରଠାରୁ !)

 

ସମୁଦ୍ର ଦିଶୁଥିଲା ତରଳ ଅଭ୍ରର ଆଧାରପରି । ପୂର୍ଣ୍ଣିମା ରାତିରେ ଏଇ ପ୍ରକାର ସୌନ୍ଦର୍ଯ୍ୟରେ ବିହ୍ୱଳ ହୋଇ, କଥିତ ଅଛି, ଢେଉ ଭିତରକୁ ଲମ୍ଫ ଦେଇଥିଲେ ଶ୍ରୀଚୈତନ୍ୟ ଦେବ ! ଜୁଡ଼ିକୁ ସେ-ବିଷୟ କହିବାରୁ ସେ କହିଲା, ପ୍ରକୃତି ସହିତ ଏକାତ୍ମ ହେଇଯିବାର ଇଚ୍ଛା ପ୍ରାଗୈତିହାସିକ ଦର୍ଶନ... ଏ ଟିପିକାଲ୍ ହିପ୍ପି ସ୍କୁଲ୍ ଅଫ୍‍ ଥ’ଟ୍ ।

 

ନିର୍ନିମେଷ ଆଖିରେ ଚାହିଁ ରହିଥିଲି ତା’ର ଜ୍ୟୋତ୍ସ୍ନାପ୍ଲୁତ ମୁହଁକୁ ।

 

ମୋ ସମ୍ବନ୍ଧରେ ତମେ କ’ଣ ଭାବୁଚ, ୟୁ ଇଣ୍ଡିଆନ୍ ?

 

ଭାବୁଚି, ସୁଖର ସନ୍ଧାନରେ ତମେ ସ୍କାର୍ଟ୍ ଗାଉନ୍ ଛାଡ଼ି ଗୈରିକ ବକ୍କଳ ପିନ୍ଧିଲେ ବି...ସ୍କାୟ ସ୍କ୍ରେପରରୁ ଓହ୍ଳାଇ ଆସି ଗୁହା ଭିତରେ ଲୁଚିଲେ ବି...କୋକେନ୍ ବଦଳରେ ଗଞ୍ଜା ଖାଇବା ପାଇଁ ଆମେରିକା ଛାଡ଼ି ଭାରତକୁ ପଳାଇ ଆସିଲେ ବି, ଇତିହାସକୁ ଭୁଲି ପ୍ରାଗୈତିହାସିକ ହେବାକୁ ଆପଣ ଚେଷ୍ଟାକଲେ ବି...ସୁଖର ସନ୍ଧାନ ପାଉନାହିଁ ଦୁଃଖଇ ବରଂ ଧାଇଁଚି ତମ ପଛେ ପଛେ । ସେ ଶ୍ଵାପଦ ପରି ଗୋଡ଼ାଉଛି ତମକୁ–କାରଣ ତମରିଠାରେ ସେ ବାରିପାରିଚି ଗଳିତ ମାଂସର ଦୁର୍ଗନ୍ଧ ! ଅନେକ ଜ୍ଵାଳା ତମର...; ତମର ଅନେକ କିଛି କହିବାକୁ ଅଛି । ଲେଖକ ହେଇଥିଲେ ଲେଖି ପକାଇ ଶାନ୍ତି ପାଇ ପାରନ୍ତ-ଶୁଣାଇବାର ସୁଯୋଗ ଥିଲେ ହଜାର ହଜାର ଲୋକଙ୍କୁ ଶୁଣାଇ ବୋଝ ହାଲୁକା କରିପାରନ୍ତ–କିନ୍ତୁ କୌଣସିଟା ସମ୍ଭବ ହୋଇପାରିନି !!!

 

ତମର ଅବୁମାନେ ଠିକ୍ । ଚାହଁ ତମେ ମୋର ସେଇ ନିଷିଦ୍ଧ–ଅତୀତର ଇତିହାସକୁ ଶୁଣିବାକୁ ?

 

ଶୁଣିବି ।

 

କିନ୍ତୁ ବିଶ୍ଵାସ କରିବନ ହୁଏତ ।

 

ମଣିଷ ଜୀବନରେ ଏପରି ଅନେକ ଘଟଣା ଘଟେ ଯାହା ଫେଣ୍ଟାଷ୍ଟିକ୍ ଷ୍ଟୋରିଠାରୁ ମଧ୍ୟ ଅଧିକ ଅବିଶ୍ଵାସ୍ୟ ! ତମେ କୁହ ।

 

ହୃଦୟର ଭାର ଲାଘବ କରିବା ପାଇଁ ଅନ୍ତତଃ ମୁଁ କହିବି...ବିଭତ୍ସ ସେଇ କାହାଣୀ...ଯାହା ଶୁଣି ଘୃଣାରେ ତମେ ହୁଏତ ନୁହଁ ଫେରାଇ ନେଇପାର...ଅବଶ୍ୟ ସେଥିରେ କିଛି କ୍ଷତି ନାହିଁ ମୋର...କାରଣ ଆଉ ଅଳ୍ପ କେତେଘଣ୍ଟା ପରେ ଭୁବନେଶ୍ଵର ଫେରି ଟ୍ୟାକ୍ସିର ବିଲ୍ ମେଣ୍ଟେଇ ସାରିଲେ ଆଉ ତ ତମ ସାଙ୍ଗରେ ମୋର ଦେଖାଇ କେବେ ହେବନାହିଁ ।

 

ଜୀବନରେ କାହାରିକି ମୁଁ ଘୃଣାକରି ନାହିଁ ଜୁଡ଼ି ! ତମେ ଜାଣନାହିଁ ମୋ ବ୍ୟକ୍ତିଗତ-ଜୀବନ ସମ୍ବନ୍ଧରେ; ତେଣୁ ଏପରି କହୁଚ । ଏତିକି ଖାଲି ଜାଣି ରଖ, ପୃଥିବୀରେ ସବୁଠାରୁ ଘୃଣ୍ୟତମ ଜୀବ ବୋଧହୁଏ ମୁଁ, ମାନେ ଏଇ ସୁମନ୍ତ ମହାପାତ୍ର । ଆଶାକରେ, ଏହାପରେ ଆଉ ତମେ ଦ୍ଵିଧା ଅନୁଭବ କରିବିନି ସେଇ କାହାଣୀ ଶୁଣାଇବା ପାଇଁ ।

 

ଅଳ୍ପ କେତେଘଣ୍ଟାର ପରିଚୟ । ତଥାପି କାହିଁକି ତା’ର ମୋତେ ଭଲ ଲାଗିଥିଲା ଜାଣେନା । କାହିଁକି ତା’ର ଇଚ୍ଛା ହେଇଥିଲା ତା’ ନିଷିଦ୍ଧ ଅତୀତର ଇତିହାସର ପରଦା ମୋ’ର ଆଗରେ ଉନ୍ମୋଚନ କରିବାପାଇଁ ତା’ ମଧ୍ୟ ଜାଣେନା । ତେବେ ସେ ସେଇଆ କହିଥିଲା ମୋତେ । କହିଥିଲା ମୋତେ ଭଲ ଲାଗିଛି ତା’ର । କହିଥିଲା, ମୁଁ କୁଆଡ଼େ ତାକୁ ହିପ୍ନୋଟାଇଜ୍ କରିଚି । ଆଉ ମୋତେ ତା’ର ଭଲ ଲାଗିଛି ବୋଲି, ମୋ ଭିତରେ ଗୋଟିଏ ସମ୍ବେଦନଶୀଳ ହୃଦୟକୁ ଆବିଷ୍କାର କରିଚି ବୋଲି ସେସବୁ କହିବାକୁ ଇଚ୍ଛା ହେଇଚି ତା’ର । ପାଶ୍ଚାତ୍ୟ ଭୂଖଣ୍ଡରେ କୁଆଡ଼େ କେହି କାହା ବ୍ୟକ୍ତିଗତ ଦୁଃଖର କାହାଣୀ ଜଣାଇବାକୁ ଚାହିଁବା ବା ଶୁଣିବାକୁ ଚାହିଁବାଟା ଶାଳୀନତାର ବ୍ୟତିକ୍ରମ ବୋଲି ମନେକରାହୁଏ !!!

 

ଜୁଡ଼ି ! ହିପ୍ପି ବାଳିକା ଜୁଡ଼ି !! ସୁଖୀ ହେବା ପାଇଁ ଯେ ହିପ୍ପି ହେଇଚି, ତା’ର ପୁଣି ଦୁଃଖ-!! ତା’ମନ ଭିତରେ ପୁଣି ଏତେ ଗ୍ଳାନି । ନିର୍ବିକାର ହେବା ପାଇଁ ଯିଏ ହିପ୍ପି ସାଜିଚି ... ତା’ ଭିତରେ ପୁଣି ଏତେ ଦୁନିର୍ବାର ବିକାର !!! ଏତେ ପୁଣି ଅନୁଶୋଚନା ତା’ର ସଂସ୍କାରକୁ ଭାଙ୍ଗି ଦେଇଥିବାରୁ-। ଯୋଉ ଦୁର୍ଘଟଣା ପାଇଁ ସେ ଦାୟୀ ନୁହେଁ, ସେଥିପାଇଁ ଯଦି ମନେ ମନେ ଏଇପରି ତାକୁ ଜଳିପୋଡ଼ି ମରିବାକୁ ହେବ, ତେବେ ମୁଁ ବି କହୁଚି, ଏଇ ବୈଜ୍ଞାନିକ ପ୍ରଗତିର ଯୁଗରୁ ବରଂ ସେଇ ପ୍ରାଗୈତିହାସିକ ଯୁଗକୁ ଫେରି ଯିବାଇ ଭଲ । (“ଫେରିଯିବା” ନ କହି “ଆଗେଇ ଯିବା” କହିଲେ ବି ଭୁଲ୍ ନାହିଁ-ଯେହେତୁ ପୃଥିବୀଟା ଗୋଲ-ଯୋଉଆଡ଼େ ଚାଲିଲେ ବି ଘୂରି ଘୂରି ସେଇଠି ଆସି ପହଞ୍ଚିବା କଥା !)

 

ଜୁଡ଼ିର ଜନ୍ମ ନିଉୟର୍କ ସହରର ଅନ୍ୟତମ ଧନବନ୍ତ ପରିବାରରେ । ଡାଡି ହେନରୀ ଉଇନ୍ଚେଲ୍ ଆମେରିକାର ଅଏଲ୍ କିଂ । ତାଙ୍କ ତୈଳ ବ୍ୟବସାୟର ଜାଲ ପୃଥିବୀବ୍ୟାପୀ ବିସ୍ତୃତ । ଦକ୍ଷିଣରେ ଅବସ୍ଥିତ ବୃହତ୍ତମ ଅଏଲ୍ ଫିଲ୍ଡର ସେ ମାଲିକ । ଅବଶ୍ୟ ମୁହଁରେ ରୂପାର ଚାମଚ ନେଇ ସେ ଜନ୍ମ ହେଇନଥିଲେ । ଅତି ଦରିଦ୍ର, ଅବସ୍ଥାରୁ ତାଙ୍କୁ ଷ୍ଟ୍ରଗଲ କରି ଉଠିବାକୁ ହେଇଥିଲା ।

 

ଐଶ୍ଵର୍ଯ୍ୟ ଭିତରେ ପାଳିତା ଜୁଡ଼ିର ଜୀବନ । କିନ୍ତୁ ହଠାତ୍ ଦିନେ ଆସିଲା ବିପର୍ଯ୍ୟୟ !!

 

ମମିର ମୃତ୍ୟୁ ହେଇଗଲା ବିମାନ ଦୁର୍ଘଟଣାରେ...ବୟସ ଯେତେବେଳେ ମାତ୍ର ଦଶବର୍ଷ ତା’ର ।

 

ନୂଆ ‘ମମି’ ଆସିଲେ ଠିକ୍ ଛଅ ମାସ ପରେ ।

 

ଜୁଡ଼ିକୁ ତା’ପରେ ପଠାଇ ଦିଆଗଲା ରେସିଡେନ୍ସିଆଲ୍ ସ୍କୁଲ୍ । କାରଣ ନୂଆ ‘ମମି’ କହିଲେ, ସେଇଠି ରହିଲେଇ ସେ ଭଲଭାବେ ପଢ଼ାଶୁଣା କରିପାରିବ । (ଯଦିଓ ଘରେ ରହିଥିବାରୁ ତା’ର ପଢ଼ାପଢ଼ି ଖରାପ ହେଉଚି ବୋଲି ସ୍କୁଲରୁ କେବେ ରିପୋର୍ଟ ଆସିନଥିଲା ।)

 

ଜୁଡ଼ି ଗଲା ରେସିଡେନ୍ସିଆଲ୍ ସ୍କୁଲକୁ ।

 

ଆବାସିକ ବିଦ୍ୟାଳୟର ଅର୍ଥ ସମସ୍ତେ ବାଧ୍ୟ ହଷ୍ଟେଲରେ ରହିବା ପାଇଁ !

 

ଅବଶ୍ୟ କେବଳ ମହିଳାମାନଙ୍କ ପାଇଁ ଉଦ୍ଧିଷ୍ଟ ଥିଲା ସେଇ ସ୍କୁଲ୍‍ଟି ।

 

ହଷ୍ଟେଲ ।

 

ସେ ଆଉ ଏକ ପୃଥିବୀ ।

 

ତା’ରି ଭିତରେ ତାକୁ କଟାଇବାକୁ ହେବ ଛଅ ବର୍ଷ ।

 

ଜୁଡ଼ି ମୋତେ କହିଥିଲା, ଫେମିନାଇଜ୍ ଏକସେଣ୍ଟ୍ରିସିଟି ସହିତ ସେଇଠି ତା’ର ପ୍ରଥମ ପରିଚୟର କାହାଣୀ ।

 

ସେ ଆବିଷ୍କାର କରିବାକୁ ଲାଗିଲା ଲିଡ଼ା ଆଉ ଜୋଆନ୍ ପରସ୍ପର ବାନ୍ଧବୀ ନୁହନ୍ତି । ସେମାନଙ୍କ ମଧ୍ୟରେ ପ୍ରେମିକ-ପ୍ରେମିକାର ସମ୍ପର୍କ !

 

ଲୋରାର ରୁମ୍ ଭିତରକୁ ଭିଜିଟିଂ ଆୱାରସରେ ସେ ଦିନେ ହଠାତ୍ ପଶି ଯାଇ କାର୍ଲ ବୋଲି ଯୋଉ ପିଲାଟି ସହିତ ତାକୁ କମ୍ପ୍ରମାଇଜିଂ ପୋଜିସନରେ ଦେଖି ପକାଇ ଲଜ୍ଜିତ ହୋଇ ଫେରି ଆସିଥିଲା...ଲୋରାର କହିବା ଅନୁଯାୟୀ ସେ କୁଆଡ଼େ ପ୍ରକୃତରେ ତା’ର ବୟ ଫ୍ରେଣ୍ଡ୍ ନୁହେଁ ...ନିଜ ସାନ ଭାଇ !!

 

ଡାୟନା ଯୋଉ ବିରାଟ ଆଲସେସିଆନ୍ ପୋଷିଚ ତା’ ସହିତ ତାହାର ସମ୍ପର୍କ କୁଆଡ଼େ ସନ୍ଦେହଜନକ !!!

 

(ଏସବୁ ଜାଣିବା ପରେ ସେ ଛାଡ଼ିଦେଲା ନକ୍ ନ କରି ଆଉ କାହାରି ରୁମ୍ ଭିତରକୁ ହଠାତ୍ ପଶି ଯିବା ଅଭ୍ୟାସ ।)

 

ବୈଚିତ୍ରମୟ ହଷ୍ଟେଲ ଭିତରେ ସେ ନିଜେ ସିଙ୍ଗଲ୍ ରୁମରେ ନିଃସଙ୍ଗ ଜୀବନ କଟାଇବାକୁ ଲାଗିଲା । ଖେଳରେ ତାହାର ସ୍ପୃହା ନାହିଁ, ବାନ୍ଧବୀ ସେ ଚାହେଁ ନାହିଁ, ସ୍କୁଲରୁ ପାଠ୍ୟପୁସ୍ତକ ଛଡ଼ା ଏକମାତ୍ର ଆଗ୍ରହ ତା’ର ଇତିହାସ ବହି ପଢ଼ିବାରେ...ତାହାହିଁ ନେଇ ରହିଲା ସେ-। ଲାଇବ୍ରେରୀରୁ ଆଣି ପଢ଼ିଚାଲେ ଗୋଟିକ ପରେ ଗୋଟିଏ ବହି...ସମଗ୍ର ପୃଥିବୀର ଇତିହାସ-। ଇତିହାସ ସତ୍ୟ; ମାତ୍ର ସତ୍ୟ ହେଲେ ମଧ୍ୟ ଗଳ୍ପ ପରି ଚମକପ୍ରଦ । ପ୍ରାଗୈତିହାସିକ ଯୁଗ–ତା’ପରେ ଇତିହାସର ଆରମ୍ଭ ଆଲେକଜାଣ୍ଡାର...ଡେରାୟସ...ପ୍ରାଚ୍ୟ-ପ୍ରତୀତ୍ୟରୁ ଆମେରିକାର ସ୍ଵାଧୀନତା-ସଂଗ୍ରାମ ଯାଏ । କ୍ଲିଓପେଟ୍ରା, ସୁଲତାନ ରେଜିଆଠାରୁ ଶ୍ରୀମତୀ ପେରାନ୍-। ଚେଙ୍ଗିଜ୍‍ଠାରୁ ସିଜର୍ । ନାରୀ-ବିକ୍ରୟଠାରୁ ଦାସବ୍ୟବସାୟ ।

 

ପଢ଼ିବା ପରେ ମନେହେଲା, ତା’ ବୟସ ଯେମିତି ବଢ଼ିଯାଇଚି ହଜାର ହଜାର ବର୍ଷ । ଯୁଗାନ୍ତ ତଳର କାହାଣୀ ଯେପରି ତା’ପାଇଁ ଦିନାନ୍ତ ଆଗରେ ଘଟଣା ।

 

ସାଙ୍ଗ ଝିଅମାନେ ପଚାରନ୍ତି, ତୁ କାହାକୁ ଭଲ ପାଉନୁ ? ପ୍ରେମ କରୁନୁ ? କ’ଣ ପାଉଚୁ ଏଇ ଇତିହାସ ବହିର ପୃଷ୍ଠା ଭିତରେ ? ଭାବୁଚୁ ଇତିହାସ ପଢ଼ି ପଢ଼ି କ୍ଲିଓପେଟ୍ରା ହେଇଯିବୁ–ପ୍ରେମ କରିବେ ତୋ ସାଙ୍ଗରେ ଅତୀତର କବର ଭିତରୁ ଉଠି ଆସି ସିଜର୍, ଆଲେକଜାଣ୍ଡାର୍ ଚେଙ୍ଗିଜ୍ ଖାନ୍‍ର ପ୍ରେତାତ୍ମାମାନେ ?

 

ସ୍କୁଲ୍ ଜୀବନ ସରିଲା ।

 

କଲେଜରେ ଏଡମିସନ୍ ନେଲା ଜୁଡ଼ି ସତର ବର୍ଷ ବୟସରେ । ଡାଡି-ମମି ଚିନ୍ତିତ ହେଇ ପଡ଼ିଲେଣି–ଝିଅ ବୟଫ୍ରେଣ୍ଡ୍ କରୁନାହିଁ କାହିଁକି ? ସେ ତା’ ହେଲେ ଅସ୍ଵାଭାବିକ ? ମାନସିକ ଅବସାଦଗ୍ରସ୍ତ ? ଉଇନଚେନ୍ ଫ୍ୟାମିଲିର ଝିଅ ଗ୍ରହଣ କରିପାରୁନାହିଁ ଆମେରିକାର ସମାଜ, ସଭ୍ୟତା ଓ ଜୀବନକୁ !! (ଅଥଚ ଏଇ ପରିବାରର ବ୍ୟକ୍ତିମାନେ ଆମେରିକାନ୍ ଆଧୁନିକତାର ପ୍ରତିନିଧିମୂଳକ ପ୍ରତୀକ ହେବା କଥା ।) କି ଆଶ୍ଚର୍ଯ୍ୟ ଝିଅଟା ! କୌଣସି ହେଲେ ପୁଅକୁ ତା’ର ଭଲ ଲାଗେନା–ଭଲ ଲାଗେନା ବ୍ଲୁ ଫିଲ୍ମ-ଏପରିକି ଭଲପାଇ ପାରିଲାନି ଗୋଟାଏ ଆଲସେସିଆନ୍ କୁକୁରକୁ ମଧ୍ୟ !!!

 

ପରାମର୍ଶ କରାଗଲା ଜଣେ ବିଖ୍ୟାତ ମନଃସ୍ତତ୍ତ୍ଵବିଦଙ୍କ ସହିତ; ଯାହାଙ୍କର ଫିସ୍ ଗୋଟିଏ କେସ୍ ପାଇଁ ଦଶ ହଜାର ଡଲାର । କୋଉ ରଙ୍ଗର ଲାଇଟ୍ ଦୋକାନରେ ଜଳାଇଲେ କ୍ରେତାମାନଙ୍କ ପ୍ରତି ଆକର୍ଷଣ ହେବ, କୋଉ ଧରଣର ମାନସିକ-ଅବସାଦ ଦୂରୀକରଣ ପାଇଁ କି ପ୍ରକାର ମଦ୍ୟ ଆବଶ୍ୟକ, କି ଭଳି ରୁଚିର ପୁରୁଷ ପାଇଁ କୋଉ ଧାରଣର ନାରୀ ଆବଶ୍ୟକ, ମାନସିକ ଉତ୍ତେଜନା ପ୍ରାଣମନ ପାଇଁ କେତେ ସ୍ପିଡରେ ଗାଡ଼ି ଡ୍ରାଇଭ କରିବା ଉଚିତ...ଏଇସବୁର ଅନୁଶୀଳନ କରି ସୁନିର୍ଦ୍ଧିଷ୍ଟ ପରାମର୍ଶ ଦେବାରେ ସେ ସ୍ଵୟଂସିଦ୍ଧ ।

 

ପରୀକ୍ଷା କରି ବିଶେଷଜ୍ଞ କହିଲେ, ‘ବର୍ତ୍ତମାନ’ ପ୍ରତି ବିତୃଷ୍ଣ କୁଆଡ଼େ ଜୁଡ଼ିକୁ ଅତୀତଆଡ଼କୁ ପଳାୟନପନ୍ଥୀ କରିଚି । ସେ ନିଜେ ଚେଷ୍ଟାକରି କାହାକୁ...ଏପରିକି ମଣିଷ ନ ହେଲେ ବି ଯେ କୌଣସି ପ୍ରାଣୀକୁ ଅନ୍ତତଃ ଭଲ ପାଇବା ଉଚିତ ।

 

ବିତିଗଲା ବର୍ଷ ପରେ ବର୍ଷ । ଜୁଡ଼ି କାହାକୁ ଭଲ ପାଇପାରିଲାନି; କିନ୍ତୁ ହେଲା ଇତିହାସରେ ଡକ୍ଟରେଟ୍ । ଆମେରିକାନ୍ ଆଧୁନିକ-ସମାଜରେ ନିଃସଙ୍ଗ, ଅପାଂକ୍ତେୟ–ବିବେଚିତ, ଉଇନଚେଲ୍ ଫ୍ୟାମିଲିର ଏଇ ଝିଅଟି ପ୍ରମାଣିତ କଲା ନିଜକୁ ନକ୍ଷେତ୍ରଭାବେ !!

 

କାଲିଫର୍ଣ୍ଣିଆର ଏକ କଲେଜରେ ସେ ହେଲା ଇତିହାସର ଅଧ୍ୟାପିକା ଯୋଉଠି ତା’ର ପରିଚୟ ହୁଏ ସୁଦର୍ଶନ ସାହିତ୍ୟ-ଅଧ୍ୟାପକ ଅର୍ଥାତ ବ୍ରାଉନ୍‍ଙ୍କ ସହିତ । ବୟସରେ ସେ ଥିଲେ ଜୁଡ଼ିଠାରୁ କୋଡିଏ ବର୍ଷ ବଡ଼; କିନ୍ତୁ ଦିଶୁଥିଲେ ଖୁବ୍ ୟଙ୍ଗ ଆଉ ସ୍ମାର୍ଟ୍ ।

 

ପରିବାର–ବିହୀନ ଏକୁଟିଆ ଏପାର୍ଟମେଣ୍ଟ ତାଙ୍କର ସେ ଦିନେ ଡିନର୍ ପାଇଁ ଆମନ୍ତ୍ରଣ କରିଥିଲେ ଜୁଡ଼ିକୁ । ଆବୃତ୍ତି କରି ବୁଝାଇଥିଲେ ଟି. ଏସ୍‍. ଇଲିୟଟଙ୍କ “ଓୟେଷ୍ଟ୍ ଲ୍ୟାଣ୍ଡ୍ ।” ତା’ ଆଗରେ ତୋଳି ଧରିଥିଲେ ବିଶ୍ଵସାହିତ୍ୟର ସମାଚାର-ଦର୍ପଣ । କହିଥିଲେ, ସାହିତ୍ୟ କାଳ୍ପନିକ କାହାଣୀ ହେଲେ ବି ସମାଜର ପ୍ରତିବିମ୍ବ । ଆଉ ଇତିହାସ, ସେ ବି ତ ବେଶୀ-କମ୍ ସେଇଆ । ଘଟଣା ଓ ଚରିତ୍ର ଏକ । ପ୍ରଥମଟିରେ କୁଶୀଲବ ବୃନ୍ଦ କାଳ୍ପନିକ ନାମ ଧାରଣ କରନ୍ତି; କିନ୍ତୁ ଦ୍ଵିତୀୟଟିରେ ତାହାର ଆବଶ୍ୟକତା ନ ଥାଏ । –ପ୍ରଭେଦ କେବଳ ଏତିକି ।

 

ସାହିତ୍ୟ ଆଉ ଇତିହାସ ଭିତରେ ସେଇ ସୂକ୍ଷ୍ମତମ ପ୍ରଭେଦ ଟିକକ ଘୁଞ୍ଚାଇ ଦେବା ଉଦ୍ଦେଶ୍ୟରେ ବୋଧହୁଏ; ବୋଧହୁଏ ପ୍ରମାଣିତ କରି ଦେବା ପାଇଁ ସାହିତ୍ୟ-ଇତିହାସ ଭିତରେ କୌଣସି ପ୍ରଭେଦ ନାହିଁ... ସାହିତ୍ୟ ଓ ଇତିହାସ ଅନେକରୁ ଏକରେ ପରିଣତ ହୋଇଯାଇ ପାରନ୍ତି, ଦୁହେଁ ଦିନେ ବିବାହ କରି ପକାଇଲେ ଉଇକ୍-ଏଣ୍ଡରେ ଗ୍ରାମାଞ୍ଚଳର ଏକ ଚର୍ଚ୍ଚକୁ ଯାଇ ପ୍ରଥମ ପରିଚୟର ମାତ୍ର ଛଅମାସ ପରେ ।

 

ହେନରୀ ଉଇନଚେଲ୍ ସେତେବେଳକୁ ଆମେରିକା ବିଧାୟକ ସଭାରେ ସିନେଟର୍ ହୋଇଯାଇଚନ୍ତି ରିପବ୍ଲିକାନ ଦଳର ଜଣେ ବିଶିଷ୍ଟ ପ୍ରାର୍ଥୀଙ୍କୁ ପରାସ୍ତ କରି । ଅଏଲ୍ କିଙ୍ଗ୍‍ଙ୍କର ସମ୍ମାନ ତେଣୁ ବଢ଼ିଯାଇଚି ଆହୁରି । ସେହି ସୂତ୍ରରେ ନଗରୀର ଫାର୍ଷ୍ଟ ଲେଡିଭାବେ ସମ୍ମାନିତା ହୋଇଚନ୍ତି ସହଧର୍ମିଣୀ ମଧ୍ୟ । ଏବେ ମେୟର, ଗଭର୍ଣ୍ଣର, ଭାଇସପ୍ରେସିଡେଣ୍ଟ... ସେମାନଙ୍କୁ ଆମନ୍ତ୍ରଣ କରନ୍ତି ପାର୍ଟିକୁ । ସାମାନ୍ୟ ଜଣେ ସାହିତ୍ୟର ଅଧ୍ୟାପକ ସହିତ କନ୍ୟାର ବିବାହରେ ଅତଏବ ଅନୁମୋଦନ ନ ଥିଲା ଉଇନଚେଲ ଦମ୍ପତ୍ତିଙ୍କର । ତେଣୁ ଏଇ ବିବାହ ଜୁଡ଼ିକୁ ସମ୍ପୁର୍ଣ୍ଣରୂପେ ବିଚ୍ଛିନ୍ନ କରି ଦେଲା ତା’ର ପରିବାରଠାରୁ ।

 

କିଛିଦିନ ପରେ, ସେ ହେଲା ସନ୍ତାନ-ସମ୍ଭବା । ଖୁସିର ଖବର ଜଣାଇବା ପାଇଁ ନିଛକ ସୌଜନ୍ୟ ଦୃଷ୍ଟିରୁ ଚିଠି ଲେଖିଲା ଡାଡି ଆଉ ମମିଙ୍କୁ । ଉତ୍ତର କିନ୍ତୁ ପାଇଲା ଅପ୍ରତ୍ୟାଶିତ ! ବସନ୍ତ-ଅବକାଶ କଟାଇବା ପାଇଁ ସେମାନେ ଆସୁଚନ୍ତି କାଲିଫର୍ଣ୍ଣିଆ ସାଗର ତଟକୁ । ଜୁଡ଼ିକୁ ଦେଖା କରିବା ପାଇଁ ଆସିବେ ।

 

ମମି-ଡାଡି ବିବାହକୁ ଅନୁମୋଦନ କରିବେନି, ଏଇ ଆଶଙ୍କାରେ ସେମାନଙ୍କ ଅଗୋଚରରେ ବିବାହ କରିଥିଲା ଜୁଡ଼ି । ପରେ ଅବଶ୍ୟ ଖବର ଦେଇଥିଲା ଉତ୍ତରରୁ ଜାଣିଲା, ସେମାନେ ପ୍ରାୟ ତାକୁ ପରିତ୍ୟାଗ କରିସାରିଚନ୍ତି । ତେଣୁ ବିବାହ-ବାସରର ଯୁଗ୍ମ-ଫଟୋ ପଠାଇବା ପ୍ରଭୃତି ଫର୍ମାଲିଟି ସେ ଆଉ ମେଣ୍ଟନ୍ କରିନଥିଲା ।

 

ସରପ୍ରାଇଜ ଦେଲା ପରି ମମି-ଡାଡି ହଠାତ୍ ଆସି ଯେତେବେଳେ ପହଞ୍ଚି ଗଲେ ତା’ ଆପାର୍ଟମେଣ୍ଟରେ, ଆନନ୍ଦରେ ଆଶ୍ଚର୍ଯ୍ୟ ହେଇଗଲା ଜୁଡ଼ି (କାରଣ ଠିକ୍ କୋଉଦିନ କେତେବେଳେ ଆସି ସେମାନେ ପହଞ୍ଚିବେ ଜଣାଇ ଦେଇନଥିଲେ ।) କିନ୍ତୁ ଧକ୍କା ଖାଇଲା ପରି ଚମକି ପଡ଼ିଲା ଆର୍ଥର୍ । ଡାଡି ଚିତ୍କାର କରି ଉଠିଥିଲେ, ଆର୍ଥର୍, ତମେ ? ତମେଇ ଜୁଡ଼ିର ସ୍ଵାମୀ !!! ନାଁ ନାଁ, ୟା’ ହେଇପାରେନା ...ୟା’ ହେଇପାରେନା !! ୟୁ ଗେଟ୍ ଆଉଟ୍...ଗେଟ୍ ଆଉଟ୍ !! ୟୁ ଗେଟ୍ ଆଉଟ୍ । ବାହାହେବା ପୂର୍ବରୁ ତମର ଜାଣିବା ଉଚିତ ଥିଲା ଯେ ଜୁଡ଼ି...ର ସନ୍ତାନ !!!

 

ଦୁଇ ହାତରେ ମୁହଁ ଲୁଚାଇ ଆର୍ଥର ଧାଇଁ ପଳାଇ ଗଲା ବାହାରକୁ । କହିଗଲା, ଚାଲି ଯାଉଚି ଚିରଦିନ ପାଇଁ !!!

 

ଆଉ ଜୁଡ଼ି । ସେ ଗଛ କାଟିଲା ପରି ତଳେପଡ଼ି ପର ମୁହୂର୍ତ୍ତରେ ଚେତା ହରାଇ ସାରିଥିଲା ।

 

ନିଉୟର୍କରେ ଏକ ଅଭିଜାତ ନର୍ସିଂ ହୋମରେ ଏବୋରସନ୍ କରାହୋଇଥିଲା ତା’ର ।

 

ତା’ପରେ ସେ ମଦ ପିଇଲା, କୋକେନ୍ ଖାଇଲା, ଖାଇଲା ଓପିଅମ୍, ଏଲ୍. ଏସ୍. ଡି...ଯେତେ ନିଶା ଅଛି ପୃଥିବୀର ।

 

ମାତ୍ର ତଥାପି ସମ୍ଭବ ହେଲା ନାହିଁ ତା’ ପକ୍ଷରେ ଅତୀତକୁ ଭୁଲିଯିବା ।

 

ପାର୍କରେ ବସି ଦିନେ କାନ୍ଦୁଥିଲା ଏକାକୀ । ବିଚିତ୍ର-କେଶା, ଅଦ୍ଭୁତ–ବେଶ କେତେଜଣ ଯୁବକ ଯୁବତୀ ତାକୁ ବହୁକ୍ଷଣ ଧରି ଲକ୍ଷ୍ୟ କରୁ କରୁ ହସି ଉଠିଲେ ହଠାତ୍ । ଲୁହଭରା ଆଖିରେ ସେ ଫେରି ଚାହିଁଲା ସେମାନଙ୍କଆଡ଼କୁ । ସେମାନେ କହିଲେ, ଦୁଃଖ ବୋଲି କିଛି ନାହିଁ ପୃଥିବୀରେ; ତଥାପି ତମେ କାନ୍ଦୁଛ ?

 

ସହାନଭୂତି ପାଇ ସବୁକଥା ବର୍ଣ୍ଣନା କରି କହିଥିଲା ଜୁଡ଼ି ।

 

ହସି ଉଡ଼ାଇ ଦେଇଥିଲେ ସେମାନେ ।

 

ଓ, ଏଇକଥା ? ଏଇଥିପାଇଁ ଏତେ ଗ୍ଳାନି, ଏତେ ଅନୁତାପ ! ସାମାଜିକ ସଂସ୍କାରର ଉର୍ଦ୍ଧ୍ୱରେ ଏତ ପ୍ରାକୃତିକ ନିୟମ !! ମଣିଷର ହାତ ଗଢ଼ା, ମନଗଢ଼ା, ସାମାଜିକ ସଂସ୍କାର ଅନନେଚୁରାଲ୍ । ନେଚୁରାଲ୍ ହେଉଛି ପ୍ରକୃତି ଓ ପ୍ରାକୃତିକ କ୍ରିୟା । ମଣିଷ ପରାଧୀନ ହେଇ ଯାଇଚି ତା’ର ନିଜ ଗଢ଼ା ସଂସ୍କାରର ବନ୍ଧନ ଭିତରେ । ସମଗ୍ର ପୃଥିବୀରେ ପଶୁପକ୍ଷୀର ଜଗତ କେବଳ ମୁକ୍ତ, ସ୍ଵାଧୀନ ଆଉ ସ୍ଵାଭାବିକ ହୋଇ ରହିଚି ପ୍ରାଗୈତିହାସିକ ଯୁଗରୁ । ଆମେ ଚାହୁଁ, ମଣିଷକୁ ପୁଣି ସେଇ ଯୁଗକୁ ଫେରାଇ ନେବା ପାଇଁ; ତାକୁ ପ୍ରାକୃତିକ କରିବା ପାଇଁ... ସ୍ଵାଭାବିକ କରିବା ପାଇଁ... ଏନାର୍କୀଷ୍ଟ କରିବା ପାଇଁ ।...ସେଇ ଯୁଗ ଯେତେବେଳେ ଆମେ ପୁଣି ଆଣିପାରିବୁ ପୃଥିବୀରେ–ନିଶ୍ଚୟ ଆଣିପାରିବୁ, କାରଣ ପୃଥିବୀଟା ଗୋଲ–ଯୋଉ ଦିଗକୁ ଆଗେଇ ଗଲେବି ପୁଣି ଘୂରି ଆସି ସେଇଠି ପହଞ୍ଚିବା ଭୌଗୋଳିକ ସତ୍ୟ । ରିଭିଜନିଜମ ଇଜ୍‍ ଦ’ ଓନଲି ଟ୍ରୁଥ୍ । ପୁନରାବୃତ୍ତି ହିଁ ଅବଶ୍ୟମ୍ଭାବୀ ସତ୍ୟ । ଅତଏବ ଆମେ ନିଶ୍ଚୟ ପାରିବୁ । ସେତେବେଳେ ଶତ ଶତ ଜୁଡ଼ି ଆଉ ଆର୍ଥର ହୋଇପାରିବେ ଆଦାମ୍ ଆଉ ଇଭ୍ । ହୋଇପାରିବେ ପବିତ୍ର ଦମ୍ପତ୍ତିରୂପେ ପରିଗଣିତ । ସେମାନଙ୍କ ସମ୍ପର୍କ ବିବେଚିତ ହେବ ସତ୍ୟ, ଶିବ, ସୁନ୍ଦର ଆଉ ସୁମହାନ୍ !!!

 

ଜୁଡ଼ି କହିଥିଲା, କିଲର, ଅନ୍ୟକୌଣସି ଦର୍ଶନ ମୋତେ ଶାନ୍ତି ଦେଇନପାରିବାରୁ ସେଇଦିନୁ ମୁଁ ଗ୍ରହଣ କରିନେଇଚି ହିପ୍ପିବାଦ କିନ୍ତୁ ତଥାପି...

 

ମୋ ଜାନୁ ଉପରେ ସେତେବେଳେ ତା’ର ମଥା ଥିଲା । ସେ ଚାହିଁ ରହିଥିଲା ଧରଣୀର ସମୁଦ୍ରକୁ ନୁହେଁ ଆକାଶର ଚନ୍ଦ୍ରକୁ । କହିଲା, ମୋ ଦେଶ ସେଇଠି ଯାଇ ପଦଚାରଣା କରିଚି । କିନ୍ତୁ ଚନ୍ଦ୍ର ବକ୍ଷ ବିଷର୍ଣ୍ଣ କରି ଯୋଉମାନେ ଧାତବ ଆହରଣ କରି ଆଣିପାରିଲେ ପୃଥିବୀକୁ, କୁହ କିଲର୍, ସେଇ ଦେଶର ନାଗରିକ ହୋଇ କାହିଁକି ମୋର ଏତେ ଦୁଃଖ ? ଏତେ ବଡ଼ ବଡ଼ ବୈଜ୍ଞାନିକ ସେ ଦେଶର ଥାଉଁ ଥାଉଁ ସୁଖର ସନ୍ଧାନରେ ସେଠାରୁ ଲକ୍ଷ ଲକ୍ଷ ଯୁବକ-ଯୁବତୀ ପ୍ରାଗୈତିହାସିକ ଯୁଗର ଅବତାର ସାଜି ଏସିଆର ଏଇସବୁ ଦେଶକୁ ଆମ ଦେଶର ଟେଲିଭିଜନ୍ ପରଦା–ପଳାଇ ଆସୁଚନ୍ତି କାହିଁକି ? କହିପାରିବ, ଚନ୍ଦ୍ରରୁ ଧାତବ ଆହରଣ କରିପାରୁଥିବା ବୈଜ୍ଞାନିକମାନେ ଆମ ପାଇଁ ଟିକିଏ ସୁଖଶାନ୍ତି ବୈଜ୍ଞାନିକ ଉପାୟରେ ସୃଷ୍ଟି କରିପାରୁନାହାନ୍ତି କାହିଁକି ?

 

ସିଗାରେଟ୍ ଧରାଇ କହିଲି, କିନ୍ତୁ ଜୁଡ଼ି, ତମେ ମୋତେ ପ୍ରହେଳିକାରେ ରଖିଲ । ଆର୍ଥର ଆଉ ତମର ବିବାହ ସମ୍ବନ୍ଧରେ...

 

ଶୁଣ ତେବେ,–ସେଇପରି ଚନ୍ଦ୍ରମଣ୍ଡଳକୁ ଚାହିଁ ସେ କହିବାକୁ ଲାଗିଲା–ଗୋଟିଏ ଝିଅ ଜନ୍ମ କରିବା ପରେ ସ୍ଵାମୀକୁ ପରିତ୍ୟାଗ କରି ଅଫିସ ବସ୍‍କୁ ବାହା ହେଇଥିଲା ଲୁସି । ସେଇ ଅଫିସ ବସ୍ ହେନେରୀ ଉଇନଚେଲ, ଲୁସିର ସେହି ପରିତ୍ୟକ୍ତ ସ୍ଵାମୀ ଆର୍ଥର୍ ବ୍ରାଉନ, ଆଉ ମୁଁ ... ମୁଁ କିଏ ଜାଣ କିଲର୍ ? ଶୁଣ (କିନ୍ତୁ ଶୁଣି ଯେପରି ମୋ’ରି ପରି ଶକ୍ ଖାଇ ମୂର୍ଚ୍ଛା ହୋଇନଯାଅ...) –ହେନେରୀ ଉଇନଚେଲ ଦେଖିବାମାତ୍ରେ ଚିହ୍ନିପାରିଥିଲେ ତାଙ୍କ ସୁଦୂର ଅତୀତର ପ୍ରଣୟ-ପ୍ରତିଦ୍ଵନ୍ଦ୍ୱୀ ଆର୍ଥର ବ୍ରାଉନଙ୍କୁ...ମୋ ମାଆ ଲୁସିର ପ୍ରଥମ ସ୍ଵାମୀ...ମୋ’ରି ଜନ୍ମଦାତା ପିତା ହୋଇ ମୋତେ ସିଏ ବିବାହ କରିସାରିଚନ୍ତି...ହେବାକୁ ଯାଉଚନ୍ତି ମୋ’ରି ସନ୍ତାନର ପିତା !!!

 

ଧୀରେ ଧୀରେ କଳା ମେଘ ଘୋଟି ଆସିଥିଲା କେତେବେଳେ ଆମର ଖିଆଲ ନାହିଁ । ମୋ’ରି କୋଳରେ ମଥା ରଖି କଇଁ କଇଁ ହୋଇ କାନ୍ଦୁଥିଲା ଜୁଡ଼ି । ପଚାରିଲି, ଆଉ ତା’ପରେ ଆର୍ଥର୍‍ର କ’ଣ ହେଲା ?

 

କହିଲା, ଜାଣେନା । ଆତ୍ମ-କୈନ୍ଦ୍ରିକ ଆମେରିକାନ୍ ସୋସାଇଟିରେ କେହି କାହା ଖବର ରଖେ ନାହିଁ-ସମସ୍ତେ କେବଳ ନିଜକୁ ଭଲ ପାଇବାରେ ବ୍ୟସ୍ତ ! କିଲର, ମୁଁ ବି ଯଦି ସେଇମାନଙ୍କ ପରି ହୋଇଥାଆନ୍ତି ବଞ୍ଚି ଯାଇଥାଆନ୍ତି । କିନ୍ତୁ ତା’ ହୋଇପାରିଲାନି–କାରଣ ଜୀବନଟା ଗାଣିତିକ ହିସାବ ବା ଜ୍ୟାମିତିକ ସରଳରେଖା ପରି ନିୟାମକ ନୁହେଁ । ନିଜକୁ ମୁଁ ଘୃଣା କରିବାକୁ ଲାଗିଲି, ଘୃଣା କଲି ମନେ ମନେ ଆର୍ଥରକୁ, ଘୃଣା କଲି ମୋର ମମି, ଡାଡି …, ମୋର ସମାଜ, ସଭ୍ୟତା, ସଂସ୍କୃତି ... ସବୁ କିଛିକୁ !!!

 

ଟିପ୍‍ ଟିପ୍ ହେଇ ବର୍ଷା ପଡ଼ିବାକୁ ଲାଗିଲା । କହିଲି, ଚାଲ ଏଇ ଲାଇଟ୍ ହାଉସ୍ ତଳର ଗମ୍ବୁଜ ଭିତରକୁ; ନ ହେଲେ ଭିଜି ଯିବା । କାର୍‍ଟା ଏଠୁ ଅନେକ ଦୂରରେ...

 

ବର୍ଷାଟା ତା’ପରେ ଖୁବ୍ ଜୋରରେ ପଡ଼ିଲା ।

 

ଭିତରକୁ ପଶୁ ପଶୁ ସାମାନ୍ୟ ଭିଜି ଯାଇଥିଲୁ ଆମେ ।

 

ବାହାରେ ନିରବଚ୍ଛିନ୍ନ ବର୍ଷା ।

 

ଅନ୍ଧାର ଭିତରେ ସେ ପଚାରିଲା, କିପରି ଅନୁଭବ କରୁଚ ?

 

ଗୁହା ଭିତରେ ଆଶ୍ରୟ ନେଇଥିବା ପ୍ରାଗୈତିହାସିକ ଯୁଗର ଦୁଇଟି ମାନବ-ମାନବୀ ପରି ଏଠି ଆମେ...

 

ନାଁ । କୌଣସି ପୁଞ୍ଜିପତିର ଅର୍ଦ୍ଧନିର୍ମିତ ଅଟ୍ଟାଳିକା ତଳେ ଆଶ୍ରୟ ନେଇଥିବା ଦୁଇଟି କୁକୁର ଆଉ କୁକୁରୀ ପରି । ୟୁ ଆର୍ ମାଇଁ ଡଗ୍ ଏଣ୍ଡ ଆଇ ଏମ୍ ଇୟୋର୍ ବି’ଚ୍ ! ଚାଲ ଆମେ ସେଇମାନଙ୍କ ପରି ହେବା ।

 

ଜୁଡ଼ି !

 

ଇୟେସେ୍, ୟୁ କିଲ୍ ମି କିଲର...

 

ବର୍ଷା ଛାଡ଼ି ଯାଇଥିଲା ରାତି ଠିକ୍ ପାହି ଆସିବାବେଳକୁ ।

 

ମୁଁ ତାକୁ ଫେରାଇ ଆଣିଥିଲି ଭୁବନେଶ୍ଵର ।

 

ଯେତେ ଘଣ୍ଟା ପାଇଁ ଯେତେ ଟଙ୍କା ଦେବା କଥା ତା'ଠାରୁ ସେ ଶହେ ଟଙ୍କା ଦେଇଥିଲା ଅଧିକ ।

 

ପଚାରି ଥିଲି, ବେଶୀ ଦେବାର କାରଣ ?

 

ତମେ ମୋର କଥାସବୁ ଧୈର୍ଯ୍ୟ ଧରି ଶୁଣିଥିବାର ଏବଂ...ବିଶେଷତଃ...ତମକୁ ମୁଁ ମନ ଇଚ୍ଛା ‘ବ୍ୟବହାର’ କରିଥିବାର ପାଉଣା । କହିଚି ତ, ଦ୍ଵିତୀୟ ମହାଯୁଦ୍ଧ ପରେ ସବୁକିଛି ଓଲଟ ପାଲଟ ହୋଇଯାଇଚି । ଆମେ ବର୍ତ୍ତମାନ ତମମାନଙ୍କୁ ଅର୍ଥ ଦେଇ ଉପଭୋଗ କରୁ !!

 

କିନ୍ତୁ ମୋର ମନେ ହୁଏ, ମୁଁ ବରଂ ତମକୁ ବ୍ୟବହାର ବା ଉପଭୋଗ କରିଚି ଜୁଡ଼ି ।

 

ତା’ ହେଲେ ବି... ଧରିନିଅ ଏଇଟା କେବଳ କଥା ଶୁଣିବାର ପାଉଣା । ଆମେରିକାରେ କାହା କଥା ଶୁଣିବା ପାଇଁ ... ପ୍ରାୟ କାହାର ଧୈର୍ଯ୍ୟ ବା ସମୟ ନ ଥାଏ ଜାଣ ତ ?

 

ମୋ ଚାଳକ-ଜୀବନରେ ଏହିପରି ଆସିଚନ୍ତି ଅନେକ ଜଣକ ପରେ ଜଣେ ।

 

ରାସ୍ତାର ଗୋଟିକ ପରେ ଗୋଟିକ ବୁଲାଣି ପରି ସେମାନେ ସ୍ମୃତି-ପଥର ସାମ୍ନାରେ ଦେଖା ଦେଇ ପୁଣି ହଜି ଯାଆନ୍ତି ବିସ୍ମୃତିର ପଛରେ ।

 

ରେଢାଖୋଲ ଜଙ୍ଗଲ ଦେଇ ଛୁଟି ଚାଲିଛି ଗାଡ଼ି । ପୁରା ସ୍ପିଡରେ ଚାଲିଛି... । ଏହିପରି ଗଲେ ଦିନ ଗୋଟାଏ ସୁଦ୍ଧା ଆମେ ସମ୍ବଲପୁରରେ ପହଞ୍ଚି ଯିବା ନିଶ୍ଚିତ । ସେଠାରେ ମଧ୍ୟାହ୍ନ ଭୋଜନ, ସ୍ୱଳ୍ପ ବିଶ୍ରାମ । ତିନିଟାବେଳେ ପୁଣି ଯାତ୍ରାରମ୍ଭ କରି ଛଅଟାରେ ରାଉରକେଲା ।

 

ପଛପଟେ ସେମାନେ ବସି ନିଜ ନିଜ ଭିତରେ କ’ଣ କଥାବାର୍ତ୍ତା ହଉଚନ୍ତି ।

 

ମଞ୍ଜୁ ଗମ୍ଭୀର ହୋଇ ବସି ରହିଚି ମୋ ପାଖରେ ।

 

ଏକ ମନରେ ନୀରବରେ ଡ୍ରାଇଭ୍ କରି ଚାଲିଛି ମୁଁ ।

 

ବର୍ତ୍ତମାନ ନୀରନ୍ଧ୍ର-ପ୍ରାୟ-ଗଭୀର ବଣ ଭିତରେ ଆମେ । ସୂର୍ଯ୍ୟ ଦେଖାଯାଉନି-ଜଣାପଡ଼ୁନି ସୂର୍ଯ୍ୟଲୋକ... । ମସୃଣ ଅଜଗରର ପିଠି ପରି ଛାୟାଛନ୍ନ ପିଚୁ ରାସ୍ତା ।

 

କାହିଁକି କେଜାଣି, ହଠାତ୍ ମୁଁ ଅହେତୁକଭାବେ ଭାବିବାକୁ ଲାଗିଲି-ମଞ୍ଜୁ ମୋତେ ଅପମାନ କରୁଚି । କାହିଁକି ଏପରି ଭାବି ବସିଲି କହିପାରିବିନି ଯେହେତୁ ମୋ ନିଜର ମନସ୍ତତ୍ତ୍ଵ ମୋ ନିଜ ପାଖରେ ଅବୋଧ୍ୟ । ମୁଁ ଅନୁଭବ କରିବାରୁ ଲାଗିଲି ମଞ୍ଜୁ ମୋତେ ଅପମାନ କରୁଚି । ଅପମାନ କରୁଚି ଜାଣିଶୁଣି । ସେ ମୋତେ ଚିହ୍ନି ମଧ୍ୟ ନ ଚିହ୍ନିବାର ଅଭିନୟ କରୁଚି । ୟା’ ଛଡ଼ା ଆଉ କ’ଣ ହୋଇପାରେ ତା’ର ମୋ’ଆଡ଼କୁ ଆଦୌ ନ ଅନାଇବାର ଅର୍ଥ ?

 

କାରଣ ?

 

କାରଣ, ମୁଁ ଜଣେ ସାମାନ୍ୟ ଡ୍ରାଇଭର !

 

ମୋ ସାଙ୍ଗରେ କଥା କହିଲେ ତା’ ମାନ୍ ଚାଲିଯିବ !!

 

ଅଭିନେତ୍ରୀଭାବେ ତା’ର ଯୋଉ ଯଶ ସମ୍ମାନ... ସେହି ତୁଳନାରେ ମୁଁ ଗୋଟାଏ କୀଟାଣୁ କୀଟ !

 

କିଛି ସମୟ ପରେ ମନେହେଲା,ଏହା ଯେପରି ମୋ’ର ଭାବନା ନୁହେଁ-ବରଂ କେହିଜଣେ ସତେଅବା ଜୋର ଗଳାରେ ମୋ କାନ ପାଖରେ କହି ଚାଲିଛି ଏଇସବୁ କଥା । କହି ଚାଲିଛି, ଅହେତୁକଭାବେ ମୋତେ ଆଘାତ ଦେବା ପାଇଁ...ଅହେତୁକ ଭାବରେ ମୋତେ ଅପମାନ ଦେବା ପାଇଁ !!

 

ରାଗରେ ମୁଁ ବାରମ୍ବାର ଏକସିଲେଟର୍ ଦବାଇବାକୁ ଲାଗିଲି ! ଆହୁରି...ଆହୁରି...ଆହୁରି ଅଧିକ ଜୋରରେ...

 

ହଠାତ୍ ମନେପଡ଼ି ଗଲା, ଷ୍ଟେସନରୁ ସେଇ ଯୋଉ ପଦେ କଥା ସେ ଲେଖି ପଠାଇ ଥିଲା ମୋ ପାଖକୁ । ସେଇ କାଗଜ ଖଣ୍ଡକ ଯଦି ଏଇନେ ଥାଆନ୍ତା ଛିଣ୍ଡାଇ ଫୋପାଡ଼ନ୍ତି ତା’ ମୁହଁକୁ-!!!

 

ପଚାରନ୍ତି ମନେପଡ଼ୁଛି କାହା ପାଖକୁ ଲେଖିଥିଲ ଏ ଚିଠି ?

 

ତଥାପି ମୋତେ ଚିହ୍ନି ନାହଁ ? ନାଁ ଚିହ୍ନି କରୁଚ ନ ଚିହ୍ନିବାର ଅଭିନୟ-!!!

 

ଆହୁରି ଜୋରରେ ଏକସିଲେଟର ଦବାଇବାକୁ ଲାଗିଲି...

Image

 

Unknown

॥ ତୃତୀୟ ଅଙ୍କ ॥

 

ମଞ୍ଜୁ...

 

ମୁଁ ମଞ୍ଜୁଳା ସାମନ୍ତ, ଆଜି ପ୍ରତିଷ୍ଟିତ ଅଭିନେତ୍ରୀ ।

 

ଚିହ୍ନିଚି ମୁଁ ନିଜକୁ, ଚିହ୍ନିଚି ଏଇ ଦୁନିଆଁକୁ, ଚିହ୍ନିଚି ନାଟ୍ୟଜଗତକୁ । ମୁଁ ସମସ୍ତଙ୍କୁ ଚିହ୍ନେ ।

 

ମୋର ଜୀବନଟାଇ ବିରାଟ ଏକ ନାଟକ, ମୋର ପୃଥିବୀଟାଇ ବିଶାଳ ଏକ ନାଟ୍ୟ-ମଞ୍ଚ ।

 

ଝରଣାଦି ।

 

ତାଙ୍କ ମୁହଁ ଆଜି ମୋ ମନଶ୍ଚକ୍ଷୁରେ ସୁଦୂର ଅତୀତର ସ୍ମୃତି ।

 

ତାଙ୍କ ସହିତ ସ୍ମୃତି ଯେତିକି ମଧୁର, ସେତିକି ତିକ୍ତ ତାଙ୍କ ସହ ବିଚ୍ଛେଦ ସ୍ମୃତି ।

 

ପଡ଼ିଶା ଘର ଝରଣାଦି । ନାମ-କରା ଅଭିନେତ୍ରୀ । ଭାରି ବଡ଼ ବୋଲି ମନେକରିଥିଲି ତାଙ୍କୁ । ‘ବହ୍ନି-କନ୍ୟା’ ନାଟକରେ ପ୍ରଥମେ ତାଙ୍କୁ ଦେଖିଥିଲି ରେଭେନ୍ସା କଲେଜ ମଞ୍ଚରେ । ମହିଳା ରୋଲ୍ ନେବା ପାଇଁ ପୁଅ କିମ୍ବା ଝିଅ କେହି ହେଲେ ରାଜି ନ ହେବାରୁ ପେଶାଦାର ଅଭିନେତ୍ରୀ ଆଣିବା ପାଇଁ ଆବଶ୍ୟକୀୟ ଅନୁମତି ଦେଇଥିଲେ ପ୍ରିନସିପାଲ୍ ଏବଂ ସେଇ ରୋଲ୍ ପାଇଁ ଅଣା ହୋଇଥିଲେ ଝରଣାଦି ।

 

କଲେଜର ବାର୍ଷିକ ଉତ୍ସବ ଉପଲକ୍ଷେ ହୋଇଥିବା ସେଇ ନାଟକଟି ମନେଅଛି ସ୍ପଷ୍ଟଭାବେ ଏବେବି । କି ସୁନ୍ଦର ରୋଲ୍ କରୁଥିଲେ ସମସ୍ତେ, ବିଶେଷତଃ ଝରଣାଦି । ଦେଖିବାବେଳେ ଭୁଲି ଯାଇଥିଲି ‘ନାଟକ’ ଦେଖୁଚି !

 

ମୋ ଦାଦି-ପୁଅ-ଭାଇ, ସେଇ କଲେଜର ଛାତ୍ର, ଯାହା ସହିତ ଯାଇଥିଲି ଅଭିନୟ ଦେଖିବା ପାଇଁ । ବସିଥାଏ ମୋ ପାଖରେ । ସେଇ ମୋତେ କହିଲା, ତନୟା ରୋଲ୍ ଯିଏ କରୁଚନ୍ତି ଜାଣୁ ?

 

ମୁଁ ସେତେବେଳେ ‘ତନୟା’କୁ ବାସ୍ତବ ପାଇକ-କନ୍ୟା ବୋଲି ମନେକରି ନେଇଚି । ପଚାରିଲି, କିଏ ? ଭାରି ସୁନ୍ଦର କରୁଚନ୍ତି କିନ୍ତୁ ।

 

ତମରି ସାହିର ! –ସେ ହସି ହସି କହିଲା, –ଅଳ୍ପଦିନ ଭିତରେ ଖୁବ୍ ନାମ କରିଚନ୍ତି ଝରଣା ଦେବୀ । କଥାବାର୍ତ୍ତା କରିବୁ ? ବର୍ତ୍ତମାନ ତ ଗୋଟାଏ ଅଙ୍କ ଶେଷ ହେଲା-ଅନ୍ୟଟି ଆରମ୍ଭ ହେବାକୁ ବେଶ୍ ଡେରି ହବ–ଆ’ ଭିତରକୁ...

 

ସେ ଆମର ପଡ଼ିଶା ହୋଇଥିଲେ ମଧ୍ୟ ଚିହ୍ନି ନ ଥିଲି ତାଙ୍କୁ । ସେତେବେଳେ ସ୍କୁଲ ଆଉ ଘରଛଡ଼ା ଅନ୍ୟ କିଛି ଜଣାନଥିଲା ମୋତେ । ଫ୍ରକ୍ ପିନ୍ଧା ଝିଅ ମୁଁ ।

 

ପ୍ରଶାନ୍ତ ଭାଇ ମୋତେ ଷ୍ଟେଜ୍ ଭିତରକୁ ନେଇ ଆଳାପ କରାଇ ଦେଇଥିଲେ ।

 

ତା’ପରେ ତାଙ୍କ ଘର ସହିତ ଆମ ଘରର ପରିଚୟ ହୋଇ ଯାଇଥିଲା ।

 

ଶେଷକୁ ସେଇ ଝରଣାଦିଙ୍କ ଯୋଗୁ ବି ମୋର ଷ୍ଟେଜରେ ପ୍ରଥମ ସୁଯୋଗ, ଅଭିନେତ୍ରୀ-ଜୀବନର ଆରମ୍ଭ ।

 

କିନ୍ତୁ ସେ କ’ଣ ଜାଣିଥିଲେ ଆମର ପ୍ରଥମ ପରିଚୟ ଦିନ ଯେ ଏଇ ମଞ୍ଜୁଳା ସାମନ୍ତ, ସେଦିନର ସେଇ ଫ୍ରକ୍ ପିନ୍ଧା ଝିଅଟି, ଦିନେ ଠିଆ ହେବ ତାଙ୍କ ପ୍ରଧାନ ପ୍ରତିଦ୍ଵନ୍ଦ୍ୱୀ ହୋଇ ?

 

ପ୍ରଥମେ ପ୍ରଥମେ ଯୋଉ ସବୁ ନାଟକରେ ନାୟିକା ସେ ନିଜେ, ମୁଁ ସେଥିରେ ତାଙ୍କର ସଖୀ ବା ସହଚରୀ; କିନ୍ତୁ କ୍ରମେ ସମସ୍ତେ କହିବାକୁ ଲାଗିଲେ, ମଞ୍ଜୁଳା ଝରଣାଠାରୁ ଉତ୍କୃଷ୍ଟତର ଏବଂ ଏହା ଜାଣିବା ପରେ ଈର୍ଷାନ୍ଵିତା ହୋଇ ମୋତେ ଦାବିବାକୁ ଆରମ୍ଭ କରି ଦେଲେ ଝରଣାଦି ।

 

ନାଟକ ଶେଷ ହେବାପରେ ସେ ଯଦି ଦେଖନ୍ତି, ମୋତେ ବା ମୋର ଅଭିନୟକୁ ଅଭିନନ୍ଦନ ଜଣାଇବା ପାଇଁ ବେଶୀ ଲୋକ ଆସି ଭିଡ଼ ଜମାଇଚନ୍ତି ମୋ ପାଖରେ, ତାଙ୍କ ମୁହଁ ସୁଖୀ ଯାଏ । ଭିଡ଼ କଟିଗଲା ପରେ ମୋତେ ନିରୋଳାରେ ପାଇଲେ କହନ୍ତି–କି ବାଜେ ଆକଟିଂ ତୁ କଲୁ ଆଜି ମଞ୍ଜୁ ! ପାହାଚ ଉପରୁ ଯେତେବେଳେ ପଡ଼ିଗଲୁ–ସେଇପରି କ’ଣ ଗଡ଼ିଯିବା କଥା ? ଚିଠି ପାଇଛୁ, ତୋର ସ୍ଵାମୀ ବିଲାତରେ ବିବାହ କରିସାରିଚନ୍ତି ଅନ୍ୟକୁ–ଗଛ କାଟିଲାପରି ଧଡ଼ାସ୍ କରି କଚାଡ଼ି ପଡ଼ିବା କଥା । କିନ୍ତୁ ତୁ ଯିମିତିଭାବେ ପଡ଼ିଲୁ–ଯେପରି ଇଚ୍ଛା କରି ପଡ଼ୁଚୁ !

 

ପ୍ରଥମେ ପ୍ରଥମେ ମୁଁ କିଛି କହୁ ନ ଥିଲି; କିନ୍ତୁ ପରେ ପ୍ରତିବାଦ କଲି ।

 

ଆମ ଭିତରେ ସଂଘର୍ଷ ଘନାଇବାକୁ ଲାଗିଲା ।

 

କଟକ ସହରରେ ମାତ୍ର ତିନିଦିନ ଚାଲି ଫେଲ୍ ମାରିଥିବା ଏକ ଫିଲମିରେ ଚାନ୍ସ ପାଇ ଥିଲୁ ଆମେ ଦୁହେଁ । ଏଡଭାଞ୍ଚରିଷ୍ଟ୍ ଜଣେ ଭଦ୍ରଲୋକ ଅତି ଅଳ୍ପ ପଇସାରେ ଫିଲ୍ମ କରିବାକୁ ଚାହିଁଥିଲେ । ସହରରେ ତାଙ୍କର ଗୋଟିଏ ବଡ଼ ଫଟୋ ହାଉସ୍ ଥିଲା । କିଛି ପଇସା ଜମାଇ ପାରିଥିଲେ । ବାହାରି ପଡ଼ିଥିଲେ ଫିଲ୍ମ କରିବାକୁ ଅଣ୍ଟା ଭିଡ଼ି । ଫିଲ୍ମରେ ଚାନ୍ସ ପାଇବାକୁ ଆମର ଆଗ୍ରହ–ପଇସା ଖର୍ଚ୍ଚ କରିବା ଦିଗରେ ତାଙ୍କର କାର୍ପଣ୍ୟ–ଯାହାର ଫଳ ନାମ ମାତ୍ର ପାରିଶ୍ରମିକରେ ଆମର ନିଯୁକ୍ତି । ଅଳ୍ପ ଭଡ଼ାରେ ଯୋଗାଡ଼ କରାହୋଇ ଥିବା ସାଉଣ୍ଡ୍ ରେକଡିଂ ସିଷ୍ଟେମ୍ ଏପରି ତ୍ରୁଟି–ପୂର୍ଣ୍ଣ ଥିଲା ଯେ ପ୍ରେସ୍ ଶୋ’ ରେ ହିରୋଇନ୍ ଗୀତ ଗାଉଥିବାବେଳେ ମହାବଳର ଗର୍ଜ୍ଜନ ଓ ମହାବଳର ମୁଖ-ବ୍ୟାଦାନରୁ ହିରୋଇନର ଗୀତ ବାହାରି ବେଶ୍ ହାସ୍ୟରସ ସୃଷ୍ଟି କରିଥିଲା । ପରେ ଅବଶ୍ୟ ଷ୍ଟୁଡିଓରେ ପ୍ରୋସେସିଂ କରି ତାହାକୁ ଠିକ୍ କରାହେଲା ଅନେକଟା ।

 

ସେ ଯାହାହେଉ, ସେସବୁ ତ ଅନେକ ପରର କଥା–କିନ୍ତୁ ଫିଲ୍ମ ସୁଟିଂର ପ୍ରଥମ ଦିନରୁଇ ଝରଣାଦି ଆଉ ମୋ ଭିତରେ ଚରମକୁ ଚାଲି ଯାଇଥିଲା ସ୍ନାୟବିକ ସଂଘର୍ଷ !

 

ଆମ ସହିତ ଚୁକ୍ତି-ପତ୍ର ସ୍ଵାକ୍ଷର ହେବାର ମାସକ ପରେ ସୁଟିଂ ଆରମ୍ଭ ହେବାର ଥାଏ । କିନ୍ତୁ ଏହା ଭିତରେ ଫିଲ୍ମର ପ୍ରଯୋଜକ ସେହି ଫଟୋ-ହାଉସ-ମାଲିକ ଅତୁଲ୍ୟ ବାବୁଙ୍କ ସହ ବେଶ୍ ଘନିଷ୍ଟତା ଜମାଇ ଦେଇସାରିଚନ୍ତି ଝରଣାଦି ମୋ ଅଜାଣତରେ ତାଙ୍କ ଦୋକାନକୁ ଯିବା-ଆସିବା କରି । ...ଏହା ମୁଁ ଜାଣିଥିଲି । ତେଣୁ ସୁଟିଂର ପ୍ରଥମ ଦିନ ଝରଣାଦିଙ୍କ ବ୍ୟବହାରରେ ମାଲିକାଣୀ-ସୁଲଭ ଆଚରଣ ଆବିଷ୍କାର କରି ଆଶ୍ଚର୍ଯ୍ୟ ହେଲି ନାହିଁ ଆଦୌ ।

 

ନନ୍ଦନ-କାନନର ହ୍ରଦ କୂଳରେ, ଉପସ୍ଥିତ ପ୍ରାୟ ଶହେ ଲୋକଙ୍କ ଆଗରେ ‘ମୂହୁରତ୍’ ହୋଇ ସୁଟିଂ ଆରମ୍ଭ ହେଲା ।

 

ଡାଇରେକ୍ଟର ଜନାର୍ଦ୍ଧନ ବାବୁ ବୁଢ଼ାଲୋକ–ବହୁ ଦିନ ଆସିଷ୍ଟାଣ୍ଟ ଡାଇରେକ୍ଟର ଥିଲେ ବମ୍ବେରେ-ଦୁର୍ଘଟଣାରେ ଗୋଡ଼ ଛୋଟାକରି ଗାଁରେ ବସିଥିଲେ ସୁଦୀର୍ଘ ଦଶବର୍ଷ-ତାଙ୍କୁ ପ୍ରାୟ ମଶାଣିରୁ ଉଠାଇ ଆଣିବା ପରି ଟେକି ଆଣି ନିର୍ଦ୍ଦେଶକ ଆସନରେ ସମାସୀନ କରାଇ ଦେଇଥିଲେ ଅତୁଲ୍ୟ-ବାବୁ । ଯାହାହେଉ, ତାଙ୍କରି ନିର୍ଦ୍ଦେଶ ଅନୁଯାୟୀ ମୁଁ ଯେତେବେଳେ ହିରୋ (ବାଣୀ-ବିହାରର ଜଣେ ଏମ. ଏ. କ୍ଳାସ୍ ଛାତ୍ର) ସହିତ ହ୍ରଦକୂଳରେ ପ୍ରେମାଳାପ ଆରମ୍ଭ କରେ ଝରଣାଦି ନାନା ପ୍ରକାର ଆପତ୍ତି ଉଠାଇବାକୁ ଲାଗିଲେ । କହିଲେ, ଏତେ ଭଲ ଶାଢ଼ି ଆକଣ୍ଟିଟା ପୁଣି ହିରୋଇନ୍ ପରି ହୋଇଯାଉଛି, ହିରୋଇନଠାରୁ ହିରୋଇନର ସଖୀ ଇନଫିରିଅର ଦେଖାନଗଲେ ସେନସର୍ ଆପତ୍ତି କରିବ ।

 

(ଫିଲ୍ମରେ ଅବଶ୍ୟ ସେ ହିରୋଇନ୍ ଏବଂ ମୁଁ ହିରୋଇନର ବାନ୍ଧବୀ । ମାତ୍ର ସେନସର୍ ଆପତ୍ତି କରିବା କଥାଟା ନିତାନ୍ତ ଅବାନ୍ତର !)

 

ଜନାର୍ଦ୍ଦନ ବାବୁଙ୍କୁ ନିୟମ ଜଣା । ସେ ମଧ୍ୟ କହିଲେ, ସେନସର୍ ଆପତ୍ତି କରିବା ପ୍ରଶ୍ନ ତ ଉଠୁ ନାହିଁ ।

 

ଅସନ୍ତୁଷ୍ଟ ହେଲେ ଝରଣାଦି । ତାଙ୍କର ବକ୍ତବ୍ୟ ସଖୀ ବେଶୀ ଆକର୍ଷଣ ହୋଇଯାଉଛି ହିରୋଇନଠାରୁ ।

 

ଅତୁଲ୍ୟ ବାବୁ ସମର୍ଥନ କଲେ ତାଙ୍କୁ ।

 

ଶେଷକୁ ମୁଁ ଆଉ ସମ୍ଭାଳି ପାରିଲି ନାହିଁ । ଜଳିଉଠି କହିଲି, ପିନ୍ଧାଇ ଦିଅ ତା’ ହେଲେ ଛିଣ୍ଡା ଶାଢ଼ିଟାଏ ମୋତେ ଆଉ ଦିଅ ହିରୋଇନର ଚାକରାଣୀ ରୋଲ୍ । ହିରୋଇନର ମାନ-ରକ୍ଷା କରିବା ପାଇଁ ସେଇଟାଇ ଶ୍ରେଷ୍ଠ ଉପାୟ ହେବ ।

 

ଉପସ୍ଥିତ ଦେଖଣାହାରୀଙ୍କ ଭିତରୁ ଅନେକ ଥିଲେ କଲେଜ ଛାତ୍ର । ଅଧିକାଂଶ ହିରୋଙ୍କର ବନ୍ଧୁ ହିରୋ ସମେତ ସେମାନେ ମୋ’ପ୍ରତି ଝରଣାଦିଙ୍କର ଏପରି ଏଟିଚିଉଡ଼ରେ କ୍ଷୁବ୍ଧ ହୋଇ ପ୍ରକାଶ୍ୟରେ ପ୍ରତିବାଦ କଲେ । ସେମାନେ କହିବାକୁ ଲାଗିଲେ, ଫିଲ୍ମର ମାନ ରକ୍ଷା କରିବାକୁ ହେଲେ ମୋତେ ତାଙ୍କ ରୋଲ୍ ଓ ତାଙ୍କୁ ମୋ ରୋଲ୍ ଦିଆଯିବା ଉଚିତ ବରଂ ।

 

ପରିସ୍ଥିତି ଏପରି ହେଲା ଯେ ଶେଷ ପର୍ଯ୍ୟନ୍ତ ସୁଟିଂ ବନ୍ଦ ରହିଲା ସେଦିନ ।

 

ସେଇଟା ହେଲା ଝରଣାଦିଙ୍କ ସହିତ ମୋର ବ୍ରେକିଂ ପଏଣ୍ଟ ।

 

ଫିଲ୍ମ ଶେଷ ହେବା ସଙ୍ଗେ ସଙ୍ଗେ ତାଙ୍କ ସହିତ ମୋର ବାକ୍ୟାଳାପ ବି ବନ୍ଦ ହେଇଗଲା-

 

ଛବିଟା ତ ଫେଲ୍ କଲା; କିନ୍ତୁ ଅତୁଲ୍ୟବାବୁଙ୍କୁ ବାହା ହେଇ ପଡ଼ିଲେ ଝରଣାଦି ।

 

ତା’ପରେ ଆଉ ତାଙ୍କର କୌଣସି ଖବର ମୁଁ ରଖିନି । ଏତିକି ଖାଲି ଜାଣିଛି, ସେ ଅଭିନୟ ଛାଡ଼ି ଦେଇଥିଲେ । ସୁଗୃହୁଣୀ ହୋଇଚନ୍ତି କି ନାଁ ଜାଣେନା ତେବେ ଅତୁଲ୍ୟ ବାବୁଙ୍କ ସହିତ ତାଙ୍କ ପ୍ରାଇଭେଟ୍‍ ଲେଖା ଘୋଡ଼ାଗାଡ଼ିରେ ଗଲାବେଳେ ଦୈବାତ ମୋତେ ରାସ୍ତା ଉପରେ ରିକ୍ସାରେ ଯାଉଥିବାର ଦେଖିଲେ ମୁହଁ ବୁଲେଇ ଦିଅନ୍ତି । (ଯଦିଓ ଅତୁଲ୍ୟ ବାବୁ ମୋ’ଆଡ଼କୁ ସେଇ ସୁଯୋଗରେ କଣେଇ ଚାହିଁ ନେବାକୁ ଛାଡ଼ନ୍ତିନି ଥରେ ଅଧେ)

 

ଝରଣାଦିଙ୍କଠାରୁ ମୁଁ ଅଧିକ ସୁନ୍ଦର ଥିଲି । ଥିଲି ଅଧିକ ବୁଦ୍ଧିମତୀ ଆଉ ଛଳାକଳାରେ ପଟୁ ମଧ୍ୟ । ଧୀରେ ଧୀରେ ମୋ ଚାରି ପାଖେ ଅଧିକରୁ ଅଧିକ ମଧୁ-ମକ୍ଷିକା ଆସି ଗୁଞ୍ଜନ କରି ଘୂରି ବୁଲିବାକୁ ଲାଗିଲେ ।

 

କେତେ ଅଧ୍ୟାପକ, କେତେ ସାହିତ୍ୟକ, କେତେ ରାଜନୀତିଜ୍ଞ କେତେ ପୁଞ୍ଜିପତି... ବିଭିନ୍ନ ପ୍ରକାରର ଲୋକ ଆସୁଥିଲେ ମୋର ସାଙ୍ଗ ପାଇବା ପାଇଁ । ଇତିହାସରେ ପଢ଼ିଥିବା ମିଶରର ସ୍ଵୈରିଣୀ ସମ୍ରାଜ୍ଞୀ କ୍ଲିଓପେଟ୍ରା ପରି ଚାରିପାଖେ ମୋର ଘେରି ରହିଥିଲେ ଅନୁରାଗୀ ସ୍ତାବକର ଦଳ । ମନେହେଉଥିଲା, ମୁଁ ଯେପରି ଏକ ଶ୍ରେଷ୍ଠ ଧନୀକା; ଏଇ ଉପଯାଚକମାନେ ସବୁ ମୋ’ର ସିଂହଦ୍ଵାର ଆଗରେ ଭିକ୍ଷାଶୀ । ବାସ୍ତବିକ, କେତେପ୍ରକାର ବକ୍ତବ୍ୟ ସେମାନଙ୍କର; କେତେ ପ୍ରକାର କାକୁତି ! …ମନେ ମନେ ହସିଲେ ବି ଗମ୍ଭୀର ହେଇ ଶୁଣେ । ଚିନ୍ତା କରେ, ଏମାନେ କ’ଣ ଭାବନ୍ତି ମୋ ସମ୍ବନ୍ଧରେ ।

 

ସେହି ସାହିତ୍ୟକ ଜଣକ । ଆହା ବିଚରା !! ଉପନ୍ୟାସ ଲେଖନ୍ତି ସେ ସଭା ସମିତିରେ ବତ୍କୃତା ବି ଦିଅନ୍ତି । କାଗଜରେ ବେଳେ ବେଳେ ଫଟୋ ବାହାରେ ତାଙ୍କର । ପ୍ରୌଢ଼, ବିବାହିତ; ଚାରିଟି ସନ୍ତାନର ଜନକ ହୋଇ ଭଦ୍ରଲୋକ ମନେକରନ୍ତି ନିଜକୁ ସବୁବେଳେ ଯୁବକ ଆଉ ଅବିବାହିତ ବୋଲି । ତାଙ୍କର ଏଇ ମନୋବୃତ୍ତି ସେ ସ୍ଵୀକାର କରିପକାନ୍ତି ମଧ୍ୟ । ମନଟାକୁ ସେଇପରି ନ ରଖିଲେ କୁଆଡ଼େ ବହି ଲେଖିବା ତାଙ୍କ ପକ୍ଷରେ ସମ୍ଭବ ହୋଇପାରିବିନି । ମୋ ପାଖକୁ ଆସନ୍ତି ବିଶେଷଭାବେ ତାଙ୍କର ବତ୍କୃତାଗୁଡ଼ିକ ଶୁଣାଇବା ପାଇଁ । ମାନେ ସଭାକୁ ଯିବା ଆଗରୁ । ସେଇ ନୀରସ ବତ୍କୃତାର ରିହାର୍ସେଲ୍ ସେ ମୋ ଆଗରେ ଦେଲାବେଳେ ଇଚ୍ଛା ନ ଥିଲେ ବି ବାଧ୍ୟ ହୋଇ ଧୈର୍ଯ୍ୟ ଧରି ଶୁଣେ । ଦିନେ ସେଇ ନିଜେ କହି ପକାଇଥିଲେ, ମୋ କଥା ଆଉ କେହି ଏତେ ମନଦେଇ ଶୁଣନ୍ତା ନାହିଁ ମଞ୍ଜୁଳା ।

 

ଅବଶ୍ୟ ଲେଖିବା ଆଗରୁ ତାଙ୍କ ପ୍ରତିଟି ବହିର ପ୍ଳଟ ମଧ୍ୟ ସେ ମୋତେ ଶୁଣାଉ ଥିଲେ ବସି ବସି ।

 

ସେ ଥିବାବେଳେ ଅନ୍ୟକେହି ଆସିଗଲେ...ଓଃ...ତାଙ୍କର ସେ କି ଅସ୍ଵସ୍ତି ! ଆଉ କାହା କଥା ମୁଁ ମନଦେଇ ଶୁଣିଲେ, କି ଅଭିମାନ ତାଙ୍କର ।

 

ଅଧ୍ୟାପକ ଦାସ । ଅଧ୍ୟାପନା କରନ୍ତି ରାଜନୀତି ବିଜ୍ଞାନର । ବାହାରେ ଭାରି କାର୍ଲଚାର୍ଡ଼ ଆଉ ଗମ୍ଭୀର । ପଣ୍ଡିତ ବୋଲି ସୁନାମ । କ୍ଳାସରେ ବତ୍କୃତା ଦେବାବେଳେ ଝରଣାରୁ ଅନ୍ତର୍ଗତ ଜଳ ବହିର୍ଗତ ହେବାପରି କେବଳ ବିଶୁଦ୍ଧ ଶବ୍ଦ ନିର୍ଗତ ହୁଏ । ଅଥଚ ସେଇ ମୋ ସାଙ୍ଗରେ କୌଣସି କିଛି ବିଶେଷ କ୍ରିୟାରେ ବ୍ୟାପୃତ ଥିବାବେଳେ କି ଅଶ୍ଳୀଳ କଥା ବାହାର କରନ୍ତି ମୁହଁରୁ !!!

 

ମୁଁ ବହୁ ପୁରୁଷର ପ୍ରଣୟିନୀ, ଅନେକର ଅଙ୍କ-ଶାୟିନି, ବହୁ ବଲ୍ଲଭା ରୂପ ବ୍ୟବସାୟିନୀ ଅଭିନେତ୍ରୀ ମଞ୍ଜୁଳ । ଏକ ନିଷ୍ଠ ନୁହେଁ, ଅନେକ ନିଷ୍ଠ ମୋର ମନ । ଅନେକଙ୍କ କୃତାଞ୍ଜଳିପୁଟରେ ମୁଁ ଅଜାଡ଼ି ଦେଇଛି ମୋ ବିକ୍ଷୋଭ ନୈବେଦ୍ୟ, ଅନେକ ଗଳାରେ ମାଳା ହୋଇ ଦୋଳିଚି ମୋର ବଳୟିତ ବାହୁ । ମୁଁ ‘ଜଣ’ର ନୁହେଁ ‘ଗଣ’ର । ଯୋଉମାନେ ମୋ ପାଖକୁ ଆସନ୍ତି ସେମାନେ ଚିତ୍ତବାନ ନ ହେଲେ ବି ବିତ୍ତବାନ । ସେମାନେ ସମ୍ଭ୍ରାନ୍ତ ନ ହେଲେ ବି ଉଦାର । (ଅଭିଜ୍ଞତାରୁ ଜାଣିଛି, ଯେ ଯେତିକି ନୀତିବାଦୀ…ସେ ସେତିକି ନିଷ୍ଠୁର; ଯେ ଯେତେ ଲମ୍ଫଟ ସେ ସେତେ ପରୋପକାରୀ) ଯୋଉମାନେ ମୋର ଉପକାର କରିପାରିବେ, ସେଇମାନଙ୍କୁ ମୋର ଦରକାର । ମୋତେ ସାହାଯ୍ୟ କରିବା ପାଇଁ ଇଚ୍ଛା ଥିଲେ ବି ସାମର୍ଥ୍ୟ ଯୋଉମାନଙ୍କର ନାହିଁ, ସେମାନେ ମୋ’ପାଇଁ ଅବାଞ୍ଛିତ ।

 

ତେଣୁ ସୁମନ୍ତ, ତମେ ମୋର ଅବାଞ୍ଛିତ ଅପରିଚିତ ବିସ୍କୃତ ଏକ ଜୀବ ।

 

(କେବେ ତମ ପ୍ରତି ଦୁର୍ବଳତା ଆସିଥିଲା ତମର ମୋ ସମ୍ବନ୍ଧରେ ଧାରଣାକୁ ନେଇ କେବେ ଭାବି ବସିଥିଲି ମୋତେ ଭୁଲ ନ ବୁଝିବାକୁ ଅନୁରୋଧ କରି ଷ୍ଟେସନରୁ ଲେଖି ପଠାଇ ଦେଇଥିଲି ଦୁଇଟି ଶବ୍ଦ ଭୁଲି ଯାଅ ସେସବୁ ଆଜି । ଅଭିମାନ କରନାହିଁ, ଯେହେତୁ ମୋ’ପ୍ରତି ଅଭିମାନ ନିରର୍ଥକ । ସେ ଦିନର ମଞ୍ଜୁ ଆଉ ଆଜିର ମଞ୍ଜୁ ଭିତରେ ଅନେକ ତଫାତ୍ । ସେତେବେଳେ ଥିଲି ଖାଲି ମଞ୍ଜୁ ଆଉ ଆଜି ମୁଁ ପେଶାଦାର ଅଭିନେତ୍ରୀ ମଞ୍ଜୁଳା !)

 

ମୁଁ ଜଣେ ବିଶିଷ୍ଟ କଳାକାର !

 

ତମେ ସାମାନ୍ୟ ଜଣେ ଡ୍ରାଇଭର୍ ।

 

ତମଠାରେ ମୋର କୌଣସି ଆବଶ୍ୟକତା ନାହିଁ ।

 

ମୋ’ଆଡ଼କୁ ଚାହୁଁ ଚାହୁଁ ତମେ-ଆଉ ମୁଁ ମଧ୍ୟ ଅନାଉ ନାହିଁ ତମକୁ । ଗୋଟିଏ ଆସନରେ ଉଭୟେ ପାଖାପାଖି ବସିଥିଲେ ମଧ୍ୟ ତମ ଆଉ ମୋ ଭିତରେ ବ୍ୟବଧାନ ଆଜି ଦୁସ୍ତର-। ଏଇ ମୁହୂର୍ତ୍ତରେ ଗୋଟିଏ ଯାନରେ ଆରୋହୀ ହୋଇଥିବା ଯୋଗୁଁ ଏକ ଗତିରେ ପ୍ରଭଞ୍ଜନ-ପ୍ରାୟ ଆମେ ଆଗକୁ ଛୁଟି ଯିବାକୁ ବାଧ୍ୟ ହୋଇଥିଲେ ବି ଦିଗ ଆମର ବିଭିନ୍ନ-ମୁଖୀ । ଦୂରନ୍ତ ଗତିରେ ଆମଆଡ଼କୁ ମାଡ଼ି ଆସୁଥିବା କଳାମାନ ପଥ ଉପରେ ଚଳନ୍ତ ଏଇ ଯାନ ପରି ଜୀବନ ଆକାଶ ଛାୟା ପଥରେ ତମେ ଏକ ଉଲ୍‍କା ଆଉ ମୁଁ ଏକ ଲଞ୍ଜା ତାରା ।

 

ମୁଁ ତମକୁ ଚିହ୍ନୁଚି ।

 

କିନ୍ତୁ ଚିହ୍ନି ମଧ୍ୟ କରିଚାଲିଛି ନ ଚିହ୍ନିବାର ଅଭିନୟ ।

 

ଆଉ ତମେ ଯେ ମୋତେ ଚିହ୍ନି ମଧ୍ୟ ଚିହ୍ନା ଦେବାର ସାହସ କରିପାରୁନାହଁ ତାହାର କାରଣ–ତମେ ଜାଣ, ମୋ ଅପେକ୍ଷା ତମେ ଅନେକ ଛୋଟ ହେଇଯାଇଚ । ସଚେତନ ତମେ ତମର ହୀନମନ୍ୟତା ସମ୍ପର୍କରେ । ଅତିମାତ୍ରାରେ ସଚେତନ ।

 

ଉଭୟଙ୍କ ଆଖିରେ ଆମର ଗଗ୍ଲସ୍ । ଏଇଟା ଥିବାର ଅନେକ ସୁବିଧା ହେଇଚି, ନୁହେଁ-। ମୁହଁ ଢାଙ୍କିବାକୁ ବା ପରିଚୟ ଏଡ଼େଇବାକୁ ଏହାଠାରୁ ସୁବିଧାଜନକ ଜିନିଷ କିଛି ନାହିଁ-

 

ହୁଏତ ତମେ ଭାବିଥିଲ ସୁମନ୍ତ, ଗାଡ଼ିରେ ଉଠିବାମାତ୍ରେ ହସି ହସି ପଚାରି ଦେବି, ଆପଣ ଯେ ?

 

ତା’ପରେ ଆଶ୍ଚର୍ଯ୍ୟ ପ୍ରକାଶ କରିବି ତମକୁ ଟ୍ୟାକ୍ସି ଡ୍ରାଇଭର ଭାବରେ ଆବିଷ୍କାର କରି-!!!

 

ଏଇଆ ଭାବି ଥିଲ ନାଁ ?

 

କିନ୍ତୁ ମୋ ବିଶ୍ଵର ଶତ ଶତ ଗ୍ରହ-ଉପଗ୍ରହର ସଂଘର୍ଷ ଆଉ କଳରୋଳ ଭିତରେ ତମେ ଆଉ ତମପରି ସହସ୍ର ମଣିଷର ସୁଖ-ଦୁଃଖ ଉତ୍ଥାନ-ପତନ, କିରାଣୀରୁ ଟ୍ୟାକ୍ସି ଚାଳକ ହେବା କି ଟ୍ୟାକ୍ସି ଚାଳକରୁ ରିକ୍ସାବାଲାରେ ପରିଣତ ହେବାର ଦୃଶ୍ୟ କୌଣସି ସ୍ପନ୍ଦନ ଜଗାଏ ନାହିଁ-କମ୍ପନ ତ ଦୂରର କଥା ।

 

ଅବଶ୍ୟ ଆଶ୍ଚର୍ଯ୍ୟ ଯେ ହେଲି ନାହିଁ, ତାହାର କାରଣ ଭିନ୍ନ । କାରଣ ତମ ସମ୍ବନ୍ଧରେ ମୁଁ ଆଗରୁ ସବୁ ଜାଣିଥିଲି ।

 

ଭଦ୍ରକର ସେଇସବୁ ନାଟ୍ୟ ଉଦ୍ୟୋକ୍ତାମାନଙ୍କ ସହିତ ପରେ ଥରେ ଦେଖା ହୋଇଥିଲା ମୋର ।

 

କଥା ପ୍ରସଙ୍ଗରେ ସେଇମାନେ ମୋତେ କହିଥିଲେ ସବୁକିଛି ଘଟଣା ।

 

ଜାଣିଥିଲି, ଘୁଷ୍ ଖାଇ ଚାକିରୀ ତମର ଯାଇଚି-ଘୁଷ୍ ଟଙ୍କାରେ ଗାଡ଼ି କିଣି ତମେ ହେଇଚ ଟ୍ୟାକ୍ସି ଡ୍ରାଇଭର–ଏବଂ ତାହାହିଁ ସମାଜରେ ତମର ଏକମାତ୍ର ପରିଚୟ !!! ସବୁକିଛି ନଷ୍ଟ ହେଇଯାଇଚି ତମର–ଆର୍ଟ, କଲଚର, ଅଭିନେତା ହେବାର ବାସନା...ସବୁକିଛି ।

 

ଆଜି ତମର ପ୍ରତିଷ୍ଠା ନାହିଁ, ନାହିଁ ସାମାଜିକ ସ୍ଥିତି, ତମର ନାହିଁ ସଙ୍ଗତି ! (ମନକୁ ମନ ହସି ଉଠି ମନେ ମନେ କହୁଚି) ସର୍ବୋପରି ନାହିଁ ମୋର ଆବଶ୍ୟକତା ପୂରଣ କରିପାରିବାର ସାମର୍ଥ୍ୟ !!! (ଅବଶ୍ୟ ଆଗେ ମଧ୍ୟ ନ ଥିଲା !)

 

ସୁମନ୍ତ ଅଛି ତମର ଖାଲି ଅବିଶ୍ରାନ୍ତ ଗତି ଆଉ ସୀମାହୀନ ପଥ ।

 

କିନ୍ତୁ ମୋର ଆବଶ୍ୟକ ବେଗ କିମ୍ବା ଆବେଗ ନୁହେଁ ଅର୍ଥ... ଅର୍ଥ... ଅର୍ଥ...; ଅର୍ଥ ହିଁ ମୋର ପରମାର୍ଥ ।

 

ଧର୍ମ ନୁହେଁ...

 

କାମ ନୁହେଁ...

 

ମୋକ୍ଷ ନୁହେଁ...

 

କେବଳ ଅର୍ଥ ଭିତରେହିଁ ମୋର ଚତୁବର୍ଗ ଫଳପ୍ରାପ୍ତି !!!

 

ସେଥିପାଇଁ ସେଇମାନଙ୍କୁ ମୋର ଆବଶ୍ୟକ ଯୋଉମାନଙ୍କର ଅଛି ମୋଟା ଅଙ୍କର ବ୍ୟାଙ୍କ୍ ବାଲାନ୍ସ । (ତମର ନିଶ୍ଚୟ ତା’ ନାହିଁ ।)

 

ଜଣେ ବୃଦ୍ଧ ଅଧ୍ୟାପକ, ଯାହାଙ୍କୁ ମୁଁ ସାଙ୍ଗ-ଦାନ କରିଥାଏ ସେ ତାଙ୍କର ସମଗ୍ର ଜୀବନବ୍ୟାପୀ ସଞ୍ଚୟ କରିଥିବା ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଟଙ୍କା ମୋ’ପାଇଁ ଖରଚ କରି ନିଃସ୍ଵ ହୋଇଯାଇଚନ୍ତି ।

 

ଜଣେ ବିଶିଷ୍ଟ ରାଜନୀତିଜ୍ଞଙ୍କୁ ପାର୍ଟି ଫଣ୍ଡ୍ ଆତ୍ମସାତ୍ କରିବାକୁ ହେଇଚି ମୋରି ପାଇଁ ।

 

ଏଇ ଯୋଉ ପାଞ୍ଚଶହ ଟଙ୍କା ଦାମରେ ବନାରସୀ ଶାଢ଼ିଟା ମୁଁ ପିନ୍ଧିଛି ବର୍ତ୍ତମାନ, ଏଇପରି ଦଶଖଣ୍ଡ ମୋତେ କିଣି ଦେବାରେ ଶେଷ ହୋଇଯାଇଚି ଜଣେ ଔପନ୍ୟାସିକଙ୍କ କେନ୍ଦ୍ର-ସାହିତ୍ୟ-ଏକାଡ଼େମୀ ପୁରସ୍କାର ପାଞ୍ଚ ହଜାର ଟଙ୍କା ।

 

ମନେପଡ଼ୁଛି ଏଇ ମୁହୂର୍ତ୍ତରେ ରେଡ଼ିଓରୁ ଶୁଣିଥିବା ଲିରିକଟିଏ–

 

“ତୁମେ ଯେତେ ନେଇପାର…

ତା’ଠାରୁ ମୁଁ ବେଶୀ ଦେଇପାରେ... !!’’

 

ମଞ୍ଜୁଳା ବା ମଞ୍ଜୁଳା ପରି କାହାର କବଳରେ ନିଶ୍ଚୟ ଏ ପର୍ଯ୍ୟନ୍ତ ପଡ଼ିନାହାନ୍ତି ସେଇ ଲିରିସିଏନ୍ ।

 

ସୁମନ୍ତ, ହେଇପାରେ ତମେ ମୋତେ କେବେ ଭଲ ପାଇଥିଲ । ହେଇପାରେ, ସେଇ ଭଲପାଇବା ପ୍ଲାଟୋନିକ ମଧ୍ୟ !

 

(ଚଣ୍ଡି ଦାସ ନିକଟରେ ନିଜେ ତ ନେଇଥିଲି ସେହି ବିଦଗ୍ଧା ରାଜକିନୀର ରୋଲ୍ । ଗାଇ ଥିଲି

 

‘‘ଶୁଣ ବରନାରୀ...

ରାଜକିନୀ ପ୍ରେମ...ନୀକଷିତ... ହୋମ...

କାମ-ଗନ୍ଧ ନାହିଁ ତହିଁ...”

 

ଖାଲି “ଚଣ୍ଡି ଦାସ” କାହିଁକି ଆହୁରି ଏହିପରି କେତେ ପ୍ଲାଟୋନିକ୍ ପ୍ରେମର ନାଟକରେ ମୁଁ ନାୟିକା ହେଇଚି–ଯଥା “ଚନ୍ଦ୍ରଶେଖର”… ଇତ୍ୟାଦି ।

 

ଜନସାଧାରଣ ସେଥିରୁ କିଛି ଶିଖୁଥିବେ କି ନାହିଁ ଜାଣେନା କିନ୍ତୁ ନାମ ଭୂମିକାରେ ଅଭିନୟ କରୁଥିବା ପୁରୁଷମାନେ ଯେ ଅନ୍ତତଃ ଆଦୌ ପ୍ଲାଟୋନିକ ନୁହନ୍ତି ତାହାର ପ୍ରମାଣ ପାଇଛି ମୋ’ପ୍ରତି ସେମାନଙ୍କ ବ୍ୟବହାରରୁ… ଯଦିଓ ସେଟା ‘ଗ୍ରୀନ-ରୁମ୍ ଆଫେୟାର୍ସ’ !

 

(ଦର୍ପଣ ଆଗରେ ଠିଆ ହୋଇ ବକ୍ଷ-ବନ୍ଧନୀ ଖୋଲୁ ଖୋଲୁ ‘ଚଣ୍ଡି ଦାସ’, ଯେତେବେଳେ ଆସି ମୋତେ ଭିଡ଼ି ଧରିଥିଲେ ପଛଆଡ଼ୁ “ଛାଡ଼ିବେ ନାଁ ପାଟି କରିବି” ବୋଲି କିପରିଭାବେ କହିଥିଲି… ବର୍ତ୍ତମାନ ମନେ ପଡ଼ୁଥିବାରୁ ଚେଷ୍ଟାକରି ହାସ୍ୟ-ସମ୍ବରଣ କରିବାକୁ ହେଉଛି !!!)

 

ହୁଏତ, ତମେ ମୋତେ ଭଲ ପାଇଥିଲ । ଭାବିଥିଲି, ମୁଁ ବି ଭଲ ପାଇଛି ତମକୁ । ଅହଂକାରୀ ପ୍ରତ୍ୟେକଟି ପ୍ରେମିକ ଓ ପ୍ରେମିକା “ସିଏ ବି ମୋତେ ଭଲ ପାଏ” । ଏଇ ବିଶ୍ଵାସ ମନକୁ ନ ଆଣିଲେ ସେ ଶାନ୍ତ ପାଇ ପାରେନା ବେଶ୍ ତେବେ, ଧରିନିଅ–ମୁଁ ମଧ୍ୟ ଭଲ ପାଇଥିଲି ତମକୁ । କିନ୍ତୁ ସେ ତ ଖାଲି ସ୍ମୃତି !

 

ଅନେକ କିଛି ପରି ଭଲ ପାଇବା ମଧ୍ୟ ଏକ ଘଟଣା ।

 

ଜୀବନର ଅନେକ ଘଟଣା ଭୁଲି ଯାଇଥିବ ତୁମେ, ଭୁଲି ଯାଇଥିବ ମୁଁ ବି । ତେଣୁ ଆସ ସୁମନ୍ତ, ଅତୀତକୁ ଆମେ ଭୁଲିଯିବା ଖେଳୁଆଡ୍‍ ମନୋବୃତ୍ତି ନେଇ ।

 

ଅଭିମାନ କରି ବସନା କଥା କୁହ ସୁମନ୍ତ । ତମେ ଜଣେ ପୁରୁଷ ଆଉ ମୁଁ ଜଣେ ନାରୀ-। ଏଇ ହେଉ ଆଜି ଆମର ପରସ୍ପର ପାଖରେ ପରିଚୟ । ମନେ କରିନିଅ, ଆଜି ଆମର ପ୍ରଥମ କରି ସାକ୍ଷାତ୍‍ ହେଲା;–ଆଳାପ ଟିକିଏ ହେଉନା ! ନାରୀ, ବିଶେଷତଃ ଜଣେ ସୁନ୍ଦରୀ ତରୁଣୀ–ଅଭିନେତ୍ରୀ ପାଖରେ ଏତେକ୍ଷଣ ଜଣେ ପୁରୁଷ କ’ଣ ନୀରବ ହେଇ ବସି ରହିପାରେ (supposed to sit…) କୌଣସି ନା କୌଣସି ଆଳରେ ତମେ ଆଗେ ମୋ ସହିତ କଥା କହିବା ଉଚିତ ! (ଅଭିନେତ୍ରୀ ଜୀବନରେ ବହୁ ଅଭିଜ୍ଞତା ମୋର ହେଇଚି ଇମିତି; ଆଉ ତାହାକୁ ମୁଁ ସବୁବେଳେ ଧରି ନେଇଚି ମୋ’ପ୍ରତି ଏକ ସମ୍ମାନଭାବେ । ସମ୍ମାନ, ମୋ’ପ୍ରତି...ମୋ’ର ଆକର୍ଷଣ ଶକ୍ତି ପ୍ରତି…ମୋର ରୂପ ଆଉ ଯୌବନ ପ୍ରତି !)

 

ଓ… ! ଚାହଁ ମୋତେ ଅପମାନ କରିବା ପାଇଁ ? ଚାହଁ, ଆଘାତ ଦେବା ପାଇଁ ମୋତେ-? ଚାହଁ ମୋତେ ଅସ୍ଵୀକାର କରିବା ପାଇଁ ? କୁହ, କୁହ କ’ଣ ଚାହଁ ତମେ ?

 

ହୁଁ ! ସାମାନ୍ୟ ଗୋଟାଏ ଟ୍ୟାକ୍ସି ଡ୍ରାଇଭର୍ !!

 

ଭାବିଚି, ମୁଁ ୟା’ ଗୋଡ଼ ଧରି ପକେଇବି !

 

ଗୋ ଟୁ ହେଲ୍ । କେତେ ଇମିତି ଗଲେଣି; କିଏ କେଆର କରେ ?

 

ବର୍ତ୍ତମାନ ଯଦି ପୂର୍ବ ପରିଚୟ ମନେପକାଇ ଦିଅନ୍ତା–ଉତ୍ତର ଦିଅନ୍ତି “ଆପଣ କିଏ… ! ମୁଁ ଚିହ୍ନି ନାହିଁ…” ଏବଂ ସେଇଟାରେ ବେଶ୍ ଦଣ୍ଡ ହୁଅନ୍ତା । ଏଭଳି ଅହଂକାରୀ ଲୋକକୁ ।

 

କିନ୍ତୁ ସେ ଯଦି ମନେପକାଇ ଦିଅନ୍ତା–ଭଦ୍ରକ ଡାକ ବଙ୍ଗଳା… ସେଇ ରାତି ପରଦିନ ସକାଳ ???

 

ଡ୍ୟାମ ଇଟ୍ ! ଆଇ ଡ଼ୁ ନଟ୍ କେଆର !!

 

ସେଦିନର ମଞ୍ଜୁଳା ଆଉ ଆଜିର ମଞ୍ଜୁଳା ଭିତରେ ଅନେକ ତଫାତ୍ ।

 

ସଙ୍କୁଚିତ ହୋଇଯାଇଥିଲି ସେଦିନ ଏଇ ଲୋକଟିର କଥା ପଦକରେ ।

 

କାରଣ, ସେତେବେଳେ ମୁଁ ଥିଲି ‘ଶିଶୁ’ । ଝରଣାଦିଙ୍କ ସହିତ କମ୍ପ୍ରମାଇଜିଂ ପୋଜିସନରେ ମୋତେ ଏଇ ଲୋକଟା ଦେଖି ନେଇଥିବା କଥା ଜାଣିପାରିବା ପରେ ବାସ୍ତବିକ ମୁଁ ଏତେ ଭାଙ୍ଗି ପଡ଼ିଥିଲି ଯେ–ଇଚ୍ଛା କରିଥିଲେ ଇଏ ମୋତେ ବ୍ଲାକ ମେଲିଂ ବି କରିପାରି ଥାଆନ୍ତା । କିନ୍ତୁ ଆଜି ଆଉ ଏ ମଞ୍ଜୁଳା ସେ ମଞ୍ଜୁଳା ନୁହେଁ ।… ଅହିରାଜ ନିର୍ମେକ ତ୍ୟାଗ କରିବା ପରି ଲଜ୍ଜା, ବ୍ରୀଡ଼ା ସଙ୍କୋଚକୁ ବହୁଦିନୁ ମୁଁ ପରିତ୍ୟାଗ କରିସାରିଚି । ମୁଁ ବର୍ତ୍ତମାନ ସେଇ ମଞ୍ଜୁଳା ଯିଏ ଦୁଃସାହାସିକ ଉତ୍ତର ଦେଇପାରିଚି “ଅଭିନୟ” ପତ୍ରିକାର ପୃଷ୍ଠାରେ (“ସମ୍ପାଦକଙ୍କ ସହିତ ସାକ୍ଷାତ୍‍କାର” ବିଭାଗରେ)–“ମୁଁ କଳାର ପୂଜାରିଣୀ । ଆଇନ୍ ଯଦି ଅନୁମତି ଦିଏ କଳାର ଉତ୍କର୍ଷ ପାଇଁ ମଞ୍ଚ ଉପରେ ମୁଁ ନଗ୍ନ ହୋଇ ଅଭିନୟ କରିବାକୁ ମଧ୍ୟ ନିଶ୍ଚୟ ରାଜି ଅଛି !”

 

ସୁମନ୍ତ ତୁଚ୍ଛ ତମେ, ତୁଚ୍ଛ ତମର ଅହଂଙ୍କାର । ରହିଥାଅ ସେଇ ଅର୍ଥହୀନ ଅହଂଙ୍କାରକୁ ନେଇ । ପ୍ରଥମେ ମୁଁ ତମ ସହିତ ଉପଯାଚକ ହୋଇ କଥା କହିବି, ଏଇଆ ଭାବି ଯଦି ସମୟ ଗଣୁଥାଅ–“ପଥ ଶେଷ ହେଇଯିବ, ସମୟ ଆସିବନି ।“ ତା’ ଅପେକ୍ଷା ବରଂ ପଦେ ଅଧେ କୁହ, ଅଳପ କରି ନିଅ, ଗର୍ବ କରି କହିପାରିବ ପରେ କାହା ଆଗରେ ଯେ ମୋତେ ପ୍ରତି ଜଣେ ଶ୍ରେଷ୍ଠ-ସୁନ୍ଦରୀ ଖ୍ୟାତନାମା ଅଭିନେତ୍ରୀ ସହିତ କଥା କହିପାରିଥିଲ ବୋଲି !! ...ଏଇ ଗୌରବରୁ ନିଜକୁ ବଞ୍ଚିତ କରନାହିଁ ସୁମନ୍ତ ।

 

ଅତୀତ ମୃତ, ଅତୀତ ବିଲୁପ୍ତ । ସେ ଦିନର ମଞ୍ଜୁଳା, ଯାହା ସହିତ ତମେ କଥାବାର୍ତ୍ତା କରିଥିଲ ଅବଲୀଳା କ୍ରମେ, ସେ ଅଭିନୟ “ଦେଖିବା” ପାଇଁ ଯାଇଥିଲା… “କରିବା” ପାଇଁ ନୁହେଁ; “ଶିଖିବା’’ ପାଇଁ ଯାଇଥିଲା “ଶିଖାଇବା” ପାଇଁ ନୁହେଁ । ଆଜିର ମଞ୍ଜୁଳା; କିନ୍ତୁ ଭିନ୍ନ–ଏକଜାକ୍ଟଲି ଅପୋଜିଟ୍ !!! ସେ ଆଜି ଅଭିନୟ ଖାଲି କରେ ଅବା ଦେଖାଏ ନୁହେଁ, ଶିଖାଇ ଆଉ କରାଇ ପାରିବାର ସାହସ ବି ରଖେ ଏବଂ ତାହା ଖାଲି ମଞ୍ଚ ଉପରେ ନୁହେଁ, ଜୀବନର ପ୍ରତ୍ୟେକଟି କ୍ଷେତ୍ରରେ ମଧ୍ୟ ।

 

ତେଣୁ, ଅ-ନେ-କ ବଡ଼ ସିଏ ଆଜି ।

 

ଅତଏବ, ତା’ ସହିତ ଟିକିଏ କଥା ହୋଇପାରିବାର ତମ ପକ୍ଷରେ ଗୌରବ !!!

 

କିନ୍ତୁ ଏ କ’ଣ କ’ଣ ଭାବି ତମେ ସ୍ପିଡ଼ଟା ଏତେ ବେଶୀ ବଢ଼େଇ ଦେଲ ହଠାତ୍ କରି ? ମୋତେ ଯେ ଭୟ ଲାଗୁଛି ସୁମନ୍ତ ।

 

ସାମନାର ସବୁକିଛି ଯେପରି ପ୍ରବଳ ବେଗରେ ଧାଇଁ ଆସୁଚି ଆଉ ଆଉ ଆଗରେ ସେଇ ହେଆର-ପିନ୍-କର୍ଭଟା...

 

ବର୍ତ୍ତମାନ ଦେଖୁଚି ମୋତେଇ ପ୍ରଥମେ କଥା କହିବାକୁ ହେବ... ।

 

ମୁହଁରୁ ବାହାରି ଗଲା, ସୁମନ୍ତ, ସ୍ଲୋ ପ୍ଳିଜ... ଆଉ କହିବା ସାଙ୍ଗେ ସାଙ୍ଗେ ମୋ ହାତ ଧରି ପକାଇଲା ତମ ହାତକୁ ।

 

ପର ମୁହୂର୍ତ୍ତରେ ତମେ ଫେରି ଚାହିଁଲ ମୋ’ଆଡ଼କୁ ।

 

ଆମେ ଉଭୟ ଉଭୟଙ୍କୁ ଚାହିଁ ରହିଗଲେ !!

 

ପଛ ସିଟରୁ ପାଟି କରି ଉଠିଲେ ସେମାନେ !!!

 

ତା’ ପରର ଘଟଣା ସମ୍ବାଦ ପତ୍ରରେ ହେଡ଼ ଲାଇନ୍ !!!

 

ସେଇ ଏକସିଡେଣ୍ଟ୍ !

 

ସବୁକିଛି ଓଲଟ ପାଲଟ କରିଦେଲା...

 

ମୁଁ ଆଜି ନିଃସ୍ଵ । ରୂପର ହାଟରେ ଦେବାଳିଆ !! ଚିରଦିନ ପାଇଁ ମୋ ମୁହଁ ବିକୃତ ହେଇଯାଇଚି । କୌଣସି ଚିକିତ୍ସା ଆଉ ମୋର ସୌନ୍ଦର୍ଯ୍ୟ ଫେରାଇ ଆଣି ପାରିବନି; ଏପରିକି ପ୍ଲାଷ୍ଟିକ୍ ସର୍ଜରୀ ମଧ୍ୟ । ମୁଁ ଆଜି ଫେଲ୍ ମାରି ଯାଇଥିବା ବ୍ୟାଙ୍କରେ ଗୋଟାଏ ମୂଲ୍ୟହୀନ ଚେକ୍; ଓୟେଷ୍ଟ୍ ପେପର ବାସ୍କେଟକୁ ଫୋପାଡ଼ି ଦେବା ଭଳି ଗୋଟାଏ ସ୍ଲାପ୍-ପେପର । ଜୀବନରେ ମୁଁ ଆଉ କୌଣସି ଦିନ ମଞ୍ଚ ଉପରେ ଠିଆ ହୋଇପାରିବିନି, ଅଭିନୟ କରିପାରିବିନି, ହିପନୋଟାଇଜ୍ କରିପାରିବିନି ଅସଂଖ୍ୟ ଜନତାକୁ । ମୁଁ ନିଃଶେଷ ହୋଇଯାଇଚି–ଶେଷ ହୋଇଯାଇଚି ମୋର ଅଭିନେତ୍ରୀ-ଜୀବନ ।

 

ଆଜି ମୁଁ ଆଉ ଅଭିନେତ୍ରୀ ନୁହେଁ ସୁମନ୍ତ, ତେଣୁ ନୁହେଁ ଆଗ ପରି ଅନ୍ ନେଚୁରାଲ ମଧ୍ୟ ।

 

ସେଇଥି ପାଇଁ ଏତେଦିନ ପରେ ଆଜି ହୃଦୟର କଥା କହୁଚି–ସୁମନ୍ତ, ମୁଁ ତମକୁ ଭଲ ପାଏ । ନିଆଁ ଉପରେ ପାଉଁଶ ଢାଙ୍କିବା ଭଳି ଭଦ୍ରକରୁ ଆସିବା ପରେ ତମର ସ୍ମୃତି ଉପରେ ପାହାଡ଼ ପରି ଢାଙ୍କି ହେଇ ଗଲା ମୋ ଅଭାବ ଅନାଟନର ଚିନ୍ତା । ଆଉ ତା’ପରେ ମୋ ଅଭିନେତ୍ରୀ ଜୀବନର ପ୍ରାରମ୍ଭରେ ମେଘ ପରି ଘୋଟି ଆସିଲେ ବହୁ ବିଳାସୀ ପୁରୁଷ ଯୋଉମାନେ ମୋତେ ଉଦ୍ଧାର କଲେ ସେହି ଅଭାବ ଅନାଟନରେ ଅନିଶ୍ଚିତତା ଭିତରୁ । କିନ୍ତୁ ବିଶ୍ଵାସ କର ସୁମନ୍ତ, ମନର ଆକାଶରେ ମୋର ଅନେକ ତାରାର ରାତ୍ରି ଭିତରେ ତମେଇ ଥିଲ ପ୍ରାବୃଟ ପରିସୀମାର ଉର୍ଦ୍ଧ୍ଵତର ନିର୍ଦ୍ଦିଷ୍ଟ ଏକ ବିନ୍ଦୁ ।

 

ଭଲ ଲାଗିବା ସବୁବେଳେ ଅହେତୁକ । ତାହାର କୌଣସି ହେତୁ ନ ଥାଏ, କାରଣ ନ ଥାଏ । ଜିହ୍ଵା ସ୍ଵାଦର ରୁଚି ମଧ୍ୟ ଅବୋଧ୍ୟ । ତା’ ନ ହେଲେ ସେଇ ମୂଢ଼ା ରାଜକିନୀ ନାରୀ ପାଇଁ ଉଦ୍ଭାବକ ହୋଇନଥାନ୍ତେ ପଣ୍ଡିତ ଚଣ୍ଡି ଦାସ, ସାମାନ୍ୟ ଗୋଟାଏ ନିଗ୍ରୋ କ୍ରୀତଦାସ ପାଇଁ ବିଦଗ୍ଧ ହୋଇନଥାନ୍ତେ ଭାରତ ସାମ୍ରାଜ୍ଞୀ ରେଜିୟା ।

 

ମୋର ଅବଚେତନ ମନ ଭିତରେ ଲୁଚି ରହିଥିଲା କେବଳ ତୁମରି ଅବତାର ସୁମନ୍ତ । ସୁଲତାନ୍ ରେଜିୟାର ଭୂମିକାରେ ଅଭିନୟ କଲାବେଳେ ଭାବୁଥିଲି ତମେଇ ସେଇ ନିଗ୍ରୋ କ୍ରୀତଦାସ, ରାଜକିନୀ ଭୂମିକାରେ ଅଭିନୟ କଲାବେଳେ ତମକୁ ଚଣ୍ଡି ଦାସ ଭିତରେ ଦେଖୁଥିଲି... ଆଉ ସେଇଥି ପାଇଁ ହୁଏତ ଏତେ ସଫଳ ହେଉଥିଲା ମୋର ଅଭିନୟ । ନିର୍ଜନ ନଦୀକୂଳରେ ବସ୍ତ୍ର ବୋଝ ନେଇ “କାହିଁକି ସେ ଆସିଲେ ନାହିଁ ଏତେ ବେଳ ଯାଏ…” କହିବା ବେଳେ ଚିନ୍ତା କରୁଥିଲି ଚଣ୍ଡି ଦାସ ନୁହେଁ ତମକୁ ଶୀଶ୍‍ମହଲର ବିରାଟ ଦର୍ପଣ ଆଗରେ ଠିଆ ହେଇ ରାଣୀର ବେହରଣ ପରିତ୍ୟାଗ କରୁ କରୁ ସୁଲତାନ୍‍ ରେଜିୟାର ନାଟକ ସଂଳାପ “ତା’ରି ପାଇଁ ସାମ୍ରାଜ୍ୟରେ ସମସ୍ତେ ମୋର ବିରୋଧୀ…” ବୋଲି ସ୍ଵଗତୋକ୍ତି କଲାବେଳେ ଭାବୁଥିଲି ସମଗ୍ର ନାଟ୍ୟ ଜଗତ ଯେପରି ମୋତେ ପଚାରୁଛି–“ସୁମନ୍ତକୁ ତୁ ଭଲ ପାଉ କାହିଁକି ?”

 

ବାସ୍ତବିକ କିଏ କାହାକୁ କାହିଁକି ଭଲ ପାଏ, ଏହାର ଉତ୍ତର ମନସ୍ତତ୍ତ୍ଵବିଦ୍ ମଧ୍ୟ ଦେଇପାରିବା ସମ୍ଭବ ନୁହେଁ ।

 

ସୁମନ୍ତ, ଆଜି ଯେତେବେଳେ ମୁଁ ସମସ୍ତଙ୍କ ଆଖିରେ ଅବହେଳିତା ତମେ ପ୍ରସ୍ତାବ କରୁଚ ମୋତେ ବିବାହ କରି ନେବା ପାଇଁ । କହୁଚ, ତମ ଜୀବନରେ ମଧ୍ୟ ଆସିଚନ୍ତି ବହୁ ନାରୀ–କିନ୍ତୁ ସେମାନଙ୍କ ସହିତ ସମ୍ପର୍କ କେବଳ ଦେହର; ମଞ୍ଜୁଳା ଭିନ୍ନ ଆଉ କାହାକୁ ତମେ ମଧ୍ୟ କୁଆଡ଼େ ମନ ଭିତରେ କଳ୍ପନା କରିପାରିନାହିଁ କେବେ ହେଲେ ।

 

ତମ କଥା ମୁଁ ବିଶ୍ଵାସ କରୁଚି । ଅବିଶ୍ଵାସ କରିବାର କିଛି ନାହିଁ, ଯେହେତୁ ମୁଁ ଅସୁନ୍ଦରୀ-। ସୁନ୍ଦରୀ ହୋଇଥିଲେ ତମର ଏଇସବୁ ସଂଳାପକୁ ଅଭିନୟର ଡାଏଲଗ୍ କହି ହସି ଉଡ଼େଇ ଦେଇଥାଆନ୍ତି (ଯେହେତୁ ଏଇ ପ୍ରକାର ଡାଏଲଗ୍ ମୁଁ ବହୁତ ଶୁଣିଚି ମୋ ଡ୍ରଇଁ ରୁମରେ ବସି ବସି ରୂପବତୀ ଥିଲାବେଳେ । ହ୍ଵାଇଟ୍ ହର୍ସର ନିଶା ସେମାନଙ୍କୁ ଏସବୁ କୁହାଏ । ନିଶା ଛାଡ଼ିବା ପରେ ଅବଶ୍ୟ ପୁଣି ଅନ୍ୟ ମଣିଷ ହୋଇଯାଇଥିଲେ ସେମାନେ !!)

 

ମୁଁ ବିଶ୍ଵାସ କରୁଚି, ତମେ ପ୍ରକୃତରେ ମୋତେ ବାହା ହେବା ପାଇଁ ଚାହଁ । କିନ୍ତୁ ସୁମନ୍ତ, ଆହୁରି ମଧ୍ୟ କ’ଣ ବିଶ୍ଵାସ କରେ ଜାଣ ? ବିଶ୍ଵାସ କରେ, ତମେ ମୋତେ ଦୟା କରିବାକୁ ଚାହୁଁଚ ।

 

ଦିନେ ହୁଏତ ମୋ’ପ୍ରତି ତମ ମନରେ ଭଲ ପାଇବା ଥିଲା–କିନ୍ତୁ ଆଜିର ଏଇ ବିବାହ-ପ୍ରସ୍ତାବ ପଛରେ ଅଛି ନିଛକ ମାନବିକତା ।

 

ଏବଂ ଖାଲି ଦୟା ନୁହେଁ, ଆହୁରି ବି ଅଛି ପ୍ରାୟଶ୍ଚିତ କରି ଅପରାଧରୁ ମୁକ୍ତି ପାଇବାର ‘ଆଧ୍ୟାତ୍ମିକତା’ । ଏଇଥିରୁ ସନ୍ଦେହ ହେଉଛି, ହୁଏତ ତମେ ଇଶ୍ଵର ବିଶ୍ଵାସୀ !

 

ସୁମନ୍ତ, ସତ କହିବ କି ଯଦି ଗୋପନରେ ପଚାରେ–ଆମ ଘର ପାଖରେ ଯୋଉ ମୋଟର ଭେହିକ୍ଳ ଇନ୍ସପେକଟର୍ ରହନ୍ତି, ତାଙ୍କୁ ତମେ ହଜାରେ ଟଙ୍କା ଘୁଷ୍ ଦେଇଛ କି ନାହିଁ ? ଅସ୍ଵୀକାର କରିପାରିବ ?

 

(ମୁଁ ଜାଣେ ସବୁକଥା । ସେଇ ମେତେ ବିଶ୍ଵାସରେ କହିଚନ୍ତି । “ତମର କିଛି ଦୋଷ ନାହିଁ… କଟି ଯାଇଥିଲା ଗାଡ଼ିର ଟାଇରଡ଼୍...” ଏଇ ରିପୋର୍ଟ୍ ଲେଖି ସେ ବଞ୍ଚାଇ ଦେଇଚନ୍ତି ତମକୁ-!)

 

କିନ୍ତୁ ଯେହେତୁ ତମେ ଜାଣ ଯେ ଅପରାଧ ତମର, ଦୁର୍ଘଟଣା ପାଇଁ ଦାୟୀ ସମ୍ପୂର୍ଣ୍ଣଭାବେ ତମେ–ତେଣୁ ମୋର ବିପର୍ଯ୍ୟୟ ପାଇଁ ମନେ ମନେ ଦୋଷୀ କରୁଛ ନିଜକୁ । ତମେ ଅପରାଧବୋଧରେ ପୀଡ଼ିତ । (ଅବଶ୍ୟ ଏଇଥିରୁ ପ୍ରମାଣିତ ହୁଏ ତମର ବିବେକ ଅଛି ମାନବିକତା ଅଛି !) ସେଇଥି ପାଇଁ ମାନବିକତା ଦୃଷ୍ଟିରୁ ମୋର ଦାୟିତ୍ଵ ତମେ ବୈବାହିକ-ଚୁକ୍ତିରେ ବହନ କରି ନେବା ପାଇଁ ଚାହୁଁଚ ।

 

ରୂପ-ସର୍ବସ୍ଵା ମଞ୍ଜୁଳା କିନ୍ତୁ ଭିନ୍ନ ଧାତୁରେ ଗଢ଼ା । ସେ କେବଳ ତମକୁ ନେଇ ସୁଖୀ ହୋଇ ରହିପାରିବନି ସୁମନ୍ତ, ଯଦିଓ ସେ ତମକୁ ଭଲ ପାଏ । କାଲି ପର୍ଯ୍ୟନ୍ତ ଯିଏ ଥିଲା ଅସଂଖ୍ୟ ସ୍ତାବକ । ପରିବୃତା, ଆଜି ତା’ର ଆଖି ଆଗରେ ସବୁକିଛି ଶୂନ୍ୟ ହେଇଯାଇଚି । ସୌନ୍ଦର୍ଯ୍ୟର ପ୍ରଶଂସା ଶୁଣିବାରେ ଯିଏ ଅଭ୍ୟସ୍ତା, ଆଜି ତାକୁ ଶୁଣିବାକୁ ପଡ଼େ-“ ଇସ୍, କ’ଣ ଥିଲେ ଆପଣ, କ’ଣ ହେଇଯାଇଚନ୍ତି !” ଝରକା ବାଟେ ବାହାରକୁ ଚାହିଁ ବସିଲେ କାନରେ ପଡ଼େ ପଥଚାରୀମାନଙ୍କ ରିମାର୍କ–“ଇଏ ମଞ୍ଜୁଳା ଦେବୀ; ଓଡ଼ିଶାର ଶ୍ରେଷ୍ଠ ଅଭିନେତ୍ରୀ ଥିଲେ । ଆଜି ଚୁଃ ଚୁଃ…” ।

 

ମୁଁ କାହାର ଦୟାର ପାତ୍ରୀ ହେବା ପାଇଁ ଚାହେଁନା । ଚାହେଁନା ବି ଖାଲି “ବଧୂ” ହୋଇ ବଞ୍ଚି ରହିବା ପାଇଁ । ବଞ୍ଚିବା ଆଉ ବଞ୍ଚି ରହିବା ଭିତରେ ତଫାତ୍ ଅଛି ସୁମନ୍ତ ! ମୁଁ ବଞ୍ଚିବାକୁ ଚାହେଁ, ବଞ୍ଚି ରହିବା ପାଇଁ ନୁହେଁ । ଆଇ ଉଇସ୍ ଟୁ ଲିଭ୍, ନଟ୍ ଟୁ ଏକଜିଷ୍ଟ୍ !!!

 

କିନ୍ତୁ ବଞ୍ଚିବା ଭଳି ବଞ୍ଚିପାରିବା ମୋ ପକ୍ଷରେ ଆଉ ସମ୍ଭବ ନୁହେଁ ଯେତେବେଳେ ମୋତେ ଯିବା ପାଇଁ ଦିଅ ବରଂ ।

 

ଓଭର-ଡୋଜ ସ୍ଳିପିଂ ପିଲସ୍ ଖାଇ ଚିରଦିନ ପାଇଁ ଶୋଇପଡ଼ିବା । ଆଗରୁ କହିଯାଉଛି ଏତିକି–ଅପସୃୟମାନ ଶତ ଶତ ମାଇଲ୍ ଖଣ୍ଟିରୁ ଗୋଟିଏ ବୋଲି ମନେକରି ମୋତେ ତୁମେ ଭୁଲି ଯାଅ... ।

 

ସୁମନ୍ତ ଜୀବନର ଚଲାପଥ ଉପରେ ଚଳମାନ ଏଇ ଜୀବନ । ଜୀବନର ଚଲାପଥ ସରଳ ନୁହେଁ, କୁଟିଳ । ସେଥିରେ ଅନେକ ବାଙ୍କ ଅନେକ ବୁଲାଣି ଅନେକ ଗଭୀର ଗରିବର୍ତ୍ତୁ ! ତେଣୁ ମାଇଲଖୁଣ୍ଟିକୁ ନ ଅନାଇ ପଥ ଉପରେ ଦୃଷ୍ଟି ଦିଅ କେବଳ !

 

ପୃଥିବୀଟା ଏଇ ଭଳି–ଜୀବନଟା ଏଇପରି–ଉଚ୍ଛ୍ଵାସ ଆଉ ଆବେଗକୁ ନେଇ ନୁହେଁ… କୁଟିଳତା, ଦୁର୍ଗମତା ଆଉ ବେଗକୁ ନେଇ ପୃଥିବୀ !!!

 

ଶେଷରେ ଏତିକି ଅନୁରୋଧ ମୋତେ ଦେଇଥିବା ପ୍ରସ୍ତାବ ତୁମେ ଆଉ କାହାକୁ ଦିଅ–ଭଲ ପାଅ–ସୁଖୀ ହୁଅ ।

 

ବେଶ୍ ଏତିକି ।

 

ବ୍ରାଣ୍ଡି ଗ୍ଲାସ୍ ଭିତରେ ପକାଇ ଥିବା ସ୍ଳିପିଙ୍ଗ୍ ପିଲସ୍‍ଗୁଡ଼ାକ ଡିଜଲ୍ଭ ହେଇ ଗଲାଣି ।

 

ନିଶୂନ ରାତି ।

 

ସମସ୍ତେ ଶୋଇଚନ୍ତି ।

 

ଗ୍ଲାସ ନେଉଛି ଓଠ ପାଖକୁ... ଆସ୍ଵାଦନ କରିବା ପାଇଁ ମୁକ୍ତିର ସ୍ଵାଦ !!!

 

“ଯବନିକା ପତନ”

Image